ହେରାପଞ୍ଚମୀ

Hera Panchami

ହେରାପଞ୍ଚମୀ
———————————————–
ମହାଲକ୍ଷ୍ମୀ କହୁଛନ୍ତି ଜଗନ୍ନାଥଙ୍କୁ
ଏକା କରି ଆସିଗଲ ଜନ୍ମବେଦୀକୁ
ମନେ, ପ୍ରଭୁ ଥିଲା ଯଦି କପଟ ବୋଧ
କୁହ ତେବେ, ମୋ ସହ ଥିଲା କି ଭାବ !!

ଶ୍ରୀମନ୍ଦିର ହୋଇଅଛି ଶୂନ୍ୟ ମଣ୍ଡପ
ରତ୍ନ ପଲଙ୍କେ ଆଖିକୁ ଆସେନା ନିଦ
ଜଗତ ଠାକୁର ଯଦି ଶୁଣିବେ ନାହିଁ,
ମୋ ଦୁଃଖ କାହାକୁ ପ୍ରଭୁ କହିବି ମୁହିଁ !!

ପଦ୍ମାଳୟା କହୁଛନ୍ତି ପଦ୍ମମୁଖକୁ ଚାହିଁ
ପଞ୍ଚମୀ ତିଥିରେ ପ୍ରଭୁ ଆସିଛି ମୁହିଁ
ମାନ-ଅଭିମାନ ସବୁ ଯିବି ତ ଭୁଲି
ମୋ ସହ ଶ୍ରୀମନ୍ଦିର ଆସନ୍ତୁ ଚାଲି,

ପତ୍ନୀ ମୁଖ ଚାହିଁ ପ୍ରଭୁ କହନ୍ତି ଧିରେ
ମୁଁ ପରା ରହିଛି ତୁମ ହୃଦ ମନ୍ଦିରେ
ନାମ ବହିଅଛି ପରା ମୁଁ ଲକ୍ଷ୍ମୀପତି
ତୁମ୍ଭ ବିନା ପ୍ରାଣପ୍ରିୟା ନାହିଁ ମୋ ଗତି,

ଏବେ କୋପ ଶାନ୍ତ କର, ରତ୍ନାକର ଦୁହିତା
ଫେରିବି ଦୁଇ ଦିନ ମଧ୍ୟେ, ଦେଉଛି କଥା
ଆସିଛି ସିନା ଏଠାକୁ ଲାଗେନା ମନ
ତୁମକୁ ଝୁରେ ମୁଁ ସଦା ରାତି ହେଉ ବା ଦିନ ,

ଫେରିଯାଅ ଦେବୀ ତୁମେ ଶୀରି ମନ୍ଦିର
ଘରଣୀ ବିନା କି ଘର ଲାଗେ ସୁନ୍ଦର
ନା ନା ବସ୍ତ୍ର ଉପହାର ତୁମରି ପାଇଁ
ସାଥିରେ ଆଣିବି କଥା ଦେଉଛି ମୁହିଁ,

ପ୍ରଭୁଙ୍କ ମୁଖରୁ ମାତା ସବୁ ଶୁଣିଲେ
ଗୁଣ୍ଡିଚା ମନ୍ଦିରୁ କୋପେ ବିଦାୟ ନେଲେ
ଫେରିବା ସମୟେ ଭାଙ୍ଗି ରଥ କାଷ୍ଠକୁ
ପ୍ରବେଶିଲେ ମହାମାୟା ଶ୍ରୀମନ୍ଦିର ମଧ୍ୟକୁ,

ପ୍ରଭୁ ଜଗନ୍ନାଥଙ୍କର ମାନବୀୟ ଏ ଲୀଳା
ଶ୍ରୀକ୍ଷେତ୍ରେ ଭକ୍ତଙ୍କ ସହ କରନ୍ତି ଖେଳା
ଜଗତ ଠାକୁର ସେ ଯେ ପୁରୁଷୋତ୍ତମ
ଶ୍ରୀରଙ୍ଗା ଚରଣ ତଳେ କୋଟି ପ୍ରଣାମ ,,,
———————————————–
କବୟିତ୍ରୀ:

ଐଶ୍ବର୍ଯ୍ଯା ମିଶ୍ର
ଛତ୍ରପୁର, ଗଞ୍ଜାମ

Related posts

Leave a Comment