ଜୀବନସାଥୀ (ଭାଗ ୪୭)

Suravi Odia

ଜୀବନସାଥୀ (ଭାଗ ୪୭)

ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ)

Author: Smt Mamata Mohanty (Samantaray)


…..

ନନ୍ଦିନୀ ଘରେ ସମସ୍ତେ ପହଞ୍ଚିବା ବେଳକୁ ଅପରାହ୍ନ ପାଞ୍ଚଟା ବାଜିବା ବାଜିବା ହେଉଥିଲା |  ସୁଧାକର ଓ ସୁଲୋଚନା ଡ୍ରଇଂରୁମ ସୋଫାରେ ବସିଲେ | ତାଙ୍କ ସହିତ ହୃଷୀକେଶ ଓ ସମର ମଧ୍ୟ ବସିଲେ | ନିର୍ମଳା ଭିତରକୁ ଚାଲିଯାଉଥିବାବେଳେ ହୃଷିକେଶ ତାଙ୍କୁ ପଛରୁ ଡାକି କହିଲେ, ତମେ କୁଆଡେ ଯାଉଛ ? ତମେ ତ ମୁଖ୍ୟ ଲୋକ,ଏଇଠି ବସ | ନିର୍ମଳା କହିଲେ, ହଉ, ବସିବି , ଟିକେ ୱାଶ ରୁମରୁ ଆସେ |  ହୃଷୀକେଶ କହିଲେ, ହଉ, ଶୀଘ୍ର ଆସ |  ଆସିଲାବେଳେ ଆମ ସମସ୍ତଙ୍କ ପାଇଁ ପାଣି ଆଣିବ | ନିର୍ମଳା ପାଣି ନେଇ ଆସିବା ପରେ ସମସ୍ତେ ପାଣି ପିଇଲେ ଓ ତାପରେ ଆଲୋଚନା ଆରମ୍ଭ ହେଲା |

ନନ୍ଦିନୀର ଦୁଇପୁଅ ଥିଲେ | ଜଣେ ଚତୁର୍ଥରେ ପଢୁଥିଲା ଓ ଅନ୍ୟଟି ଷଷ୍ଠରେ ପଢୁଥିଲା | ସେ ଦୁଇଜଣ, ଲିପି , ଅଙ୍କିତ ଓ ନନ୍ଦିନୀଙ୍କ ସହିତ ଭିତର ଘରେ ବସିଲେ | ପୁଅ ଦୁଇଜଣ ବେଶି ଦୁଷ୍ଟାମୀ କରିବାରୁ, ନନ୍ଦିନୀ ସେମାନଙ୍କୁ ଟିଭି ଖୋଲି କାର୍ଟୁନ ପିକ୍ଚର ଦେଖିବାକୁ କହିଲା | ସେମାନେ ଖୁସିରେ ଟିଭି ଦେଖିବାକୁ ଦୌଡିଲେ | ତତକ୍ଷଣାତ ପ୍ରାଚୀ ସେମାନଙ୍କୁ ଅନୁସରଣ କରି ତାଙ୍କ ପାଖରେ ବସି, ସେମାନେ ଯେଉଁ କାର୍ଟୁନ ପିକ୍ଚର ଦେଖୁଥିଲେ , ଆନନ୍ଦରେ ତାହା ଦେଖିବାକୁ ଲାଗିଲା |  

ସେମାନେ ଯିବାପରେ ନନ୍ଦିନୀ ଅଙ୍କିତକୁ କହିଲା, ତମେ ଦୁଇଜଣ ଗପୁଥାଅ, ମୁଁ ଟିକେ ଆସେ | ଲିପି କହିଲା, ମାଉସୀ, ଚା’ କରିବାକୁ ଯାଉଛନ୍ତି ନାଁ ?ନନ୍ଦିନୀ ଆଶ୍ଚର୍ଯ୍ୟ ହୋଇ କହିଲା, ତୁ କେମିତି ଜାଣିଲୁ ? ଲିପି ହସିଦେଇ କହିଲା, ମୁଁ ଚା’ କରିବି | ନନ୍ଦିନୀ କହିଲା, ଏଇ ଶାଢ଼ୀ ପିନ୍ଧି ତୁ କେମିତି ଚା’ କରିବୁ ? ଲିପି କହିଲା, ହଁ, ମୁଁ କରି ପାରିବି ମାଉସୀ | ଏହା କହି ସେ ନନ୍ଦିନୀ ପଛେ ପଛେ ଗଲା | ରୋଷେଇ ଘରେ ଲିପି ନନ୍ଦିନୀକୁ କହିଲା, ମାଉସୀ, ଏମାନେ ସମସ୍ତେ ନାଲି ଚା’ ପିଇବେ | ଆପଣ ଓ ମଉସା ନାଲି ଚା’ ନାଁ କ୍ଷୀର ଚା’ ପିଇବେ ? ନନ୍ଦିନୀ କହିଲା, ଆରେ ବାଃ ! ତୁ ତ ସମସ୍ତଙ୍କ ପସନ୍ଦ ଜାଣିଛୁ !! ସମସ୍ତେ ଯଦି ନାଲି ଚା’ ପିଇବେ, ଆମେ ବି ପିଇବୁ | ସେ ଲିପି କହିବା ମୁତାବକ ତାକୁ ସବୁ ଚା’ ସରଞ୍ଜାମ ଯୋଗାଇ ଦେଲା | ସସପିନରେ ଚା’ ଫୁଟି ଆସିବା ବେଳକୁ ସେ ଟ୍ରେ ରେ କପ ସଜାଡି ରଖିଦେଲା | ଲିପି କହିଲା, ମାଉସୀ, ଆପଣ ଏଥର ଯାଆନ୍ତୁ , ମୁଁ ସମସ୍ତଙ୍କୁ ଚା’ ଦେଇଦେବି | ନନ୍ଦିନୀ ଖୁସି ହୋଇ ତା ପିଠି ଥାପୁଡ଼ାଇ କହିଲା, ଗୁଡ଼ ଗାର୍ଲ |

ଅଙ୍କିତ ରୁମରେ ଏକୁଟିଆ ବସି ମୋବାଇଲ ଦେଖୁଥିଲା | ନନ୍ଦିନୀ ତା ପାଖରେ ବସିପଡି କହିଲା, ଏଥର ମତେ ସେ ଗୀତ କଥା କହ | ଅଙ୍କିତ ସ୍ମିତ ହସି କହିଲା, ପଛରେ କହିଲେ ହେବନି ? ନନ୍ଦିନୀ ମୁଣ୍ଡ ହଲେଇ କହିଲା, ନାଁ , ଜମା ନୁହେଁ, ତୁ ମତେ କଥା ଦେଇଥିଲୁ | ଅଙ୍କିତ କିଛି ସମୟ ଭାବି କହିଲା, ମତେ ସୁନନ୍ଦା ପଟ୍ଟନାୟକଙ୍କ ଗୀତ ବହୁତ ଭଲ ଲାଗେ | ତାଙ୍କ ଗୀତରୁ ପଦେ ଗାଇବି | ଏହା କହି ସେ ଗାଇଲା, ‘ଜୀବନ ପାତ୍ର ମୋ ଭରିଛ କେତେ, ମତେ ନଦେଲ କିଛି ବୋଲି, କହିବି କି ହେ ଆଉ “| ନନ୍ଦିନୀ କହିଲା, ଏଇଟା କଣ ? ଭଜନ ? ସେମିତି ହେବନାହିଁ | ଆଜିର ଦିନକୁ ମ୍ୟାଚ କଲା ପରି ଗୀତ ଗାଇବାକୁ ପଡିବ | ଅଙ୍କିତ କହିଲା, ସେମିତି କିଛି ଗୀତ ମୋର ମନେ ନାହିଁ ମାଉସୀ | ଆଉ ଦିନେ ଗାଇବି | ନନ୍ଦିନୀ କହିଲା, ନାଁ , ମୁଁ ବିଲକୁଲ ମାନିବିନି | ତତେ ଯେମିତି ହେଲେ ବି ମୋ ମନକୁ ପାଇଲା ଭଳି ଗୀତ ଗାଇବାକୁ ପଡିବ | ଅଙ୍କିତ ଲାଜେଇ ଯାଇ କହିଲା , ମାଉସୀ, ତମେ ନାଁ.. ହଉ ଠିକ ଅଛି ଶୁଣ | “ଆଜିକାଲି କାଇଁ ଭଲଲାଗେ, ସବୁଦିନ ସବୁରାତି , ମତେ ମିଳିଗଲା ମୋ ଜୀବନସାଥୀ …….ତା ସ୍ଵରର ଲାଳିତ୍ୟରେ ମୁଗ୍ଧ ହୋଇ ନନ୍ଦିନୀ କହିଲା, ବାଃ !ବାଃ! ମୋ ମନ ଖୁସି ହୋଇଗଲା | ଇଏ ସିନା ଗୀତ !ଓକେ | ମେନି ମେନି ଥ୍ୟାଙ୍କସ |

ସେତିକିବେଳେ ଲିପି ଟ୍ରେ ରେ ଚା’ ନେଇ ଆସିଲା | ତାକୁ ଦେଖି ନନ୍ଦିନୀ କହିଲା, ହେଇ ଲୋ ମୋ ଲକ୍ଷ୍ମୀ ମାଆ ଆସିଲାଣି | ଲିପି ତିନିଟି କପ ଟେବଲ ଉପରେ ରଖିଦେଇ, ଟ୍ରେ ନେଇ ଡ୍ରଇଂ ରୁମକୁ ଗଲା ଓ ସମସ୍ତଙ୍କୁ ଚା’ ଦେଲା | ଚା’ ଦେଖି ହୃଷୀକେଶ ଖୁସି ହୋଇ କହିଲେ, ଆରେ, ତୁ ତ ମୋ ମନ ଜାଣି ଚା’ ନେଇ ଆସିଲୁ !! ଭଗବାନ ତତେ କୋଟି ପରମାୟୁ ଦିଅନ୍ତୁ ! ଉତ୍ତରରେ ଲିପି ଅଳ୍ପ ହସି ସେଠାରୁ ଚାଲି ଆସିଲା |

ସେ ତାପରେ ଭିତର ଘରକୁ ଯାଇ, ନନ୍ଦିନୀ ପାଖରେ ବସିଲା ଓ ତିନିଜଣ ଚା’ ପିଇବାକୁ ଲାଗିଲେ | ନନ୍ଦିନୀ ଚା’ ପିଉ ପିଉ କହିଲା, କେତେ ସୁନ୍ଦର ଚା’ ବନେଇଛୁ ଲୋ, ଅମୃତ ପରି ଲାଗୁଛି !! ଲିପି ହସିଦେଇ କହିଲା, ଧନ୍ୟବାଦ ମାଉସୀ | ସମସ୍ତେ ଚା’ ପିଇ ସାରିବା ପରେ ଲିପି ସମସ୍ତଙ୍କ କପ ନେଇ କହିଲା, ମାଉସୀ, ରାତି ପାଇଁ ରୋଷେଇ କରିଦେବା ? ନନ୍ଦିନୀ କହିଲା, କାବୁଲି ବୁଟ ଓ ପନିର ତରକାରୀ ମୁଁ ସକାଳେ କରିଦେଇଥିଲି |  ଅଟା ବି ଚକଟି ଫ୍ରିଜ ରେ ରଖିଛି | ଧୂପ ଦେଇସାରିବା ପରେ ଅପା ଆଉ ମୁଁ ମିଶି ପୁରି ଛାଣିଦେବୁ | ଏବେ ତୁ ଅକି ସାଙ୍ଗରେ କଥା ହେଉଥାଆ, ମୁଁ ସେମାନଙ୍କ ପାଖକୁ ଯାଉଛି, ସେମାନେ କଣ କଥା ହେଉଛନ୍ତି , ଶୁଣିଆସେ |

ସେମାନଙ୍କ ପାଖକୁ ନନ୍ଦିନୀ ଯିବାବେଳକୁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା | ସେତେବେଳେ ଜାନୁୟାରୀ ମାସ ହୋଇଥିଲା | ପାଞ୍ଜି ଦେଖି ଫେବୃୟାରୀ ସାତ ତାରିଖରେ ବାହାଘର କରିବାପାଇଁ ସମସ୍ତେ ନିଷ୍ପତ୍ତି ନେଲେ | (କ୍ରମଶଃ)

…..


…..

…..

Smt Mamata Mohanty

ଶ୍ରୀମତୀ ମମତା ମହାନ୍ତି


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “ସାହିତ୍ୟ ମାଧୁର୍ଯ୍ୟ“, “mamatagapakabita.blogspot.com“, “Pratilipi-Odia”


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Mamata Mohanty (Samantaray) ମମତା ମହାନ୍ତି (ସାମନ୍ତରାୟ)


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment