ବାରିପଦା ଡେଏଜ୍ (ପିଲାଦିନ)

ବାରିପଦା ଡେଏଜ୍ (ପିଲାଦିନ)

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

————————[ ପିଲାଦିନ ]————————

ମୁଁ ଜନ୍ମ ହେଲା ବେଳକୁ ମୋ ବାପା ଜଣେ ଫେରିବାଲା ଥିଲେ।

ଏଇଠୁ କଥାଟା ଆରମ୍ଭ କରିବା। ୟାକୁ ଇତିହାସ କୁହାଯିବ।ଏହାଠୁ ପଛକୁ ଗଲେ ପୁରାଣ ହୋଇଯିବ। ପୁରାଣ ଗୁଡାକର ଆଜିକାଲି କଣ ମୂଲ୍ୟ ଅଛିଯେ।

ମୋ ବାପା, ଗୋଟେ ବଡ ବୁଜୁଳା(bundle) ,ଗୋଟେ କାଠବାକ୍ସ,ବାଉଁଶ ଦଶବାର ଖଣ୍ଡ ଧରି ଓଡିଶା ସାରା ବୁଲନ୍ତି। ଏ ମେଳାରୁ ସେ ମେଳା,ଏ ପର୍ବରୁ ସେ ପର୍ବକୁ। ତାରପୋଲିନ ର ଛୋଟିଆ ଛାମୁଣ୍ଡିଆଟିଏ କରି ତା ତଳେ ପାଲ ପକେଇ ଖେଳନା ଦୋକାନ ମେଲେଇ ଦିଅନ୍ତି। ରଙ୍ଗ ବେରଙ୍ଗର ବେଲୁନ ଫୁଲେଇ ଦୋକାନ ସାରା ଟାଙ୍ଗି ଦିଅନ୍ତି। ସବୁଠୁ ଆକର୍ଷଣୀୟ ହେଲା ତାଙ୍କ କାଠବାକ୍ସ। ଦୁଇ ଆଡକୁ ମେଲାକରି ଖୋଲିଦେଲେ କାଚ କଭର ତଳେ ଦେଖାଯାଏ ଇମିଟେସନ ଗହଣା।ମୁଦି,ହାର,କାନଫୁଲ,ମୁଣ୍ଡକଣ୍ଟା,ଚେନ। ତାକୁ ସେତେବେଳେ ରୋଲ୍ଡଗୋଲ୍ଡ କହୁଥିଲେ।

ବାପା ବୁଲି ବୁଲି ଦି ତିନି ମାସରେ ଥରେ ଘରକୁ ଫେରୁଥିଲେ। ବେପାର ରୁ ଯେଉଁ ପଇସା ଧରି ଫେରିଥା’ନ୍ତି ସିଏ ଅଳ୍ପ ଦିନରେ ସରିଯାଏ। ମାସେ ଦି ମାସ ପରେ ବାପା ପୁଣି ଖଣ୍ଡେ ଜମି ବିକନ୍ତି। କଲିକତା ଯାଅାନ୍ତି। ମାଲ କିଣନ୍ତି। ପୁଣି ପଳାନ୍ତି ମେଳା ବୁଲିବା ପାଇଁ । ଇଏ ସଫଳ ବେପାର ନଥିଲା। ଥିଲା ତାଙ୍କର ସଉକ।

ଆମର ଚଳିବା କେବେବି ଭଲ ନଥାଏ।ବାପା ମେଳାକୁ ପଳେଇଲେ ଆହୁରି କଷ୍ଟ ହୁଏ। ସେଇ ସମୟ ମାନଙ୍କରେ ମା’ର ବାପଘରୁ କିଛି କିଛି ସାହାଯ୍ୟ ଆସେ। ତେଣୁ ଆମେ ଖାଇବା ବିନା ମରିଯାଇ ପାରୁନା।

ଏକଦମ ନିପଟ ଗାଁ। ଖୁବ ପ୍ରାଚୀନ ପ୍ରାଇମେରୀ ସ୍କୁଲଟିଏ ଆମ ଗାଁ ରେ ଥାଏ। ମୋ ବାପା ସେଇଠି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।ଅବଶ୍ୟ ସେତେବେଳକୁ ଆମ ଗାଁ ର ଅନେକ ଲୋକ ପାଠଶାଠ ପଢି ଶିକ୍ଷକ ଇତ୍ୟାଦି ଚାକିରୀ କଲେଣି।କଲିକତା,ଟାଟା ରେ ରହି ଧନୀ ହେଲେଣି । କିନ୍ତୁ ତାଙ୍କ ପରିମାଣ ଦଶଘର ରୁ ଅଧିକ ହେବନି।

ଇଏ ସେହି ସମୟର କଥା ଯେତେବେଳେ ଆମ ଗାଁ ର ଦଶବାର ବର୍ଷର ପିଲାମାନେ ସ୍କୁଲ ରୁ ଫେରି ପ୍ୟାଣ୍ଟସାର୍ଟ ଫୋପାଡିଦେଇ ଲଙ୍ଗଳା ହୋଇ ଗାଁ ଦାଣ୍ଡରେ ବୁଲୁଥିଲେ,ଖେଳୁଥିଲେ। କିନ୍ତୁ ମୁଁ ସେମିତି ନଥିଲି।

ମୁଁ ସେଇ ଗାଁ ସ୍କୁଲରେ ପଢୁଥାଏ। ଭଲ ପଢୁଥାଏ । କିନ୍ତୁ ଏପଟେ ଆମ ପାରିବାରିକ ସଂସ୍କାର ଜୀରୋ। ଭାରତ ସ୍ୱାଧୀନ ହେଲା ବେଳକୁ ବାପାଙ୍କୁ କୋଡିଏ ବର୍ଷରୁ ବେଶି ହୋଇଥାଏ। ଚଉଦ ବର୍ଷର ବାଜି ରାଉତ ଶହୀଦ ହୋଇ ସାରଥାନ୍ତି। ଅଥଚ ମୋ ବାପା ଦେଶ ବିଷୟରେ କିଛି ଜାଣି ନଥାନ୍ତି। ଅନ୍ତତଃ ଦେଶପାଇଁ କୋଉଠି ଟିକେ ହେଲେ ହୋ ହାଲା କରିଥାନ୍ତେ। କିଛି ନାହିଁ। ମାନେ ଆମର ଇତିହାସ ବୋଲି କିଛି ନଥିଲା।

ମା’ବି ପାଠପଢିଥିଲା। ସଞ୍ଜବେଳେ ଖଞ୍ଜାରେ ବସି ପୁରାଣ ପଢେ। ମତେ ପଢ଼ାଏ। ସ୍ୱର ଶିଖାଏ। ପଡିଶା ଘର ର ମାଇପେ ବସି ଶୁଣନ୍ତି। କିନ୍ତୁ ଦାରୀଦ୍ର୍ୟ ରେ ଏମିତି ପେଶିହୋଇ ବଞ୍ଚୁଥାଉ ଯେ ପେଟ ଉପର କଥା ଚିନ୍ତା କରିବା ଆମ କଳ୍ପନା ବହାରେ ଥାଏ।

ଥରେ ପ୍ରଥମାଷ୍ଟମୀରେେ ପଇସା ଅଭାବରୁ ବାପା ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ , ଅଣ୍ଟାରେ ଇଲାଷ୍ଟିକ ଥିବା ହାଫ୍ ପ୍ୟାଣ୍ଟଟିଏ ମୋ ପାଇଁ ନେଇ ଆସିଥିଲେ। କାନ୍ଦି କାନ୍ଦି ପିନ୍ଧିଲି। ସେତେବେଳେ ଆମେ ଗରିବ ବୋଲି ଅନୁଭବଟା ମୋର ଥିଲା।

ମୋର ବ୍ୟବହାର ସର୍ବତ୍ର ମାର୍ଜିତ ଥିଲା। ସ୍କୁଲରେ ଶିକ୍ଷକମାନଙ୍କୁ,ଗାଁ ର ଲୋକମାନଙ୍କୁ ଠିକ ବ୍ୟବହାର କରୁଥିଲି। ଆପଣ ସହିତ ଆନୁସଙ୍ଗିକ ଶବ୍ଦ ଯଥା ଆସନ୍ତୁ, ନିଅନ୍ତୁ, କୁହନ୍ତୁ, ଇତ୍ୟାଦି ଠିକ ଭାବରେ ବ୍ୟବହାର କରୁଥିଲି। କିନ୍ତୁ ଘରେ ମା’ , ଖୁଡି,ଦାଦା,ବଡଭାଇ ସମେତ ବାପାଙ୍କୁ ବି “ତୁ” “ଦେ” “ନେ” ସମ୍ବୋଧନ କରୁଥିଲି।

ବାପା ଗାଁ ରେ ଥିଲାବେଳେ ଭୋଜିଭାତକୁ ଯାଆନ୍ତି। କୀର୍ତ୍ତନ ଦଳ ସହିତ ପାଖ ଗାଁମାନଙ୍କୁ ଯାଆନ୍ତି। ମୃଦଙ୍ଗ ବଜାନ୍ତି। ମତେ କାନ୍ଧରେ ବସେଇ ନହେଲେ ପଚାନାଉ କରି ନିଅନ୍ତି। ଫେରିଲା ବେଳକୁ ଢୁଳାଉଥାଏ ତେଣୁ କାଖେଇକରି ଆଣନ୍ତି।

ଭୋଜି ଖାଇସାରିଲା ପରେ ସମସ୍ତଙ୍କୁ ପାନ,ବିଡି , କଡାଗୁଣ୍ଡି ମିଳେ। ବାପାଙ୍କ ଅଣ୍ଟିରେ ଗୁଣ୍ଡିନଳି ଥାଏ।ତେଣୁ ସେ ପାନଟିଏ ପାଟିରେ ଜାକି ବିଡି ଖଣ୍ଡେ ଧରନ୍ତି।ଆମେ ଫେରୁ। ବାପାଙ୍କ କାନ୍ଧ ଉପରେ ମୁଁ ବସିଥାଏ।ଆହୁରି ଜଣେ ଦୁଇଜଣ ପିଲା ବି ତାଙ୍କ ବାପାଙ୍କ ଉପରେ ସେମିତି ସବାର ହୋଇଥାନ୍ତି।

ବାଟରେ ମୋ ବାପା ବିଡି ଲଗାନ୍ତି। ପୁରୁଣା ବିଡି ଖିଆଳିଙ୍କ ପାଖରୁ ଦିଆସିଲ ନେଇ। ବାପା ଟାଣୁଥାନ୍ତି ।ମେଞ୍ଚା ମେଞ୍ଚା ଧୂଆଁ ଛାଡୁଥାନ୍ତି। ସେ ସବୁ ମୋ ମୁହଁରେ ବାଜୁଥାଏ। ପାନବାସ୍ନା ମିଶା ବିଡିଧୂଆଁ ମତେ ଭାରି ଭଲ ଲାଗେ।

ମୁଁ ବାପାଙ୍କୁ କହେ-ବାପା ଲୋ। ମତେ ଟିକେ ଦେଉନୁ ମୁଁ ଟିକେ ବିଡି ଟାଣିବି।

ବାପା କହନ୍ତି-ଚୁପ୍। ଏଗୁଡା କଡା ଜିନିଷ।ଛୁଆ ଖାଆନ୍ତିନି। ମୁଣ୍ଡ ବୁଲେଇବ।

ମୁଁ ଜିଦ କରେ-ଦେ ମ ଟିକେ ଥରେ ଟାଣିକି ଫେରେଇ ଦେବି।

ବାପା ବୁଝାନ୍ତି। ମୁଁ ଜିଦ କରେ। ଶେଷରେ କୁହନ୍ତି-ଦେଖିଲୁ କାହା ଘର ଛୁଆ ବିଡି ଟାଣୁଛନ୍ତି। ତୁ ଅତି ଗୋଟେ ଜିଦ ଲଗେଇଛୁ। ଲୋକ କଣ ଭାବିବେ କହିଲୁ।

ମୁଁ ଭାରି ଚାଲାକ । କହେ-ରହି ଯାଉନୁ ଟିକେ ପଛକୁ।

ଆମେ ଟିକେ ପଛେଇ ଯାଉ। ବାପା ମୋ ହାତକୁ ସାବଧାନରେ ବିଡି ଦିଅନ୍ତି। ମୁଁ ଢୋକେ ଟାଣିଦେଇ ଫେରେଇ ଦିଏ। ପ୍ରଥମ ଦିନରୁ ମୋର କେବେ ବି କାଶଫାଶ ହେଇନି। ଆରାମରେ ଶୋଷିନିଏ।ଫୁସ୍ କରି ଧୂଆଁ ଛାଡିଦିଏ। ଏମିତି ଅନେକ ଥର ଆମେ ବାପ ପୁଅ ମିଶି ବିଡି ଟାଣିଛୁ।

ତୃତୀୟ ଶ୍ରେଣୀରେ ସ୍କଲାରସିପ ପରୀକ୍ଷା ଦେବାପାଇଁ ମୁଁ ବଛାହେଲି। ସେତେବେଳକୁ ମୋ ମା’ ମତେ ସବୁବେଳେ କହେ-ତୁ ବଡ ହେଲୁଣି। ଭଲ ପାଠ ପଢୁଛୁ। ବାପାଙ୍କୁ ଆଉ ତୁ କହନା , ତୁମେ କହ।

ମୁଁ ଜମା ମାନେନା। ମା’ସହ ଯୁକ୍ତିତର୍କ କରେ।ଥରେ ଏମିତି ଯୁକ୍ତିତର୍କ ରୁ ମୁଁ ରାଗିଥାଏ। ମା’ ତା’ର ଶାଢୀଟା ଶୁଖେଇ ଦେଇ ପାଣି ଆଣିବାକୁ ଗଲା। ମୁଁ ଗୋଟେ ଦା’ ପୁରେଇ ଶାଢୀଟାକୁ ଚିରିଦେଲି। ମା’ ଫେରିକି ମୋ କାମ ଦେଖି ନଡିଆକତା କୂଅ ଦଉଡିରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ମତେ ପିଟି ଦେଇଗଲା। ମନ ଶାନ୍ତିହେବାପରେ ଚୁପ୍ ହୋଇଗଲା। ମୁ୍ଁ ବି ଚୁପ। କିନ୍ତୁ ମତେ ମାଆ ମାଡ଼ର ପ୍ରତିଶୋଧ ନେବାକୁ ପଡିବ। ମୋ ଆଖିରେ ପଡ଼ିଲା ଧାନଉଁଷା ମାଟି ହାଣ୍ଡି ପାଞ୍ଚଟା ଥାକ ହୋଇ ରହିଛି। ମୁଁ ଉଠିଯାଇ କୀଳାଟେ ଧରି ତଳ ହାଣ୍ଡିକୁ ଦେଲି ପାହାରେ। ଏକାଥରେ ପାଞ୍ଚଟା ସାରା ମଲେ । କଣ ହେଲା ବୋଲି ପାଟିକରି ମା’ଦୌଡି ଆସିଲା ବେଳକୁ ମୁଁ ପାର୍।

ସଞ୍ଜ ବେଳକୁ ନିତ୍ୟାନନ୍ଦ ସାର୍ ଘରକୁ ଆସିଲେ । ମୋଭଳି ସ୍କଲାର ପିଲାଟାକୁ ମାଗଣାରେ ପାଠ ପଢେଇବା ପାଇଁ। ମୁଁ ତାଙ୍କ ପଛେ ପଛେ ଘରକୁ ପଶିଲି।ମୋ ମା’ ଆଗ ମତେ ଧରିପକେଇ ମୋ ପିଠିକୁ ଆଉଁଷି ପକେଇଲା। ପିଠିଟା ପୁରା ଆବୁଡା ଖବୁଡା ହୋଇ ଯାଇଥାଏ। ମା’ମତେ ଧରି କାନ୍ଦ କାନ୍ଦ ହୋଇ କହିଲା-ଜାଣିଲ ନିତିଆ, ବାପଟାକୁ ସବୁବେଳେ ତୁ ତା କହୁଛି। ସେହି ରାଗରେ ଦି ଚାରି ପାହାର ପକେଇଛି। ମୁଁ ୟାକୁ ଆଉ ପାରିବିନି। ତମେ ତାକୁ ଶିଖା।

ତେବେବି ହେଲାନି। ଗୋଟିଏ ସମ୍ବୋଧନରୁ ଆଉ ଗୋଟେ ସମ୍ବୋଧନକୁ ଯିବା ଭାରି କଷ୍ଟ। ଦଶବର୍ଷ ଧରି ବାପା ମା’ ଡାକିଲା ପରେ ହଠାତ ଡାଡି ମମି ଡାକି ହେବନି। ହେବ କି ?

ତୃତୀୟରେ ସ୍କଲାରସିପ ଦେଲି। ପାଇଲିନି।ପଞ୍ଚମରେ ଦେଲି। ପାଇଲିନି। କିନ୍ତୁ ବ୍ରାଇଟ୍ ଷ୍ଟୁଡେଣ୍ଟ ବୋଲି ପରିଚୟ ରହିଗଲା।

ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ଆମ ପରିବାର ପାଇଁ ଗୋଟେ ନୂଆ ଘଟଣା ଘଟିଲା। ମୋ ମାମୁଁ ଘର ସେତେବେଳେ ଟାଟା ନଗରରେ ରହୁଥିଲେ। କଦମା ଅଞ୍ଚଳରେ। ବ୍ୟବସାୟ କରୁଥିଲେ। ତାଙ୍କର ଝିଅଟି ପାଠ ପଢ଼ିବା ଯୋଗ୍ୟ ହୋଇ ଯାଇଥିଲା। ଘରଠାରୁ ଓଡ଼ିଆ ସ୍କୁଲ୍ ଥିଲା ଦୂରରେ। ତେଣୁ ଏତେ ଛୋଟ ପିଲାଟି ସ୍କୁଲ୍ କୁ ଯିବା ଆସିବା କରି ପାରିବ ନାହିଁ। ସବୁଦିନେ ନେବା ଆଣିବା କରିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ଝିଅଟିକୁ ଆଣି ଗାଁ ରେ ଆମଘରେ ଛାଡ଼ି ଦେଇଗଲେ। ମୋର ତୃତୀୟ ଶ୍ରେଣୀ ହୋଇଥିଲା ବେଳେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଲା। ମୋ ସାଙ୍ଗରେ ସ୍କୁଲ୍ କୁ ଯିବା ଆସିବା କରି ପାଠ ପଢ଼ିଲା। ତା’ର ତୃତୀୟ ଶ୍ରେଣୀ ସରିଲା ବେଳକୁ ମୁଁ ପଞ୍ଚମ ପାସ୍ କରିଗଲି।

ତା’ପରେ ମୋତେ ଆଉ ଆଗକୁ ପଢେଇବା ପାଇଁ ଆମ ପରିବାର ର କ୍ଷମତା ନଥିଲା କି ଆଗ୍ରହ ବି ନଥିଲା। ବାପା କହିଲେ-ପୁଅ ଚାଲୁ ଏବେ ମୋ ସାଙ୍ଗରେ। ବେପାର ରେ ବୁଲୁ।

ମା’ ର କିନ୍ତୁ ଆଗ୍ରହ ଥିଲା ଆଉକିଛି ପଢାଇବା ପାଇଁ।


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

Leave a Comment