ପାଚେରି

ପାଚେରି

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

***************[ କ୍ଷୁଦ୍ରଗଳ୍ପ ]***************

 

ମଶାମାନଙ୍କର ଗୁଣୁଗୁଣୁ ଗୀତ ସହିତ ମଣିଷମାନଙ୍କ ତାଳିର ଯୁଗଳବନ୍ଦି ସମସ୍ତେ ଅନୁଭବ କରିଥିବେ।

ପଲ୍ଲବୀ ପଚାରିଲା – ତା’ପରେ ?…..କିନ୍ତୁ ମୁଁ କହୁଛି, ଏକ୍ ମଚ୍ଛର୍…. ମାନେ ମଶାଟିଏ ମଣିଷକୁ ନପୁଂସକ କରିଦିଏ।

ଭରଦ୍ୱାଜ କହିଲା – ଉହୁଁ। ଏଇଟା ଗୋଟେ ଅର୍ଥହୀନ କଥା।

— ମାନେ ?

— ପଲ୍ଲବୀ, ତୁମେ କେବେ ମଶା ମାରିବା ପାଇଁ ତାଳି ମାରିଛ ?

— ହଁ। ଅନେକ ଥର।

— ତୁମେ ଜଣେ ନାରୀ। ତୁମେ ତାଳି ମାରିଲା ପରେ ତୁମକୁ କ’ଣ କୁହାଯିବ ? ସେପାଇଁ କିଛି ଶବ୍ଦ ନାହିଁ। ତେଣୁ ମଶା ମାରିଲେ ପୁରୁଷ ନପୁଂସକ ହେବା ଓ ନାରୀ ନପୁଂସକ ନହୋଇ ପାରିବା ଅର୍ଥ ମଶାର କିଛି ଶକ୍ତି ନାହିଁ। ତେଣୁ ଏ ପୁରୁଣା କଥାଟି ସମ୍ପୂର୍ଣ୍ଣ ଅର୍ଥହୀନ।

— ତା’ପରେ ?

— ବନ୍ଧୁକ ଗୁଳି ଓ ମୋର୍ଟାର୍ ମାଡ଼ର ଶବ୍ଦଠାରୁ ମଶାର ଗୁଣୁଗୁଣୁ ଗୀତ ଖୁବ୍ ମଧୁର। ଗୁଳିଗୋଳାର ଆଘାତ ଠାରୁ ମଶାର ଦଂଶନ କମ୍ ଯନ୍ତ୍ରଣା ଦାୟକ। ବାସ୍ ଏତିକି।

ପଲ୍ଲବୀ କହିଲା – ତୁମେ ଖାଲି ଏମିତି ଦୁଃଖ ଯନ୍ତ୍ରଣାର କଥା କହୁଥିବ। କିଛି ରୋମାଣ୍ଟିକ୍ କଥା କୁହନ୍ତ ନାହିଁ।

— ମଶାର ଗୁଣୁଗୁଣୁ ଓ ତା’ର ଦଂଶନର ଅନୁଭବକୁ ପ୍ରେମ କରିବା ମଧ୍ୟ ଗୋଟେ ରୋମାଣ୍ଟିକ୍ କଥା।

— ସତରେ, ତୁମେ ରୋମାଣ୍ଟିକ୍ ହୋଇ ପାରୁନାହଁ। କାହିଁକି ?

ଭରଦ୍ୱାଜ ଥରେ ଶୂନ୍ୟକୁ ଦେଖିନେଇ କହିଲା – ଫୁଲ ବଗିଚାରେ ଫୁଲମାନଙ୍କ ସହିତ ଜୀବନ ବିତାଉ ଥିବାରୁ ପ୍ରଜାପତିର ଡେଣା ଫୁଲର ପାଖୁଡ଼ାଟିଏ ପରି ହୋଇ ଯାଇଥାଏ। ଫୁଲ ବଗିଚାରେ ଜୀବନ ବିତାଉଥିବା ପ୍ରଜାପତି ପରି ତୁମେ ଖୁବ୍ କୋମଳ ମଣିଷଟିଏ। ତୁମ ସହିତ ମୋର ତୁଳନା କଲେ ଏମିତି ହେବ। ଗୋଟେ ନବଜାତ ଶିଶୁର ଓଠ ଯେମିତି କୋମଳ ଓ ନରମ ଥାଏ, ପାଦ ବି ସେତିକି କୋମଳ ଓ ନରମ ଥାଏ। ବୟସ ବଢ଼ିଲାପରେ ଓଠ ଠିକ୍ ପୂର୍ବପରି ନରମ ରହିଥିବା ବେଳେ ପାଦତଳ ଗୋଇଠି ଟାଣ ହୋଇଯାଏ। ସବୁଦିନେ ଓଠର ଯତ୍ନ ନିଆଯିବା ସହିତ ତାକୁ କୌଣସି କାମର ବୋଝ ଦିଆ ନ ଯିବାରୁ ସେ କୋମଳ ହୋଇ ରହିଥାଏ। ଗୋଇଠିଟି ଆଘାତ ଓ କଷ୍ଟ ସହି ସହି କ୍ରମେ ଟାଣ ହୋଇଯାଏ। ଏ ଦେଶଟା ହେଲା ଗୋଟେ ଦେହ। ଆମେ ସବୁ ସେ ଦେହର ଗୋଟେ ଗୋଟେ ଟୁକୁଡ଼ା। ସବୁ ମଣିଷ ଗୋଟେ ଗୋଟେ କୁନି ଭାରତ। ସବୁ ଦେହ ଏଇଠୁ ସୃଷ୍ଟି ହୋଇଛି। ଏଇଠି ମିଶିଯିବ। ଏଠୁ ଆଞ୍ଜୁଳାଏ ମାଟି ନେଇ ପୃଥିବୀସାରା ବୁଲି ଆସିଲେ ସମସ୍ତେ କହିବେ – ଏହା ଭାରତୀୟ ମାଟି। ସେମିତି ଯେକୌଣସି ମଣିଷଟିଏକୁ ଏଠାରୁ ନେଇ ପୃଥିବୀସାରା ବୁଲେଇ ଆଣ, ସମସ୍ତେ କହିବେ – ଏଇଟି ଭାରତୀୟ ମଣିଷ । ସମସ୍ତେ ଭାରତ ଶରୀରର ଗୋଟେ ଗୋଟେ ଅଙ୍ଗ। ତୁମେ ଏ ଦେଶର ଓଠ ହୋଇ ରହିଥିବା ବେଳେ ମୁଁ ଗୋଇଠିର ଜୀବନ ବିତାଇଛି।

ପାକିସ୍ତାନ ଦିଗକୁ ସୀମାର ଅନ୍ତିମ ଭାରତୀୟ ଗ୍ରାମ ହେଲା କାଲାଲ୍। ସୀମାନ୍ତ ବାଡ଼ଠାରୁ ଅଳ୍ପ ଦୂରରେ ସେପଟେ ଅଛି ଖୁବ୍ ଉଚ୍ଚ ପାହାଡ଼। ପର୍ବତଶ୍ରେଣୀ। ସେ ପାହାଡ଼ ଉପର ପର୍ଯ୍ୟନ୍ତ ଚାଲି ଆସି ପାକିସ୍ଥାନୀ ସୈନ୍ୟମାନେ କଲାଲ୍ ଗାଁ ଉପରକୁ ଗୁଳିଗୋଳା ବର୍ଷଣ କରନ୍ତି। ଆଗରୁ ମଝିରେ ମଝିରେ ମୋର୍ଟାର୍ ମଧ୍ୟ ପଡ଼ୁଥିଲା। ସିଜ୍ ଫାୟାର ଉଲଙ୍ଘନ କରି ସେଇଠୁ ସେମାନଙ୍କର ବାହାଦୁରି ପ୍ରଦର୍ଶନ କରନ୍ତି।

ଭରଦ୍ୱାଜର ଘର ସେଇ ଶେଷ ଗାଁ ରେ ଅଛି। ମାଆ ପେଟରେ ଥିବା ବେଳରୁ ସେମାନେ ଗୁଳିଗୋଳାର ଶବ୍ଦ ଶୁଣୁଥାନ୍ତି। ସତକଥା ହେଲା ସେମାନେ ଏହା ପୂର୍ବରୁ ଶୁଣୁଥିଲେ ବୋଲି କହିଲେ ଠିକ୍ ହେବ। କାରଣ ଏଭଳି ପରିବେଶରେ ବଢ଼ିଥିବା ଦୁଇଟି ସାହସୀ ମାଆ ବାପାର ପୁଅ ହିସାବରେ ସାହସିକ ଗୁଣଟି ବଂଶାନୁକ୍ରମିକ ଭାବରେ ପାଇଥିବ।

ପିଲାଟି ଶବ୍ଦ ଶୁଣିଶୁଣି ବଡ଼ହୁଏ। ଆଉଟିକେ ବଡ଼ହେଲେ ଗୁରୁଜନମାନେ ସାବଧାନ କରି ଦିଅନ୍ତି। ହେଇ କାଲି ରାତିରେ ତିନି ଚାରିଟି ଫାୟାରିଂ ଶବ୍ଦ ଶୁଭିଛି। ଆଜିଠାରୁ ଘର ପଛ ଆଡ଼କୁ କେହି ଯିବନାହିଁ। ତା’ପରେ ପିଲାଙ୍କ ସ୍କୁଲ୍ ବନ୍ଦ ହୋଇଯାଏ। ବିଲ ବାଡ଼ିକୁ ବି କେହି ଯାଆନ୍ତି ନାହିଁ। ପିଲାମାନେ ହୁସିଆର ହୋଇ ଯାଆନ୍ତି। ସବୁବେଳେ ଘର ଆଢ଼ୁଆଳରେ ରହି ଚଳପ୍ରଚଳ ହୁଅନ୍ତି।

ବେଳେବେଳେ କାନ୍ଥରେ ଗୁଳି ବାଜେ। ଦାଗ ହୋଇଯାଏ। ବେଳେବେଳେ କଣା ହୋଇଯାଏ। ଗତ ବର୍ଷସାରା ଭିତରେ ସାତଜଣ ମଣିଷ ମରିଛନ୍ତି। ଦୁଇଜଣ ଆହତ ହୋଇଛନ୍ତି। ଗୃହପାଳିତ ପଶୁ ଦଶ ବାରଟା ମରିଛନ୍ତି। ମୋର୍ଟାର୍ ମାଡ଼ରେ ଅନେକ ଗୁଡ଼ାଏ ଘରର କାନ୍ଥ ଭାଙ୍ଗି ଯାଇଛି। ଛାତରୁ ଖଣ୍ଡେ ଖଣ୍ଡେ ଗଳି ପଡ଼ିଛି। ସବୁ ଘଟଣାକୁ ମିଶାଇ ହାରାହାରି କଲେ ପ୍ରତି ଦଶଦିନ ଅନ୍ତରରେ ଗୋଟେ ନା ଗୋଟେ ନିଶ୍ଚୟ କିଛି ଘଟିଥାଏ। କିନ୍ତୁ ଆମେ ସେହି ଦିନ ଗୁଡ଼ିକରେ ସବୁବେଳେ ଆତଙ୍କିତ ଅବସ୍ଥାରେ ରହିଥାଉ। ଅନେକ ଗୁଡ଼ାଏ ଗୁଳି ଶୂନ୍ୟେ ଶୁନ୍ୟେ ଆସି ବିଲବାଡ଼ିରେ ପଡ଼େ। ତେଣୁ ସାବଧାନ ହୋଇ ରହିବାକୁ ପଡ଼େ।

ପଲ୍ଲବୀ କହିଲା – ଭରଦ୍ୱାଜ, କାହିଁକି ଆଉ ସେ ଗାଁ କୁ ଫେରିବ ? ଏଇଠି ରହିଯାଅ। ଆମେ ବିବାହ କରିବା ଏଇଠି ରହିବା।

ଭରଦ୍ୱାଜ କହିଲା – ମୋ ଜେଜେବାପା ଶତ୍ରୁ ର ଗୁଳିରେ ମରିଛନ୍ତି। ଆଉ ଯେଉଁମାନେ ବି ଗୁଳିଗୋଳାରେ ମରିଛନ୍ତି ସବୁ ଆମ ଗାଆଁର ଲୋକ। ସମସ୍ତେ ପରିଚିତ। ସମସ୍ତେ ଆପଣାର। ଗୁଳିଗୋଳା ଘଟିତ ମୃତ୍ୟୁକୁ ବାରମ୍ବାର ଦେଖି ଭୟ ଚାଲି ଯାଇଛି। ଆମେ ଜାଣିଛୁ ମୃତ୍ୟୁର ସଂଖ୍ୟା ଏତିକିରେ ଶେଷ ହୋଇନାହିଁ। ନିଶ୍ଚୟ ଏହାପରେ କେହି ନା କେହି ମରିବେ। କାଲି ହୋଇପାରେ । ଦଶଦିନ ବା ପାଞ୍ଚମାସ ପରେ ବି ହୋଇପାରେ। ମୃତ୍ୟୁ ଶେଷ ହୋଇନାହିଁ। କାହାର ନାଁ କାହାର ଭାଗରେ କେତେବେଳେ ବି ମୃତ୍ୟୁଟିଏ ପଡ଼ି ଯାଇପାରେ। ମୁଁ , ସିଏ ବା ଯିଏ ହେଉ।

ପଲ୍ଲବୀ କହିଲା – ତେବେ ମୁଁ ତୁମ ସହିତ ଯିବାକୁ ପ୍ରସ୍ତୁତ ଅଛି।

— ପଲ୍ଲବୀ, ଏ ମୃତ୍ୟୁ ପାଇଁ ଆମେ ଗର୍ବ ଅନୁଭବ କରୁ। ଆମ ଦେଶର ଶତ୍ରୁ ହାତରେ ଆମେ ମରୁଛୁ। ଯେଉଁ ଗୁଳି ଗୁଡ଼ିକ ଭାରତ ମାଟିର ଛାତିରେ ଭେଦ କରିଥାନ୍ତା, ସେ ଗୁଳି ଗୁଡ଼ିକୁ ଆମ ଗାଁ ର ଲୋକଙ୍କ ଦେହ ଅଟକାଇ ଦେଇଛି। ଭାରତର ସେମାନେ ଗୋଟେ ଗୋଟେ ପ୍ରାଚୀର। ସଜୀବ ପ୍ରାଚୀର ବ୍ୟତିତ ତାଙ୍କୁ ଆଉ କ’ଣ କୁହାଯିବ ?

ଭରଦ୍ୱାଜକୁ କାଲାଲ୍ ଗାଁ ର ଭାବନାରୁ ଫେରାଇ ଆଣିବା ପାଇଁ ପଲ୍ଲବୀ ତା’ର ହାତ ପାପୁଲି ଉପରେ ଟିକେ ଥାପୁଡ଼େଇ ଦେଲା। କହିଲା – ତମ ଭିତରେ ଆଉକିଛି ଭାବପ୍ରବଣତା ଅଛିକି ନାହିଁ। ସବୁ ଶେଷ ହୋଇ ଯାଇନିତ ?

ଭରଦ୍ୱାଜ, ପଲ୍ଲବୀର ପାପୁଲିକୁ ମୁଠେଇ ଧରିଲା। ଟିକେ ସ୍ମିତ ହସି କହିଲା – ଭଲପାଇବା ତେବେ କେଉଁଠୁ ବାହାରେ ! ଶୁଖି ଯାଇଥିବା ମୋ ମନ ଉପରେ ତୁମେତ ଅନେକ ଦିନ ହେଲା ତରଳ ଧାରଟିଏ ହୋଇ ବହି ଚାଲିଛ। ମୋତେ ନରମ କରି ଦେଲଣି। ଲୁଚି ରହିଥିବା ସେ କୋମଳତାକୁ ସହଜରେ ପୁରୁଣା ସ୍ମୃତିଟା ଫଟେଇ ଦେଇଛି। ପ୍ରେମ ପୁଣି ଅଙ୍କୁରୋଦ୍ଗମ ହେଲାଣି।

— ଆହା…. ହା ହା ହା… ତୁମେ ଏବେ କବିତା ଲେଖି ପାରିବ ନିଶ୍ଚୟ।

ଭରଦ୍ୱାଜ କହିଲା – ଜାଣିଛ ! ତୁମେ ମୋର ଦ୍ୱିତୀୟ ପତ୍ନୀ ହେବାକୁ ଯାଉଛ।

ପଲ୍ଲବୀ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ସହିତ କହିଲା – କାହିଁ ଆଗରୁତ ସେକଥା କେବେ କହିନାହଁ।

— ରେଲିସା ଠାକୁର୍ ବଞ୍ଚିଥିଲେ ତୁମ ବୟସର ହୋଇଥାନ୍ତା। ବୋଧହୁଏ ତୁମଭଳି ଦେଖା ଯାଉଥାନ୍ତା। ଭାରି ସୁନ୍ଦର। ଆମେ ପିଲାଦିନେ ସବୁବେଳେ ବର ବୋହୁ ଖେଳ ଖେଳୁଥିଲୁ। ମୁଁ ଚାହୁଁଥିଲି ବର ହେବି ଆଉ ରେଲିସା ମୋର ସ୍ତ୍ରୀ ହେବ। କିନ୍ତୁ ସରଜିତ୍ ସବୁଦିନେ ବର ହୁଏ। ମୁଁ ତାଙ୍କର ପୁଅ ହୁଏ। ମୋତେ ଖୁସି କରିବା ପାଇଁ ସରଜିତ୍ ମତେ ପୁଅବୋଲି ଘୋଷଣା କରେ। ମୁଁ ତାଙ୍କର ପୁଅ ହୁଏ। ଅନ୍ୟ ସାଙ୍ଗମାନେ ସେମିତି ପୁଅଝିଅ ହୁଅନ୍ତି। ମୁଁ କିନ୍ତୁ ଖୁସି ହୋଇ ପାରେନି। ରେଲିସା ବି ଖୁସି ହୁଏନି। କାରଣ ସିଏ ମତେ ସବୁ ସାଙ୍ଗଠାରୁ ଅଧିକ ଭଲ ପାଉଥିଲା। ହେଲେ ସରଜିତ୍ ର ବହୁତ ବଳ ଥିଲା। ତେଣୁ ଆମେ ବାଧ୍ୟ ହୋଇ ତା’ କଥା ମାନୁଥିଲୁ।

— ଓଃ.. ସୁନ୍ଦର କଥା। ମତେ ଲାଗୁଛି ଯେମିତି ମୋ ପିଲା ଦିନର କଥା କହୁଛ। କୁହ….

— ସେଦିନ ପ୍ରଥମ ଥର ମୁଁ ଓ ରେଲିସା ବର ବୋହୁ ହୋଇଥାଉ। ଭାରି ଖୁସିରେ ଖେଳୁଥାଉ। ହଠାତ୍ ସେହି ପାହାଡ଼ ଦିଗରୁ ଗୁଳିଟିଏ ଆସି ରେଲିସା ଦେହରେ ବାଜିଲା ଓ ସେ ମରିଗଲା। ତା’ପରେ ମୁଁ ଭାଙ୍ଗି ପଡ଼ିଲି। ରେଲିସା ଯାଉନଥିବା ସ୍କୁଲ୍ କୁ ଯିବାପାଇଁ ଆଉ ମୋର ଇଚ୍ଛା ହେଲାନାହିଁ। ମୋର ସାଙ୍ଗମାନେ ସ୍କୁଲ୍ କୁ ଯିବାପାଇଁ ସବୁଦିନେ ଡାକୁଥିଲେ। ମାଆ ବାପା ବି ବୁଝାଇଲେ। କିନ୍ତୁ ମୋର ମନ ଭିତରୁ ରେଲିସାର ସ୍ମୃତିଟି ଆଦୌ ବାହାରି ଯାଉ ନଥାଏ।

— ଆହା……

— ପୁଣି ମୋ ଜେଜେବାପା ଆଉଗୋଟେ ଗୁଳିରେ ମରିଗଲେ। ମୁଁ କାନ୍ଦିଲି। ବାପା ରାଗିଯାଇ ମତେ ଠାଏ ଠାଏ ଚାରି ପାଞ୍ଚ ଚାପୁଡ଼ା ମାରି କହିଲେ, ଯାଉନୁ, ତୁ ବି ମରିବୁ। ଯା’ ପାହାଡ଼ ଆଡ଼େ ଘେରାଏ ବୁଲି ଆସିବୁ। ଆରେ ମୃତ୍ୟୁ ସହିତ ଦୁଃଖ ଆଉ ଲୁହର କ’ଣ ସମ୍ପର୍କ ଅଛି ! କିଛି ନାହିଁ। ସମସ୍ତଙ୍କୁ ମରିବାକୁ ହେବ। ସମସ୍ତେ ନିଜ ନିଜ ସମୟରେ ମରିବେ। କିଏ ସମୟ ହାତରେ ଏକଡ଼ ସେକଡ଼ ହୋଇ ପାକଳ ହେବ। ପାଚିବ ଆଉ ଝଡ଼ି ପଡ଼ିବ। କିଏ ଗୁଳିଟିଏ ଖାଇ ରେଲିସା ଭଳି ମରିଯିବ। ତୁ କାଲି ମରିଗଲେ ରେଲିସା ତୋପାଇଁ ଦୁଃଖ କରି ପାରିବନି। ମୁଁ ମରିଗଲେ ମୋର ବାପା ବା ତୋର ଜେଜେବାପା ପୁଅପାଇଁ ଶୋକ କରିବେନି। ତେଣୁ ଆମେ କାହିଁକି ତାଙ୍କପାଇଁ କାନ୍ଦିବା ? ମଣିଷ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା। ପୁରା ଭିନ୍ନ ଭିନ୍ନ। ମୁଁ ଖାଦ୍ୟ ଖାଇଲେ ତୋର କ୍ଷୁଧା ମେଣ୍ଟିବନି। ମୁଁ ନିଦ୍ରାଯାଇ ତୋର ଅନିଦ୍ରା ଉପଶମ କରି ପାରିବିନି। ତୁ ବସ୍ତ୍ର ପିନ୍ଧି ମୋର ନଗ୍ନତା ଅପସାରଣ କରି ପାରିବୁନି। କେହି କାହାପାଇଁ କିଛି କରି ପାରିବେନି। କିଛିନୁହେଁ ବାସ୍ , ଆମପାଇଁ ଜୀବନର ଅର୍ଥ ଏତିକି। ଆମ ସୀମାନ୍ତ ଗାଁ ଗୁଡ଼ିକରେ ଆମେ ଆମର ଗୁରୁଜନମାନଙ୍କ ଠାରୁ ଏତିକି ପାଠ ନିଶ୍ଚୟ ପଢ଼ୁଁ। ସମସ୍ତେ ପଢ଼ୁଁ। ବୋଧହୁଏ ବର୍ଷ ବର୍ଷ ଧରି ଏ ପାଠ ଆମ ଲୋକଙ୍କ ଶ୍ରୁତିରେ ରହି ଆସିଛି।

— ଆଚ୍ଛା, ସରଜିତ୍ ଏବେ ବଞ୍ଚିଛି ? କ’ଣ କରୁଛି ?

ସେ ପୁଣି ମୋତେ ତୁମଠାରୁ ଛଡ଼ାଇ ନେବ ନାହିଁ ତ ?

ଭରଦ୍ୱାଜ କହିଲା – ବଞ୍ଚିଛି । ସୈନ୍ୟ ବିଭାଗରେ ଚାକିରି କରିଛି। ବାହା ହୋଇ ସାରିଛି। ସିଏ ମୋର ଏବେ ସବୁଠାରୁ ଭଲ ସାଙ୍ଗ। ସେ ଛୁଟିରେ ଆସିଲେ ଆମେ ରେଲିସା ବିଷୟରେ କଥାବାର୍ତ୍ତା ହେଉ। ସେ ଜାଣିଥିଲା ମୁଁ ଓ ରେଲିସା ପରସ୍ପରକୁ ଭଲ ପାଉଥିଲୁ। ଯଦିଓ ପ୍ରେମ ଏବଂ ବିବାହର ଅର୍ଥ କ’ଣ ଆମେ ଜାଣି ନଥିଲୁ। କିନ୍ତୁ ଏକଥା ସରଜିତ୍ ସହି ପାରୁନଥିଲା। ସେଥିପାଇଁ ଖେଳିଲା ବେଳେ ସେ ସବୁଦିନେ ଜବରଦସ୍ତ ରେଲିସାର ବର ହେଉଥିଲା। ମୁଁ ଜାଣେ, ସେ ତୁମକୁ ଦେଖିଲେ ନିଶ୍ଚୟ ରେଲିସା ନାମରେ ଡାକିବ। ଆଉ ବନ୍ଧୁକଟା ତୁମ ଆଡ଼େ ଦେଖାଇ କହିବ, ରେଲିସା, ତୁମେ ଆଉଥରେ ମରିବା ଉଚିତ। 

ନିତିଦିନ – 28.04.2019


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

Leave a Comment