ନିରୁଦ୍ଧିଷ୍ଟ ଯାତ୍ରା
ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ
ହଠାତ ନିଦରୁ ଉଠି ପଡିଲା ନିଶିକାନ୍ତ । ଝରକା ଖୋଲି ଦେଖିଲା, ନିଶା ଗର୍ଜୁଛି । ମେଞ୍ଚାମେଞ୍ଚା ଅନ୍ଧାର । ସକାଳ ହେବାକୁ ଆହୁରି ଡେରି ଅଛି । ଖଟ ଉପରେ ସ୍ତ୍ରୀ ଓ ପୁଅ ଗାଢ ନିଦ୍ରା ଯାଇଛନ୍ତି । ଆଖି ପୁରାଇ ବଡ କୃତଜ୍ଞତା ଓ ଆହ୍ଲାଦରେ ଟିକିଏ ଚାହିଁଲା ସେମାନଙ୍କୁ । ତାକୁ ଏ ଦୁହେଁ ଠିକ୍ ବୁଝିଛନ୍ତି ବୋଲି ସାଥି ଦେଉଛନ୍ତି ଏ ଯାଏଁ । ସେ କିନ୍ତୁ ଆଜିଯାଏ କୁଆଡେ ବୁଝିପାରିଲାନି ସେମାନଙ୍କୁ, ସଂସାରକୁ, ସ୍ୱଜନଙ୍କୁ । କିଛି ଠିକ୍ କରି ନ ପାରି ତ ଏଇ ନିଶାର୍ଦ୍ଧରେ ଆନ୍ଦୋଳିତ ମନକୁ ଦୃଢ କରି ବାହାରିଛି । ଆଉ ଫେରିବନି । ବାପା ଗଲାଦିନଠୁ ଆହୁରି ନିରବି ଯାଇଛି ସେ । ସମସ୍ତେ ମୁହଁ ଫେରାଇ ନେଇଛନ୍ତି । କବାଟ ଖୋଲିଲା । ଏରୁଣ୍ଡି ଡେଇଁଲା ବେଳକୁ କେହିଜଣେ ତାକୁ ଡାକିଲା ଭଳି ମନେ ହେଲା । ନା …….ଏ ମନର ମାୟା, ମୋହ । ଗ୍ରିଲ୍ ଖୋଲି ବାହାରିଲା । ସକାଳ ହେବା ପୂର୍ବରୁ ପରିଚିତ ଇଲାକା ପାରହେବାକୁ ହେବ ।
କୁଆଡେ ଯାଊଛି ନ ଜାଣି ବି ବଡବଡ ପାହୁଣ୍ଡ ପକାଇ ଚାଲିଲା ନିଶିକାନ୍ତ । ଯାତ୍ରା ନିରୁଦ୍ଧିଷ୍ଟ । ତଥାପି ସେ ଦିନଠୁ ଏମିତି ଚାଲିଛି ସେ । କେତେ ଗାଁ ଗଣ୍ଡା ପଛରେ ଛାଡି ଆସିଛି । କିଛି ମନେରଖିପାରିନି । ଆବଶ୍ୟକ ମଣିନି । ବାଟରେ ପେଟ ଯନ୍ତ୍ରଣା ସହି ନପାରି କୋଉ ହୋଟେଲ ମାଲିକଠୁ କି କୋଊ ଘରମାଲିକାଣିଠୁ ଓଳି ତଳେ ଠିଆ ହୋଇ ପେଟେ ପାଣି ପିଇ ପୁଣି ଚାଲିଛି । କଦବା କେଉଁଦିନ କୁନିପିଲାଙ୍କ ହାତରୁ ପାଣି ପିଇଲା ବେଳେ ଅଜାଣତରେ ତା ଆଖି ଜକେଇ ଆସିଛି.ଆଜି ସେସବୁ ସ୍ୱପ୍ନ । ବର୍ଷାଜଳର ବୁଦ୍ବୁଦ୍ ପ୍ରାୟେ ଲୀନ ହୋଇଗଲାଣି । ଏ ଜାଗାଟା ତାକୁ ଟିକିଏ ଭଲ ଲାଗୁଛି ତେଣୁ ଅଟକି ଯାଇଛି ଏଇ କେତେଦିନ । ଗୋଟିଏ ପଟେ ତୁଙ୍ଗ ତମାଳ ବନରାଜି ଶୋଭିତ ବରଫାବୃତ ଗିରିରାଜ ଓ ପାଦଦେଶରେ ଯନ୍ତ୍ର ଦାନବର ପଥ ପ୍ରଦର୍ଶକ ରେଳଧାରଣା । ଆରପଟେ ଜୀବନକୁ ତୁଚ୍ଛ କରି ଜୀବିକା ମୋହରେ ଲାଗିପଡିଥିବା ଅଗଣିତ ଜନବସତି । ସେମାନଙ୍କ ଅସୁମାରି ସ୍ୱପ୍ନରେ ଏ ନିର୍ଜୀବ ଷ୍ଟେସନଟି ବି ପାଗଳ ।
ହସମାଡିଲା ନିଶିକାନ୍ତକୁ । ଜୀବନରେ ବୋଧେ ପ୍ରଥମ ଥର ପାଇଁ ହସୁଛି । କାହାର ପ୍ରଗଳ୍ଭ ହସ ତାକୁ.ଭଲ ଲାଗେନା । ତଥାପି ବଡ ଜୋରରେ ହସିଦେଲା । ମୁହୂର୍ତ୍ତକ ପାଇଁ ନିର୍ଜନ ପରିବେଶଟା କମ୍ପି ଉଠିଲା । ପ୍ରକୃତିସ୍ଥ ହୋଇ ଗିରୀରାଜଙ୍କୁ ଚାହିଁ କବିତା ଦୁଇଧାଡି ଗୁଣୁଗୁଣେଇଲା । ………… ମନେମନେ କହି ନମିଲି ନିରବେ, ନମୋ ଦେବାତ୍ମନେ ଶ୍ରୀ ଗୌରୀଗୁରବେ । ଏଇ ସେଇ ଗିରୀରାଜ ଭାରତର ଆତ୍ମା । ଏଠି ଋଷି ଠାରୁ ଦେବତା ଯାଏଁ ସଭିଁଏ ଏକାକାର । ଏମିତି କେତେ ଭାବିଗଲା ନିଶିକାନ୍ତ । ପ୍ରତିଦିନ ସକାଳୁ ସେ ଆସି ଠିଆହୁଏ । ଅନେକ ଭାବେ ତା ଭାବନାରେ ଭଟ୍ଟା ପକାଇ ଷ୍ଟେସନରେ ଗାଡି ଚୁଙ୍ଗା ବାଜିଲେ ସେ ଦଉଡେ ପ୍ଲାଟଫର୍ମକୁ । ପ୍ରତି ଡବାର ଝରକାକୁ ଖୋଜିଲା ଆଖିରେ ଚାହିଁ ନିରାଶ ହୋଇ ତାର ପରିଚିତ ଥୁଣ୍ଟା ଗଛ ପାଖକୁ ଫେରି ଆସେ । ତା ଭଳି ଗଛଟାରେ ବି ପତ୍ର ଫୁଲ ଫଳ ନାହିଁ । ତେଣୁ ତା ମୁଳରେ ଆଉଜି ପଡିଲେ କିଛି କହେନି । ଭାବେ ବୋଧେ କେହି ଜଣେ ବି ତ ତାର ବୋଲି ଅଛି ।
ଆଜି ମଧ୍ୟ ନିଶିକାନ୍ତ ଷ୍ଟେସନରୁ ଫେରି ଗଛ ମୁଳରେ ଘୁମେଇ ପଡିଛି । ହଠାତ ଗାଡି ହର୍ଣ୍ଣରେ ଆଖି ଖୋଲିଲା । ଅବିଳମ୍ବେ ଗାଡି ଭିତରୁ ଭଦ୍ରମହିଳା ଜଣେ ବାହାରି ଆସିଲେ ତା ଆଡକୁ । ଲକ୍ଷ୍ମୀ ପ୍ରତିମା ଭଳି ଦିଶୁଥାନ୍ତି । ନିଶିକାନ୍ତ କିଛି ଭାବିବା ପୂର୍ବରୁ ମହିଳା ଜଣକ ବାଷ୍ପରୁଦ୍ଧ ଗଳାରେ କହିଲେ “ଭାଇ କେବେଠୁ ଆସିଲଣି । ମୋ ଘର ଏହି ପାଖରେ ଆସ ଘରୁକୁ ଯିବା” । ବିଶ୍ୱାସ କରିପାରିଲା ନାହିଁ ନିଜକୁ ନିଶିକାନ୍ତ । ଦୀର୍ଘ ବର୍ଷ ପରେ ଏତେ ଆପଣାପଣରେ ତାକୁ କିଏ ଭାଇ ବୋଲି ଡାକୁଚି । ଭଦ୍ରମହିଳାଙ୍କ ଅନୁରୋଧରେ ଯନ୍ତ୍ରବତ୍ ଅନୁସରଣ କଲା । ଭୟ, ଅଶାଳୀନତ ସବୁ ମାଡି ପଡୁଥିଲେ ବି ପାଖ ସିଟ୍ ରେ ବସି ଥରେ ଦିଥର କଣେଇ କଣେଇ ଚାହିଁ ଥିବା ବେଳେ ଗାଡିଯାଇ ପହଞ୍ଚିଲା ଏକ ସୁରମ୍ୟ ପ୍ରାସାଦରେ । ଘର କାନ୍ଥରେ ଦୁଇଟି ନାମ ଫଳକ । ଗୋଟିଏ ପ୍ରଫେସର ଡଃ ସମ୍ବିତା ମହାପତ୍ରଙ୍କ ଅନ୍ୟଟି ଶ୍ରୀଯୁକ୍ତ ସମ୍ଭବ ମହାପାତ୍ର (ଷ୍ଟେସନ ମାଷ୍ଟର) ଙ୍କର । ନିଶିକାନ୍ତଙ୍କର ଘର ଭିତରକୁ ଯିବା ରେ ଡେରି ଦେଖି ଡ୍ରାଇଭର ପାଇଁ ନିର୍ଦ୍ଦେଶ ହେଲା ତାଙ୍କୁ ନେଇଯିବା ପାଇଁ ।
ନିଶିକାନ୍ତ ଯାଇ ଡ୍ରଇଁ ରୁମ୍ ସେଫାରେ ବସିବା କ୍ଷଣି ଚା ସରଞ୍ଜାମ ଧରି ସମ୍ବିତା ଆସିଯାଇଥିଲା । ଚାହା ଢାଳୁ ଢାଳୁ ପଚାରିଲା “ମିଠା ଛାଡିଲଣି ନା ସେଇ ଦୁଇ ଚାମଚ । ତମେ କୋଉ ଛାଡିଥିବଯେ” । ସେ କିନ୍ତୁ ବିନା ଚିନିରେ ଚା ପିଇଲା । ହାତରେ ଚା ଧରି ନିଶିକାନ୍ତ ଅତୀତକୁ କିଛି ସମୟ ପାଇଁ ଫେରିଗଲେ । ଗୋଟିଗୋଟି ହୋଇ ସବୁ ଘଟଣା ଭାସି ଉଠିଲା । କେତେ ମିଠା ପ୍ରିୟ ନଥିଲା ଏ ସମ୍ବିତା । ଚା ବି ପ୍ରବଳ ପିଏ । ସେ ଅଭ୍ୟାସଟି ଛାଡି ପାରିନି । ଚା ପିଆ ଶେଷରେ କୁନି ଝିଅଟି ଦଉଡି ଆସି ସମ୍ବିତା କୋଳରେ ବସି ମୋ ଆଡକୁ ଚାହିଁ କଣ ପଚାରିଲା ବୋଧେ । ପର ମୁହୂର୍ତ୍ତରେ ନିଶିକାନ୍ତ ପାଦ ଛୁଇଁ ପ୍ରଣମ କଲାବେଳେ ତାକୁ କୋଳେଇ ନବାକୁ ନିଶିକାନ୍ତଙ୍କର ହାତ ଦୁଇଟି ଆପଣା ଛାଏଁ ଆଗକୁ ବଢି ପୁଣି ଫେରିଆସିଲା ।
ଏତିକି ବେଳେ ସୁଟ ପିନ୍ଧା ବାବୁ ଜଣେ ପଶି ଆସିଲେ । ସେ ବୋଧେ ସମ୍ଭବ । କାନ୍ଧରୁ ତାଙ୍କର କୋଟ୍ଟା କାଢୁ କାଢୁ ସମ୍ବିତା ପଚାରିଲା ଆଜି ତମର ଏତେ ଡେରି କଣ ? ଉତ୍ତର ଆସିଲା ନାଇଁମ ଆଜି ସାଙ୍ଗମାନେ ସୂର୍ଯ୍ୟୋଦୟ ଦେଖିବାକୁ ପର୍ବତ ଆଡେ ପଳାଇଥିଲୁତ । “ତମେ ଜାଣିନ ସମ୍ବିତା କି ପୁଲକିତ ଅନୁଭବ” । ହିମାଳୟର ମସ୍ତକରେ ରଶ୍ମିଜ୍ଜୋଳ ପାଦପାତ କରି ବାଳଭାନୁ ଯେବେ ଓଲ୍ହାଇ ଆସନ୍ତି ବରଫାବୃତ ନିର୍ଜୀବ ଗିରୀରାଜ ବି ରୋମାଞ୍ଚିତ€ହେଲା ଭଳି ମନେହୁଏ । ଦୁହିଁଙ୍କ ଅଲକ୍ଷିତରେ ଫାଟକ ଡେଇଁ ନିଶିକାନ୍ତ ପୁଣି ଆରମ୍ଭ କଲେ ନିରୁଦ୍ଦିଷ୍ଟ ଯାତ୍ରା । …. .. . .
Photo Source: Internet