ଆଖି ରୋଗ

Suravi Digital Magazine in Odia

ଆଖି ରୋଗ

ଲେଖକ: ଶ୍ରୀ ହରେକୃଷ୍ଣ ସାହୁ

Shree Harekrushna Sahu

**********[କ୍ଷୁଦ୍ରଗଳ୍ପ ]**********


…..

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଡକାଇ ରାଜା କହିଲେ – ସେନାଧ୍ୟକ୍ଷ ଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହି ସପ୍ତାହର ଶେଷ ଦିନରେ ସ୍ୱର୍ଣ୍ଣଭୂମି ରାଜ୍ୟ ଆକ୍ରମଣ କରିବାପାଇଁ ଆମକୁ ବାହାରି ଯିବାକୁ ହେବ। ସେ ରାଜ୍ୟର ସବୁ ପୁରୁଷ ଅନ୍ଧ। ସବୁ ନାରୀ ଅପୂର୍ବ ସୁନ୍ଦରୀ। ମାଟି ସ୍ୱର୍ଣ୍ଣପ୍ରସୁ। ମାଟିତଳେ ଅଛି ଅମାପ ସମ୍ପତ୍ତି। ସ୍ୱର୍ଣ୍ଣଭୂମି ର ଦୁର୍ଭାଗ୍ୟ ଓ ଆମର ସୌଭାଗ୍ୟ ଯେ ତାଙ୍କର କେହି ଜଣେ ଶାସକ ନାହିଁ। ରାଜା ନାହିଁ।

ଭଦ୍ରାଚଳ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହେଲା। ଏଥିପାଇଁ ଆବଶ୍ୟକ ହେବ ଗୋଟିଏ ସପ୍ତାହ। ଅନ୍ଧ ରାଜ୍ୟ ଉପରେ ବିଜୟଲାଭ କରିବାପାଇଁ ଲାଗିବ ମାତ୍ର ଗୋଟିଏ ଦିନ। ଅନ୍ଧମାନେ କ’ଣ ବା ଯୁଦ୍ଧ କରିବେ। ରାଜ୍ୟର ଏପଟରୁ ପ୍ରବେଶ କରି ମୁଣ୍ଡ କାଟି କାଟି ସେପଟରେ ପହଞ୍ଚିଲେ ଯୁଦ୍ଧ ସମାପ୍ତ।

କିନ୍ତୁ ଅନ୍ଧମାନଙ୍କର ଷଷ୍ଠ ଇନ୍ଦ୍ରିୟ ଅଲୌକିକ ଭାବରେ କାର୍ଯ୍ୟ କରୁଥିଲା। ପୁନଶ୍ଚ ସେମାନେ ସର୍ବଦା ପ୍ରସ୍ତୁତ ହୋଇ ରହିଥିଲେ। ଏବଂ ସେମାନେ ଆକ୍ରମଣର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ଭଦ୍ରାଚଳରେ ଭାବନା ଉଦ୍ରେକ ହେବା ସହିତ ସେମାନେ ଜାଣି ସାରିଥିଲେ।

ଯୁଦ୍ଧ ଆରମ୍ଭ ହେଲା। ଭଦ୍ରାଚଳର ସ୍ୱପ୍ନ ଓ ଭାବନା ବିଫଳ ପ୍ରମାଣିତ ହେଲା। ଅନ୍ଧମାନଙ୍କର ଓ ଚକ୍ଷୁସ୍ମାନ୍ ସୁନ୍ଦରୀମାନଙ୍କର ତୀର ଚାଳନାକୁ ଅତିକ୍ରମ କରିବା ଅସମ୍ଭବ ହୋଇଗଲା। ତେଣୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଲେ, ତୋପ ର ବ୍ୟବହାର କରାଯାଉ।

ଅନ୍ଧମାନଙ୍କ ମଧ୍ୟରୁ କେହି ଜଣେ କହିଲା – ସେମାନେ ତୋପ ବ୍ୟବହାର କରିବାକୁ ପ୍ରସ୍ତୁତ ହେଲେଣି। କିନ୍ତୁ ଆମକୁ ଯୁଦ୍ଧରେ ବିଜୟଲାଭ କରିବାକୁ ହେବ। ତେଣୁ ଅସ୍ତ୍ର ତ୍ୟାଗକରି ଆତ୍ମ ସମର୍ପଣ କର। ଧଳା ପତାକା ଦେଖାଅ।

ଆଉ ତୋପ ଆବଶ୍ୟକ ହେଲାନାହିଁ। ସ୍ୱର୍ଣ୍ଣଭୂମି ମିଶିଗଲା ଭଦ୍ରାଚଳ ସହିତ। କୃଷି କୁଶଳୀ ଅନ୍ଧମାନେ ଶ୍ରମିକ ହୋଇଗଲେ। ସୁନ୍ଦରୀମାନଙ୍କୁ ବାଣ୍ଟିନେଲେ ରାଜାଙ୍କଠୁ ଆରମ୍ଭ କରି ଚପରାଶି ପର୍ଯ୍ୟନ୍ତ। ଧନବାନ ମାନେ ପ୍ରଚୁର ଅର୍ଥ ବଦଳରେ କିଣିନେଲେ ସୁନ୍ଦରୀ ଗୋଟେ ଗୋଟେ।

ଶହେ ସୁନ୍ଦରୀଙ୍କୁ ନେଇ ରାଜା ଅନ୍ତପୁରରେ ରଖାଇ ପୁରୁଣା ରାଣୀମାନଙ୍କୁ ଆଡ଼େଇ ଦେଲେ। ରାତି ହେଲା। ରାଜା ପ୍ରଥମ ସୁନ୍ଦରୀଙ୍କ କୋଠରୀରେ ପ୍ରବେଶ କରି ଦେଖିଲେ ହସ ହସ ମୁହଁରେ ସ୍ୱାଗତ କରିବାପାଇଁ ପ୍ରସ୍ତୁତ ହୋଇ ବସିଛି ଯୁବତୀଟି। ରାଜାଙ୍କ ମୁହଁରେ ବି ହସ ଦେଖାଗଲା। ଆଲିଙ୍ଗନ। ଉତ୍ତେଜନା। କ’ଣ ତୁମର ଯୋନି ନାହିଁ !

ସୁନ୍ଦରୀ ହସି ହସି କହିଲା – ନାଁ ।

ରାଜାଙ୍କ ମୁହଁରୁ ହସ ଲିଭିଗଲା। କିନ୍ତୁ ସୁନ୍ଦରୀଟି ହସୁଥାଏ। ରାଜା ବାହାରି ଗଲେ। ପ୍ରବେଶ କଲେ ରାଣୀ। ସୁନ୍ଦରୀ ଓ ରାଣୀ ଆଲିଙ୍ଗନାବଦ୍ଧ ମୁଦ୍ରାରେ ରହି କିର୍ କିର୍ ହୋଇ ହସିଲେ।

ରାଜା ଶହେତମ କୋଠରୀରୁ ବାହାରିଲା ବେଳକୁ ଜାଣିଲେ ସବୁ ସୁନ୍ଦରୀ ଯୋନିହୀନା। ତେଣୁ ମୁହଁଟି ତାଙ୍କର ଶୁଖି ଯାଇଥିଲା। ଇଏ ସ୍ୱର୍ଣ୍ଣଭୂମି ପାଖରେ ଥିଲା ତାଙ୍କର ପ୍ରଥମ ପରାଜୟ।

ଟଙ୍କା ବିନିମୟରେ ସୁନ୍ଦରୀ ଖରୀଦ କରିଥିବା କେହିଜଣେ ଅନୁମାନ କଲା ରାଜା ତାକୁ ଠକି ଦେଇଛନ୍ତି। ତା’ର ଉନ୍ମତ୍ତ ଭାବ ପ୍ରଶମିତ ହୋଇନଥିଲା। ସେଇ ଅବସ୍ଥାରେ ଅଭିଯୋଗ କରିବାପାଇଁ ନିଜ ଘରୁ ବାହାରି ରାଜ ପ୍ରାସାଦ ଆଡ଼େ ଦୌଡ଼ିଲା। ଦେଖ, ଆମ ରାଜା ମତେ ଠକି ଦେଇଛନ୍ତି। ଏହାର ତ ଯୋନି ନାହିଁ।

ଅନେକ ଭୟାଳୁ ନୀରବ ରହିଥିଲେ। ସେମାନେ ଭାବିଥିଲେ ବୋଧହୁଏ ମୋର ସୁନ୍ଦରୀଟି କେବଳ ସେହି ଯୌନାଙ୍ଗ ରୁ ବଞ୍ଚିତ। ରାଜା ଗୋଜା। ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ନିଜପାଇଁ କ୍ଷତିକାରକ ହୋଇପାରେ। ଯାଃ… ଠକାମୀରେ ପଡ଼ିଲି ପଛେ ନୀରବ ରହିବି।

ରାଜ ଦାଣ୍ଡରୁ ଯେତେବେଳେ ସ୍ୱର ଉତ୍ତୋଳନ ହେବାର ଶବ୍ଦ ଶୁଭିଲା ଘର ଭିତରୁ ଜଣକ ପରେ ଜଣେ ପୁରୁଷ ବାହାରି “ମୋର ବି ନାହିଁ “,”ମୋର ବି ନାହିଁ “ଚିତ୍କାର କରି ରାଜପ୍ରାସାଦ ଅଭିମୁଖେ ଚାଲିଲେ।

ପ୍ରାସାଦ ଉପରେ ରାଜା ଉଦାସ ହୋଇ ଠିଆ ହୋଇଥିଲେ। ସମସ୍ତ ମନ୍ତ୍ରୀ, ସେନାପତି ଓ ରାଜ କର୍ମଚାରୀ ମଧ୍ୟ ଥିଲେ ମୌନ।

ରାଜା କହିଲେ – ଏଠାରେ କେହି କାହାକୁ ଠକି ନାହିଁ। ସ୍ୱର୍ଣ୍ଣଭୂମି ମଧ୍ୟ ନିର୍ଦୋଷ। ସେମାନେ ତ ସମର୍ପଣ କରି ଦେଇଛନ୍ତି ନିଜକୁ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ ସେମାନଙ୍କର ବଂଶ ବୃଦ୍ଧି ହେଉଛି କିପରି ! ଏପରି ରାଜ୍ୟଟିଏ ପୃଥିବୀରେ ସମ୍ଭବ ହେଲା କିପରି ! ଏହାର ଅର୍ଥ କ’ଣ ! ଏ ପ୍ରଶ୍ନ ମାନଙ୍କର ଉତର କେଉଁଠୁ ମିଳିବ ?

ବୟୋବୃଦ୍ଧ ଅନ୍ଧ ଜଣେ ଜନଗହଳି ପଛରୁ କହିଲେ – ମୁଁ କହିବି।

ଲୋକେ ଦୁଇଭାଗ ହୋଇ ମଝିରେ ବାଟଟିଏ ତିଆରି କରିଦେଲେ। ଅନ୍ଧ ଆଗେଇଗଲେ ପ୍ରାସାଦ ନିକଟକୁ। ହଠାତ୍ କାହିଁକି କେଜାଣି ରାଜାଙ୍କର ହାତ ଦୁଇଟି ଜୋଡ଼ି ହୋଇ ନମସ୍କାର ମୁଦ୍ରାକୁ ଚାଲି ଆସିଲା। ରାଜା ପ୍ରଥମ ପ୍ରଶ୍ନଟି ଏହିପରି ପଚାରିଲେ – ଆପଣଙ୍କ ରାଜ୍ୟରେ ବାଳକ ବାଳିକା ଠୁ ଆରମ୍ଭ କରି ବୃଦ୍ଧା ବୃଦ୍ଧ ପର୍ଯ୍ୟନ୍ତ ସବୁ ବୟସର ମଣିଷ ଅଛନ୍ତି। ଅର୍ଥାତ୍ ଆପଣଙ୍କର ଜନ୍ମ ପ୍ରକ୍ରିୟା ଏ ଯାବତ୍ ନିରନ୍ତର ଚାଲିଛି। ନବ ଜନ୍ମିତମାନେ ଆସୁଛନ୍ତି କେଉଁଠୁ ?

ଚକ୍ଷୁହୀନ କହିଲେ – ବର୍ଷରେ ଗୋଟିଏ ଦିନ ସହବାସ ପାଇଁ ଓ ଆଉ ଗୋଟିଏ ଦିନ ସନ୍ତାନ ଜନ୍ମପାଇଁ ଆମ ନାରୀମାନେ ଯୋନି ସମ୍ଭବା ହୁଅନ୍ତି।

ରାଜା ଆଶ୍ଚର୍ଯ୍ୟ ହେଲେ। ତାଙ୍କ ମୁହଁରୁ ବାହାରି ଗଲା ଶବ୍ଦଟିଏ – ଏମିତି କି !

ଚକ୍ଷୁହୀନ କହିଲେ – ନିଶ୍ଚୟ।

ରାଜା ଆଗ୍ରହରେ ପଚାରିଲେ – ଏମିତି କେମିତି ହେଲା ! ଏହାତ ବିଶ୍ୱରେ ବିସ୍ମୟ।

ଚକ୍ଷୁହୀନ କହିଲେ – ଆମ ରାଜ୍ୟରେ ଆଗରୁ ଆଉ କ’ଣ ଥିଲାକି। କେବଳ ପେଟଭରି ଖାଇବା ଓ ସୁନ୍ଦରୀ ନାରୀ ସମ୍ଭୋଗ କରିବା। ଏକାଧିକ ଥର ସହବାସ କରିବାରେ ଦିନ ରାତିର ପ୍ରଭେଦ ନଥିଲା। ଆମର ପୂର୍ବଜମାନେ ଯୌବନରେ ମତ୍ତହୋଇ ରହୁଥିଲେ। ବାର୍ଦ୍ଧକ୍ୟ ଆସିଲେ, ସେଥିରୁ ବିରତ ହେଲାପରେ ଅନୁତାପ କରୁଥିଲେ। ଏହା ଭଲନୁହେଁ ବୋଲି ଅନୁଭବ କରୁଥିଲେ।ତେଣୁ ଅନୁଭବକୁ ବାଣ୍ଟିବାର ପ୍ରୟାସ କରୁଥିଲେ। ସେତେବେଳେ ତାଙ୍କ କଥା ଶୁଣିବ ବା କିଏ। ଯୁବକମାନେ ଶୁଣିବେ କାହିଁକି। ଏଇ ବୃଦ୍ଧମାନେ ତାଙ୍କ ଯୌବନରେ କାହା କଥା ଶୁଣିଥିଲେକି।

ଏହି ସମସ୍ୟା ର ସମାଧାନ ପାଇଁ ବୟୋଜ୍ୟେଷ୍ଠ ମାନେ ଗୋଟେ ଯଜ୍ଞର ଆୟୋଜନ କଲେ। ଯଜ୍ଞର ଅଗ୍ନିରୁ ଜଣେ ଦିବ୍ୟ ପୁରୁଷ ଆତ୍ମପ୍ରକାଶ କଲେ। ପଚାରିଲେ – ସମାଧାନ ଚାହୁଁଛ ?

ସେମାନେ କହିଲେ – ହଁ ।

— ସତରେ ଚାହୁଁଛକି ?

— ନିଶ୍ଚୟ ।

” ତଥାସ୍ତୁ ” କହି ପୁଣି ସେ ଅଗ୍ନି ହୋଇଗଲେ। ଦିବ୍ୟ ପୁରୁଷଙ୍କ ଉଭାନ୍ ହେବା ସହିତ ସେମାନଙ୍କର ଦୃଷ୍ଟିଶକ୍ତି ମଧ୍ୟ ଉଭେଇ ଗଲା। ଅନ୍ଧ ହେବାର ଦୁଃଖକୁ ଭୁଲିବାପାଇଁ ନିଜ ନିଜ ନାରୀମାନଙ୍କୁ ଯେତେବେଳେ ଜାବୋଡ଼ି ଧରିଲେ ଦେଖିଲେ ଦିବ୍ୟ ପୁରୁଷ ଜଣକ ନାରୀମାନଙ୍କ ଯୌନାଙ୍ଗ ଗୁଡ଼ିକୁ ଲୁପ୍ତ କରି ଦେଇଛନ୍ତି। ସେମାନେ କ୍ରମେ ଏଥିରେ ଅଭ୍ୟସ୍ତ ହୋଇଗଲେ। ସେହି ଅନ୍ଧତ୍ୱ ଓ ଯୋନୀହୀନତା ସାଧାରଣ ହୋଇଗଲା। କିନ୍ତୁ ବଂଶ ରକ୍ଷା ହେବ କିପରି। ଆଚ୍ଛା, ଆଉଗୋଟେ ଯଜ୍ଞ କରି ଦିବ୍ୟ ପୁରୁଷଙ୍କୁ ଆବାହନ କରିବାକି।

ଏପରି ଭାବନାଟିଏ ସ୍ଥାନ ପାଇବା ମାତ୍ରେ ଚତୁର୍ଦିଗରେ ସୁଗନ୍ଧ ବ୍ୟାପିଗଲା। ଶ୍ରୁତିଗୋଚର ହେଲା ଦିବ୍ୟ ପୁରୁଷଙ୍କ ସ୍ୱର – ବର୍ଷରେ ଥରେ ଶୁକ୍ର ସ୍ଥାପନ ପାଇଁ ଓ ଥରେ ସନ୍ତାନ ଜନ୍ମ ପାଇଁ ସୁଯୋଗ ମିଳିବ।

ଏତିକ ମାତ୍ର କଥା। ଆମ ପୂର୍ବଜଙ୍କ କଥା ଶ୍ରୁତି ହିସାବରେ ଆମ ପାଖରେ ଅଛି। ସୌନ୍ଦର୍ଯ୍ୟ ବୋଲି ଏ ସଂସାରରେ କିଛି ଗୋଟେ ଅଛି। ଦୃଷ୍ଟିଶକ୍ତି ବୋଲି ମଧ୍ୟ ଆଉଗୋଟେ ଜିନିଷ ଅଛି। ଏ ଦୁହେଁ ଯଦି ମିଳିତ ହୁଅନ୍ତି ତେବେ ପ୍ରଳୟ ଆସିବା ସ୍ୱାଭାବିକ। ମୁଁ ଏବେ ଅନୁଭବ କରୁଛି ବୋଧହୁଏ ଆପଣମାନେ ଦୃଷ୍ଟିଶକ୍ତି ଥିବା ରୋଗରେ ପିଡ଼ିତ।

…..


…..

Shree Harekrushna

ଶ୍ରୀ ହରେକୃଷ୍ଣ ସାହୁ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Harekrushna Sahu ହରେକୃଷ୍ଣ ସାହୁ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment