ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ)

ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ)

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

——-(କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ )——-

ସେତେବେଳକୁ ଆମ ଗାଁ ରେ କାମ ବିଜ୍ଞାନ ବହି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ। ବଡ଼ ବଡ଼ ପିଲାମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେବି ଆମଭଳି ଛୋଟ ପିଲାଙ୍କ ପାଖରେ ଖବର ପହଞ୍ଚି ଯାଉଥାଏ।

ସେ ବହି ମିଳିବା ସେତେବେଳେ ଖୁବ୍ କଷ୍ଟଦାୟକ ଥିଲା। ପାଖ ଆଖରେ ବହି ଦୋକାନ ନଥିଲା। ହାଟପାଳି ମାନଙ୍କରେ ଯାହା ବହିଖାତା କିଣିବାକୁ ମିଳେ। ସେଠି ବି ଏ ବହି ମିଳୁ ନଥାଏ।

ଗାଁ ର ବଡ଼ଭାଇଟିଏ ଥରେ ମତେ କହିଲା – କୃଷ୍ଣ, ତୁ ତ ଏତେ ମେଳାଯାତ୍ରା ବୁଲୁଛୁ, ମୋ ପାଇଁ ଗୋଟେ କାମ ବିଜ୍ଞାନ ବହି ଆଣିଦେବୁ ?

କହିଲି – ହଁ, ପଇସା ଦେଉନ। ଦି ତିନି ଦିନ ପରେ ଆମେ ପୁରୀ ର ନିରାକାରପୁର ଚନ୍ଦନ ଯାତ୍ରା କୁ ଯିବୁ। ସେଠୁ ନେଇ ଆସିବି।

ସିଏ ପଇସା ଦେଲେ। ଆମ ଗାଁ ର ଅନେକ ଲୋକ ବାପାଙ୍କ ହାତରେ ହରେକରକମ ଜିନିଷ ମଗାନ୍ତି। ଶଙ୍ଖ, ଅସଲି ତୁଳସୀ ମାଳା, ଏକ ନମ୍ବର ଝୁଣା, ମେଳା ବହି, ଚନ୍ଦନ କାଠ ଆହୁରି କେତେ କ’ଣ। ମେଳାରେ ବଡ଼ ବଡ଼ ବହିଦୋକାନ ଲାଗୁଥିଲା। ନିଶ୍ଚୟ ମିଳିବ ଆଶାକରି ଟଙ୍କା ନେଇଗଲି। ଆଉଗୋଟେ ଉଦ୍ଦେଶ୍ୟ ଥିଲା ଯେ ବାପାଙ୍କ ଭଳି ମୁଁ ବି ଜଣକର ଉପକାର କରିବାକୁ ଯାଉଛି।

ମେଳାରେ ପହଞ୍ଚିଲୁ। ଦୋକାନୀ ମାନେ ନିଜ ନିଜ ଦୋକାନ ଖୋଲୁ ଖୋଲୁ ମୁଁ ବହିଦୋକାନ ଖୋଜି ପହଞ୍ଚି ଗଲି। ଟଙ୍କା ବଢ଼େଇ ଦେଇ ଆଗ ବଇନି କରିଦେଲି। ଦୋକାନୀ ମତେ ଚିହ୍ନିଥିଲେ। କେବଳ ସିଏ ନୁହେଁ ମେଳା ମାନଙ୍କର ଅନେକ ଦୋକାନୀ ମୋର ଚିହ୍ନା ହୋଇ ଯାଇଥିଲେ। କାରଣ ବିଭିନ୍ନ ମେଳାମାନଙ୍କୁ ଯିବା ଫଳରେ ପରସ୍ପର ସହିତ ବାରମ୍ବାର ଦେଖା ହେଉଥିଲା।ସେହି ଦେଖାରୁ ସମ୍ପର୍କ ହୋଇ ଯାଇଥିଲା। ଏଇ ମେଳା ରେ ବୁଲୁଥିବା ଦୋକାନୀମାନେ ଓଡ଼ିଶାର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଆସୁଥିଲେ। ଚଳୁଥିଲେ ଭାରି ଆପଣାର ଭାବ ନେଇ। ସବୁ ଦୋକାନୀ ଥିଲେ ମୋର ଅବିଭାବକ ପରି। ତେଣୁ ପଚାରିଲେ – ଏ ବହିଟା ତୋର କ’ଣ ଦରକାର ?

ମୁଁ କହିଲି – ଗାଁ ରୁ ଜଣେ ଟଙ୍କା ଦେଇଥିଲେ।

ବହିଟା କିଣିନେଇ ଆମ ବ୍ୟାଗରେ ପୁରାଇ ରଖିଲି। ସେ ବ୍ୟାଗରେ ବାପାଙ୍କର ଧୋତି, ଲୁଙ୍ଗି, ସାର୍ଟ, ଗାମୁଛା ମୋର ପ୍ୟାଣ୍ଟ ସାର୍ଟ ସହିତ ଆହୁରି କିଛି ଜିନିଷ ରହେ।

ହଳଦିଆ ଜରିରେ ବହିଟା ସିଲ୍ ହୋଇଥାଏ। କେତେବେଳେ ସୁଯୋଗ ପାଇଲେ ଥରେ ସିଲ୍ ଖୋଲି ଭିତରେ କ’ଣ ଅଛି ଦେଖିନେବି ବୋଲି ମନେ ମନେ ଭାବୁଥାଏ।

ସେଦିନ ଗଲା। ତା ପରଦିନ ସକାଳେ ବାପା ବହିଟା ଦେଖିଲେ ଓ ପୁଣି ବ୍ୟାଗରେ ପୁରାଇ ଦେଲେ। ବାପାଙ୍କ ଆଖିରେ ବହିଟା ପଡ଼ିବା ପରେ ମତେ ଭାରି ଖରାପ ଲାଗିଲା। ଦେଖିବାର ତ ନିଶ୍ଚୟ ଥିଲା। କାରଣ ଲୁଚେଇବା ପାଇଁ ଆଉ କେଉଁଠି ଅଲଗା ଯାଗା ବି ଆମର ନଥିଲା।

ଆହୁରି ଥରେ ଦୁଇଥର ବ୍ୟାଗରୁ ଜିନିଷ ବାହାର କଲାବେଳେ ବହିଟା ଗଳିପଡ଼େ ପୁଣି ବାପା ବ୍ୟାଗରେ ପୁରାଇ ଦିଅନ୍ତି। ଯେମିତି ସେ କିଛି ଦେଖିନାହାନ୍ତି କି ଜାଣି ନାହାନ୍ତି।

କ୍ରମେ ସେ ବହିଟା ଭୟଙ୍କର ରୂପ ନେଇ ମୋ ଆଗରେ ଠିଆ ହେଲା। ତା ପ୍ରତି ମୋର ଘୃଣାଭାବ ଆସିଗଲା। କାହିଁକି ଏ ବହିଟା କିଣିଲି। ବାପା ବି କାହିଁକି ମତେ କିଛି ପଚାରୁ ନାହାନ୍ତି। ପଚାରିଦେଲେ ହୁଏତ ମୁଁ ସତ କଥାଟା କହି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାରନ୍ତି। ହେ ଭଗବାନ, କେହିଜଣେ ମତେ ଏ ବିପତ୍ତି ରୁ ଉଦ୍ଧାର କର। ମୋ ବାପାଙ୍କୁ କହିଦିଅ ବହିଟା ମୋର ନୁହେଁ।

ସେ ବ୍ୟାଗଟାକୁ ଦେଖିବାକୁ ଡର ଆଉ ଛୁଇଁବାକୁ ଘୃଣା ଲାଗୁଥାଏ। ମୁଁ ସେଥିରେ ହାତ ମାରୁନଥାଏ। ଗାମୁଛା, ପ୍ୟାଣ୍ଟ ସାର୍ଟ ଦରକାର ହେଲେ ବାପାଙ୍କୁ ମାଗେ। ବାପା ବାହାର କରିଦିଅନ୍ତି । ସେ ବହିଟି ପାଇଁ ମୁଁ ଅବସାଦ ଗ୍ରସ୍ତ ହୋଇ ଯାଇଥାଏ। କୌଣସି କାମରେ ମୋର ମନ ଲାଗୁନଥାଏ। ବାପାଙ୍କ ମୁହଁ କୁ ମୁଁ ଚାହିଁ ପାରୁନଥାଏ। ବାପା, ଏ ବହିପାଇଁ ମୋ ବିଷୟରେ ନିଶ୍ଚୟ କିଛି ଚିନ୍ତା କରୁଥିବେ। ଭାବୁଥିବେ ତେରବର୍ଷ ବୟସରୁ ପିଲାଟା ନଷ୍ଟ ହୋଇଗଲା। ବାପା ଏଠୁ ଫେରିଲେ ମା’ କୁ କହିଦେବେ। ମା’ ତ ମତେ ନିଶ୍ଚୟ ମାରିବ। ମାଡ଼ ସହି ପାରିବି। କିନ୍ତୁ ଯଦି ଅନ୍ୟ କାହାକୁ ଏ କଥା କହିଦେବେ , ଲଜ୍ଜା ରେ ମରିଯିବି। ମୁଁ ତାହେଲେ ଆତ୍ମହତ୍ୟା କରିଦେବି। ବାପାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବାର ସାହସ ବା ପରମ୍ପରା ଆମର ନଥାଏ।

ଇସ୍….. କେଡ଼େବଡ଼ ଭୁଲ୍ କଲି ଏ ବହିଟା କିଣି ପକେଇ। ଫେରେଇବା ପାଇଁ ବି ସାହସ ହେଉନଥାଏ। ଫେରେଇବାକୁ ଗଲେ ସଚ୍ଚୋଟ ହେବା ବଦଳରେ ଚୋର ବୋଲି ପ୍ରମାଣିତ ହୋଇଯିବି।

ରାତିରେ ବେଳେବେଳେ ମୋ ନିଦ ଭାଙ୍ଗି ଯାଏ। ଦେଖେ ବାପା ନିଘୋଡ଼ ନିଦରେ ଶୋଇଛନ୍ତି। ତାଙ୍କ ମୁଣ୍ଡତଳେ ଅଛି ବ୍ୟାଗଟା। ମୋ ମୁଣ୍ଡତଳେ ବାପାଙ୍କ ଧୋତି ଆଉ ଗାମୁଛାର ତକିଆ। ନାଁ ବାପା ମୋ ବିଷୟରେ କିଛି ଭାବୁନାହାନ୍ତି ବୋଲି ଆରାମରେ ଶୋଇ ପଡ଼ିଛନ୍ତି। ମୁଁ ଏ ପୁସ୍ତକାସୁର ଅତ୍ୟାଚାର ରେ ଅତିଷ୍ଠ ବୋଲି ମତେ ନିଦ ହେଉନି।

ମେଳା ସାରି ଚାରିଦିନ ପରେ ଆମେ ଗାଁ ରେ ପହଞ୍ଚିଲୁ। ମେଳାରୁ ମୁଁ କିଛି ଆନନ୍ଦ ପାଇ ପାରିଲିନି। ଭୟ, ବିରକ୍ତି, ମନସ୍ତାପ, ଅନୁତାପ ରେ ବିତିଗଲା ଚାରିପାଞ୍ଚ ଦିନ। ଯନ୍ତ୍ରଣାରେ ଛଟପଟ ହେବାର କେଇଟା ଦିନ। ମାନସିକ ନିର୍ଯ୍ୟାତନା ର ଗୋଟେ ନିଷ୍ଠୁର ଦଣ୍ଡ।

ଆମେ ଘରେ ପହଞ୍ଚି ଜିନିଷ ପତ୍ର ରଖୁ ରଖୁ ସେ ପିଲାଟି ପହଞ୍ଚିଗଲା ଆମଘରେ। କହିଲା – କୃଷ୍ଣ, ମୋ ବହି ଆଣିଛୁ ?

ମୁଁ ନିରବରେ ମୁଣ୍ଡ ହଲେଇ ସମ୍ମତି ଜଣାଇଲି। ବାପା, ବ୍ୟାଗରୁ ବହିଟା ବାହାର କରି ତା ହାତକୁ ବଢ଼େଇ ଦେଲେ। ବହିଟି ଧରି ସେ ଖୁସିରେ ଚଢ଼େଇ ଭଳି ଉଡ଼ି ପଳେଇଲା।

ମୋ ମନଭିତରେ ହଠାତ୍ ଗୋଟେ ଦିବ୍ୟ ଆନନ୍ଦ ଆବିର୍ଭାବ ହୋଇଗଲା। ଦୋଷ ମୁକ୍ତ ହେଲି। ଗ୍ଲାନି ମୁକ୍ତ ହେଲି। ସତେ ଯେମିତି ମୋ ବାପା ମନ୍ତ୍ର କରିଦେଲେ। ପଞ୍ଜୁରୀର ଦ୍ୱାର ଖୋଲିଦେଲେ। ମୋ ଦୁଃଖମାନେ ଆଖି ପିଛୁଳାକେ ଛିନଛତର ହୋଇ ଉଡ଼ି ପଳେଇଲେ।

ଆଜି ଜୀବନର ସମୟ ସବୁ ଶେଷ ହୋଇ ଆସିଲାଣି। କାମ ବିଜ୍ଞାନ ବହିରେ କି ପ୍ରକାରର ବିଜ୍ଞାନ ଅଛି ସେ ବିଷୟରେ ଜାଣିବା ପାଇଁ ମୋର କେବେ ଆଉ ଆଗ୍ରହ ହୋଇନାହିଁ। ସେ ହଳଦିଆ ଜରି କୁ ମୁଁ ଅତିକ୍ରମ କରିନାହିଁ। ଏତେ ଲମ୍ବା ଜୀବନରେ କେବେ ବ୍ଲୁ ଫିଲ୍ମ ଦେଖିନାହିଁ। ସେପରି ଅଶ୍ଳିଳ ବିଷୟବସ୍ତୁ ମାନଙ୍କର ନିକଟତର ହେଲେ ମୁଁ ଅସୁସ୍ଥ ଅନୁଭବ କରେ। ମୋର ସ୍ମୃତି କୋଷରେ ସାଇତା ହୋଇ ରହିଥିବା ନିରାକାରପୁର ର ଯନ୍ତ୍ରଣା ଗୁଡ଼ିକ ସତେଜ ହୋଇ ଉଠନ୍ତି।


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

Leave a Comment