ଧୋତି ଗାମୁଛା (ଭାଗ ୨)
ଲେଖକ/କବି: ଶ୍ରୀ ଧୀରେନ୍ କୁମାର ବେହେରା
Author/ Poet: Shree Dhiren Kumar Behera
…..
ପାଚେରୀ ପାଖରେ ଗଛରେ ଚଢ଼େଇ
ଉଆସକୁ ତାଙ୍କ ଲୁଚେଇ ନେଲେ ।
ହାତ ମୁଁହ ଦେହ ଧୋଇ ଦେଲେ ମୋର
ନିଜ ଜରି ଲୁଗା ପିନ୍ଧେଇ ଦେଲେ ।୧୧।
ତାଙ୍କଠୁ ସୁନ୍ଦର ଭାରି ମନୋହର
ଚମକ ଚେହେରା ଯୁବକ ପରି ।
ଏତେ ଦିନ ପରେ ଦର୍ପଣ ଆଗରେ
ନିଜକୁ ଦେଖି ମୁଁ ଗଲି ଯେ ଡରି ।୧୨।
ଏମନ୍ତ ରୁପକୁ ମୋ ସୁଶୀଳା ଦେଖି
ଉହାଡେ ନିଶ୍ଚୟ ମାରିବ ଆଖି ।
ପିଲାମାନଙ୍କର ଶୁଖିଲା ବଦନ
ମନେ ପଡ଼ି ମୁହଁ ଗଲା ମୋ ଶୁଖି ।୧୩।
ସତ୍ୟଭାମା ଆସି କହିଗଲେ ହସି
ରସିକ ଶେଖର ସଅଳ ଆସ ।
ଧୋତି ପିନ୍ଧେଇଲେ କହ୍ନେଇ ଖାଇବେ
ପିନ୍ଧିବା ଆସୁନି ମନ ବିରସ ।୧୪।
ଆଖିରେ ଜକେଇ ଆସିଥିଲା ଲୁହ
ପୋଛି ଚାଲିଗଲି ଭୋଜନ କକ୍ଷ ।
ଅଧା ପିନ୍ଧା ଧୋତି କହ୍ନେଇ ଧରିଛି
ହସୁଛନ୍ତି ସବୁ ଘରଣୀ ଯାକ ।୧୫।
ମନରୁ ପ୍ରୀୟାର ଛବି ଉଭେଇଲା
ଦଉଡି ଧରିଲି ଧୋତିର କୁଞ୍ଚ ।
ବଡ଼ ଘର ପିଲା ବାହାନା ଝାମେଲା
ବୁଝି ପାରିଲିନି କୃଷ୍ଣର ଖଞ୍ଜ ।୧୬।
କାଳେ ସେଠି କୃଷ୍ଣ ହୋଇବେ ଉଲଗ୍ନ
ସେଇ ଡର ମୋତେ ବସିଲା ମାଡ଼ି ।
ଘର କଣେ ନେଇ ଦେଲି ମୁଁ ପିନ୍ଧେଇ
ଶସ୍ତା କସ୍ତା ଧୋତି ପଶାର ପାଢ଼ୀ ।୧୭।
ମୋତେ ଦେଇଥିଲେ ପିତାମ୍ବରୀ ପାଟ
ନିଜେ ପିନ୍ଧିଛନ୍ତି ମୋହରି ଧୋତି
ଫଟା ଫାଙ୍କେ ତାଙ୍କ ଶ୍ରୀଅଙ୍ଗ ଦିଶୁଛି
କମନୀୟ ଭାରି ଦିଶେ ଶ୍ରୀପତି ।୧୮।
ତାଙ୍କଠୁ ସୁନ୍ଦର ମୋ ଗୋରା ଶରୀର
ସବୁଦିନ ମୁହିଁ ଏପରି ଦିଶେ ।
ତଥାପି କାହିଁକି ମନ ମୁଁ ମାରିଛି
ଗରିବ ପରାଏ ରାତ୍ର ଦିବସେ ।୧୯।
ଗାମୁଛା ମୋହର ଏଡିକି ସୁନ୍ଦର
କହ୍ନେଇ ଦେହକୁ ଦେଉଛି ଶୋଭା ।
ଏତେ ଦିନ ଯାଏଁ ବୁଝି ପାରି ନାହିଁ
ବିକଶିତ କରେ ଅପୂର୍ବ ଆଭା ।୨୦।
…..
…..