ପ୍ରକୃତ ବନ୍ଧୁ

ପତିବ୍ରତା

ପ୍ରକୃତ ବନ୍ଧୁ

[ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)]

ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ

Author/ Presentator: Shree Ranganath Rath


…..

ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)

✥━━━✥━━━✿━━━✥━━━✥

ପ୍ରକୃତ ବନ୍ଧୁ 

✥━━━✥✿✥━━━✥

ନିଶା ଗରଜୁଥାଏ। ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ। ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନ ଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ। ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ।

କିନ୍ତୁ ରାଜା ବିକ୍ରମାର୍କ ଟିକିଏ ହେଲେ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ। ତା’ପରେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ ଜଣକ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଏତେ କଷ୍ଟ କରି ଶ୍ମଶାନରେ ବୁଲୁଛ। ମୁଁ ଜାଣିବାକୁ ଚାହେଁ ଯେ ଏତେ କଷ୍ଟ ତୁମେ ନିଜପାଇଁ ନା ପରପାଇଁ କରୁଛ? ଯଦି ତୁମେ ଏସବୁ ନିଜପାଇଁ କରୁଛ ତେବେ ତ ମୋର କିଛି ହେଲେ କହିବାର ନାହିଁ। ଆଉ ଯଦି ତୁମେ ଅନ୍ୟ କାହାର ନିର୍ଦ୍ଦେଶରେ ଏପରି କରୁଛ, ତେବେ ତୁମକୁ ସଚେତନ କରିବାପାଇଁ ମୁଁ କିଛି କହିବାକୁ ଚାହେଁ। ବେଳେବେଳେ ମଣିଷ ବଡ଼ମାନଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ ଭାବି ବ୍ୟର୍ଥ କଷ୍ଟ କରିଥା’ନ୍ତି; କିନ୍ତୁ କାର୍ଯ୍ୟରେ ସଫଳତା ମିଳିଲେ ସେମାନେ ବାହାଦୁରି ନେବେ, ନହେଲେ ସେମାନଙ୍କୁ ନିନ୍ଦା କରିବେ। ଉଦାହରଣ ସ୍ୱରୂପ ତୁମକୁ ମୁଁ ଧନଦତ୍ତ ବିଷୟରେ କହୁଛି। ମନ ଦେଇ ତାହା ଶୁଣ। ଶୁଣିଲେ ତୁମ ଶ୍ରମଭାର ଅବଶ୍ୟ ଲାଘବ ମନେହେବ।” ଏତିକି କହିସାରି ବେତାଳ ଗପିଲା –

ଗୋଟିଏ ସହରରେ ଧନଦତ୍ତ ନାମକ ଜଣେ ବ୍ୟବସାୟୀ ଥିଲେ। ସେ ବିଦେଶରେ ବାଣିଜ୍ୟ କରି ବହୁତ ଧନ ରୋଜଗାର କଲେ। ତେଣୁ ସେ ନିଜେ ଗୋଟିଏ ଜାହାଜ କିଣିଲେ। ଏବେ ତାଙ୍କରି ଜାହାଜରେ ନିଜର ଓ ଅନ୍ୟମାନଙ୍କର ଜିନିଷ ମଧ୍ୟ ବିଦେଶକୁ ଯାଉଥାଏ। ହଠାତ ଦିନେ ଖବର ମିଳିଲା ଯେ ସବୁ ମାଲପତ୍ର ସହ ତାଙ୍କ ଜାହାଜ ଠିକ ମଝିଦରିଆରେ ଡୁବିଗଲା। କେତେକ ବ୍ୟବସାୟୀ ତାଙ୍କୁ ଈର୍ଷ୍ୟା କରୁଥିଲେ। ଯୋଗକୁ ଏବେ ସେମାନଙ୍କୁ ଏକ ସୁଯୋଗ ମିଳିଗଲା। ସେମାନେ ନିଜ ଜିନିଷ ଯୋଗୁଁ ଧନଦତ୍ତଙ୍କୁ ବହୁତ ପ୍ରକାରେ ଅପମାନିତ କଲେ। ସେମାନେ ଏକାଠି ହୋଇ ଧନଦତ୍ତଙ୍କ ପାଖରେ ନିଜ ଜିନିଷର ଉଚିତ ମୂଲ୍ୟ ଦାବୀ କଲେ। ଧନଦତ୍ତ ସେସବୁ ଅବଶ୍ୟ ଦେଲେ। କିନ୍ତୁ ସତକୁ ସତ ସେ ଦରିଦ୍ର ହୋଇଗଲେ। ଶେଷରେ ତାଙ୍କର କେବଳ ଏକ ବଡ଼ ପ୍ରାସାଦ ରହିଲା। ସେଥିରେ ନିୟୋଜିତ ଅନେକ ଚାକରବାକରଙ୍କୁ ବାଧ୍ୟହୋଇ ସେ କାର୍ଯ୍ୟରୁ ଛୁଟି ଦେଲେ ଓ ଘରଟି ମଧ୍ୟ ଦୁଇମାସପାଇଁ ବନ୍ଧକ ରଖିଲେ।

ଦିନେ ସେ ତାଙ୍କ ପୁଅକୁ ଡାକି କହିଲେ, “ପୁଅ ଏବେ ତୁ ତ ଯଥେଷ୍ଟ ବଡ଼ ହୋଇଗଲୁଣି। ଏଣିକି ତୁ ମୋତେ କାମରେ ଟିକେ ସାହାଯ୍ୟ କର। ତୁ ଏ ପର୍ଯ୍ୟନ୍ତ ଆମର ବୈଭବ ଓ ଐଶ୍ୱର୍ଯ୍ୟ ଦେଖି ଆସିଛୁ। ଏଣିକି ଦାରିଦ୍ର୍ୟ ଦେଖିବାର ସମୟ ଆସିଛି। ମୁଁ ଯେତେବେଳେ ବ୍ୟବସାୟର ଦାୟିତ୍ଵ ତୋତେ ଦେବି ବୋଲି ଭାବିଲି ସେତେବେଳେ ସମୟ ଖରାପ, ସମସ୍ତ ସମ୍ପତ୍ତି ନଷ୍ଟଭ୍ରଷ୍ଟ ହୋଇଗଲା। ଏପରି ବିପଦ ସମୟରେ ହିଁ ମଣିଷର ବିବେକ ଓ ଧୈର୍ଯ୍ୟର ପରୀକ୍ଷା ହୁଏ। ଆମେ ଧୈର୍ଯ୍ୟର ସହିତ ଏହି ସମସ୍ୟାର ସମ୍ମୁଖୀନ ହେବା ଉଚିତ। ଏବେ ଆମକୁ ଅଳ୍ପ କିଛି ଧନ ମିଳିଗଲେ ତଦ୍ଦ୍ୱାରା କୌଣସି ନୂଆ ବ୍ୟବସାୟ ଆରମ୍ଭ କରାଯାଇ ପାରିବ। କିନ୍ତୁ ଏହି ସହରରେ ଆମକୁ ସାହାଯ୍ୟ ଦେବାବାଲା ଆଉ କେହି ମଧ୍ୟ ନାହାନ୍ତି। ଏବେ ତୁ ଆମର ନିଜ ଗ୍ରାମ ରତ୍ନପୁରକୁ ଯାଇ ଆମର ଦୂର ସମ୍ପର୍କୀୟ ବନ୍ଧୁ ଚନ୍ଦ୍ରଶେଖରଙ୍କ ସହ ଦେଖା କରି ତାଙ୍କଠାରୁ ପଚିଶ ହଜାର ମୋହର ଆଣିବୁ। ସେ ଜଣେ କୋଟିପତି। ଫଳରେ ମୁଁ ଏଠାକାର କରଜ ଶୁଝିଦେବି ଓ ବଳକା ଧନରେ ପୁଣି ଆଉ ଏକ ନୂଆ ବ୍ୟବସାୟ ଆରମ୍ଭ କରିବି ଓ ତୋତେ ମଧ୍ୟ ବ୍ୟବସାୟ ଶିଖାଇଦେବି।”

ଏଥିଉତ୍ତାରେ ପୁତ୍ର ଦେବଦତ୍ତ ପିତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ରତ୍ନପୁର ଅଭିମୁଖେ ଯାତ୍ରା କଲା। ବାହାରିବାବେଳେ ଧନଦତ୍ତ ତାକୁ କହିଲେ, “ସଂଧ୍ୟା ହେଉ ହେଉ ତୁ ଯାଇ ମୋତିପୁରରେ ପହଞ୍ଚିବୁ। ସେଠାରେ ମୋର ବନ୍ଧୁ ରମାକାନ୍ତ ଘରେ ରାତିଟା ରହିଯିବୁ । ସକାଳୁ ପୁଣି ଯାତ୍ରା ଆରମ୍ଭ କଲେ ଖରା ବେଶି ହେବା ପୂର୍ବରୁ ରତ୍ନପୁରରେ ତୁ ଯାଇ ପହଞ୍ଚିଯିବୁ। ଯଦି କୌଣସି କାରଣରୁ ଚନ୍ଦ୍ରଶେଖର ଗ୍ରାମରେ ନଥାଏ ତେବେ ମୋର ବାଲ୍ୟବନ୍ଧୁ ବିନୟସେନଙ୍କ ଘରେ ତୁ ରହିଯିବୁ। କିନ୍ତୁ ଭୁଲରେ ମଧ୍ୟ ତୁ ଯେମିତି ତାକୁ ବା ରମାକାନ୍ତକୁ ଏ ପଇସା କଥା କିଛି ହେଲେ ବି କହିବୁ ନାହିଁ।”

ପିତାଙ୍କ କହିବା ଅନୁସାରେ ଦେବଦତ୍ତ ପ୍ରଥମେ ମୋତିପୁରରେ ଯାଇ ପହଞ୍ଚି ରମାକାନ୍ତଙ୍କ ଘରେ ରହିଲା। ସେମାନେ ଦେବଦତ୍ତର ଖୁବ ଆଦର ସତ୍କାର କଲେ। ଦେବଦତ୍ତ ପାଖରୁ ତାଙ୍କ ଘରର ସମସ୍ତ ଖବର ଶୁଣି ସେ କହିଲେ, “ମୋତେ ଧନ କଥା ନ କହି ତୋ ବାପା ଚନ୍ଦ୍ରଶେଖର ପାଖକୁ ତୋତେ ପଠାଇଛି କାହିଁକି? ତୋ ବାପା ଯେତେବେଳେ ପିଲା ହୋଇଥିଲା ତା’ର ବାପମା’ ଏକାଠି ମରିଗଲେ। ସେତେବେଳେ ଚନ୍ଦ୍ରଶେଖର ତୁମ ଘରେ ଆସି ରହିଲା ଓ ତୁମର ସମସ୍ତ ସମ୍ପତ୍ତି ଠକି ନେଇଗଲା। ତୋ ବାପା କୌଣସିମତେ ଏ ଗ୍ରାମରୁ ପଳାଇ ଯାଇ ସହରରେ ବ୍ୟବସାୟ କରି ସେ ନିଜେ ନିଜ ଗୋଡ଼ରେ ଠିଆ ହେଲା। କିନ୍ତୁ ଚନ୍ଦ୍ରଶେଖର ତୋ ବାପାକୁ ପଇସା ସାହାଯ୍ୟ ଦେବାକଥା କେବେହେଲେ ମଧ୍ୟ ଭାବିନାହିଁ। ରମାକାନ୍ତ ପଚାରିଲେ ଏପରି କଞ୍ଜୁସ୍ ଲୋକ ତୋ ବାପାକୁ ଏବେ କାହିଁକି ଭଲା ପଇସା ଦେବ?”

ଦେବଦତ୍ତ କହିଲା, “ଆପଣଙ୍କ ପାଖରୁ ପଇସା ଧାର ନେବାକୁ ତ ବାପା ମୋତେ ମନା କରିଛନ୍ତି।”

କିଛି ସମୟ ପରେ ଚିନ୍ତାକରି ରମାକାନ୍ତ କହିଲେ, “ମୁଁ ଠିକ ଜାଣେ ସେ ଏପରି କାହିଁକି କହିଲା। ଅସୁବିଧା ସମୟରେ ମୁଁ ତାକୁ ସାହାଯ୍ୟ କରିପାରି ନାହିଁ, କିନ୍ତୁ ଯେତେବେଳେ ତୋ ବାପା ବହୁତ ଧନ ଅର୍ଜ୍ଜନ କଲା, ସେତେବେଳେ ମୁଁ ତା’ଠାରୁ ବହୁତ ସାହାଯ୍ୟ ପାଇଛି। ତାକୁ ମୋତେ ପାଞ୍ଚହଜାର ମୁଦ୍ରା ଫେରାଇବାର ଅଛି। ଏହି ଧନତକ ନେଇ ତୁ ତୋ ବାପାକୁ ଦେବୁ ଓ ତାକୁ କହିବୁ ଏବେ ଆଉ ମୋର ସେ ଆର୍ଥିକ ସମସ୍ୟା ନାହିଁ।”

ଦେବଦତ୍ତ କହିଲା ଯେ ଫେରିବାବେଳେ ସେତକ ଧନ ସେ ନେଇଯିବ। ତା’ପରେ ରମାକାନ୍ତ ଗମ୍ଭୀର ହୋଇ କହିଲେ, “ମୁଁ କହିବା ମୁତାବକ ତୁ କାମ ନକଲେ, ତୋ ବାପାକୁ କହିବୁ ଯେ ଭବିଷ୍ୟତରେ ମୁଁ ତା’ର ମୁହଁ ଆଉ କେବେ ବି ଦେଖିବି ନାହିଁ।”

ଦେବଦତ୍ତ ସେଠାରୁ ଆସି ରତ୍ନପୁରରେ ପହଞ୍ଚିଲା। ସେତେବେଳେ ଚନ୍ଦ୍ରଶେଖର ଗ୍ରାମରେ ନଥିଲେ। ତା’ ବାପାଙ୍କ କଥା ଅନୁସାରେ ସେଦିନ ସେ ବିନୟସେନଙ୍କ ଘରକୁ ଗଲା। ସେ ତାକୁ ବଡ଼ ଆଦର ସତ୍କାର କଲେ। ଦେବଦତ୍ତର ଏଠାକୁ ଆସିବାର ସମସ୍ତ କାରଣ ଜାଣିବା ପରେ ବିନୟସେନ କହିଲେ, “ଚନ୍ଦ୍ରଶେଖର ତୁମରି ଜମି ଜାଗା ସବୁ ଠକି ନେଇ ନିଜେ ଧନୀ ହୋଇଗଲା। ସେଠାରୁ ଟଙ୍କା ଆଣିବାକୁ ତୋତେ ତୋ ବାପା କିପରି ପଠାଇଛି? ଏପରି ମଧ୍ୟ ହୋଇପାରେ ଯେ ତୁ ଏଠାକୁ ଆସିଛୁ ବୋଲି କୌଣସି ମତେ ସେ ଜାଣିପାରି କେଉଁଠି ଗୋଟେ ଯାଇ ସେ ଲୁଚିଯାଇପାରେ। ଯେ ପର୍ଯ୍ୟନ୍ତ ତୁ ଏଠାରୁ ଯାଇନାହୁଁ, ସେପର୍ଯ୍ୟନ୍ତ ସେ ଏଠାକୁ ଆଉ ଫେରିବ ନାହିଁ। ଯେତେଧନ ଦରକାର ତୁ ସେସବୁ ମୋ ପାଖରୁ ନେଇ ଫେରିଯା।”

ଏକଥା ଶୁଣି ଦେବଦତ୍ତ ବଡ଼ ବ୍ୟସ୍ତ ହୋଇ କହିଲା, “ଆପଣମାନଙ୍କ ପରି ଭଲଲୋକ ଥାଉ ଥାଉ, ମୋ ବାପା ଯେ ସେ ଚନ୍ଦ୍ରଶେଖରଠାରୁ ଧନ ନେବାକୁ କାହିଁକି ଭାବିଲେ? ଆପଣଙ୍କ ଭଳି ମୋତିପୁରର ସେ ରମାକାନ୍ତବାବୁ ମଧ୍ୟ ଆମକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ।”

ତା’କଥା ଶୁଣି ବିନୟସେନ ହସି ହସି କହିଲେ, “ଏହି ଗ୍ରାମର ଏତେ ଲୋକଙ୍କୁ ସେ ସାହାଯ୍ୟ କରିଛନ୍ତି ଯେ ତାଙ୍କର ଅସୁବିଧା ସମୟରେ ଆମେ ଯଦି ତାଙ୍କୁ କିଛି ଦେଉ ତେବେ ତାହା ସାହାଯ୍ୟ ନୁହେଁ, ବରଂ ଆମେ କେବଳ ତାଙ୍କରି ଟଙ୍କାହିଁ ତାଙ୍କୁ ଦେଉଛୁ ବୋଲି ଭାବିବାକୁ ହେବ।” ଦେବଦତ୍ତ ସେଠାରେ ଦୁଇଦିନ ରହିବା ମଧ୍ୟରେ, ବିନୟସେନ ନିଜର ଓ ଅନ୍ୟମାନଙ୍କଠାରୁ ପଇସା ଆଣି ସେସବୁ ଏକାଠି କରି, ପ୍ରାୟ ତିରିଶ ହଜାର ମୋହର ଦେବଦତ୍ତକୁ ଦେଲେ ଓ ତାକୁ ସେ କହିଲେ ଯେ ଚନ୍ଦ୍ରଶେଖରର ଫେରିବାର ଆଉ ନାମ ନାହିଁ। ଦେବଦତ୍ତ ସେତକ ଧନ ଓ ଫେରିବା ବାଟରେ ରମାକାନ୍ତ ଦେଇଥିବା ଧନ ସବୁ ନେଇ ଘରେ ପହଞ୍ଚି ଦେଖିଲା ଯେ ସେଠାରେ ଜଣେ ବୁଢ଼ାଲୋକ ଆସି ବସିଛି।

ଧନଦତ୍ତ ନିଜ ପୁଅ ସହିତ ତାଙ୍କର ପରିଚୟ କରାଇ ଦେଇ କହିଲେକି, “ଶୁଣ ପୁଅ ଏହାଙ୍କର ନାମ ଚନ୍ଦ୍ରଶେଖର। ରତ୍ନପୁରରୁ କୌଣସି କାମରେ ଆସି ହଠାତ ସେ ଏଠାରେ ଅସୁସ୍ଥ ହୋଇ ପଡ଼ିଲେ। ଆମଘରେ ତାଙ୍କର ଚିକିତ୍ସା କରାହେଉଛି। ଏମିତିକି ତାଙ୍କର ସବୁ ପଇସା ମଧ୍ୟ ଶେଷ ହୋଇ ଯାଇଛି। ସମ୍ପର୍କରେ ସେ ତୋର ଜେଜେ ବାପା ହେବେ। ତେଣୁ ତାଙ୍କୁ ଆଗ ପ୍ରଣାମ କର।”

ଦେବଦତ୍ତ ତାଙ୍କୁ ପ୍ରଣାମ କଲା ଓ ତାଙ୍କର ଫେରିଯିବାପାଇଁ ଟଙ୍କାର ବ୍ୟବସ୍ଥା କଲା। ତା’ପରେ ସେ ତା’ସହିତ ଆଣିଥିବା ସବୁ ଧନ ବାପାଙ୍କୁ ଦେଇ କହିଲା, “ତୁମର ଯଦି ଏତେ ସବୁ ବନ୍ଧୁ ଅଛନ୍ତି, ତେବେ ତୁମେ ମୋତେ ଏହି କଞ୍ଜୁସଠାରୁ ପଇସା ଆଣିବାକୁ କାହିଁକି କହିଥିଲ?” ତହୁଁ ସେ ଧନଦତ୍ତ କହିଲେ, “ତୋର ବ୍ୟବହାରିକ ଜ୍ଞାନ ହେବାପାଇଁ।”

ଉପରୋକ୍ତ ଗପଟି ଶୁଣାଇ ସାରି ବେତାଳ କହିଲା, “ରାଜନ୍, ଧନଦତ୍ତଙ୍କର ଏତେ ଭଲ ବନ୍ଧୁସବୁ ଥିବା ସତ୍ତ୍ୱେ ସେ କାହିଁକି ତାଙ୍କ ପୁଅକୁ ସେହି ଠକ ଓ କଞ୍ଜୁସ୍ ଚନ୍ଦ୍ରଶେଖରଙ୍କ ପାଖକୁ ପଠାଇଲେ? ପୁଣି ତା’କାମ ସାରି ପୁଅ ଫେରିବାରୁ ତାକୁ ବ୍ୟବହାରିକ ଜ୍ଞାନ ଶିଖାଇବାପାଇଁ ଏପରି କରିଛନ୍ତି ବୋଲି କହିବା କ’ଣ ଠିକ୍? ମୋର ଏହି ପ୍ରଶ୍ନର ଉତ୍ତର ଜାଣିକରି ବି ତୁମେ ଯଦି କିଛି ନ କହିବ ତେବେ ତୁମର ଶିର ହେବ ସ୍କନ୍ଧଚ୍ୟୁତ।

ବିକ୍ରମାର୍କ କହିଲେ, “ଧନଦତ୍ତ ବହୁତ ବୁଦ୍ଧିମାନ ଓ ବିବେକୀ, ପୁଅ ସେପରି କହିଲେ, ତାଙ୍କର ବନ୍ଧୁମାନେ ଜାଣିବେ ଯେ ତାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ। ତେଣୁ ମାଗିବା ପୂର୍ବରୁ ସେମାନେ ବହୁତ ପଇସା ଦେଇଦେବେ। ତା’ପରେ ବାପା ତାଙ୍କର ପୁଅକୁ ଯାହା ଶିଖାଇଲେ ତାହା ଯଥାର୍ଥ। ଏସବୁ ଅଭିଜ୍ଞତା ଭିତର ଦେଇ ଦେବଦତ୍ତ ଯାଇ ନଥିଲେ ତା’ର ସଂସାର ବିଷୟରେ ଓ ମଣିଷ ଚରିତ୍ର ବିଷୟରେ ଯଥେଷ୍ଟ ଜ୍ଞାନଲାଭ ହୁଏତ ହୋଇ ନଥା’ନ୍ତା। ତେଣୁ ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଧନଦତ୍ତ ଉଭୟ ବିବେକୀ ଓ ବୁଦ୍ଧିମାନ ମଧ୍ୟ।

ରାଜା ଉତ୍ତର କହିବାରୁ ତାଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ଶବ ସହିତ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବୋକ୍ତ ସେହି ଗଛର ଡାଳରେ ଯାଇ ଝୁଲିପଡିଲା ।

ସମାପ୍ତ

(ସଂକଳକ – ରଙ୍ଗନାଥ ରଥ) 

…..


…..

Shree Ranganath Rath

ଶ୍ରୀ ରଙ୍ଗନାଥ ରଥ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook” 


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Ranganath Rath ରଙ୍ଗନାଥ ରଥ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment