କେଶନା

କେଶନା

କେଶନା

—————–] ଶ୍ରଦ୍ଧାଞ୍ଜଳି [—————–

ଲେଖକ: ଶ୍ରୀ ହରେକୃଷ୍ଣ ସାହୁ

Shree Harekrushna Sahu


…..

ଆମ ଗାଁର କେଶବ ଚରଣ ପଣ୍ଡା, ପ୍ରଫୁଲ୍ଲ କୁମାର ପଣ୍ଡା, ଓ କୈଳାସ ଚନ୍ଦ୍ର ରଥ ଏହି ଅଞ୍ଚଳରେ ତ୍ରିଶକ୍ତି, ତ୍ରିମୂର୍ତ୍ତୀ ବା ତ୍ରିଶକ୍ତି ହିସାବରେ ପରିଚିତ। ତାଙ୍କ ଉଦ୍ୟମରେ ଆମ ଗାଁରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଗୋଟେ ଡିଗ୍ରୀ କଲେଜ ହୋଇଛି। ଆମ ଗାଁରୁ ପୂର୍ବକୁ ହରିପୁର ତା’ ଆଗକୁ ବରୁଆଁ ସାତ କିଲୋମୋଟର। ପଶ୍ଚିମକୁ ତିନିକିଲୋମିଟର ଦୂରରେ ରସୁଲପୁର ଓ ଚଣ୍ଡିପୁର। ଉତ୍ତରକୁ ଖରସୁଆଁ ନଈ ସେପାରି ତିନି ଚାରି କିଲୋମିଟର ଦୂରରେ ଥିବା ପଇଡ଼ାବାଦ, ଜହଳ, ଜଇପୁର ଓ କଚେରୀଗାଁ ତଥା ଦକ୍ଷିଣକୁ ପାଞ୍ଚ କିଲୋମିଟର ଦୂରରେ ଥିବା ବାଲିପାଟଣା ଓ କୁଣ୍ଡପାଟଣା ଗାଁର ପିଲାମାନେ ଏଠାକୁ ଆସି ପାଠ ପଢ଼ନ୍ତି।

ଏହି ଆୟତନକୁ ଦୃଷ୍ଟିରେ ରଖି ଆମ ଗାଁର ଶିକ୍ଷାନୁଷ୍ଠାନଗୁଡ଼ିକ ତିଆରି କରାଯାଇଛି। ଏସବୁ ପଛରେ ଉଦ୍ୟମ ଅଛି ଏହି ତ୍ରିଶକ୍ତିଙ୍କର। କିନ୍ତୁ ସେମାନେ ଏହି ବିସ୍ତିର୍ଣ୍ଣ ଅଞ୍ଚଳର ଲୋକମାନଙ୍କୁ ସାଙ୍ଗରେ ନେଇ ତାଙ୍କର ସ୍ୱପ୍ନକୁ ସାକାର କରିଛନ୍ତି। ତେଣୁ ସେମାନେ ଏହି ଅଞ୍ଚଳରେ ଯେତିକି ପ୍ରସିଦ୍ଧ ସେତିକି ଲୋକପ୍ରିୟ।

ଏହି ତିନିଜଣଙ୍କର ଶ୍ରଦ୍ଧାନାମ ହେଲା କେଶନା’ ( କେଶବ ଚରଣ ପଣ୍ଡା ), ଜଡ଼ାନା’ ( ପ୍ରଫୁଲ୍ଲ କୁମାର ପଣ୍ଡା ), କୟାନା’ ( କୈଳାସ ଚନ୍ଦ୍ର ରଥ )। ଗାଁର କନିଷ୍ଠମାନେ ତାଙ୍କୁ ଏହି ନାମରେ ସମ୍ବୋଧନ କରିଥାନ୍ତି। ସେମାନଙ୍କ ମଧ୍ୟରୁ କୈଳାସ ଚନ୍ଦ୍ର ରଥ ବାସୁଦେବପୁର, ଅଟଳ ବିହାରୀ କଲେଜରେ ଇତିହାସ ଅଧ୍ୟାପକ ଥିବାବେଳେ ପ୍ରଥମ ଚାଲିଗଲେ। ତାଙ୍କ ପରେ ପରେ ଦେହତ୍ୟାଗ କଲେ ପ୍ରଫୁଲ୍ଲ କୁମାର ପଣ୍ଡା। ଏମାନଙ୍କ ମଧ୍ୟରେ ବରିଷ୍ଠ କେଶବ ଚରଣ ପଣ୍ଡା ଆମର ପ୍ରିୟ କେଶନା’ ଚାରିଦିନ ତଳେ ଆମକୁ ଛାଡ଼ି ଚାଲିଗଲେ।

ଏହି ତିନିଜଣଙ୍କର ଗୋଟିଏ ସମାନ ଗୁଣ ଥିଲା, ଗାଁର ପିଲାମାନଙ୍କୁ ସେମାନେ ଖୁବ ଭଲ ପାଉଥିଲେ। ତାଙ୍କ ତଳ ପିଢ଼ିର ଯୁବକମାନଙ୍କୁ ନେଇ ଗାଁର ଅନୁଷ୍ଠାନ ଗୁଡ଼ିକ ଗଢ଼ିଥିଲେ। ଗାଁରେ ଲାଇବ୍ରେରୀ, ଛକରେ କ୍ଲବ ସହିତ ପ୍ରତିବର୍ଷ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରୁଥିଲେ। ରଜରେ କବାଡ଼ି ଖେଳ, ସ୍କୁଲର ରଜତ ଜୟନ୍ତୀ ଓ ବାର୍ଷିକ ନାଟ୍ୟୋତ୍ସବ ପାଳନ କରୁଥିଲେ।

ଏହି ତିନିଜଣଙ୍କୁ ଯେତେବେଳେ ୨୦/୨୨ ବର୍ଷ ହୋଇଥିଲା, ଯେଉଁ ବୟସର ପିଲାମାନେ ଆଜିକାଲି ପାଠ ପଢ଼ୁଛନ୍ତି, ମୋବାଇଲ୍ , ମଟରସାଇକେଲ ଧରି ଖେଳିବା ବୁଲିବା ସହିତ ଦୁଷ୍ଟାମୀ କରୁଛନ୍ତି, ସେହି ବୟସରେ ସେମାନେ ମୁଗପାଳ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠିଆ କରାଇଥିଲେ ଓ ଅର୍ଥ ଏବଂ ଶିକ୍ଷକ ଅଭାବରୁ ନିଜେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଥିଲେ। ପାଞ୍ଚବର୍ଷ ପରେ ୧୯୬୫ ମସିହାରେ ପ୍ରତିଷ୍ଠାକଲେ ମୁଗପାଳ ଉଚ୍ଚ ବିଦ୍ୟାଳୟ। ଏହାର ଦଶବର୍ଷ ପରେ ୧୯୭୫ ମସିହାରେ ତାଙ୍କରି ଉଦ୍ୟମ, ଚେଷ୍ଟା ଓ ଶ୍ରମରେ ଠିଆହେଲା ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ।

କେଶନା’ କଲଣର ମଧୁପୁର ହାଇସ୍କୁଲର N.C.C. ଶିକ୍ଷକ, ପ୍ରଫୁଲ କୁମାର ପଣ୍ଡା ହାଇସ୍କୁଲ ଶିକ୍ଷକ ଓ କୈଳାସ ଚନ୍ଦ୍ର ରଥ ଥିଲେ ଅଧ୍ୟାପକ। ସେମାନେ ଏକଜୁଟ ହୁଅନ୍ତି ଛୁଟିଦିନ ରବିବାରରେ। ଆମ ଗାଁ ମୁଣ୍ଡରେ ସେତେବେଳେ ଦୋକାନ ବଜାର କିଛି ନ ଥିଲା। ତେଣୁ ଖଟି କରନ୍ତି ତିନିଜଣଙ୍କ ମଧ୍ୟରୁ କୌଣସି ଜଣକ ଘରେ। ତାଙ୍କର ଆଉଜଣେ ବନ୍ଧୁଥିଲେ ଆମ ନିକଟସ୍ଥ ଗାଁ ଗୋବିନ୍ଦପୁରର ଶରତ ମିଶ୍ର। ତାଙ୍କଘରେ ଗୋଟେ ଧାନକଳ ଥିଲା। ତା’ ସହିତ ଠିକାଦାରୀ ଓ ଚାଷବାସ କରୁଥିଲେ। ବେଳେ ବେଳେ ତାଙ୍କଘରେ ଖଟି ବସୁଥିଲା। ଏହିସବୁ ଖଟିର ବିଷୟବସ୍ତୁ ଥିଲା ଆମ ଅଞ୍ଚଳର ଉନ୍ନତି ପ୍ରସଙ୍ଗ। ସେହି ଖଟିରୁ ଜନ୍ମହେଲା ସ୍କୁଲ ଓ କଲେଜ।

ସେତେବେଳକୁ ଆଜିର ବାଷଠିବର୍ଷ ମୁଁ ଟି ଜନ୍ମ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସହିତ ମିଶିବା ଯୋଗୁ ଅନେକ କଥାରୁ କିଛିକଥା ଜାଣିଲି।

ସ୍କୁଲଗୁଡ଼ିକ ହେବାପରେ ଛକରେ ଦୁଇଟା ଦୋକାନ ହୋଇଗଲା। କେଶନା’ , ଜଡ଼ାନା’ , ଓ କୟାନା’ କର୍ମକ୍ଷେତ୍ରରୁ ଘରକୁ ଫେରିଲେ ସେଇଥିରୁ ଗୋଟେ ଦୋକାନରେ ବସନ୍ତି, ବନପଣ୍ଡା ଚାଳିଆରେ। ବନପଣ୍ଡା ସ୍କୁଲର ପିଲାମାନଙ୍କ ଚାହିଦା ପାଇଁ ଘୁଗୁନି ବିକ୍ରି କରନ୍ତି। ତାଙ୍କ ଘୁଗୁନି ଭାରି ପ୍ରସିଦ୍ଧ, ଯଦିଓ ସେ ବିବାହ, ବ୍ରତ ଇତ୍ୟାଦି ଭୋଜିର ଜଣେ ଦକ୍ଷ ରୋଷେୟା ଥିଲେ। ତାଙ୍କ ଚାଳିଆ କଡ଼ରେ ଥିବା ବରଗଛ ମୂଳେ ନାଭ ପଣ୍ଡା ଧୋକା ବିକ୍ରି କରନ୍ତି। ଧୋକା ଆଉ କେଉଁଠି ଅଛି କି ନାହିଁ କହିପାରିବି ନାହିଁ। କିନ୍ତୁ ଘୁଗୁନିଠାରୁ ଧୋକା ଅଧିକ ସ୍ୱାଦିଷ୍ଟ। ପ୍ରଥମେ ବେସନକୁ ରସଗୋଲା ଆକୃତିର କରି ତେଲରେ ଛଣାଯାଏ। ତା’ପରେ ଦୁଇଫାଳ କରି ମସଲା ଝୋଳରେ ପକାଇ ଦିଆଯାଏ। ଏସବୁ ସେମାନେ ଘରୁ ତିଆରିକରି ଆଣି ଛକରେ ବିକ୍ରି କରନ୍ତି। ତେଣୁ ସଞ୍ଜହେଲେ ଆମ ଛକରେ କିଛି ମିଳେନାହିଁ। କିନ୍ତୁ ବନପଣ୍ଡାଙ୍କ ଚାଳିଆରେ ଚାହା ତିଆରିର ସରଞ୍ଜାମ ସବୁ ଥାଏ। ଦିନସାରା ଭିତରେ ସେ ସର୍ବମୋଟ ପାଞ୍ଚ ସାତୋଟି ଚାହା ବିକ୍ରି କରନ୍ତି। କିନ୍ତୁ ତ୍ରିମୂର୍ତ୍ତି ପହଞ୍ଚିଗଲେ ଶନିବାର ରବିବାରରେ ଅଧିକା ଚାହା ବିକ୍ରିହୁଏ। ତିନି ନନାଙ୍କ ସହିତ ମିଶିବାପାଇଁ ତାଙ୍କ ତଳ ପିଢ଼ିର ଯୁବକମାନେ ସେଠି ପହଞ୍ଚି ଯାଆନ୍ତି। ନନାମାନେ ପଇସା ଦିଅନ୍ତି।ଆଳ୍ପ ଦୂରରେ ଥିବା ଖତୁ ଲେଙ୍କା ଦୋକାନରୁ ବେସନ ଓ ତେଲ ଆସେ। ବନପଣ୍ଡା ଦୋକାନରେ ପକୁଡ଼ି ଛଣାହୁଏ। ଗପସପ ସହିତ ଚାହା ପକୁଡ଼ିର ଆସର ଜମେ।

ଏବେ ଚାହା ପକୁଡ଼ି ସବୁଠି ମିଳୁଛି। କିନ୍ତୁ ସେଦିନ ପକୁଡ଼ିର ସ୍ୱାଦ ଆଉ ନାହିଁ। କେଶନା’, ଜଡ଼ାନା’, କୟାନା’ଙ୍କ ଶ୍ରଦ୍ଧା ମିଶିଥିବା ଚାହା ପକୁଡ଼ିରେ ଯେଉଁ ସ୍ୱାଦ ଥିଲା ତାହା ଆଉ କେଉଁଠି ମିଳୁନାହିଁ। ଏବେ ସେ ତିନିହେଁ ନାହାଁନ୍ତି। ତାଙ୍କ ସହିତ ସେ ପକୁଡ଼ି, ସେ ଚାହା, ସେ ସ୍ୱାଦ ବିଲୁପ୍ତ ହୋଇଯାଇଛି।

ଶେଷ ସନ୍ତକ, ଆମ ମାଟିର ଗର୍ବ ଓ ଗୌରବ କେଶନା’ ବି ଚାଲିଗଲେ। ସେ ସମୟ, ସେ ଯୁଗ ତାଙ୍କ ସହିତ ଶେଷ ହୋଇଗଲା।

ବାରିପଦାର ଏମ୍.କେ.ସି. ହାଇସ୍କୁଲରୁ ସପ୍ତମ ବାର୍ଷିକ ପରିକ୍ଷା ଦେଇ ଗାଁକୁ ଆସିଲା ପରେ ମୋର ପ୍ରଥମେ ପରିଚୟ ହେଲେ କେଶନା’। ଆଗରୁ ବି ତାଙ୍କୁ ଚିହ୍ନିଥିଲି। କାରଣ ଆମ ଘରଠାରୁ ଦୁଇଟି ଘର ପରେ ଅଛି ତାଙ୍କଘର। ତେଣୁ ଖୁବ ପିଲାଦିନରୁ ତାଙ୍କୁ ଚିହ୍ନିଥିଲି। କିନ୍ତୁ ନାଁ ଶୁଣିଥିଲେ ଓ ଦେଖିଥିଲେ ବି ସତକଥା ହେଲା ମୁଁ ପ୍ରଫୁଲ୍ଲ ପଣ୍ଡା ଓ କୈଳାସ ରଥଙ୍କୁ ଜାଣି ନ ଥିଲି।

ବାରିପଦାରୁ ଫେରି ମୁଁ ବାରବୁଲା ହୋଇ ବୁଲୁଥାଏ। ଆମଘର ଆଗରେ ଅଳ୍ପ ଦୂରରେ ଥାଏ ଗାଁର ଇଷ୍ଟ ଦେବତା ରଘୁନାଥଙ୍କ ଛୋଟିଆ ଜମିଖଣ୍ଡେ। ତା’ ମଝିରେ ଥାଏ ଅଉଶତ୍ଥ ଗଛଟିଏ। ଗଛକୁ ବେଢ଼ି ଅଣ୍ଟାଏ ଉଚ୍ଚର ମାଟି ହୁଙ୍କା ହୋଇଥାଏ। ତା’ ଭିତରୁ ବେଳେ ବେଳେ ସାପ ବାହାରନ୍ତି। ଦିନେ ମୁଁ ସେହି ଜମି ଖଣ୍ଡକୁ ସଫା ସୁତରା କରି ଅମରି ବାଡ଼ି ପୋତିବାରେ ଲାଗିଥାଏ। ବାଡ଼ ବୁଜିବା ଆଗରୁ ବାଉଁଶ ଦି’ଖଣ୍ଡ ପୋତି ଗୋଟେ ଗେଟ୍ କରିଥାଏ। ଗୋଲ ଗୋଲ ଛଅଖଣ୍ଡ ପିଚବୋର୍ଡ କାଟି ସେଥିରେ ରଘୁନାଥ ପାର୍କ ଲେଖି ଝୋଟ ସୁତୁଲିରେ ଟାଙ୍ଗି ଦେଇଥାଏ। କେଶନା’ ସେଇ ବାଟରେ ଯାଉ ଯାଉ ଅଟକିଗଲେ। ମୁଁ ଏକାଗ୍ର ଚିତ୍ତରେ ମୋ କାମରେ ଲାଗିଥାଏ। କେଶନା’ କିଛି ସମୟପାଇଁ ଲକ୍ଷ୍ୟ କଲାପରେ ପଚାରିଲେ-ତୁ ଗୁନିଆଭାଇ ପୁଅ ନା ? ବାରିପଦାରେ ପଢ଼ୁଥିଲୁ ପା। କେବେ ଆସିଛୁ କି ? ସ୍କୁଲ ଖୋଲି ଗଲାଣି। ତୁ କେବେ ଯିବୁ ?

ମୁଁ କହିଲି-ମୁଁ ଆଉ ପାଠ ପଢ଼ିବିନି। ବାରିପଦା ଯିବିନି।

— କାହିଁକି ?

— ବାପା ମା’ ( ମାମୁଁ, ମାଇଁ ) ମୋତେ ଭଲପାଉ ନାହାଁନ୍ତି। ମୁଁ ସେଠି ରହିବିନି।

— ଆଛା…ଆଛା…। ତୁ ଏକୁଟିଆ କ’ଣ ଏତେ ବାଡ଼ ବୁଜି ପାରିବୁ।

— ହଁ ପାରିବି। ଦି’ଦିନ ଲାଗିବ।

— ଅମରିଗଛ ପୋତିଲେ ବିଲସାରା ମାଡ଼ିଯିବ। ଅମରି ବାଡ଼ ଭଲନୁହେଁ। ଏତେ ବଡ଼ ଯାଗାରେ ବାଡ଼ ବୁଜାବୁଜି ବଡ଼ ମଣିଷଙ୍କ କାମ। ତୁ ପାରିବୁନି।

ମୋ କାମ ସେଇଠୁ ସ୍ଥଗିତ ରହିଲା। ସନ୍ଧ୍ୟା ବେଳକୁ କେଶନା’ ଆମଘରେ ପହଞ୍ଚିଲେ। ଦୁଆରେ ଠିଆହୋଇ ପାଟିକଲେ-ନୂଆ’ଉ ଘରେ ଅଛନା ?

ଆମ ଗାଁରେ ସମ୍ବୋଧନ ସବୁ ଏଇଭଳି ବିଚିତ୍ର ପ୍ରକାରର। ମୋ ବାପା କେଶନା’ଙ୍କ ବାପାଙ୍କୁ ଡାକନ୍ତି ବଟିଆନା’। କେଶନା’ ମୋ ବାପାଙ୍କୁ ଡାକନ୍ତି ଭାଇ। ମୁଁ କେଶନା’ଙ୍କୁ ଡାକେ ନନା। ତାଙ୍କ ବଡ଼ପୁଅ ମୋତେ ଡାକେ ଦାଦି। ସାନପୁଅ ଡାକେ ନନା।

କେଶନା’ଙ୍କ ଡାକ ଶୁଣି ମାଆ ବାହାରକୁ ଆସିଲା। କେଶନା’ଙ୍କୁ ଦେଖି ଭାବିଲା ଆମ ଟୋକା ନିଶ୍ଚୟ କିଛି କରିଥିବ। ଠାକୁରଘର ବିଲରେ ଆଜି ସକାଳେ କ’ଣ ଖୋଳାତଡ଼ା କରୁଥିଲା। ସେଇକଥା ବୋଧେ କହିବାକୁ ଆସିଛନ୍ତି। ପଚାରିଲା-ଆରେ କେଶ, କ’ଣ କହିବ କି ? ଘର ଭିତରକୁ ଆସ।

କେଶନା’ କହିଲେ-ନୂଆ’ଉ, ତୁମପୁଅ ବାରିପଦାରେ ପଢ଼ୁଥିଲା। ସ୍କୁଲ ସବୁ ଖୋଲିଗଲାଣି। ସେ କ’ଣ କହୁଛି ଆଉ ପାଠ ପଢ଼ିବନି। ପଞ୍ଚମ ଶ୍ରେଣୀରେ ସ୍କଲରସିପ୍ ପରୀକ୍ଷା ଦେଇଥିଲା ପା ?

ଆମ ସ୍କୁଲରୁ ସେ ବର୍ଷ ପାଞ୍ଚଜଣ ପିଲା ସ୍କଲରସିପ୍ ପରୀକ୍ଷା ଦେଇଥିଲୁ। ପରୀକ୍ଷା ଦେବାପାଇଁ ଛଅ କିଲୋମିଟର ଦୂର କବୀରପୁର ହାଇସ୍କୁଲକୁ ଯିବାପାଇଁ ପଡ଼ୁଥିଲା। କିନ୍ତୁ କେଶନା’ ଓ ତାଙ୍କ ବନ୍ଧୁଙ୍କ ଉଦ୍ୟମରେ ସେହିବର୍ଷ ପ୍ରଥମ ଥର ଆମ ଗାଁ ହାଇସ୍କୁଲ ସେଣ୍ଟର ହୋଇଥିଲା। ତେଣୁ କେଶନା’ ମୋତେ ମନେ ପକାଇ ପାରିଲେ।

କେଶନା’ଙ୍କ କଥା ଶୁଣି ମା’ କହିଲା-ସିଏ ମୋ କଥା ମାନୁନାହିଁ। ବାରିପଦା ଯିବାକୁ ମନା କରୁଛି। କହୁଛି ତା’ ବାପା ମାଆ ତାକୁ ଭଲ ପାଉ ନାହାଁନ୍ତି। ମୁଁ ସେଥିପାଇଁ ଗୟାଧର ପାଖକୁ ଖବର ଦେଇଥିଲି, ତା’ ଟି.ସି. ପଠେଇ ଦିଅ। ସିଏ ଏଇ ଗାଁରେ ରହି ପାଠ ପଢ଼ିବ। ହେଲେ ସିଏ ମୋ କଥା ଶୁଣିଲା ନାହିଁ। ମନା କରିଦେଲା।

— କାହିଁକି ?

— ରାଗି ଯାଇଛି। କହିଲା,ମୁଁ ତାକୁ ପୁଅକରି ଆଣିଥିଲି। ଏଠୁ ପଳାଇ ଯାଇ ବାରିପଦା ସହରରେ ମୋ ମୁହଁ ତଳକୁ କରିଦେଲା। ମୁଁ ଟି.ସି. ଦେବିନି। ମୋ ମୁଣ୍ଡ ଯିଏ ତଳକୁ କଲା ସିଏ ବାରବୁଲା ହୋଇ ବୁଲୁ। ତା’ ଜୀବନ ନଷ୍ଟ ହେଉ। ଟି.ସି. ନାହିଁ। ସେଥିପାଇଁ ଚଗଲା ହୋଇ ବୁଲୁଛି।

କେଶନା’ କହିଲେ-ହୋଉ, ମୁଁ ହେଡ୍ ମାଷ୍ଟରଙ୍କୁ କହି ଦେଉଛି, ତୁମେ କାଲିଠୁ ତାକୁ ସ୍କୁଲକୁ ପଠାଅ। ଦେଖିବା ଟି.ସି. ପାଇଁ କ’ଣ ଗୋଟେ କରିବା।

ତା’ପର ଦିନଠାରୁ ସ୍କୁଲକୁ ଗଲି। ମୋର ରୋଲ୍ କଲ୍ ନ ହେବାରୁ ମାସେ କେଇଦିନ ପରେ ଆଉ ସ୍କୁଲକୁ ଗଲିନାହିଁ। ଗାଁ ସ୍କୁଲର ଛାତ୍ର ହୋଇପାରିଲି ନାହିଁ। କିନ୍ତୁ କେଶନା’ ରହିଗଲେ ମୋ ମନରେ ଚିରଦିନ ପାଇଁ।

କେଶନା’ କେବଳ ମୋ ମନରେ ନାହାଁନ୍ତି ସ୍କୁଲ, କଲେଜ, ରାସ୍ତାଘାଟ ସହିତ ଆହୁରି ଅନେକ ସନ୍ତକ ଛାଡ଼ି ଯାଇଛନ୍ତି ଆମମାନଙ୍କ ପାଇଁ।

କେଶନା’ ପ୍ରତ୍ୟେକ ପୂର୍ଣ୍ଣମୀରେ ପୁରୀକୁ ଯାଆନ୍ତି ଜଗନ୍ନାଥ ଦର୍ଶନ ପାଇଁ। ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିବା ଅପୂର୍ବ ଶ୍ରଦ୍ଧାରୁ ମୁଗପାଳ କଲେଜ ଛକରେ ତାଙ୍କର ବ୍ୟକ୍ତିଗତ ଉଦ୍ୟମରେ ଠିଆ ହୋଇଛି ସୁନ୍ଦର ଜଗନ୍ନାଥ ମନ୍ଦିରଟିଏ।

୨୦ ନମ୍ବର ଜାତୀୟ ରାଜପଥରୁ ଆମ ଗାଁ ଭିତରକୁ ଯାଇଥିବା ରାସ୍ତାର ଦୁଇକଡ଼ରେ ଲଗାଇଛନ୍ତି ଅନେକ ଗଛ। ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ ଦେଖାଯାଏ ତୋରଣରେ ସଜା ଯାଇଥିବା ଭଳି। ଶୀତଳ ଛାଇରେ ସବୁବେଳେ ଶୋଇଥାଏ ନିରୀହ ରାସ୍ତାଟି। ଏହି ଗଛଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ବହୁତ ଚେଷ୍ଟା ଓ ଶ୍ରମ କରିବାକୁ ପଡ଼ିଛି ତାଙ୍କୁ। ଗଛରୁ କେହି ଡାଳ ଖଣ୍ଡେ ହାଣିଲେ ସେ ଉତ୍ତେଜିତ ହୋଇ ଉଠନ୍ତି। ଖବର ପାଇବା ମାତ୍ରେ ଘରୁ ଖାଇବା ଥାଳି ପାଖରୁ ଉଠି ଆସନ୍ତି। ଗଛର କ୍ଷତି ଦେଖିଲେ ତାଙ୍କର ହିତାହିତ ଜ୍ଞାନ ଲୋପ ପାଇଯାଏ। ମୁର୍ଖ ଲୋକଙ୍କର ଯୁକ୍ତି ବି ମୁଁ ଶୁଣିଛି। ସେମାନେ କୁହନ୍ତି, ସରକାରୀ ଯାଗାରେ ଗଛ ଲଗାଇଲା ପରେ ଗଛ ସମସ୍ତଙ୍କର। ତୁମେ କିଏ ହୋ ଆମକୁ କହିବାକୁ। ସରକାରୀ ଗଛ, ଆମେ ଯାହା ଇଛା ତାହା କରିବୁ। ଏଭଳି ଲୋକଙ୍କୁ ହାବୁଡ଼ିଲେ କେଶନା, ଶୋଧନ୍ତି, ଖୁବ ଗାଳିଗୁଲଜ କରନ୍ତି। ସେତେବେଳେ ତାଙ୍କ ଭାଷାରେ ବାଡ଼ବତା ନ ଥାଏ। ନିଜ ଛୁଆପିଲାଙ୍କଠାରୁ ବି ଗଛକୁ ଅଧିକ ଭଲ ପାଆନ୍ତି କେଶନା’।

କେଶନା’ଙ୍କ ଗାଳିଗୁଲଜ ବି ଅନେକଙ୍କୁ ଭଲ ଲାଗେ, ଯେଉଁମାନେ ତାଙ୍କ ସହିତ ମିଳାମିଶା କରନ୍ତି, ଅର୍ଥାତ ପାଖଲୋକ। ତେଣୁ ତାଙ୍କୁ ଚିଡ଼େଇ ଦେଇ ଗାଳି ଶୁଣନ୍ତି। ଏହି ଗାଳିରୁ କେଶନା’ଙ୍କ ବିଷୟରେ ଗୋଟେ ମଜାଦାର କଥା ମନେ ପଡ଼ିଗଲା। କେଶନା’ଙ୍କର ଥାଏ ଗୋଟେ VICKY – II ସ୍କୁଟର, ପ୍ରଫୁଲ୍ଲ ପଣ୍ଡାଙ୍କର ଏନଫିଲ୍ଡ କ୍ରୁସେଡର୍ ଆଉ ଶରତ ମିଶ୍ରଙ୍କର ରାଜଦୁତ୍।ଦିନେ ଛକରେ ଖଟି ଚାଲିଥାଏ। କେହିଜଣେ କହିଲା-କେଶନା’, ଭିକି ଟା ବିକିଦିଅ। ତୁମକୁ ସେଇଟା ଜମା ମାନୁନାହିଁ। ତା’ ବଦଳରେ ଗୋଟେ ଜାଭା ଆଣ।

କେଶନା’ ସବୁବେଳେ ଧୋତି ପିନ୍ଧନ୍ତି। ତେଣୁ ଗୋଡ଼ ଏପଟ ସେପଟ କରିବାକୁ ଭିକିରେ ସୁବିଧା ହୁଏ। କେଶନା’ ସେକଥା ମନରେ ରଖି କହିଲେ-ଏଇଟା କ’ଣ ଖରାପ ଗାଡ଼ିଟିଏ କି ?

ସେଇଠୁ ସେ କହିଲା-ଗାଡ଼ି ନାଁ ଟା ଭଲ ଲାଗୁନି। କ୍ରୁସେଡର୍ କୃଷକ ଚଲାନ୍ତି। ସେଟା ଜଡ଼ାନା’ର। ରାଜାଙ୍କର ରାଜଦୁତ୍ ଆଉ ଭୀକାରିର ଗାଡ଼ି ହେଲା ଭିକି।

ତା’ପରେ ଆଉ କେଶନା’ଙ୍କୁ ସମ୍ଭାଳେ କିଏ।

କେଶନା’ଙ୍କ ବିଷୟରେ ଆହୁରି ଅନେକ କଥା ଅଛି। ସେଥିରୁ ଆଉଗୋଟେ ଲେଖୁଛି। ନନାଙ୍କ ଶଶୁର ଘର ହେଲା ହରିପୁର ହାଟରେ। ଆମ ଗାଁରୁ ଗଲେ ପ୍ରଥମେ ପଡ଼େ ସାଧୁ କୁମ୍ପାଣ୍ଡର ( କମ୍ପାଉଣ୍ଡର ), ନନାଙ୍କ ଶଶୁର ଘର। ନନା ସେଇଠି ସାଇକେଲ ରଖି ହାଟକୁ ସଉଦା ପାଇଁ ଯାଆନ୍ତି। ଥରେ ସଉଦା କିଣିସାରି ନନା ପହଞ୍ଚିଲେ ଶଶୁର ଘରେ, ସାଇକେଲ ଆଣିବାପାଇଁ। ସାଇକେଲ ଆଣିବା ବେଳେ ଶାଶୁଙ୍କ ସହିତ ଦେଖାହେଲା। ଶାଶୁ ପଚାରିଲେ-ବାପା,ଆଜି ହାଟରେ ଜିନିଷର ଦର ସବୁ କେମିତି ?

ନନା କହିଲେ-ସବୁ ଶସ୍ତା।

— ପାନ କଡ଼ା କେତେ ?

— ମୋଟେ ଦଶଟଙ୍କା।

— ତମ ଶଶୁର ଯାଇଥିଲେ, ପାନକଡ଼ା ତିରିଶ ଟଙ୍କା ଶୁଣି ଦଶ ଟଙ୍କାର ପାନ ଆଣିଛନ୍ତି। ଏତିକ ତ ଅଣ୍ଟିବ ନାହିଁ। ପୁଅ, ଏଇ କୋଡ଼ିଏଟଙ୍କା ନିଅ। ଆମର ଦି’କଡ଼ା ପାନ ଆଣିଦିଅ।

କେଶନା’ ବି ସେଦିନ ତିରିଶ ଟଙ୍କା ଦେଇ କଡ଼ାଏ ପାନ ଆଣିଥିଲେ। କିନ୍ତୁ ନିଜର ସଉଦା କିଣା ଦକ୍ଷତା ଜଣାଇବା ପାଇଁ ଛୋଟ ମିଛଟିଏ କହିଦେଲେ। ଶାଶୁଙ୍କଠାରୁ କୋଡ଼ିଏ ଟଙ୍କା ନେଇ ପକେଟରୁ ଚାଳିଶ ଟଙ୍କା ଖର୍ଚ୍ଚ କରି ଦି’କଡ଼ା ପାନ ଆଣିଦେଲେ।

ବୋଧହୁଏ କେଶନା’ କେବେ ବୟସ୍କ ହୋଇ ନ ଥିଲେ। ସବୁଦିନେ ପିଲାଟିଏ ହୋଇ ରହିଥିଲେ। ସେଥିପାଇଁ ଏଇଭଳି ଚପଳମତି କଥା କହୁଥିଲେ ଓ ପିଲାଳିଆ କାମ କରୁଥିଲେ।

କାହାଣୀଗୁଡ଼ିକ ଜଣକୁ କିମ୍ବଦନ୍ତୀ ପୁରୁଷରେ ପରିଣତ କରିଦିଏ। କେଶନା’ ଥିଲେ ଆମ ଅଞ୍ଚଳର କିମ୍ବଦନ୍ତୀ ପୁରୁଷ। ତାଙ୍କ ଜୀବନୀ ଲେଖିଛନ୍ତି ଯାଜପୁର ଜିଲ୍ଲା ସଦର ମହକୁମାରେ ଥିବା ଏନ୍.ସି.ଅଟୋନମସ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ବିକ୍ରମ। ମାତ୍ର ଦୁଇବର୍ଷ ତଳେ ଉନ୍ମୋଚିତ ହୋଇଥିଲା। ସେତେବେଳେ ଜଣା ଯାଉଥିଲା ନନା ଆହୁରି ଦଶବର୍ଷ ବଞ୍ଚିବେ। କିନ୍ତୁ ଆମ ଭାବନା ଭାବନାରେ ରହିଗଲା। ଅଚାନକ ବାର୍ଦ୍ଧକ୍ୟଜନିତ ରୋଗରେ ପଡ଼ି ବିଛଣା ଧରିଲେ ଓ ବିଦାୟ ନେଇ ଚାଲିଗଲେ।

କେଶନା’ ଆମ ଗାଁର ପରିଚୟ ଥିଲେ। ଅବିଭାବକ ଥିଲେ। ଆଉ ସେହି ପଦବୀରେ ରହିଥିବେ ସବୁଦିନ ପାଇଁ। ତାଙ୍କ ସ୍ଥାନ ଅପୁରଣୀୟ ରହିଗଲା ଅନନ୍ତ କାଳ ପର୍ଯ୍ୟନ୍ତ। ଯୁଆଡ଼େ ଚାହିଁଲେ ତାଙ୍କ ସ୍ପର୍ଶ ଦେଖା ଯାଉଛି। ସ୍କୁଲ କଲେଜ ସବୁଠି। ଗାଁ ମୁଣ୍ଡ ଗଛ ଛାଇରେ ଯିବା ଆସିବା ବେଳେ କେଶନା’ ମନେ ପଡ଼ୁଛନ୍ତି ବାରମ୍ବାର।

…..


…..

Shree Harekrushna

ଶ୍ରୀ ହରେକୃଷ୍ଣ ସାହୁ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Harekrushna Sahu ହରେକୃଷ୍ଣ ସାହୁ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment