ମଣିଷ : ସର୍ବଗୁଣ ସମ୍ପନ୍ନ

ମଣିଷ : ସର୍ବଗୁଣ ସମ୍ପନ୍ନ

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

*******************************************

 

ଗୁଣ ମାତ୍ର ଦୁଇଟି। ଭଲ ଓ ମନ୍ଦ ।

ଭଲ ଅର୍ଥ ସ୍ନେହଶ୍ରଦ୍ଧା କରିବା, ଭଲପାଇବା, ପରଦୁଃଖ ବୁଝିବା, ପର ଦୁଃଖରେ ଦୁଃଖି ହେବା, ପରୋପକାର କରିବା, ଦାନ କରିବା, ତ୍ୟାଗ କରିବା, କ୍ଷମା କରିବା, ସହନଶୀଳ ହେବା ଇତ୍ୟାଦି ଇତ୍ୟାଦି ଯେତେ ପ୍ରକାରର ଭଲକଥା ଅଛି।

ମନ୍ଦ ଗୁଣ ହେଲା ହିଂସା, ଇର୍ଷା, ପରଶ୍ରୀକାତରତା, ପର ଧନରେ ଲୋଭ, ଚୋରି କରିବା, ହତ୍ୟା କରିବା, ଧର୍ଷଣ କରିବା, ପ୍ରତିଶୋଧ ପରାୟଣ ହେବା, ଘୃଣା କରିବା ଇତ୍ୟାଦି ଯାହା ଯାହା ଖରାପ କଥା ଅଛି।

ଏସବୁ ଭଲ ଓ ମନ୍ଦ ଗୁଣ ଗୁଡ଼ିକ ସମସ୍ତ ମଣିଷଠାରେ ସବୁବେଳେ ମହଜୁଦ ଅଛି। ଏ ଗୁଣ ଗୁଡ଼ିକ ମଧ୍ୟରୁ ଯେଉଁଗୁଡିକ ଅଧିକ ଯତ୍ନ ପାଏ, ପାଣି, ପବନ ଓ ଆଲୋକ ପାଏ ସେଗୁଡ଼ିକ ସତେଜ ଓ ସକ୍ରିୟ ହୁଏ। ପ୍ରକାଶ ପାଏ। ମଣିଷଟି ସେହି ଗୁଣରେ ଗୁଣବାନ ବୋଲି ଉପାଧି ପାଏ। ଏହାବାଦ୍ ଅନ୍ୟ ଗୁଣ ଗୁଡ଼ିକ ନିସ୍ତେଜ ହୋଇ ମନ ଭିତରେ ପଡ଼ି ରହିଥାଏ। କିନ୍ତୁ ଏହି ଗୁଣ ଗୁଡ଼ିକର ବୀଜ ଅଣୁ ରୂପରେ ସମସ୍ତ ମଣିଷଙ୍କ ମନରେ ଥାଏ।

ମଣିଷ ଇଚ୍ଛା କରି ଏହି ଗୁଣ ଗୁଡ଼ିକୁ ନିଜଠାରେ ରଖି ନଥାଏ। ପ୍ରକୃତି ସମସ୍ତ ମଣିଷଙ୍କୁ ଏହିପରି ତିଆରି କରିଥାଏ

ଗୋଟେ ଖରାପ ମଣିଷକୁ ତା’ର ପରିବେଶରୁ ବାହାର କରି ନେଇ ଭଲ ମଣିଷଙ୍କ ସହିତ ଉତ୍ତମ ପରିବେଶରେ ରଖିଲେ ଲୋକଟି କ୍ରମେ ବଦଳି ଯାଇ ଖରାପରୁ ଭଲ ହୋଇଯାଏ। ଦସ୍ୟୁ ରତ୍ନାକର, ଅଙ୍ଗୁଳିମାଳ ଠାରୁ ଆରମ୍ଭ କରି ଆମ ଆଗରେ ଏହିପରି ସହସ୍ର ଉଦାହରଣ ଅଛି।

ଠିକ୍ ସେମିତି ଭଲ ମଣିଷଟିଏକୁ ଖରାପ କରିବା ମଧ୍ୟ ଖୁବ୍ ସହଜ।

ପରୀକ୍ଷା ପାଇଁ ଜଣେ ବିଶୁଦ୍ଧ ସନ୍ଥଙ୍କୁ ନିଆଯାଉ। ତାଙ୍କର ସେବାପାଇଁ ଶହେଜଣ ସୁନ୍ଦରୀ ଯୁବତୀ ନିୟୋଜିତ କରାଯାଉ। ସେବା ବାହାନାରେ ତାଙ୍କଠାରେ ଯୌନ ଉତ୍ତେଜନା ସୃଷ୍ଟି ଓ କ୍ରମେ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉ। ଫଳରେ ତାଙ୍କ ଚରିତ୍ରକୁ ଅଳ୍ପଦିନ ମଧ୍ୟରେ ଧ୍ୱଂସ କରି ତାଙ୍କୁ ଦୁଃଚରିତ୍ର ମଣିଷରେ ପରିଣତ କରି ଦିଆଯାଇ ପାରିବ।

ଆଶାରାମ ବାପୁଙ୍କ ଠାରୁ ଆରମ୍ଭ କରି ସୁର, ସାରଥୀ ପର୍ଯ୍ୟନ୍ତ ଶହ ଶହ ଉଦାହରଣ ଆମ ପାଖରେ ଅଛି। ପୁରାଣରେ ମଧ୍ୟ ଏପରି ଉଦାହରଣର ଅଭାବ ନାହିଁ। ଯେତେବେଳେ କୌଣସି ତପସ୍ବୀ କଠୋର ତପସ୍ୟା କରି ସାଧନାର ଉଚ୍ଚତମ ସୋପାନକୁ ଚାଲି ଯାଆନ୍ତି, ଯେତେବେଳେ ଇନ୍ଦ୍ର ନିଜ ପଦବୀ ଚାଲି ଯିବାର ଆଶଙ୍କା କରନ୍ତି, ସେତେବେଳେ ସେ ରମ୍ଭା, ଉର୍ବଶୀ ଓ ମେନକାଙ୍କୁ ପ୍ରେରଣ କରନ୍ତି। ଏହି ତ୍ରିସୁନ୍ଦରୀ ସେହି ତପସ୍ବୀଙ୍କର ଶହ ଶହ ବର୍ଷର ସାଧନାକୁ ଅକ୍ଳେଶରେ ଧ୍ୱଂସ କରି ଦିଅନ୍ତି।

ଶହ ଶହ ବର୍ଷର ତପସ୍ୟା ପରେ ଯଦି ତପସ୍ବୀଙ୍କର ଚରିତ୍ର ନଷ୍ଟ କରି ଦିଆଯାଇ ପାରୁଛି ତେବେ ଆମ ସମୟର ସଂଯମୀ ଲୋକଙ୍କ କଥା କ’ଣ କହିବା। ଏମାନଙ୍କୁ ତ କଥାରେ କଥାରେ ନଷ୍ଟ କରିଦେଇ ହେବ।

ଶାନ୍ତ ସୁଧାର ମଣିଷଟିଏକୁ ହତ୍ୟାକାରୀରେ ପରିଣତ କରିବା ମଧ୍ୟ ଖୁବ୍ ସହଜ କଥା। ଏପରି ମଣିଷଟିକୁ ଖୁବ୍ ଯନ୍ତ୍ରଣା ଓ ମାନସିକ ନିର୍ଯ୍ୟାତନା ଦିଆଯାଉ। ତା’ର ଚାରିକଡ଼ରେ ହିଂସାର ପରିବେଶ ସୃଷ୍ଟି କରାଯାଉ। ତାକୁ ବାରମ୍ବାର ଆକ୍ରମଣ କରାଯାଉ। ଏବଂ ଶେଷରେ ତା ହାତରେ ଅସ୍ତ୍ରଟିଏ ଧରାଇ ଦିଆଯାଉ। ଦେଖିବେ ଅସ୍ତ୍ରଟି ପାଇବା ମାତ୍ରେ ତା’ର ସହନଶୀଳତା ଓ ଧର୍ଯ୍ୟର ଅନ୍ତ ଘଟିବ।

ଆପଣ ଦାନୀ ବିଲ୍ ଗେଟ୍ସ ଓ ଧନୀ ଅମ୍ବାନିଙ୍କୁ ମଧ୍ୟ ସହଜରେ ଚୋରରେ ପରିଣତ କରିଦେଇ ପାରିବେ। ପରୀକ୍ଷା କରନ୍ତୁ। ତାଙ୍କ ଅକ୍ତିଆରରେ ଥିବା ଧନଠାରୁ ଅଧିକ ଧନର ଲୋଭ ଦେଖାନ୍ତୁ । ଦେଖିବା ଧର୍ଯ୍ୟକୁ ବାନ୍ଧି ରଖିବାର କ୍ଷମତା ତାଙ୍କଠାରେ କେତେ ସମୟ ପର୍ଯ୍ୟନ୍ତ ରହୁଛି।

ବିଶ୍ୱର ସର୍ବଶ୍ରେଷ୍ଠ ଓ ଚରିତ୍ରବାନ ନେତାଙ୍କୁ ଦୁର୍ନୀତିଗ୍ରସ୍ତ କରାଇବା ମଧ୍ୟ ସମ୍ଭବ କାର୍ଯ୍ୟଟିଏ। ତାଙ୍କୁ ଉଡ଼ାଜାହାଜ, ଗୋଟିଏ ଦୁର୍ଲଭ ଦ୍ୱୀପ କିମ୍ବା ଗୋଟେ ବଡ଼ କାରଖାନା ଉପହାର ଦେବାର ଲୋଭ ଦେଖାନ୍ତୁ। ଚେଷ୍ଟା କରନ୍ତୁ। ଆହୁରି ଚେଷ୍ଟା କରନ୍ତୁ। ସୁନ୍ଦରୀ ପ୍ରୟୋଗ କରନ୍ତୁ। ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ପ୍ରଭାବିତ କରିବାପାଇଁ ଚେଷ୍ଟା କରନ୍ତୁ। ନିଶ୍ଚୟ ତାଙ୍କୁ ଦିନେ ଦୁର୍ନୀତିଗ୍ରସ୍ତ ମଣିଷଟିଏରେ ପରିଣତ କରି ପାରିବା।

ସଂସାରରେ ଯେତେ ପ୍ରକାରର ଗୁଣ ଅଛି। ସବୁ କିଛିକୁ ଆମେ ସବୁ ମଣିଷଠାରେ ଅଙ୍କୁରୋଦ୍ଗମ ତଥା ବିକଶିତ କରାଇ ପାରିବା।

ଏଗୁଡ଼ିକର ବୀଜ ମଣିଷର ମନରେ ଅଣୁ ରୂପରେ ରହି ଥିବାରୁ ବିକଶିତ ହୋଇ ପାରିଥାଏ।

ଯଦି ଏପରି ବୀଜ ଗୁଡ଼ିକ ମଣିଷଠାରେ ନଥାନ୍ତା ତେବେ ପୁରୁଷ ବା ନାରୀଟିଏ ବିପରୀତ ଲିଙ୍ଗର ଦେହଟିଏ ଦେଖିଲେ ଆକର୍ଷିତ ହେବା ବଦଳରେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତା। ଆଁ…. ଏହା କ’ଣ ?

ଲୋଭ ଓ ଚୋରି କଥା ଉଠିଲେ ଆଶ୍ଚର୍ଯ୍ୟ ହୋଇ ଅନେକ ଗୁଡ଼ାଏ ପ୍ରଶ୍ନ ପଚାରନ୍ତା। ଯଥା ଏହାକୁ ମୁଁ କାହିଁକି ନେବି ? ଏହାକୁ ନେଇ ମୁଁ କ’ଣ କରିବି ?

ଏହାକୁ ପାଇଲେ ମୁଁ କାହିଁକି ସୁଖି ହେବି ? ସୁଖି ହେବା କ’ଣ ? ସୁଖି ନହେଲେ କ’ଣ ହେବ ? ମୁଁ ଯଦି ଏହାକୁ ଚୋରି ନକରେ ମୋର କ’ଣ ହେବ ? ମୁଁ ଯଦି ଚୋରି ନକରେ ମୋର କିଏ କ’ଣ କରିବ ? ତୁମେ ମୋର କ’ଣ କରିବ ?

କେହି ଏପରି ପ୍ରଶ୍ନ ପଚାରେ ନାହିଁ। କାରଣ ଏହି ଗୁଣଟି ସହିତ ସମସ୍ତ ପ୍ରଶ୍ନୋତ୍ତରର ବୀଜ ମଧ୍ୟ ମଣିଷ ମନରେ ଆଗରୁ ଥାଏ।

ଯଦି ନଥାଏ ତେବେ ମଣିଷଟି ବିକୃତ ମସ୍ତିଷ୍କର ବୋଲି ଜାଣିବାକୁ ହେବ। ଯଦି ଅଛି ଓ ପ୍ରକାଶ ପାଉନାହିଁ ତେବେ ସଂଯମର ଖୋଳପା ତଳେ ଲୁଚି ରହିଛି ବୋଲି ବୁଝିବାକୁ ହେବ।

ଆଉ ଯିଏ ସଂଯମ ରକ୍ଷା କରିପାରିଛି ସେ ହିଁ ଶ୍ରେଷ୍ଠ ମଣିଷ।

ମଣିଷ ତା’ର ହିଂସ୍ର ରୂପକୁ ଲୁଚାଇ ରଖିଥାଏ। କିନ୍ତୁ ଅନ୍ୟତ୍ର ହିଂସା ଦେଖିଲେ ସେ ଖୁସି ହୁଏ। ସିନେମାର ହିଂସା ଦୃଶ୍ୟ ହେଲା ଏହାର ଉଦାହରଣ। ଠେଙ୍ଗାବାଡ଼ି, ଛୁରୀ, ବନ୍ଧୁକ ଇତ୍ୟାଦିର ବ୍ୟବହାରରେ କରା ଯାଉଥିବା ବିଭତ୍ସ ହତ୍ୟା ଗୁଡ଼ିକ ଖୁବ୍ ଆଗ୍ରହ ଓ ଆନନ୍ଦର ସହିତ ଦେଖିବାର ଅର୍ଥ ଏହାହିଁ ଅଟେ।

ସୁନ୍ଦରୀ, ସୁସଜ୍ଜିତା ନାରୀର ରୂପକୁ ଆଗ୍ରହରେ ଦେଖିବା ଓ ତତ୍ସମ୍ବନ୍ଧିୟ ଖରାପ ଦୃଶ୍ୟ ଗୁଡ଼ିକୁ ଦେଖିବା ମଧ୍ୟ ସେହି ମାନସିକତାର ରୂପ।

ମଣିଷ ମନ ଭିତରେ ଥିବା ଚୋରଟିକୁ ଧରିବାପାଇଁ ନିମ୍ନରେ ଉଦାହରଣଟିଏ ଦିଆଗଲା।

ଏଠାରୁ ଅଳ୍ପ ଦୂରରେ ମଟର ଦୁର୍ଘଟଣାଟିଏ ଘଟିଲା। ଗୋଟିଏ ଯାତ୍ରୀବାହୀ ବସ୍ ସହିତ ଗୋଟେ ଟ୍ରକ ର ଧକ୍କା ହେଲା। ବସ୍ ଟି ଚାରି ପାଲଟା ଖାଇ ରାସ୍ତା କଡ଼ରେ ପଡ଼ିଲା। ଖବରଟି ଚାରିଆଡ଼େ ବ୍ୟାପିଗଲା। ଦୁର୍ଘଟଣାଟି ଦେଖିବାପାଇଁ ଲୋକମାନେ ସେ ଆଡ଼କୁ ଚାଲିଲେ।

ବସ୍ ଟି ଚାରି ପଲଟି ଗଡ଼ିଛି ଅର୍ଥ ବସ୍ ଟିର ଆଉ ଅବସ୍ଥା ନଥିବ। ନିଶ୍ଚୟ କିଛି ଲୋକ ମରିଥିବେ। ବହୁତ ଲୋକ ଖଣ୍ଡିଆ ଖାବଡ଼ା ହୋଇଥିବେ। ଲୋକଙ୍କ ହାତଗୋଡ଼ ଭାଙ୍ଗିଥିବ। ମୁଣ୍ଡ ଫାଟିଥିବ। ଚାରିଆଡ଼ ରକ୍ତରେ ଲାଲ୍ ହୋଇ ଯାଇଥିବ। ଏତିକି କଳ୍ପନା କରିବା ସ୍ୱାଭାବିକ। ସେଠାକୁ ଦେଖିବାପାଇଁ ଯାଉଥିବା ସମସ୍ତ ଲୋକ ଏପରି ଦୃଶ୍ୟଟିଏ ମନ ଭିତରେ ତିଆରି କରି ଦେଇଥିବେ।

ସେଠାରେ ପହଞ୍ଚିଲା ପରେ ଦେଖିଲେ ଯେ ତାଙ୍କ କଳ୍ପନା ଅନୁଯାୟୀ କିଛି ଘଟିନାହିଁ। ବସ୍ ଟି ଧୀରେ ଧୀରେ ଗଡ଼ିଯାଇ ଅଟକି ଯାଇଛି। କିଛି ଲୋକଙ୍କର ଅଳ୍ପ ଟିକିଏ ଖଣ୍ଡିଆ ଖାବଡ଼ା ହେବା ବ୍ୟତିତ ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ।

ଏପରି ଦୃଶ୍ୟଟି ଦେଖିବା ମାତ୍ରେ ଦର୍ଶକଟି ହତାସ ଅନୁଭବ କରେ। ତା’ର ଆଶା ଓ କଳ୍ପନା ଧ୍ୱଂସ ହୋଇ ଯାଇଥିବାରୁ ସେ ଦୁଃଖି ହୋଇଯାଏ। ଏବଂ ତତ୍କାଳ ସେ ପରିସ୍ଥିତି ସହିତ ନିଜକୁ ସାମିଲ କରି ଆବଶ୍ୟକ ପରିମାଣର ଓଲଟା ଦୁଃଖ ପ୍ରକାଶ କରିଥାଏ।

ଦୃତ ଗତିରେ ବାଇକ୍ ଚଲାଇ ଯାଉଥିବା ଯୁବକଙ୍କୁ ଦେଖିଲେ ଲୋକେ କୁହନ୍ତି-ଇଏ ଯେମିତି ବାଇକ୍ ଚଲାଉଛି ନିଶ୍ଚୟ ଏକ୍ସିଡେଣ୍ଟ କରିବ।

ଏପରି ମନ୍ତବ୍ୟ ପଛରେ ଆମର ଆଶଙ୍କା ଅପେକ୍ଷା କାମନା ଅଧିକ ଥାଏ। କୌଣସିଠାରେ ମାରପିଟ୍ ହେବାର ଖବର ପାଇଲେ ଆମ ମନରେ ସେମିତି ରକ୍ତାକ୍ତ ଦୃଶ୍ୟଟିଏ ତିଆରି ହୋଇଯାଏ।

ଏପରି ମାନସିକ କ୍ରିୟା ଗୁଡ଼ିକୁ ମଣିଷ ଜାଣି ଜାଣି କରି ନଥାଏ। ଏହା ସହଜାତ ପ୍ରବୃତ୍ତି ହିସାବରେ ସ୍ୱୟଂ ହୋଇ ଯାଇଥାଏ। ଏମିତିକି ଏପରି ଭାବନା ଗୁଡ଼ିକ କେତେବେଳେ ଆସେ ଓ କେତେବେଳେ ରୂପାନ୍ତରିତ ହୋଇ ଦୟା ଓ କରୁଣାର ରୂପ ପାଇ ଉଭେଇ ଯାଏ ସେକଥା ଅନେକ ମଣିଷ ଜାଣିପାରନ୍ତି ନାହିଁ।


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

One Thought to “ମଣିଷ : ସର୍ବଗୁଣ ସମ୍ପନ୍ନ”

  1. continuously i used to read smaller posts that also clear their motive, and that is also
    happening with this article which I am reading here.

Leave a Comment