ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ- ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ

ଲେଖକ/ କବି: ଶ୍ରୀ ସନତ କୁମାର ଦାଶ

Author/ Poet: Shree Sanatkumar Das


…..

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ

ସନତ୍ କୁମାର ଦାସ

ପ୍ରଭୁଟି ସରଳ ଯେଡ଼େ

ସେଡ଼ିକି ସରଳ ଅବା ସେ ପଲ୍ଲୀର ଲୋକେ

ବେଗି ମିଳିଯାଏ ସେଠି ତା’ ଅମୃତ ପ୍ରେମର ମଉଜ

ସେଥିପାଇଁ ‘ମୌଜବେଗ’ ନାଆଁ ଲୋକ ମୁଖେ !

ବଳଙ୍ଗମା ଦେବ ନଦୀ ଭାର୍ଗବୀର ତଟେ

ଶୁଦ୍ଧାହାରୀ ବଇଷ୍ଣବ ବସତିଟି ଖଟେ

ମହାପ୍ରଭୁ ଅଙ୍ଗଲାଗି ବସ୍ତ୍ରର ବୟନେ

ମଜ୍ଜି ଥାଏ ଦିବାନିଶି ହରିନାମ ଗାନେ

ଅତଏବ ମଣିମାରେ କା’ର କେତେ ନିଷ୍ଠା

ସାନ ବଡ଼ ଦୁଇ ମଠ ପରଖନ୍ତି ସବୁ ପରାକାଷ୍ଠା

ସେ ମଧୁର ପ୍ରତିଯୋଗ ଗ୍ରାମବାସୀଙ୍କର

ପ୍ରଚାଳିତ ନିମ୍ନ ପ୍ରାଣେ ପ୍ରଚୋଦିତ କରି

ଅଜାଣତେ ବିଭୁ ଦିଗେ କରେ ଆଗୁସାର !

ସେ ପଲ୍ଲୀର ପ୍ରାଣ ଆତ୍ମା ଶ୍ରୀକୃଷ୍ଣଚୈତନ୍ଯ

ତାଙ୍କ ବିନା ମୌଜବେଗ ମଉଜ ନଗଣ୍ୟ

ବିଗ୍ରହ ରହନ୍ତି ସିନା ବଡ଼ ମଠଟିରେ

ରାଗେ ଭୋଗେ ଆପ୍ଯାୟିତ ହୋଇଥାନ୍ତି କିନ୍ତୁ

ଆଶୁଦ୍ର ବିପ୍ର ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ॥

ବହୁଦିନ ତଳ କଥା

ମଠର ବାବାଜୀ ଯେବେ ଫେରିଲେ ବ୍ରଜ୍ଯାରୁ

ଯା’ ହାତରେ ଦେଇ ଦିବ୍ୟ ସେବାର ଗୌରବ

ଯାଇଥିଲେ ସେ ଚେଲାକୁ ଝିଙ୍ଗାସିଲେ ଗରୁ

” କି ସେବା ତୁ କରୁଥିଲୁ ? ଦିଅଁଙ୍କ ଶ୍ରୀହସ୍ତ

ଅଠା ବୋଳି ହୋଇଅଛି କଙ୍କଣ ପର୍ଯ୍ୟନ୍ତ ? “

ଅନୁତାପେ ସେ ଚେଲା ବାଳୁତ

ଅନାହାର ଅଶ୍ରୁଜଳେ ଯାପିଲା ନିଶିଥ ॥

” ତୋ’ ଶିଷ୍ଯଟି ପିଲା ସିନା, ନୁହେଁ ପିଲା ଲୋକ

ଗୋସେଇଁ ରେ, ତୋହପରି ସରଳ ତରଳ

ମୋ’ ପାଦେ ବିନ୍ଯସ୍ତ କରି ଜୀବନର ପ୍ରଥମ ପୁଲକ

ଉନ୍ନିଦ୍ରେ ପୁହାଇଲାଣି ଅନେକ ରଜନୀ

ଢାଳିଅଛି ମୁକ୍ତାର ଲୋତକ

ପ୍ରେମେ ମାତି ସେ ତରୁଣ ଯେତକ ଚକୁଳି

ଖୁଆଇଛି ମହୁ ସଙ୍ଗେ

ବିଦଗ୍ଧ ତା’ ପ୍ରେମ ମହୁ ଏତେ ଅଛି ଢାଳି

ସେ ମହୁ ଯାଇଛି ବହି ମଣିବନ୍ଧ ଯାଏ

ମୁଗ୍‌ଧେ ମୁଁ ଭୁଞ୍ଜିଛି ସବୁ ତା’ ଭାବେ ବିଭୋର

କରିନି ଗୋ ଆଚମନ ! ସେ’ଲାଗି ମୋ’ କଙ୍କଣ ମଧୁର

ତା’ ପ୍ରେମ ନିଷ୍ପାପ ମଧୁ ରୋପି ଦେବି ଆଉ କା’ ହୃଦରେ –

ସେଥକୁ ମଧୁକଙ୍କଣ ବହିଛି ହସ୍ତରେ ! “

ନିଶାର୍ଦ୍ଧେ ଚକିତେ ଉଠି ଶୁଣି ସ୍ବପ୍ନଭାଷେ

ଶିଷ୍ଯର କପାଳ ଚୁମ୍ବି ଅଶ୍ରୁମୁଖ ଗୁରୁ

ପ୍ରବୋଧିଲେ ହୃଦୟର ଆଶିଷେ ଆଶ୍ଳେଷେ

ସେ ମଉଜବେଗ

ମାନବ୍ଯ ଆବେଗ ପଙ୍କେ ନଳିନ ସେ ସ୍ଵର୍ଗୀୟ ସୋହାଗ ॥

କଦାଚିତ୍ ଲବଣର ସତ୍ଯାଗ୍ରହ କାଳେ

ପୁରୀରୁ ଗୋସେଇଁ ଯାଇଥିଲେ ଭିକ୍ଷା ଛଳେ

ଗୃହାଙ୍ଗନେ ଯେ ବାଳୁତ ଖେଳୁଥିଲା କୃଷ୍ଣପୂଜା ଖେଳ

ପରମହଂସ ଲକ୍ଷଣ ଦେଖି ତା’ ନୟନେ

ଭିକ୍ଷାରେ ଆଣିଲେ ମାଗି କରି ତାକୁ କୋଳ

ସେ ଗୋସେଇଁ ଅବଧୂତ ସେ ବାଳୁତ ମହାଭାଗବତ

ମୋ’ ପରମାରାଧ୍ଯ ଗୁରୁ ଓ ପରମଗୁରୁ

ଉତ୍କଳୀୟ ବୈଷ୍ଣବଙ୍କ ହୃଦୟବନ୍ଦିତ !

ସେଥିପାଇଁ ପ୍ରତି ପ୍ରଭାତରେ

ଭୂପତିତେ ସେ ଗ୍ରାମକୁ ଦଣ୍ଡବତ କରେ।

” ତୁମଠି ମୁଁ ଚିରଋଣୀ ହେ ମଉଜବେଗ

ନଶ୍ବର ମଉଜେ ତୁମ୍ଭେ ସାରିନାହଁ ପ୍ରାଣର ଆବେଗ !

ହେ ଚୈତନ୍ଯ ଗ୍ରାମ

ଗୁରୁ ଦେଇଅଛ ମୋତେ

ସୁତରାଂ ଦେଇଅଛ ଶ୍ରୀକୃଷ୍ଣଙ୍କ ଅନର୍ପିତ ପ୍ରେମ “

ହେ ଗୌରାଙ୍ଗ ହେ ମଧୁକଙ୍କଣ

ଚିରକାଳ ହୋଇ ଥାଅ ସେ ପଲ୍ଲୀର ପ୍ରାଣ ॥

——————————————-

ଶାନ୍ତି ଆଶ୍ରମ

ଚମ୍ପାଗଡ଼ି ମୟୂରଭଞ୍ଜ

ରଥଯାତ୍ରା – ୨୦୨୧

ଟିପ୍ପଣୀ :

ମୋ’ର ପ୍ରାଣର ପରମାରାଧ୍ଯ ଗୁରୁଦେବ ନିତ୍ୟଲୀଳାପ୍ରବିଷ୍ଟ ପରମହଂସ କୃଷ୍ଣାନନ୍ଦ ଦାସ ବାବାଜୀ ମହାରାଜଙ୍କର ଜନ୍ମଭୂମି ପୁରୀ ଜିଲ୍ଲାର ପିପିଲି ବ୍ଲକର ପବିତ୍ର ମୌଜବେଗ ଗାଁ ଉପସ୍ଥିତ କବିତାର ଉପଜୀବ୍ଯ ଏବଂ ସେହି ଗାଁ’ର ପ୍ରାଣ ହେଉଛନ୍ତି ତାହାର ଆରାଧ୍ଯ ଅଧିଷ୍ଠାତା ଦେବତା ମଧୁକଙ୍କଣ ଗୌରାଙ୍ଗ ! ଗୋଲୋକପ୍ରସ୍ଥାନ ଠାରୁ ଶ୍ରୀକୃଷ୍ଣଚୈତନ୍ଯ ମହାପ୍ରଭୁ ସେ ପଲ୍ଲୀରେ ପୂଜା ପାଉଛନ୍ତି । ତାଙ୍କର ଲଳିତ ଲୀଳା କଥା ଏ’ କବିତାର ଆତ୍ମା !

ପୁରୀରୁ ଭୁବନେଶ୍ବର ରାସ୍ତାରେ ତିରିଶ କିମି ଦୂର ସାତଶଙ୍ଖ ଠାରୁ ଡାହାଣକୁ ସାତ କିମି ଗଲେ ଏହି କୃଷ୍ଣସୁଖୀ ଗାଁ । ଆଶ୍ଚର୍ଯ୍ୟ ହେବେ ପାଠକେ, ସେ ପଲ୍ଲୀର ବ୍ରାହ୍ମଣ ଠାରୁ ଆରମ୍ଭ କରି ଶୁଦ୍ର ପର୍ଯ୍ୟନ୍ତ କେହି ମାଛ ମାଂସ ଦୂରେ ଥାଉ, ପିଆଜ ରସୁଣ ସୁଦ୍ଧା ଖାଆନ୍ତି ନାହିଁ ! ସମସ୍ତଙ୍କ କଣ୍ଠରେ ଶ୍ରୀକୃଷ୍ଣଙ୍କ ଆନୁଗତ୍ଯର ସୂଚକ ତୁଳସୀର କଣ୍ଠୀ ! ସେ ଆଧ୍ୟାତ୍ମିକ ବାତାବରଣଟିକୁ ବହମାନ ରଖିବାର ଦାୟିତ୍ୱ ଘେନିଛନ୍ତି ବଡ଼ ମଠ ଓ ସାନ ମଠ ନାମରେ ଗଦାଧର ପରିବାରର ଯୋଡ଼ିଏ ଅନୁଷ୍ଠାନ । ଆହୁରି ପୁଲକିତ ହେବେ ଯେ, ଦିବ୍ୟ ସୁରକ୍ଷାରେ ସୁରକ୍ଷିତ ସେ ପଲ୍ଲୀରେ କାହାରିକି କରୋନା ହୋଇନାହିଁ !!

ଶ୍ରୀଗୁରୁଦେବ ଭଗବାନଙ୍କ ଶ୍ରୀମୁଖରୁ ଯାହା ଶୁଣିଛି, ଲବଣ ସତ୍ଯାଗ୍ରହ କାଳରେ ଏକଦା ଗୋଟାଏ ଉଜ୍ଜ୍ବଳ ପୂର୍ବାହ୍ନରେ ସେ ପବିତ୍ର ପଲ୍ଲୀକି ଭିକ୍ଷାଟନରେ ଯାଇଥିଲେ ପୁରୀର ପରମହଂସବ୍ରତୀ ପରମଗୁରୁଦେବ ବାବାଜୀ ଶ୍ଯାମଚରଣ ଦାସ ମହାରାଜ। ଜନୈକ ଗ୍ରାମବାସୀ ବ୍ରଜକିଶୋର ବେହେରାଙ୍କ ଘର ଅଗଣାରେ ଧୂଳିଖେଳ ଛଳରେ ଶ୍ରୀକୃଷ୍ଣଙ୍କ ପୂଜାରେ ମଗ୍ନ ଶିଶୁଟିକୁ ଦେଖି ସେଦିନ ଗୋସେଇଁ ଆନନ୍ଦରେ ବିହ୍ଵଳ ହୋଇ ଯାଇଥିଲେ ଏବଂ ଭିକ୍ଷା ଛଳରେ ତାହାର ପିତାମାତାଙ୍କ ଠାରୁ ମାଗି ଆଣିଥିଲେ ସେହି ଦିବ୍ୟ ଶିଶୁଟିକୁ ! ଆଶ୍ରମଲାଳିତ ସେହି ଶିଶୁ ବଡ଼ ହୋଇ ହେଲେ ବିଦଗ୍ଧ ଉତ୍କଳୀୟ ବୈଷ୍ଣବ ବିଦ୍ବତ୍ ସମାଜର ମଧ୍ୟମଣି ପରମହଂସ କୃଷ୍ଣାନନ୍ଦ ଦାସ ବାବାଜୀ ମହାରାଜ । ଏ’ ଅକିଞ୍ଚନ କ୍ରୀତଦାସ ତାଙ୍କରି ଶରଣପ୍ରାପ୍ତ ଶିଷ୍ଯ। ଗୁରୁଦେବଙ୍କ ତଳ ଭାଇଟି ମଧ୍ୟ ତାରୁଣ୍ଯ ଛୁଉଁ ଛୁଉଁ ପରମ ବୈରାଗ୍ୟର ସହିତ ଘରୁ ବାହାରି ଯାଇଛନ୍ତି ! ଯୋଉ ଯାଇଛନ୍ତି , ସେବେଠାରୁ ତାଙ୍କୁ ଆଉ କେହି କୋଉଠି ଦେଖିବାକୁ ପାଇ ନାହାନ୍ତି ! ହଜାଇ ଦେଇଛନ୍ତି ଆପଣାର ପରିଚୟ ! ସୁଗୁଣର ସେ ବଂଶାନୁକ୍ରମଟିକୁ ଆଗକୁ ନେବାକୁ ସାନଭାଇ ହରିହର ଗୃହସ୍ଥ ହୋଇଥିଲେ ଯେ କି ଏଇ ତିନି ବର୍ଷ ତଳେ ଗୋଲୋକପ୍ରାପ୍ତି କରିଛନ୍ତି । ଜ୍ଯେଷ୍ଠ ଗୁରୁଭ୍ରାତା ପୂଜନୀୟ ବାବାଜୀ ଅଚ୍ଯୁତାନନ୍ଦ ଦାସ ମହାରାଜଙ୍କ ସହିତ ଯେତେବେଳେ ଦର୍ଶନରେ ଯାଇଥିଲି ହରିହରଙ୍କ ପୁତ୍ର ଜୟକୃଷ୍ଣ ତଥା ଈଶ୍ବର ପୃଷ୍ଟି , ନିରଞ୍ଜନ, ଭାସ୍କର ଆଦି ସରଳହୃଦୟ ଗ୍ରାମବାସୀମାନେ ବଡ଼ ଆନନ୍ଦରେ ଆମର ଆତିଥ୍ଯ କରିଥିଲେ। ଆଦରଣୀୟ ଧଡ଼ି ଥିଲା ଆମର ଆଗ୍ରହୀ ସାରଥୀ ।

ମୌଜବେଗ ପରି ଏହି ଏକାନ୍ତ ଧର୍ମନିଷ୍ଠ ପଲ୍ଲୀ ଗୁଡ଼ିକ ହିଁ ଭାରତବର୍ଷର ଆତ୍ମା , ଯୋଉଠି ସଯତ୍ନରେ ସଞ୍ଚିତ ରହିଛି ତାହାର ଆବହମାନ ସନାତନ ଧର୍ମ ପରମ୍ପରା ଯାହା ଆଜି ନଗରୀ ମହାନଗରୀ ଅତିନଗରୀ ମାନଙ୍କରେ ଅର୍ଥଲୋଲୁପ ଜୀବନଶୈଳୀ ହେତୁ କ୍ରମଶଃ ଅବକ୍ଷୟମୁଖୀ । ସୁତରାଂ ଶ୍ରଦ୍ଧାର ସହିତ ଆମକୁ ପୁନରାୟ ନିଜର ମହାନ୍ ପୂର୍ବଜ ମାନଙ୍କ ଶାଶ୍ବତ ଅନୁଶାସନ ସବୁ ଅଭ୍ଯାସ କରି ଜୀବନରେ ସେ ସବୁର ପ୍ରତ୍ୟକ୍ଷ ଫଳ ଦେଖିବାକୁ ହେବ ତଥା ଭବିଷ୍ୟ ପୀଢ଼ି ମାନଙ୍କ ପାଇଁ ସଂରକ୍ଷିତ ରଖିବାକୁ ହେବ ।

ବି ଦ୍ର : ଚିତ୍ରସ୍ଥ ଗୌରାଙ୍ଗ ମହାପ୍ରଭୁ ମୌଜବେଗ ଗାଁ’ର ମଧୁକଙ୍କଣ ଗୌରାଙ୍ଗ । କିନ୍ତୁ ବ୍ରଜବାସୀ ବଡ଼ ବାବାଜୀ ଓ ତାଙ୍କ ଅଙ୍ଗୁଳି ଧରି ଚାଲୁଥିବା କୁନୁ ବାବାଟି କବିତା ବର୍ଣ୍ଣିତ ମୋ’ର ପରମଗୁରୁଦେବ କି ଗୁରୁଦେବ ନୁହଁନ୍ତି ; କେବଳ କବିତାର ଚିତ୍ରାୟଣ ମାତ୍ର ।

…..


…..

Shree Sanatkumar Das

…..

ଶ୍ରୀ ସନତକୁମାର ଦାଶ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:

Facebook” 


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Sanatkumar Das ସନତକୁମାର ଦାଶ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment