ପୁରୀ ନଦୀ (୨)

Baikunthnath Khatua ବୈକୁଣ୍ଠନାଥ ଖଟୁଆ

ପୁରୀ ନଦୀ (୨)

ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ

Author: Shree Baikunthnath Khatua


…..

ଆଗରୁ କହିଥିଲି ଭାର୍ଗବୀରୁ ଚନ୍ଦନପୁରଠାରେ ଧାଉଁରିଆ ବାହାରି ମାଳତୀପାଟପୁରରେ ଦୁଇ ଭାଗ ହୋଇଛି, ବାମ ପାଖରେ କାଞ୍ଚି ଡାହାଣ ପାଖରେ ଧାଉଁରିଆ ଜଗନ୍ନାଥ ସଡକକୁ କ୍ରସ୍ କରି ସମାଙ୍ଗପାଟରେ ପଡିଛି । ସମାଙ୍ଗପାଟରୁ ସୁନାମୁହିଁ ବାହାରି ମଙ୍ଗଳା ନଦୀରେ ମିଶିଛି । ସେମିତି କାଞ୍ଚି ମାଳତୀପାଟପୁରରୁ ବାହାରି ସର ହ୍ରଦରେ ପଡିଛି । ଏହି ସର ହ୍ରଦର ଖାଲୁଆ ଜାଗାରେ ଗୋଟେ ବନ୍ଧ ଥିଲା । ଏହି ଖାଲୁଆ ଅଞ୍ଚଳ ଦେଇ ପାଣି ଜଗନ୍ନାଥ ମନ୍ଦିର ପଶ୍ଚିମ ପଟେ ବହି ଯାଉଥିଲା । ଏହି ବନ୍ଧରେ ଗୋଟେ ମୂଷାଗାତ କରିବାରୁ ଗଳିଆ ଫିଟିଗଲା । ଏହି ନଦୀ ମୂଷାନଦୀ ଭାବେ ପରିଚିତ ହେଲା । ଏହି ନଦୀର ବିଭିନ୍ନ ନାମ ଅଛି । ଏହାର କିଛି ଅଂଶ ମୂଷାନଈ ପରେ ମଧୁପୁର ନଈ, ପରେ ମିଟିଆଣୀ ନଦୀ ପରେ ମଙ୍ଗଳା ନଈ କହନ୍ତି । ଏହି ଦୁଇଟି ନଦୀ ମଙ୍ଗଳା ଓ ସୁନାମୁହିଁ ମିଶିଲା ପରେ ଏହାକୁ କେତେବେଳେ ସୁନାମୁହିଁ ତ କେତେବଳେ ମଙ୍ଗଳା ନଦୀ କହନ୍ତି । ଏହି ମଙ୍ଗଳା ନଦୀ ପୁରୀ ଟାଉନର ଗଡଖାଇ ଭାବେ କାର୍ଯ୍ୟ କରେ ।

କାଞ୍ଚିନଦୀର ଗୋଟିଏ ଧାର ବାଲିଘାଟଠାରେ ଥିଲା । ଏହା ବାଲିଦ୍ଵାରା ପୂର୍ଣ୍ଣ ହୋଇଯାଇଥିଲା । ପାଣି ସମୁଦ୍ରକୁ ଯାଇପାରୁ ନ ଥିଲା । ଏହାକୁ ୧୯୩୨ ମସିହାରେ ୪୦୦ ମିଟର ଓସାରରେ ଖୋଳା ଗଲା । ଏହାକୁ ବାଲିଘାଇ କଟ୍ କହନ୍ତି । ସେମିତି ଭାର୍ଗବୀରୁ ପାଣି ଡିସଚାର୍ଯ୍ୟ ହେବା ପାଇଁ ଗବକୁଣ୍ଡ କଟ୍ ଖୋଳା ଯାଇଛି । କାଞ୍ଚିନଦୀ ସରପାଟ ଭିତରେ ବିଲୀନ ହୋଇଯାଇଛି । ଏହି ପାଟରୁ କେତେଗୁଡିଏ ଧାର ବାହାରିଛି । ଏଥିରୁ ମୂଷାନଈ ଗୋଟିଏ । ଏହି ମୂଷାନଈ ଉତ୍ତରକଣାରେ ଛିଣ୍ଡି ଥିଲା । ମୂଷାନଈ ଖରାଖାଇ ଠାକୁରାଣୀଙ୍କ ପାଖରେ ଗୋଟିଏ ଗଣ୍ଡ ଥିଲା । ସେଇଠୁ ନଦୀଟି ଦୁଇଭାଗରେ ବିଭକ୍ତ ହୋଇଥିଲା । କିଛି ବାଟ ଗଲା ପରେ ପୁଣି ଏହା ମିଳିତ ହୋଇଛନ୍ତି । ଏହାକୁ ମଧୁପୁର ନଈ କହନ୍ତି । ଏହି ନଦୀ କିଛି ବାଟ ଗଲା ପରେ ହୁଳୁହୁଳିଆଘାଟ ପଡେ । ଏହିଠାରୁ ଜଗନ୍ନାଥଙ୍କ ଦାରୁ ନଦୀରେ ଆସି, ଏହି ଘାଟରେ ପହଞ୍ଚେ । ଏହିଠାରେ ହୁଳହୁଳି ପକେଇ ଦାରୁଙ୍କୁ ମନ୍ଦିର ପାଖକୁ ନିଅନ୍ତି । ତେଣୁ ଏହାର ନାମ ହୁଳୁହୁଳିଆ ଘାଟ କହନ୍ତି । ଏହାରି ପାଖରେ ଚୁଡଙ୍ଗ ଘାଟ ଥିଲା । ଜଗନ୍ନାଥ ମନ୍ଦିର ପଥର ଏହି ଘାଟରେ ଉତାରୁ ଥିଲେ । ଏହି ମଙ୍ଗଳା ନଦୀରୁ ହୁଳୁହୁଳିଆ ପରେ ଦୁଇଟା ଧାର ବାହାରିଥିଲା ସେଗୁଡିକ ହେଲା ମାଳିନୀ ଓ ଶାରଦା ନଦୀ । ଏହି ଦୁଇଟି ନଦୀ ବାହାରି କିଛି ବାଟ ପରେ ଏକତ୍ର ହୋଇ ବାଙ୍କୀ ନଦୀରେ ପଡିଥିଲା । ଏହି ଦୁଇଟି ନଦୀ ବଡଦାଣ୍ଡ ଉପରେ ବଡଶଙ୍ଖ ଓ ସାନଶଙ୍ଖ ଭାବରେ ପରିଚିତ । ଜଗନ୍ନାଥ ମନ୍ଦିର ଠିକ୍ ପଶ୍ଚିମ ପାଖରେ ମଙ୍ଗଳାଘାଟ । ମଙ୍ଗଳାଘାଟ ଆଗକୁ ଲୋକନାଥ ଘାଟ । ଏହି ଲୋକନାଥ ଘାଟଠାରେ ମଙ୍ଗଳା ଓ ସୁନାମୁହିଁ ଏକତ୍ର ହୋଇଯାଇଥିଲେ । ଯେତେ ଘାଟ ଥିଲା, ଏହି ମଙ୍ଗଳା ନଦୀ ଉପରେ ଥିଲା । ଏବେ ତାର ଅସ୍ତିତ୍ଵ ପୋଖରୀ ରୂପରେ ଅଛି । କୋଉଠି କୋଉଠି ନଦୀ ରୂପରେ ଦେଖା ଯାଏ । କିନ୍ତୁ ଏହାର ଆଂଶିକ ଅସ୍ତିତ୍ଵ ପରିଦୃଶ୍ୟମାନ ।

ଏହି ଦେଶ ହିନ୍ଦୁ ରାଜାମାନକ ଅଧୀନରେ ଥିଲା ବେଳେ ଯାତ୍ରୀକର ନ ଥିଲା । ନଦୀପଥଗୁଡିକ ମାଲ ପରିବହନ ଓ ଯାତ୍ରୀ ପରିବହନରୂପେ ବ୍ୟବହାର ହେଉଥିଲା । ଓଡିଶାର ରାଜସ୍ୱ କହିଲେ ଯାହା ଭୂ-ରାଜସ୍ୱ ଆଦାୟ ହେଉଥିଲା । ମୋଗଲମାନେ ଓଡିଶା ଅଧିକାର କରିବା ପରେ ଯାତ୍ରୀକର ବସିଲା । ମୁଖ୍ୟତଃ ଆଉରେଙ୍ଗଜେବଙ୍କ ସମୟରେ ଯାତ୍ରୀ କର ଲାଗୁ ହେଲା । ଆଉରେଙ୍ଗଜେବଙ୍କ ସମୟରେ ଓଡିଶାର ବଡଠାକୁରଙ୍କୁ ଭୀତତ୍ରସ୍ତ କରି ପକେଇଥିଲେ । କେତେବେଳେ ଜଗନ୍ନାଥଙ୍କୁ କାଙ୍କଣଶିଖରୀ ତ କେତେବଳେ ଚିଲିକା ଖରିନାସୀ ତ କେତେବେଳେ ବାଣପୁର ବଡହନ୍ତୁଆଳ ଆଉ ଆଠଗଡ ମାରଦା ମନ୍ଦିରରେ ଲୁଚେଇ ରଖିଥିଲେ । ତା’ପୂର୍ବରୁ ସୋନପୁର ବୀରମହାରଜପୁର ଗୋପାଳି ଗାଁରେ ରକ୍ତବାହୁ ଭୟରେ ଲୁଚେଇ ରଖି ଥିଲେ । ସେତେବେଳେ ଠାକୁରଙ୍କୁ ଏହି ନଦୀପଥ ଆଉ କେତେବଳେ ହାନ୍ଦୋଳାରେ ନେଉଥିଲେ । କେତେବେଳେ ମଙ୍ଗଳାଘାଟରୁ ଠାକୁରଙ୍କୁ ମଙ୍ଗଳା ନଈ-ମୂଷାନଈ-କାଞ୍ଚିନଈ- ଧାଉଁରିଆ ଦେଇ ଚନ୍ଦନପୁରରୁ ଭାର୍ଗବୀ ବାଟେ ଚିଲିଲିକକୁ ନେଉଥିଲେ ତ ଆଉ କେତେ ବେଳେ ହାନ୍ଦୋଳାରେ ବା କାନ୍ଧରେ କି ଶଗଡିରେ ଶ୍ରୀମନ୍ଦିରରୁ ଭାର୍ଗବୀ ନଦୀ ଉପରେ ଥିବା ଦୋବନ୍ଧାଘାଟକୁ ନେଉଥିଲେ । ସେଠାରୁ ଡଙ୍ଗାରେ ଭାର୍ଗବୀ-ଚିଲିକା ବାଟେ ଗୁପ୍ତସ୍ଥାନକୁ ନେଉଥିଲେ । ଜଗନ୍ନାଥଙ୍କୁ ଏହି ଦୁଇଟି ବାଟରେ ନେଉଥିଲେ । ଆଉରଙ୍ଗଜେବ ଏ ଜାତିକି ଖିନଭିନ ଓ ଲହୁଲୁହାଣ କରିଦେଇଥିଲା । ଆଉରଙ୍ଗଜେବଙ୍କ ଶାସନକାଳ ୧୬୫୭ ରୁ ୧୭୦୭ ଯାଏ ଦୀର୍ଘ ୫୦ ବର୍ଷ ଥିଲା । ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ଏ ଦେଶ ଶାନ୍ତିରେ ନିଶ୍ଵାସ ମାରିଲା । ଏହା ପରେ ମୋଗଲ ସାମ୍ରାଜ୍ୟ ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲା । ମୁତକାତ୍ କୁଲି ଖାନ ଓଡିଶା ସୁବେଦାର ହେଲେ । ସେ ପ୍ରଜାପାଳକ ଥିଲେ । ହେଲେ ପୁଣି ୧୭୩୧-୩୩ ଘୋର ଦୁର୍ଦ୍ଦିନର ସମୟ ଆସିଥିଲା । ଏହି ସମୟରେ ତାକୀ ଖାନ ଭୟରେ ଜଗନ୍ନାଥଙ୍କୁ ମାରଦା ନେଇଥିଲେ ।

ମରହଟ୍ଟା ସମୟରେ ସେହି ଟିକସ୍ ସେମିତି ବସି ଥିଲା । ହେଲେ ମଧ୍ୟ ମରହଟ୍ଟାମାନେ ମନ୍ଦିର ପରିଚାଳ ପାଇଁ ସତେଇଶି ହଜାର ମାହାଲ ଦେଇଥିଲେ । ଇଂରେଜମାନଙ୍କ ସମୟରେ ସେମିତି ଯାତ୍ରୀକର ଥିଲା । ଆଗରୁ ସେହି ଘାଟ ଥିଲା । ଜଗନ୍ନାଥ ରାସ୍ତା ଉପରେ ଅଠର-ନଳା ସୋମବଂଶୀମାନଙ୍କ ସମୟରୁ ଥିଲା । ଏହିଠାରେ ଯାତ୍ରୀକର ଆଦାୟ କରାଯାଉଥିଲା । ଏହା ଥିଲା ରାସ୍ତା-ଉପରେ-ଘାଟ । ଆଉ ଯେତେ ଘାଟ ଥିଲା, ସେ ସବୁ ନଦୀ ଘାଟ । ସେତେବେଳେ ନଦୀଘାଟ ଓ ରାସ୍ତା-ଘାଟ ଠିକ୍ ସ୍ଥଳପଥର ପାଖେପାଖେ ଜଳପଥ ଥିଲା । ଯେମିତି ମହାନଦୀର କଡେକଡେ ରାସ୍ତା ଥିଲା, ଏହାକୁ ସମ୍ବଲପୁର ରାସ୍ତା କହନ୍ତି ।

ଭାର୍ଗବୀ ନଦୀରେ ଯୋଉ ପାଣି ଆସୁଥିଲା, ତାହାର ଦିଗ ପରିବର୍ତ୍ତନ କରି ପ୍ରାଚୀ ବାଟେ ଗଲା । ଫଳରେ ପୁରୀର ଚାରି ପଟେ ଯେଉଁ ହ୍ରଦ ଓ ନଦୀ ଥିଲା, ସବୁ ପୋତି ହେବାରେ ଲାଗିଲା । ଏହା ସୋମବଂଶୀ ଓ ତୃତୀୟ ଅନଙ୍ଗଭୀମ ଦେବଙ୍କ ସମୟ ଭିତର କଥା । ମଙ୍ଗଳା ନଦୀ ପୋତି ହେବାକୁ ଲାଗିଲା । ଯେତେ ଘାଟ ଥିଲା, ସେ ସବୁ ଅସ୍ତିତ୍ଵ ହରାଇଲା । ସେହି ନଦୀର ଶଯ୍ୟାରେ ପୋଖରୀମାନ ଖୋଳାଗଲା । ଏହି ପୋଖରୀଗୁଡିକ ହେଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ , ନରେନ୍ଦ୍ର ପୁଷ୍କରିଣୀ ଓ ମାର୍କଣ୍ଡେୟ ପୁଷ୍କରିଣୀ । ଏବେ ମଙ୍ଗଳା ନଦୀରେ ପାଣି ନ ଆସିବାରୁ, ଏହି ପୋଖରୀ ଭିତରେ ପ୍ରବେଶ ନ କରିବାରୁ,, ଏହାର ଜଳ ଅପରିଷ୍କାର । ଏହି ପୋଖରୀସବୁ ଦଳରେ ପରିପୂର୍ଣ୍ଣ ହେଲାଣି । ଏହି ନଦୀ ଶଯ୍ୟାରେ ଘାଟ ଥିଲା । ପାଣି ନ ଆସିବାରୁ ଘାଟ ଅସ୍ତିତ୍ଵ ହରାଇଲା । କୋଉଠି କେମିତି ନାମକୁ ମାତ୍ର ଘାଟ ଅଛି । ଏହି ଘାଟ ବିଷୟରେ ସଂକ୍ଷିପ୍ତ ଅଲୋଚନ କରାଗଲା ।

(୧) ଅଠରନଳା ଘାଟ – ଏହି ଘାଟ ଜଗନ୍ନାଥ ସଡକ ଉପରେ ଥିଲା । ଏଠାରେ ଘାଟ ପଢିଆରୀ ଥିଲେ । ଘାଟ ଜଗୁଥିଲେ । ଟିକସ୍ ଆଦାୟ କରୁଥିଲେ । ଏହା ମୁଖ୍ୟଘାଟ ଥିଲା ।

( ୨) ହରିଣୀ ଘାଟ – କୁମ୍ଭାରପଡା ଫାଣ୍ଡି ଆଗରେ ହରିଣୀଘାଟ ଥିଲା । ଏହି ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ ଥିଲା । ହରିଣମାନେ ଏହି ଘାଟରେ ପାଣି ପିଉଥିଲେ । ଜଙ୍ଗଲରେ ଚରାବୁଲା କରୁଥିଲେ । ତେଣୁ ଏହାର ନାମ ହରିଣୀଘାଟ । ପରେ ଜଙ୍ଗଲ ସଫା କରି କୁମ୍ଭାରମାନେ ବସବାସ କଲେ । ଜଗନ୍ନାଥ ମନ୍ଦିର ପାଇଁ କୋଡୁଆ ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ହେଲେ । ରାଜାମାନେ କୁମ୍ଭାରମାନଙ୍କୁ ଆଣି ଜମିବାଡି ଖଞ୍ଜା କରେଇ ରଖେଇଲେ ।

( ୩) ହୁଳୁହୁଳିଆଘାଟ – ହରିଣୀଘାଟ ପରେ ଏହି ଘାଟ ପଡ଼େ । ଆଲାମଚଣ୍ଡି ଠାକୁରାଣୀଙ୍କ ସମ୍ମୁଖରେ ଏକ ପୋଖରୀ ଅଛି । ଏହା ହେଉଛି ହୁଳୁହୁଳିଆଘାଟ । ଏହିଠାରେ ଜଗନ୍ନାଥଙ୍କ ଦାରୁ ପହଞ୍ଚିଲେ, ସ୍ତ୍ରୀ ଲୋକମାନେ ହୁଳହୁଳି ପକେଇ ଜଗନ୍ନାଥଙ୍କ ଦାରୁ ନେଉଥିବାରୁ, ଏହାକୁ ହୁଳୁହୁଳିଆଘାଟ କହନ୍ତି । ଏହା ଏକ ପ୍ରାଚୀନ ଘାଟ । ଏହା ଗଙ୍ଗ ରାଜତ୍ଵ ସମୟରୁ ପ୍ରତିଷ୍ଠିତ ।

(୪) ଚୁଡଙ୍ଗ ହ୍ରଦ – ଜଗନ୍ନାଥଙ୍କ ମନ୍ଦିର ପାଖରୁ ମାତ୍ର ୪୦୦ ମିଟର ଦୂରରେ ଏହି ଘାଟ । ଅରାଗଡ/ ବିଶ୍ଵନାଥମୁଣ୍ଡିଆରୁ ପଥର ଦୟା ଭାର୍ଗବୀ ଧାଉଁରିଆ କାଞ୍ଚି ମଙ୍ଗଳା ଦେଇ ଚୁଡ଼ଙ୍ଗ ହ୍ରଦରେ ପହଞ୍ଚୁଥିଲା । ଏହି ହ୍ରଦକୁ ଚୋଡଗଙ୍ଗଦେବ ଖୋଳେଇଥିଲେ । ତେଣୁ ଏହାର ନାମ ଚୁଡଙ୍ଗ ଘାଟ । ପାଖରେ ଚୁଡ଼ଙ୍ଗ ସାହି ଅଛି । କଥିତ ଅଛି – କୌଣସିଠାରେ ମନ୍ଦିର ନିର୍ମାଣ କରିବାକୁ ହେଲେ ଏହି ଚୁଡ଼ଙ୍ଗସାହିରୁ ମାଟି ନେବାକୁ ପଡେ । ଏହି ହ୍ରଦର ନିର୍ମାଣ ଜଗନ୍ନାଥ ମନ୍ଦିର ନିର୍ମାଣ ସମୟରେ ହୋଇଥିଲା ।

(୫) ମଙ୍ଗଳାଘାଟ – ଏହା ଜଗନ୍ନାଥ ମନ୍ଦିର ପାଖ ଘାଟ । ଏହା ମଙ୍ଗଳା ନଦୀ ଉପରେ ଅବସ୍ଥିତ ଥିଲା । ଏହା ମୁଖ୍ୟ ଘାଟ ଥିଲା । ଦକ୍ଷିଣ ଦିଗର ଅନେକ ଦକ୍ଷିଣୀ-ଯାତ୍ରୀ ଏହି ବାଟ ଦେଇ ଆସୁଥିବାରୁ, ପୁରୀ ଯିବାକୁ ହେଲେ ଘାଟ ପରି ହେବାକୁ ପଡୁଥିଲା । ତେଣୁ ଏଠାରେ ଘାଟ ଥିଲା । ଏହି ଘାଟରେ ଯାତ୍ରୀ ଓ ମାଲପତ୍ର ପରିବହନ ହେଉଥିଲା । ସେତେବେଳେ ନଦୀ ଘାଟ ଥିଲା । ଏବେ ଘାଟ ନହିଁ । ଏହି ନଦୀ ଉପରେ ପୋଲ ତିଆରି ହୋଇଛି । ଏବେ ଘାଟ ନାହିଁ କି ଯାତ୍ରୀ ନାହାଁନ୍ତି । ଯାତ୍ରୀ ବସ ଟ୍ରେନରେ ଆସୁଛନ୍ତି ।

(୬) ଲୋକନାଥ ଘାଟ – ମଙ୍ଗଳା ନଦୀ ଓ ସୁନାମୁହିଁ ଏକତ୍ର ହେବାପରେ ଏଠାରେ ଏକ ଘାଟ ଥିଲା ଏହି ଘାଟରେ ଦକ୍ଷିଣ ଦିଗରୁ ଯାତ୍ରୀ ଓ ପାଖ ଆଖ ଲୋକ ଆସୁଥିଲେ । ଏହା ଜଗନ୍ନାଥ ମନ୍ଦିରଠାରୁ ବହୁ ଦୂର । ଏହା ଲୋକନାଥମନ୍ଦିର ପାଖରେ ଥିଲା । ଏଠାରେ ପାରି ହେଲେ ଲୋକନାଥଙ୍କୁ ଦର୍ଶନ କରି ପୁଣି ଚାଲିଚାଲି ମନ୍ଦିର ପଖକୁ ଯାଉଥିଲେ । ବର୍ତ୍ତମାନ ଏସବୁ ଅଞ୍ଚଳ ବାଲୁକାମୟ ।

(୭) ବାଲିଘାଟ – କାଞ୍ଚିନଦୀ ଧାର ସମୁଦ୍ରକୁ ମିଶିଥିଲା । କାଞ୍ଚି ନଦୀର ଶେଷ ଅଂଶକୁ ଏବେ ନୂଆନଈ କହୁଛନ୍ତି । ଏଠାରେ ଏକ ଘାଟ ଥିଲା । ଏଠାରେ ଯାତ୍ରୀ ଟିକସ ଆଦାୟ ହେଉଥିଲା । ଏହି ଘାଟରେ ଡଙ୍ଗା ପଡିଥିଲା । ପରି ହେଲେ ମହସୁଲ ଆଦାୟ ହେଉଥିଲା ।

ଘାଟ ବିଷୟରେ ବହୁତ କଥା ଅଛି । ସଂକ୍ଷିପ୍ତରେ ଲେଖିଛି । କାଲି ପୁରୀର ପୁଷ୍କରିଣୀ ବିଷୟରେ ଲେଖିବି ।

…..

Shree Baikunthnath Khatua

ଶ୍ରୀ ବୈକୁଣ୍ଠନାଥ ଖଟୁଆ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:
Facebook“, 


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Baikunthnath Khatua ବୈକୁଣ୍ଠନାଥ ଖଟୁଆ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment