ସ୍ପୋକନ୍ ଇଂଲିଶ୍

ସ୍ପୋକନ୍ ଇଂଲିଶ୍ ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik

ସ୍ପୋକନ୍ ଇଂଲିଶ୍  

ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ

Author: Smt Chinmayee Barik


…..

ଗତ ବର୍ଷ ଶୀତ ସକାଳର ଦିନଟି ମୁଁ କେବେ ବି ଭୂଲି ପାରିନି । ଭୂଲିବାକୁ ବି ଚାହେଁନି । ଯେମିତିକି କିଛି ସ୍ମୃତି ରହି ରହି ମିଠା ଯନ୍ତ୍ରଣା ଦେଉଥାଏ ଆଉ କିଛି ମନେ ପକାଇ ଦେଉଥାଏ ବାରମ୍ବାର । ମୁଁ ବାଧ୍ୟ ହୁଏ ସେ ସ୍ମୃତିକୁ ସବୁ ଶୀତରେ ଭୋଗିବାକୁ । ମୁଁ ବାଧ୍ୟ ହୁଏ ସେ ନରମ କୋମଳ ମୁହଁଟିକୁ ବନ୍ଦ ଆଖିରେ ବାରବାର ଦେଖିବାକୁ ।

* * * * *

ସେଦିନ ମୁଁ ତରବରରେ ମୋ କୋଚିଂ ସେଣ୍ଟର୍ ଆଡକୁ ଧାଇଁଥାଏ । କାରଣ ଏଇଆ ଯେ ସେତେବେଳକୁ ମୋର ଅଧଘଣ୍ଟାଏ ଡେରି ହୋଇ ସାରିଥିଲା । ମୁଁ ଏକ ପ୍ରକାର ଦୌଡିବା ଭଳି ଚାଲୁଥିଲି । ମୁଁ କେବେ ଚାହେଁନି ଯେ ମୋ ପିଲାମାନେ ମୋତେ ଅପେକ୍ଷା କରନ୍ତୁ ବୋଲି । ବରଂ ମୁଁ ସେମାନଙ୍କୁ ଅପେକ୍ଷା କରିବାରେ ସୁଖ ପାଏ ।

ମୋତେ ଦେଖି ଛୋଟ ଛୋଟ ପିଲା ମାନେ “ମିସ୍ ଆସିଗଲେ” କହି ଦୌଡି ଆସିଲେ ଆଉ ଟ୍ରେନିଂ ମୁତାବକ ସେମାନଙ୍କର ଛୋଟ ଛୋଟ ହାତ ବଢାଇ ମୋତେ ଗୁଡ୍ ମର୍ଣ୍ଣିଂ ବୋଲି କହିଲେ । ସତରେ ତ, ସେମାନଙ୍କ ପାଟିରୁ ଏତକ ଶୁଣିଲେ ମୋତେ ଲାଗେ ମୋର ସବୁ ସକାଳ ଶୁଭ ହୋଇ ଯାଉଛି ଯେମିତି ।

ମୁଁ ସେତେବେଳେ ଛୋଟ ପିଲାଙ୍କ ପାଇଁ ଗୋଟିଏ ସ୍ପୋକନ୍ ଇଂଲିଶ୍ କୋଚିଂ ସେଣ୍ଟର୍ ଖୋଲି ଥିଲି । ପ୍ରଥମେ ପ୍ରଥମେ ଦୁଇ ଚାରିଟା ଛୁଆ ଆସୁଥିଲେ । କିନ୍ତୁ ପରେ ପରେ ସେ ସଂଖ୍ୟା ସତ ଚାଳିଶ୍ କୁ ଟପି ଯାଇଥିଲା । ତେଣୁ ତିନୋଟି ଗ୍ରୁପ୍ କରି ସେମାନଙ୍କୁ ବିଭିନ୍ନ ସମୟରେ ପଢାଉଥିଲି ।

ସେଦିନ ବି ମୁଁ ତୁରନ୍ତ ପଢାଇବା ଆରମ୍ଭ କରି ଦେଇଥିଲି । ପିଲାମାନଙ୍କର ଭଙ୍ଗା ଭଙ୍ଗା ଡଉଲ ଡାଉଲ ଇଂରାଜୀ ଶବ୍ଦ ସବୁ ମନକୁ ଖୁବ୍ ସନ୍ତୋଷ ଭରି ଦିଏ । ମୋତେ ଲାଗେ ମୁଁ ତାଙ୍କ ଜିଭରେ ନୂଆ କରି କିଛି ସ୍ୱର ଓ ଶବ୍ଦର ସଂଯୋଜନା ଭରି ଦେଉଛି । ଯାହାର ସବୁ ପ୍ରଶଂସା କେବଳ ମୋର ହକ୍ ଅଟେ ।

ପଢାଉ ପଢାଉ ଅନ୍ୟମନସ୍କ ହୋଇ ଯେତେବେଳେ ମୋ ଆଖି ଝରକା ସେପଟକୁ ଚାଲିଗଲା, ଦେଖିଲି ଜଣେ ତେଇଶ୍ ଚବିଶ୍ ବର୍ଷର ପିଲାଟିଏ ଠିଆ ହୋଇଛି । ପ୍ରଥମେ ଭାବିଲି ଯେ ସେ କୌଣସି ପିଲାର ଅଭିଭାବକ ହୋଇଥିବେ ବୋଲି । କିନ୍ତୁ ପରେ ପରେ ଦୁଇ ତିନି ଦିନ ଯାଏଁ ଦେଖିଲି ପିଲାଟି ସେଇ ନିର୍ଦ୍ଧିଷ୍ଟ ଜାଗାରେ ଆସି ଠିଆ ହେଉଛି ,କିନ୍ତୁ ସେ କୌଣସି ପିଲାର ଅଭିଭାବକ ନୁହେଁ ।

ମନରେ ଭୟ ସୃଷ୍ଟି ହେଲା । କୌଣସି ଛୁଆଧରା ମଣିଷ ତ ନୁହେଁ ଆଉ ? ଯଦି ସେମିତି ହୁଏ ତେବେ ଏକ ଅପୂରଣୀୟ କ୍ଷତି ଘଟିଯିବ । ତେଣୁ ଖୁବ୍ ସାହସ କରି ସେ ପିଲାଟିର ଉଦ୍ଧେଶ୍ୟ ବିଷୟରେ ଜାଣିବାକୁ ତା ଆଡକୁ ଗଲି । ସେ ଯେମିତି ମୋତେ ଦେଖିଲା ସେମିତି ନିଜର ଦିଗ ବଦଳାଇ ଚାଲିଗଲା । ମୁଁ ଫେରି ଆସିଲି । ମନ ଭିତରେ ଦ୍ୱନ୍ଦ ବଢି ଚାଲିଲା । ତା’ପର ଦିନ ପୁଣି ଦେଖିଲି ସେଇ ପିଲାଟିକୁ । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ମୁଁ ଯେତେଥର ବି ତା’ପାଖକୁ ଯାଇଛି ସେ ମୋଠାରୁ ଖସି ଯିବାକୁ ଚାହିଁଛି ।  ଏଥର ମୁଁ ଠିକ୍ କଲି ଯେ ଅନ୍ତତଃ ପୋଲିସ୍ ଷ୍ଟେସନ୍ ରେ ଏଫାୟାର୍ ଟେ ଦେବାକୁ ପଡିବ ବୋଲି । ଏମିତି ଭାବୁ ଭାବୁ ଦୁଇ ଦିନ ସମୟ ଚାଲିଗଲା । କିନ୍ତୁ ସେଦିନ ଶନିବାର କ୍ଲାସ୍ ସାରିବା ପରେ ଦେଖିଲି ପିଲାଟି ଏଥର ମୋ କ୍ଲାସ୍ ରୁମ୍ ପାଖକୁ ଆସି ଠିଆ ହୋଇଛି । ଏଥର ମୁଁ କିଛି ଅପେକ୍ଷା ନ କରି ତୁରନ୍ତ ଯାଇ ତା’ଆସିବାର କାରଣ ପଚାରିଲି । ଆଉ ମୋ କୋଚିଂ ସେଣ୍ଟର୍ ଆଗରେ ଏମିତି ପଇଁତରା ଦେବା ଏକ ଅଭଦ୍ରାମୀର ପରିଚୟ ବୋଲି ମୁହେଁ ମୁହେଁ ଶୁଣାଇ ଦେଲି । ସେ ମୋ କଥା ଶୁଣି ଆଖି ମଟମଟ କରି ଅନାଇଲା । ପୁଣି ଚାରି ଆଡକୁ ଅନାଇଲା ଆଉ ନିଜକୁ ପ୍ରସ୍ତୁତ କଲା ଭଳି ଛେପ ଢୋକି ଖଣ୍ଡି ହିନ୍ଦିରେ ଯାହା କହିଲା ତାର ଅର୍ଥ ଏଇଆ ଯେ “ସେ ମୋଟେ ମୋ କଥା ବୁଝି ପାରୁନି “।

ତା କଥା ଶୁଣିଲା ପରେ ମୁଁ ଜାଣିଲି ଯେ ସେ ଅଣ ଓଡିଆ ବୋଲି । ମୁଁ ତା’ମୁହଁକୁ ଅନାଇଲି । ଆଖି ଗୋଡିକ ସରୁ ସରୁ ହୋଇ କାନ ଆଡକୁ ଟାଣି ହୋଇ ଯାଇଛି । ନାକଟି ଟିକେ ଚେପା କିନ୍ତୁ ଦେହର ରଙ୍ଗ ପାଚିଲା ପିଜୁଳି ଭଳି ଗୋରା । ମୁଣ୍ଡର ଚୁଟି ଅସମ୍ଭବ ଭାବରେ କଳା ଓ ସିଧା ସିଧା ହୋଇ କପାଳ ଆଡକୁ ଝୁଙ୍କି ଆସିଛି ।

ଏଥର ମୁଁ ତା’କଥା ଶୁଣିବା ପାଇଁ ବସିବାକୁ ଚେୟାରଟିଏ ଅଫର୍ କଲି । ସେ ଏଥର ଖଣ୍ଡି ହିନ୍ଦିରେ କହିଲା ଯେ ସେ ବି ସ୍ପୋକନ୍ ଇଂଲିଶ୍ ଶିଖିବାକୁ ଚାହୁଁଛି ବୋଲି । ମୋ କୋଚିଂ ସେଣ୍ଟଟରରେ ସେ ଟ୍ରେନିଂ ନେବାକୁ ଚାହେଁ । ତା’ କଥା ଶୁଣି ମୁଁ ସିଧା ସିଧା ଶୁଣାଇ ଦେଲି ଯେ ଏହା ଛୋଟ ପିଲାମାନଙ୍କର ସେଣ୍ଟର୍ ,ବଡ ପିଲାଙ୍କର ନୁହେଁ । ମୋ କଥା ଶୁଣି ସେ ଖୁବ୍ ଦୁଃଖରେ କହିଲା ଯେ ବଡ ପିଲାଙ୍କ ସେଣ୍ଟର୍ ସେଇ ଜାଗାରୁ ଖୁବ୍ ଦୂରରେ ଅଛି । ତେଣୁ ନିଜ ବ୍ୟବସାୟ କାମ ସରିଲା ପରେ ସେ ଠିକ୍ ସମୟରେ ସେଠି ପହଞ୍ଚି ପାରିବ ନାହିଁ । ଆଉ ତାକୁ ଖୁବ୍ ଜରୁରୀ ଅଛି ଇଂରାଜୀ ଶିଖିବା । ତେଣୁ କରି ସେ ମୋ ପାଖକୁ ଅନୁରୋଧଟିଏ ନେଇ ଆସିଛି ଯେ ମୁଁ ଯେମିତି ତା’କଥା ନିଶ୍ଚୟ ଶୁଣିବି ।

ପିଲାଟି କଥାରୁ ଜାଣିବାକୁ ପାଇଲି ଯେ ତା’ର ନାମ “ମିଲିଂ”।  ସେ ଏଠାକାର ବାସିନ୍ଦା ନୁହଁ । ସେ ଜଣେ ନେପାଳୀ ଓ ଶୀତର ଚାରିମାସ ସେମାନେ ଏଠାକୁ ଶୀତ ପୋଷାକର ବେପାର କରିବାକୁ ଆସନ୍ତି । ସେମାନେ କେବଳ ଓଡିଶା ନୁହେଁ ସବୁ ଜାଗାକୁ ଯାଆନ୍ତି ।  ସତ କହିବାକୁ ଗଲେ ସେମାନଙ୍କର ଜୀବନ ଗୋଟିଏ ଯାଯାବରର ଜୀବନ ପରି । କିନ୍ତୁ ତା’ର ଇଂରାଜୀ ଶିଖିବାର ଇଛା ଏତେ କାହିଁକି ଜାଣି ପାରିଲିନି । ହୁଏତ ତା’ର ବ୍ୟବସାୟ କାମରେ ଲାଗି ପାରେ । ଯାହା ବି ହେଉ ମୁଁ ତା’ର ଇଛା ଓ ନମ୍ରତା ଦେଖି ତାକୁ ଇଂରାଜୀ ଶିଖାଇବାକୁ ରାଜି ହୋଇଗଲି ତା’ଠାରୁ ଉପଯୁକ୍ତ ପାଉଣା ନେଇ ।

ଏବେ ଆରମ୍ଭ ହୋଇଗଲା ମିଲିଂର ଇଂରାଜୀ ଶିକ୍ଷା । ମୁଁ ଭାବୁଥିଲି ସେ ହୁଏତ ଖୁବ୍ ଶୀଘ୍ର ଇଂରାଜୀ ଶିଖିଯିବ । ହେଲେ ଦେଖିଲି ଏହା ତା’ଲାଗି ଖୁବ୍ କଷ୍ଟକର ପାଠ । ପିଲାଟି ଖୁବ୍ ଶୀଘ୍ର ସବୁକିଛି ଭୂଲିଯାଏ । ଆଜି ଶିଖାଇଥିବା ଶବ୍ଦଟି କାଲିକୁ ଭୂଲିଯିବାଟା ଯେମିତି ଥୟ । ପାଖା ପାଖି ପନ୍ଦର ଦିନ ଗଲା ପରେ ନିଜେ ଅନୁଭବ କଲି ଯେ ତା’ଦ୍ୱାରା ଇଂରାଜୀ ଫିଙ୍ଗରାଜୀ କିଛି ହେବନି । ଖାଲି ଯାହା କାଲ ଆଗରେ ମୂଳା ଚୋବାଇବା ଭଳି କଥା । ତେଣୁ ଦିନେ ସମୟ ଦେଖି କଥା ବୁଲେଇ କହିଲି ଯେ “ତୁମକୁ ବୋଧେ ମୁଁ ଠିକ୍ ଭାବରେ ଇଂରାଜୀ ଶିଖାଇ ପାରୁନି । ତୁମେ ଚାହିଁଲେ ଅନ୍ୟ କେଉଁଠି ଏବେ ବି ଶିଖି ପାରିବ । ” ମୋର ଏତକ କଥା ଶୁଣି ସେ ଯେମିତି ଖୁବ୍ ବ୍ୟସ୍ତ ବିବ୍ରତ ଭଳି ଜଣା ପଡୁଥିଲା । ନିଜର ଭୂଲିଯିବା ଗୁଣକୁ ନେଇ ସେ ମୋଠାରେ ବାରବାର କ୍ଷମା ମାଗୁଥିଲା।

ଆମ ଦୁହିଁଙ୍କ ଭିତରେ ଏତକ କଥା ପରେ ମୁଁ ଭାବୁଥିଲି ଯେ ସେ ହୁଏତ ମୋ ପାଖରେ ପଢିବା ବନ୍ଦ କରିଦେବ । ହେଲେ ସେମିତି କିଛି ନ ହୋଇ ଆଉ କିଛି ଘଟିଲା ।

ସେଦିନ ମୁଁ ଏତିକି କହଲା ପରେ ସେ ମୋ ସାମ୍ନାରେ ଠିଆ ହେଲା ଓ ନିଜ ପ୍ୟାଣ୍ଟ ପକେଟ୍ ରେ ହାତ ପୁରାଇ ଧୀରେ ଧୀରେ ମୋ ଆଗରୁ ଅପସରି ଗଲା । ମୁଁ ବି ତାକୁ ଏମିତି କହିବା ଠିକ୍ ହେଲାନି ବୋଲି ଭାବିଲି । ଯାହା ବି ହେଉ ଏଇ କଥା ଦିନ ସାରା ମୋ ମୁଣ୍ଡରେ ଖେଳୁଥିଲା । ସନ୍ଧ୍ୟାରେ ଖୁବ୍ ଜଲଦି ଖାଇ ଶୋଇ ପଡିଥିଲି । ରାତି ପାଖାପାଖି ନଅଟା ହେବ । ମୋ କବାଟ ଠକ୍ ଠକ୍ ହେଲା । ଏତେ ରାତିରେ କିଏ ଆସିଛି ବୋଲି କବାଟ ଖୋଲି ଦେଖିଲି ଯେ ମୋ ଆଗରେ ମିଲିଂ ପକେଟ୍ ରେ ହାତ ପୁରାଇ ଠିଆ ହୋଇଛି । ମୋତେ ଦେଖି ଆଗେ ଅପରାଧୀ ପରି “ସରି “କହିଲା ଏତେ ରlତିରେ ଡିଷ୍ଟର୍ବ କରିଛି ବୋଲି । ଆଉ ତା’ପରେ ତା’ପ୍ୟାଣ୍ଟ ପକେଟ୍ ରୁ କିଛି ଜିନିଷ କାଢି ମୋ ହାତରେ ଧରାଇ ଦେଲା । ମୁଁ ଦେଖିଲି ସେଗୁଡିକ କିଛି ହାତ ଲେଖା କାଗଜ ସବୁ ଥାକ ଥାକ ହୋଇ ରହିଛି । ସେସବୁ ଖୋଲି ଦେଖି ଜାଣିଲି ଯେ ସେଗୁଡିକ ଇଂରାଜୀରେ ଲେଖା ହୋଇଥିବା କିଛି ଚିଠି । ଖୁବ୍ ସୁନ୍ଦର ଅକ୍ଷରରେ ଲେଖା ହୋଇଥିବା ଚିଠି । ଏତକ ଦେଖି ମୋ ମନରେ କିଛି ଆଗ୍ରହ ସୃଷ୍ଟି ହେଲା । ଘର ଭିତରକୁ ଡାକିଲି । ଦୁଇକପ୍ ଚା’କରି ତାକୁ ଗୋଟିଏ କପ୍ ବଢାଇ ଦେଲି ଆଉ କହିଲି “ଘଟଣା କଣ ମୋତେ ସଫାସଫା କୁହ “।

ମୋ କଥା ଶୁଣି ମିଲିଂ ଏକା ନିଃଶ୍ୱାସରେ ଚା’କପ୍ ଟିକୁ ପିଇ ସାରି ଦେଲା । ଆଉ ଗୋଟିଏ ଦୀର୍ଘ ନିଃଶ୍ୱାସ ନେଇ ଖଣ୍ଡି ହିନ୍ଦିରେ କହିଲା”ଏସବୁ ଦୁଇ ମାସ ହେଲା ଚାଲିଛି ମ୍ୟାମ୍ ,ମୁଁ କିନ୍ତୁ କିଛି ବୁଝି ପାରୁନି । “

-କେଉଁ କଥା ? ପଚାରିଲି ।

ସେ ଏଥର ନିଜ କଥା କହିବା ଆରମ୍ଭ କଲା ।

ଦୁଇ ମାସ ତଳେ ଆମେ ଯେତେବେଳେ ଶୀତ ପୋଷାକ ବିକିବା ଆରମ୍ଭ କଲୁ ପ୍ରଥମ ଦୁଇ ସପ୍ତାହ ବେଶୀ କିଛି ବିକ୍ରି ହେଲାନି କିନ୍ତୁ ଟିକେ ଥଣ୍ଡା ପଡି ଯିବାରୁ ତୃତୀୟ ସପ୍ତାହ ବେଳକୁ ବିକ୍ରୀର ହାର ବଢି ଚାଲିଲା । ଆମେ ଖୁବ୍ ଖୁସି ହୋଇ ଯାଇଥିଲୁ ଆଉ ଜିନିଷର ନିର୍ଦ୍ଧିଷ୍ଟ ଦାମ୍ ଠାରୁ ଟିକେ ଚଢା ଦରରେ ଜିନିଷ ବିକ୍ରି କଲୁ ।

ମୋ ଦୋକାନରେ ବହୁତ ପ୍ରକାରର ହାତବୁଣା ସ୍ୱେଟର୍ ଓ ଶାଲ୍ ଥିଲା ।  ସ୍ୱେଟର୍ ଗୁଡିକର ଡିଜାଇନ୍ ଗୁଡିକ ଟିକେ ଆଧୁନିକ ଥିଲା । ଟିକିଏ ଅଲଗା ଓ ଯୁଗକୁ ଖାପ ଖାଇବା ଭଳି ଶୀତ ପୋଷାକ ବନାଇବାକୁ ମୁଁ ଅନେକ ପରିଶ୍ରମ ବି କରିଛି । ବୁଣାଳୀଙ୍କ ସହ ମିଶି ମୁଁ ମଧ୍ୟ ନିଜେ ସେ ସବୁ ବୁଣେ । ମୋ ଦୋକାନରେ ଥିବା ସମସ୍ତ ଶୀତ ପୋଷାକର ରଙ୍ଗର ମିଶ୍ରଣ ବି ସମସ୍ତଙ୍କ ଠାରୁ ଟିକେ ଅଲଗା । ତେଣୁ ସାଧାରଣତଃ ଭାବରେ ମୋ ଦୋକାନରେ ଖୁବ୍ ଭିଡ ଜମେ । ସେଦିନ ବି ସେମିତି ଭିଡ ଭିତରେ ସିଏ ଠିଆ ହୋଇ ଥିଲା। ମାନେ ସେଇ କଳାରଙ୍ଗର ଝିଅଟି । ଡେଙ୍ଗା ,କୁଞ୍ଚୁକୁଞ୍ଚିଆ ଦୀର୍ଘ କେଶ ,ପତଳା ଓଠ, ସୁଗଠିତ ଚେହେରାରେ ଶାଢୀ ପିନ୍ଧିଥିବା ଝିଅଟିଏ ଗୋଟିଏ ଶାଲ୍ ଧରି ମୋତେ ଦାମ୍ ପଚାରୁଥିଲା । ଶାଲ୍ ଟିରେ ଅଧିକ କୁଟିକାମ ହୋଇ ଥିବାରୁ ତାହାର ଦାମ୍ ସତରଶହ ବୋଲି କହିଲି । ଅବଶ୍ୟ ଏହାକୁ ମୁଁ ଅତିକମ୍ ରେ ଚଉଦଶହରେ ଦେଇ ପାରି ଥାଆନ୍ତି କିନ୍ତୁ ଝିଅଟି ନଅଶହ ଦେବ ବୋଲି ଜିଦ୍ କଲା । ମୁଁ ତାକୁ ମନା କରିବାରୁ ସେ ମୋ ସହ ଜୋରରେ ଝଗଡା କଲା ଭଳି କିଛି କହିଲା । ମୁଁ ସଂପୂର୍ଣ୍ଣ ଭାବରେ ତା’କଥା ବୁଝି ପାରୁ ନ ଥିଲି । ସେ ଇଂରାଜୀ ସହ ଅନ୍ୟ କିଛି ଗୋଟିଏ ଭାଷାକୁ ବି ମିଶାଇ କହୁଥିଲା । ମୁଁ କିଛି ବୁଝି ନ ପାରି ହିନ୍ଦିରେ କହିଲି ଯେ “ମୁଁ ଶାଲ୍ ଟିକୁ ତାକୁ କଦାପି ବିକିବି ନାହିଁ । ” ମୋ କଥା ଶୁଣି ସେ ଆହୁରି ରାଗିଗଲା ବୋଧେ ଆଉ ପାଖରେ ଥିବା କିଛି ଲୋକଙ୍କୁ କଣ ସବୁ କହିଲା ।  ତା’କଥା ଶୁଣି ମୋ ଦୋକାନରୁ କିଛି ଗରାଖ କିଛି ନ ନେଇ ଫେରିଗଲେ ।

କଥା ଏଇଠି ସରିଲାନି । ତା’ପର ଦିନ ଦୁଇଜଣ ବଳିଷ୍ଠ ଲୋକ ମୋ ଦୋକାନକୁ ଆସି ସେହି ନିର୍ଦ୍ଧିଷ୍ଟ ଶାଲ୍ କୁ କିଣିବାକୁ ଚାହିଁଲେ ,ତାହା ପୁଣି ପାଞ୍ଚଶହ ଟଙ୍କା ବିନିମୟରେ । ମୁଁ ମନା କରିବାରୁ ସେ ମୋ ଗଳାରେ ଦୁଇ ଧକ୍କା ଦେଇ ମୋତେ ଧମକାଇ ଗଲେ ଯେ ମୋ ଦୋକାନ ଏଠି ଆଉ ଚଲାଇ ଦେବେ ନାହିଁ ।  ତା’ପରେ ହୁଏତ ସେମାନେ ମୋତେ ମାରି ଥାଆନ୍ତେ କି କଣ କିନ୍ତୁ ମୋ ସହକର୍ମୀ ମାନେ ମୋତେ ଘେରି ଯିବାରୁ ସେମାନେ ମୋତେ ଛାଡି ଚାଲିଗଲେ ।

ଏହି ଘଟଣା ଘଟିବା ପରେ ମୁଁ ଟିକେ ଡରରେ ରହିଲି । କାରଣ ଏଠି ଆମେ ସବୁ ଅଜଣା ଅଶୁଣା ଲୋକ । ଆମକୁ ସାହାଯ୍ୟ କରିବାକୁ ବି କେହି ଆସିବେନି କହିଲେ ଚଳେ । ମୁଁ ଏକଥା ଭାବି ଗୋଟିଏ ସପ୍ତାହ ପ୍ରାୟ ଦୋକାନ ବନ୍ଦ କରି ଦେଲି । ତା’ପରେ ଯେଉଁଦିନ ଦୋକାନ ଖୋଲିଲି ସେଦିନ ମୁଁ ସେ ଝିଅଟିକୁ ଟିକେ ଦୂରରେ ଠିଆ ହୋଇ ଥିବାର ଦେଖିଲି । ତା’ସହ ଗୋଟିଏ ଛୋଟ ପିଲା ଥିଲା ।

ହଠାତ୍ ସେ ଛୋଟ ଛୁଆଟି ମୋ ଆଡକୁ ଦୌଡି ଆସିଲା ଓ ଠିକ୍ ମୋ ବାଁ ପାଖ ଟେବୁଲ୍ ର ଶାଲ୍ ତଳେ କିଛି ଗୋଟିଏ ରଖି ଦେଇ ଚାଲିଗଲା । ମୁଁ ଦେଲି ସେଇଟା ଗୋଟିଏ ଚାରି ଚଉତା କାଗଜଟିଏ । ଆଶ୍ଚର୍ଯ୍ୟ ହେଲି କିନ୍ତୁ ଉଠାଇବାକୁ ସାହାସ କଲିନି । ମୁଁ ଜାଣେନି ସେଥିରେ କଣ ଲେଖା ଅଛି ,କାହିଁକି ଲେଖା ହୋଇଛି ଆଉ ସେ କାହିଁକି ଦେଇଛି । ଇଂରାଜୀ ରେ ଲେଖା ସେ ଚିଠିକୁ ପଢିବା ମୋ ପକ୍ଷରେ ସମ୍ଭବ ନ ଥିଲା ଆଉ ଏମିତି ବି କୌଣସି ଲଫଡାରେ ପଶିବାର ଇଛା ମଧ୍ୟ ମୋର ନ ଥିଲା । ମୁଁ ଚୁପ୍ ରହିଲି । ସେ ଝିଅଟି ମୋତେ ଠାରି କିଛି କହୁଥିଲା କିନ୍ତୁ ମୁଁ ତାକୁ ଅଣ ଦେଖା କଲି । ଏ ଘଟଣା ବିଷୟରେ ମୋ ସହକର୍ମୀ ମାନଙ୍କୁ ବି କହିବାକୁ ଡରୁଥିଲି କାରଣ ସେମାନେ ପୂର୍ବ ଘଟଣାରେ ମୋତେ ସତର୍କ କରାଇ ଦେଇଥିଲେ ଯେ ମୋ ଲାଗି ସେମାନଙ୍କର ବେପାର ଯେମିତି ମାନ୍ଦା ନ ହୁଏ । ମୋଟେ ସାଢେ ତିନି ମାସର କଥା । ତା’ପରେ ନିଜ ଦେଶକୁ ଫେରି ଯିବା । ତେଣୁ ମୁଁ କାହାକୁ କିଛି ନ କହି ଚୁପ୍ ରହିଲି କିନ୍ତୁ ଦୋକାନ ବନ୍ଦ କରିବା ଆଗରୁ ସେଇ ଚିଠିଟିକୁ ନେଇ ଆସିଲି । ଭାବିଲି ଫିଙ୍ଗି ଦେବି ହେଲେ କାହିଁକି କେଜାଣେ ମୋର ହାତ ଅଟକି ଗଲା ।

ତା’ପରେ ଏକଥା ବାରବାର ଘଟିଲା । ପ୍ରତି ଦୁଇ ତିନି ଦିନରେ ସେ ଛୁଆଟି ଆସି ମୋ ଟେବୁଲ୍ ଉପରେ ଚିଠିଟେ ଥୋଇ ଯାଏ । ଆଉ ମୁଁ ସବୁଥର ପରି ଚୁପ୍ ଚାପ୍ ତାକୁ ରଖିଦିଏ । ସେ ଚିଠିରେ କଣ ଅଛି ବୁଝିବାକୁ ହେଲେ ମୋତେ ଇଂରାଜୀ ଜାଣିବାକୁ ପଡିବ । ଆଉ ଯେତେବେଳେ ଜାଣିଲି ଏଇ ପାଖରେ ଆପଣ ଇଂଲିଶ୍ ସ୍ପିକିଂ କୋଚିଂ ସେଣ୍ଟର୍ କରିଛନ୍ତି ସେତେବେଳେ ଭାବିଲି ମୁଁ ଖୁବ୍ ଶୀଘ୍ର ଇଂରାଜୀ ଶିଖିଯିବି ନିଶ୍ଚୟ ।  ଇଂରାଜୀ ଶିଖିଲେ ଚିଠିଟି ପଢି ବୁଝି ପାରିବି ଆଉ ତା’ସହ ମୁଁ ମୋ ବେପାର ବି ବଢାଇ ପାରିବି । ଲୋକ ସଂପର୍କ ବି ବଢିବ । ହେଲେ ମୁଁ ଦେଖୁଛି ମୋ ଦ୍ୱାରା ଇଂରାଜୀ ଶିଖିବା କଷ୍ଟ ହୋଇ ପଡୁଛି । ଏବେ ମୁଁ କଣ କରିବି ଆପଣ କୁହନ୍ତୁ ।

ମିଲିଂର ସବୁ କଥା ଶୁଣିଲା ପରେ ମୁଁ ତାକୁ କହିଲି ଯେ “ତୁମେ ତାକୁ ହିନ୍ଦିରେ ତ ଲେଖି ପାରିବ କିଛି ?”

-ନା…ମୁଁ ହିନ୍ଦି ଟିକେ ଟିକେ କହି ପାରେ କିନ୍ତୁ ଲେଖି ପାରେନି । ଆମ ମାତୃଭାଷା ତ ନେପାଳି ।

-ଓ. କେ.। ଚିଠି ଗୁଡିକ ମୁଁ ପଢିଲେ ତୁମର କିଛି ଆପତ୍ତି ଅଛି କି ?

-ନା…।

ଏଥର ମୁଁ ମିଲିଂର ସବୁ ଚିଠିକୁ ଖୋଲିଲି । ଗୋଟି ଗୋଟି କରି ପଢି ତାକୁ ହିନ୍ଦିରେ ଟ୍ରାନ୍ସଲେଟ୍ କରି ବୁଝାଇଲି ।  ଚିଠିରୁ ଜାଣି ହେଲା ଯେ ଝିଅଟି ଆନ୍ଧ୍ର ପ୍ରଦେଶର ।  ତା’ନାମ ଜି.ନାଗମଣି ।

ତାକୁ କେବଳ ତେଲୁଗୁ ଓ କିଛି କିଛି ଇଂରାଜୀ ଆସେ । ସେଦିନର ଶାଲ୍ ଘଟଣାକୁ ନେଇ ସେ ଖୁବ୍ ଅନୁତପ୍ତ ଅଟେ । ସେ ଏବେ ଏଠାରେ ରହୁଥିବା ତା’ର ସଂପର୍କୀୟ ଘରକୁ ଆସିଛି । ସେମାନେ ଯେତେବେଳେ ଏ ଘଟଣା ଜାଣିଲେ ପିଲାଟି ପାଖକୁ ମରାଧରା କରିବାକୁ ଆସିଥିଲେ । ଝିଅଟି କିନ୍ତୁ ନିଜର ଭୂଲ୍ ବୁଝି ଅନେକ ଥର କ୍ଷମା ମାଗିଛି ଚିଠିରେ । ପିଲାଟି ପାଖରୁ କୌଣସି ଉତ୍ତର ନ ପାଇ ସେ ହତାଶ୍ ହୋଇ ଯାଇଛି । ତା’ପରେ ଅନେକ ଚିଠିରେ ସେ ନିଜର ଦୁର୍ବଳତା ପ୍ରକାଶ କରିଛି । ଯଦିଓ ଝିଅଟି ଜାଣେ ଯେ ଏସବୁ ସମ୍ଭବ ନୁହେଁ ତଥାପି ସେ ମିଲିଂର ପ୍ରେମରେ । ସେ ତା’ର ଉତ୍ତର ଆଶାକରେ । ପ୍ରତ୍ୟେକଟି ଚିଠିରେ ତା’ର ବ୍ୟାକୁଳତା ଜଣା ପଡୁଥିଲା ।

ଚିଠି ସବୁ ପଢି ସାରି ମୁଁ ମିଲିଂକୁ ଅନାଇଲି । ସେ ଖୁବ୍ ଚୁପଚାପ୍ ଥିଲା ।  କିଛି ସମୟ ପରେ ମୋ ମୁହଁକୁ ଚାହିଁ କହିଲା “ଏହା ମୋ ଜୀବନର ପ୍ରଥମ ପ୍ରେମ ଚିଠି “।  ମୋ ଭିତରେ ଅନେକ କିଛି ଭାବନା ଆସୁଛି । ସେ ଝିଅଟି କଣ ସତରେ ମୋ ଭଳି ଏକ ବିଦେଶୀ ଓ ଫେରି କରୁଥିବା ନେପାଳୀକୁ ଭଲ ପାଉଛି ?

-ଦୁନିଆରେ କିଛି ଅସମ୍ଭବ ନୁହେଁ ମିଲିଂ। ଏହା ସତ ହୋଇ ପାରେ କିମ୍ବା ମିଛ ବି ହୋଇ ପାରେ । କିନ୍ତୁ ଝିଅଟି ସହ ଭାବର ଆଦାନ ପ୍ରଦାନ ନ ହେଲେ କିଛି ଜାଣି ହେବନି ।

-କିନ୍ତୁ ମୋ ଦ୍ୱାରା ତ ଇଂରାଜୀ ହେଉନି ।  କେମିତି ଲେଖିବି କିଛି ? ମିଲିଂ ଟିକେ ଭାବିବା ନଜରରେ କହିଲା ।

-ଆଛା ,ଗୋଟେ କାମ କର । ଏଥର ସନ୍ଧ୍ୟାବେଳେ ତୁମେ ମୋ ଘରକୁ ପଢିବାକୁ ଆସ । ମୁଁ ଟିକେ ତୁମକୁ ଅଧିକ ସମୟ ବି ଦେଇ ପାରିବି ।

ଏହା ପରେ ଚାଲିଲା ରାତିରେ ମୋ ଘରେ ମିଲିଂର ପାଠ ପଢା । ମିଲିଂ ଆସେ ପାଠ ପଢେ ଆଉ ଶେଷରେ ଗୋଟିଏ ଚିଠି ମୋତେ ଦିଏ । ମୁଁ ତାକୁ ପଢାଇ ଶୁଣାଏ । ଏଥର ମୋର ଆଉ ଗୋଟିଏ କାମ ବି ବଢିଗଲା । ତା’ଚିଠିର ଉତ୍ତର ମୁଁ ଲେଖିଲି । ମିଲିଂ ମନର ଭାଷାକୁ ମୁଁ ଲେଖିଲେ ବେଳେ ଖୁବ୍ ଭାବ ପ୍ରବଣ ହୋଇ ପଡେ । ସେ ଖୁବ୍ ସାଧା ଓ ସଂକ୍ଷେପରେ ନିଜର ପ୍ରେମକୁ ବର୍ଣ୍ଣନା କଲେ ବି ସେଥିରେ ଗୋଟିଏ ଭାରୀପଣ ଥାଏ । ମୁଁ ତା’ଭାବନାରେ ଆଶ୍ଚର୍ଯ୍ୟ ହୁଏ । କେତେ ସ୍ୱଛତା ଥାଏ ତା’ପ୍ରେମରେ ?ସେ ଆଗକୁ ଇଂରାଜୀ ଶିଖିଲା ପରେ ତା’ର ବ୍ୟବସାୟ ବଢାଇବ ଓ ଗୋଟିଏ ଫଳ ଦୋକାନ କରିବାର ଯୋଜନା ରଖିଛି । ଯାହା ଫଳରେ ତାଙ୍କର ଆର୍ଥିକ ସ୍ୱଛତା ଆସିଯିବ । ସେ ତାଙ୍କ ଦେଶ ,ସଭ୍ୟତା ,ରୁଚି ଓ,ନିଜର ଦୁର୍ବଳତା ବାବଦରେ କେତେ ସହଜରେ ବର୍ଣ୍ଣନା କରିପାରେ । ସେପଟରୁ ସେ ଝିଅଟି ମଧ୍ୟ ନିଜ ବାବଦରେ ଅନେକ କିଛି ଲେଖେ । ସେ ଶୁଦ୍ଧ ନିରାମିଷାଶୀ , ଇଶ୍ୱରବିଶ୍ୱାସୀ । ସେ ଭଲ ଆଚାର ତିଆରି କରି ପାରେ ଓ ସେଥିରେ କିଛି ପଇସା ରୋଜଗାର ହୋଇ ପାରିବ ବୋଲି ମଧ୍ୟ କୁହେ । ଆଗାମୀ ବର୍ଷରେ ଶୀତ ସମୟରେ ମିଲିଂ ସହ ସାରା ଜୀବନ ବାନ୍ଧି ରହିବାକୁ ଚାହେଁ ବୋଲି ମଧ୍ୟ ଲେଖେ ।

ମୁଁ ସବୁକିଛି ପଢେ ଆଉ ମୋ ଭିତରେ ବି ଗୋଟିଏ ପ୍ରେମର ସ୍ରୋତ ଯେମିତି କଡ ଲେଉଟାଏ । ମୋ ଛାଡି ଆସିଥିବା ପ୍ରେମର ରାସ୍ତାରେ ଫେରିବାକୁ ଇଛା ହୁଏ । ବେଳେ ବେଳେ ମୋ ପୂର୍ବ ପ୍ରେମିକ ବାବଦରେ ଜାଣିବାକୁ ଇଛା ହୁଏ ଯିଏ ଏବେ ବିବାହ କରି ହୁଏତ ଏକ ସୁନ୍ଦର ଜୀବନ ବିତାଉଛି । ବେଳେ ବେଳେ ମୁଁ ଖୁବ୍ ଅତିଷ୍ଠ ହୋଇ ପଡେ,ବିବ୍ରତ ହୋଇ ପଡେ । ଏହାର କାରଣ ଏଇ ଚିଠି ଗୁଡିକ କେବଳ ।

ଦିନେ ମିଲିଂ କୁ କହିଲି “ଶୁଣ ମିଲିଂ !ଏଥର ତୁମେ ଅଳ୍ପ ଅଳ୍ପ ଇଂରାଜୀ ଶିଖି ଗଲଣି ଓ ପଢିକି ବୁଝି ପାରିଲଣି ମଧ୍ୟ । ଏବେ ତୁମେ ନିଜେ ଚିଠି ଲେଖ । ଭୂଲ୍ ହେଉ ପଛେ ,ନିଜେ ଲେଖିଲେ ଅଭ୍ୟାସ ବଢିବ । ଆଉ ସେଥିରେ ନିଜର ଭାବନା ବି ଜଡିତ ହୋଇ ରହିବ । “

ମୋ କଥା ଶୁଣି ମିଲିଂ ଚୁପ୍ ରହିଲା ସବୁଥର ପରି । ଏଥର ସେ ନିଜେ ବୋଧେ ଚିଠି ଲେଖେ । ମୋତେ ଆଉ କିଛି କୁହେନି । ମୁଁ ବି ଆଉ ତାକୁ କିଛି ପଚାରେନି । ଏହା ଭିତରେ ମାସେ ପନ୍ଦର ଦିନ କଟିଗଲାଣି ।

* * * * *

ଦିନେ ହଠାତ୍ ସେ ମୋର ସବୁ ପାଉଣା ଧରାଇ ଦେଇ କହିଲା ଯେ ସେ ଆସନ୍ତା କାଲି ଓଡିଶା ଛାଡୁଛି । ତା’ପାଖରୁ ଏତକ ଶୁଣିଲା ପରେ ମୁଁ ଯେମିତି ଜଡ ପାଲଟି ଗଲି । କଣ କହିବି କଣ ନ କହିବି ଭାବୁ ଭାବୁ ସେ ମୋ ଆଗରୁ ଚାଲି ଯାଉଥିଲା । ମୁଁ ପଛରୁ ଡାକିଲି କହିଲି ଆଜି ରାତିର ଡିନର୍ ମୋ ସହ କରିବାକୁ । ସେ ଟିକିଏ ହସି ସମ୍ମତି ଜଣାଇଲା ।

ରାତିରେ ସେ ମୋ ଘରକୁ ଆସିଲା । ସବୁଦିନ ପରି ଆମେ ଦୁହେଁ ବେଶ୍ ଖୋଲା ଖୋଲି ଭାବରେ କିଛି କଥା ହୋଇ ପାରି ନ ଥିଲୁ । ଦୁହେଁ ଯାକ କେଉଁଠି ଗୋଟିଏ ଅଟକି ଯାଉଥିଲୁ । ଖାଉ ଖାଉ ଖୁବ୍ ଭାବି ଚିନ୍ତି ତା’ପ୍ରେମିକା ଜି.ନାଗମଣି ବାବଦରେ ପଚାରିଲି । ସେ ମୋ କଥା ଶୁଣି ପ୍ଲେଟ୍ ଉପରେ ଚାମଚ୍ ଠକ୍ ଠକ୍ କରୁ କରୁ କହିଲା ଯେ ,ସେ ଆଜି ଖୁବ୍ ଦୁଃଖରେ ଶେଷ ଚିଠିଟି ପଠାଇଛି । କାଲି ଗଲା ବେଳେ ମିଲିଂକୁ ଷ୍ଟେସନ୍ ରେ ଭେଟିବାକୁ ଲେଖିଛି ।  

ତା’ଆଖିରେ ଖୁବ୍ ଅନ୍ୟମନସ୍କତା ଥିଲା । ମୁଁ ତାକୁ ଟିକେ ହାଲକା କରିବାକୁ କହିଲି “ଆଛା ମିଲିଂ ,ଯଦି କାଲି ସେ ଝିଅ ଆସେ ତୁମେ ତାକୁ କଣ କହିବ ?”

ମୋ ପ୍ରଶ୍ନର ଉତ୍ତରରେ ସେ କହିଲା “ଦୁନିଆର ସବୁଠୁ ମୂଲ୍ୟବାନ କଥାଟେ ତାକୁ କହିବି । “

ମିଲିଂର ସ୍ୱଛତା ଓ ପ୍ରେମକୁ ମୁଁ ପ୍ରଶଂସା କରି ରହି ପାରୁ ନ ଥିଲି ।  ମୋ ପାଖରୁ ବିଦାୟ ନେଉଛି ବୋଲି ମଧ୍ୟ ଦୁଃଖ ପ୍ରକାଶ କରୁଥିଲା । ମୋ ଠିକଣା ଓ ଫୋନ୍ ନମ୍ବର ଲେଖି ରଖିଲା । ସେ ଯଦି ପୁଣି କେବେ ଓଡିଶା ଆସେ ମୋତେ ଦେଖା କରିବ ବୋଲି ମଧ୍ୟ କହିଲା । ତା’ପରେ ଜରିରେ ଗୋଡାଇ ହୋଇଥିବା ଗୋଟିଏ କେକ୍ ମୋ ଆଡକୁ ବଢାଇ ଦେଲା । ମୋତେ ଅନାଇ କହିଲା “ଏଇ କେକ୍ କିଛି ଦୁର୍ଲଭ ଫଳରେ ତିଆରି ହୁଏ । ଏହାକୁ ଖାଇଲେ ନିରୋଗ ରହିବା ସହ ଆୟୁଷ ବି ବଢେ ।  ଏହା ମୁଁ ଆପଣଙ୍କ ଲାଗି ଆଣିଛି l”

ଏତକ କଥା ଶୁଣିଲା ପରେ ତା’ପ୍ରତି ମୋର ଭଲ ପାଇବା ଦୁଇଗୁଣ ହୋଇ ଯାଇଥିଲା । ସେ ରାତିରେ ବିଦାୟ ନେଲା ବେଳେ ମୁଁ ମୋର ପ୍ରିୟ କଲମଟି ତା’ଛାତି ପକେଟ୍ ରେ ଗୁଞ୍ଜି ଦେଇଥିଲି । ବୋଧେ ଏଇଟା ମୋର ତା’ସହ ଶେଷ ଦେଖା ।

* * * * *

ଆଜି ସକାଳୁ ମୋ ମନ ମୋଟେ ଭଲ ଲାଗୁ ନ ଥାଏ । ଯେଣ ତେଣ ଉପାୟରେ ମୋର ସବୁ କ୍ଲାସ ସାରି ଫେରିଲି । ଖୁବ୍ କଷ୍ଟରେ କଣ ଟିକିଏ ରାନ୍ଧି ଖାଇଲା ବେଳେ ହିଁ ଆଉ ରହି ପାରିଲିନି । ଘଣ୍ଟାକୁ ଅନାଇଲି । ଟ୍ରେନ୍ ଛାଡିବାକୁ ଆଉ ମୋଟେ ଅଧଘଣ୍ଟାଏ ବାକି ଅଛି । ଏବେ ବି ସମୟ ଅଛି ମୁଁ ମିଲିଂ କୁ ଟିକେ ଦେଖି ପାରିବି । ଆଉ କିଛି ନ ଭାବି ସେଇମିତି ହିଁ ଭ୍ୟାନିଟି ଧରି ଦୌଡିଲି । ହାଇ ସ୍ପିଡ୍ ରେ ସ୍କୁଟି ଚଲାଇ ରେଲୱେ ଷ୍ଟେସନ୍ ରେ ପହଞ୍ଚି ସାରିଥିଲି ମାତ୍ର ଦଶ ମିନିଟ୍ ରେ । ମିଲିଂ ଠିଆ ହୋଇଛି ପଛ କରି ତା’ସହ କର୍ମୀ ମାନଙ୍କ ସହ । ମୁଁ ଟିଏ ଦୂରରୁ ଥାଇ ଡାକିଲି “ମିଲିଂ…..”।

ସେ ଯେମିତି ମୋ ସ୍ୱର ସହ ପରିଚିତ ଥିଲା । ମୋ ଡାକ ଶୁଣି ସେ ପଛକୁ ବୁଲି ପଡି ମୋ ପାଖକୁ ଦୌଡି ଆସିଲା । ସେ ଖୁସିରେ ଗଦ୍ ଗଦ୍ ହୋଇ ପଡିଲା ମୋତେ ଦେଖି । ମୁଁ ଆଉ କାଳ ବିଳମ୍ବ ନ କରି ପଚାରିଲି “କଣ କହିଲ ଜି .ନାଗମଣିକୁ ?ଦେଖା ହେଲା ତା’ସହ ? କଣ କହିଲା ସେ ? କୁହ ମିଲିଂ …ଦୁନିଆର ସବୁଠୁ କେଉଁ ମୂଲ୍ୟବାନ କଥା କହିଲ ତାକୁ?”

– ଆଇ ୱାଣ୍ଟ୍ ଟୁ ହଗ୍ ୟୁ…..। ମିଲିଂ କହିଲା ।

-ଆଃ…ଭେରି ଗୁଡ୍ ,ମିଲିଂ।  ମୁଁ ଖୁସି ହୋଇ ପଡିଲି ତା’ର ଇଂରାଜୀ କହିବା ଷ୍ଟାଇଲ୍ ଦେଖି ।

-ଆଇ ୱାଣ୍ଟ୍ ଟୁ ହଗ୍ ୟୁ….। ସେ ପୁଣି କହିଲା ।

-ଓ .କେ. ବାବା…।  ଇଟ୍ସ୍ ଦି ରାଇଟ୍ ସେଣ୍ଟେନ୍ସ୍…

ସେ ଏଥର ମୋର ବହୁତ ପାଖକୁ ଲାଗି ଆସି ମୋ ଆଖିରେ ଆଖି ରଖି କହିଲା “ଆଇ ୱାଣ୍ଟ୍ ଟୁ ହଗ୍ ୟୁ…”।

ମୁଁ ତା’ଆଖି ଦେଖି ସ୍ତବ୍ଧ ହୋଇଗଲି । ତା’ଆଖିରେ ଲୁହ ଥିଲା ,ନିଆଁ ଥିଲା ଆଉ…ଆଉ କିଛି ବି ଥିଲା ।  ମୁଁ କିଛି ବି କହି ପାରିଲିନି ।

ଷ୍ଟେସନ୍ ରେ ଟ୍ରେନ୍ ଆସିବାର ଆନାଉନ୍ସ ହେଉଥିଲା । ସେ ନିଜ ପାଦ ଫେରାଇ ମୋ ଠାରୁ ଧୀରେ ଧୀରେ ଅପସରି ଯାଉଥିଲା ।  ମୋତେ ଲାଗୁଥିଲା ମୋ ପାଖରୁ କିଛି ଗୋଟିଏ ଚାଲି ଯାଉଛି ବୋଲି ।  ଯେମିତି ମୁଁ କିଛି ହରାଇ ଦେଉଛି ଏଇ ଏବେ ଏବେ । କିଛି ଭାବିବାକୁ ସମୟ ନ ଥିଲା ଆଉ । ଜୋରରେ ଡାକିଲି …”ରୁହ ମିଲିଂ…”।

ସେ ରହିଲା । ମୁଁ ଦୌଡି ଯାଇ ତାକୁ ଜୋରରେ ଗୋଟିଏ ହଗ୍ କଲି । ମୁଁ ଜାଣି ପାରୁଥିଲି ଯେ ସେ ଥରୁଛି ,ସେ କାନ୍ଦୁଛି । ସେ ମୋତେ ହଠାତ୍ ଜୋରରେ ଭିଡି ଧରି ମୋ କାନ ପାଖରେ ଫିସ୍ ଫିସ୍ ହୋଇ କହିଲା ଯେ “ଜି.ନାଗମଣି ବୋଲି କେହି ତା’ଜୀବନରେ ହିଁ ନାହିଁ “।

ମୁଁ ହତବାକ୍ ହୋଇଗଲି ତା କଥା ଶୁଣି l

ମୁଁ କିଛି ବୁଝିବା ଆଗରୁ ହିଁ ସେ ମୋ ଦେହରେ ଗୋଟିଏ ଶାଲ୍ ଘୋଡାଇ ଦେଲା ।  ମୁଁ ଦେଖିଲି ଏଇଟା ସେହି ଶାଲ୍ ଯାହା ଏଇ ବର୍ଷ କିଣିବାକୁ ଯାଇ ବେଶୀ ପଇସା ହୋଇଥିବାରୁ ନ କିଣି ମୁଁ ରଖି ଦେଇ ଆସିଥିଲି ।  ମୋର ସବୁ କିଛି ମନେ ପଡ଼ି ଯାଉଥିଲା ।

ମୁଁ ଭାବନା ରାଇଜରୁ ଫେରିଲା ବେଳକୁ ସେ ମୋ ଠାରୁ ଦୂରେଇ ଯାଇଥିଲା l ସାମ୍ନାରେ ଟ୍ରେନ୍ ଛାଡିବାର ଶବ୍ଦ ହେଉଥିଲା…..।

——Lucy —–

…..


…..

…..

Smt Chinmayee Barik

ଶ୍ରୀମତୀ ଚିନ୍ମୟୀ ବାରିକ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:
Facebook“, “Website 1”, “Website 2”


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Chinmayee Barik ଚିନ୍ମୟୀ ବାରିକ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment