ତିନୋଟି ସ୍ୱପ୍ନ

Suravi Digital Magazine in Odia

ତିନୋଟି ସ୍ୱପ୍ନ

ଲେଖକ: ଶ୍ରୀ ହରେକୃଷ୍ଣ ସାହୁ

Shree Harekrushna Sahu

**********[ନାରୀ-ମାଛ-ମଦ ]**********


…..

ନାରୀ :

କାଲି ରାତିରେ ମା’କାଳୀ ମତେ ସ୍ୱପ୍ନରେ ଦେଖା ଦେଲେ। ସେଇ ପୁରୁଣା ରୂପ। ତେଣୁ ମୁଁ ଅନୁରୋଧ କରିବା ଶୈଳୀରେ କହିଲି-ମାଆ,ଆଜି ପୁରୁଷ ଦିବସ। ଆଜି ଗୋଟିଏ ଦିନପାଇଁ ହେଲେ ଶଙ୍କରା’ଇ ଛାତି ଉପରୁ ଗୋଡ଼ଟା ଉଠା।

କାଳୀ ତାଙ୍କର ଲମ୍ବା ଜିଭଟାକୁ ପାଟି ଭିତରକୁ ଶୋଷି ନେଇ କହିଲେ-ପୁରୁଷ କେଉଁଦିନ ସଶକ୍ତ ହେଲାଣି ଯେ ମୁଁ ତାକୁ ଦିନକ ପାଇଁ ସୁଯୋଗ ଦେବି। ମୁଁ ନାରୀମାନଙ୍କ ପାଇଁ ଗୋଟେ ବଡ଼ କାମ କରିଛି। ଶୁଣିବୁ ?

କହିଲି-ହଁ।

— ଦେଖ୍ , ବିଜେପି ବାଲା ହେଲେ ଠାକୁର ବାଡି଼ଆ ଦଳ। ତାଙ୍କ ରଙ୍ଗ ଗେରୁଆ। ପୋଷାକ , ପତାକା ଗେରୁଆ। ଆର୍ ଏସ୍ ଏସ୍ , ଭି ଏଚ୍ ପି ତାଙ୍କର । ଦେଶ ସାରାର ବାବାଜି ତାଙ୍କର। ମଠ ମନ୍ଦିରର ଚିନ୍ତା ତାଙ୍କ ମୁଣ୍ଡରେ। ତେଣୁ ଆମେ ତାଙ୍କୁ ବହୁତ ଭଲପାଉ।ସେଥିପାଇଁ ଗୋଟେ କାମ କରିଦେଲି।ସୀତା ରମଣ ହେଲା ମହିଳା। ପ୍ରତିରକ୍ଷା ମନ୍ତ୍ରୀ। ସିଏ ଯୁଦ୍ଧ କରିବ। ସୁଷମା ସ୍ୱରାଜ ମହିଳା।ବିଦେଶ ମନ୍ତ୍ରୀ। ସିଏ ବିଦେଶ ବୁଲିବ। ରାଜନାଥ ସିଂ ହେଲା ପୁରୁଷ। ଗୃହ ମନ୍ତ୍ରୀ। ଘରେ ରହିବ ଆଉ ରୋଷେଇବାସ କରିବ। ଦେଖିଲୁ କେମିତି ଓଲଟାଇ ଦେଲି। ଏଥର ରାଜନାଥ ସିଂ ତା’ର ବାୟୋଡାଟା ରେ କ’ଣ ଲେଖିବ ଜାଣିଛୁ – ହାଉସ୍ ହଜବ୍ୟାଣ୍ଡ୍। ମୁଁ ଦେଶର ନେତାଙ୍କୁ ଛାଡି଼ନାହିଁ ।ତୁମେ ସାଧାରଣ ମଣିଷଗୁଡା଼ କୋଉ ଗାଈର ଗୋଗର।ଏବେ କହ ଶିବ ଉପରୁ ଗୋଡ଼ଟା ଉଠେଇବି ?

ହାତ ଜୋଡି଼ କହିଲି – ନାଁ ଥାଉ । ମୁଁ ଖାଲି ଏମିତି କହି ଦେଲିନା ।

ମାଛ :

ପହରି ଦିନ ଥିଲା କାର୍ତ୍ତିକ ମାସ ରବିବାର । ଲଞ୍ଚ ପାଇଁ ବସିଥିଲି। ହୋଟେଲର ପିଲାଟି ପଚାରିଲା – କ’ଣ ଦେବି ? ଅରୁଆ ନା ଉଷୁନା ?

କହିଲି – କାର୍ତ୍ତିକ ମାସ । ତେଣୁ ଅରୁଆ ଦେ।

— ଆଉ ?

— ରବିବାର ଆଇଁଷ ବାର। ତେଣୁ ସୋରିଷ ମସଲା ଚୁନାମାଛ ହାଫ୍ ପ୍ଲେଟ୍ ଦେ।କାର୍ତ୍ତିକ ମାସ ଆଉ ରବିବାର ଦି ଟା ସାରା ହୋଇଯିବ।

ସେଦିନ ରାତିରେ ଭଗବାନ ନାରାୟଣ ସ୍ୱପ୍ନରେ ଦେଖା ଦେଇ କହିଲେ – ମୁଁ ତତେ ବର ଦେବାକୁ ଆସିଛି।

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି – ପ୍ରଭୁ,ମୁଁ ତ କିଛି ଅପରାଧ କରିନାହିଁ । ପାପ କରିନାହିଁ । ମତେ କାହିଁକି ବର ଦେବେ ? ଦି ଚାରିଟା ମର୍ଡର ନକଲେ , ଦୁର୍ନୀତି ନକଲେ ଆପଣତ ମନ୍ତ୍ରୀ , ନେତା ହେବାପାଇଁ ବର ଦିଅନ୍ତି ନାହିଁ ।ଗରିବର ରକ୍ତ ନଶୋଷିଲେ ଧନୀ କରନ୍ତି ନାହିଁ …….

— ନାଁ ନାଁ ତୁ କାର୍ତ୍ତିକ ମାସରେ ମାଛ ଖାଇ ଥିବାରୁ ମୁଁ ତୃପ୍ତ,ସନ୍ତୁଷ୍ଟ , ଆନନ୍ଦିତ ଓ ମୁଗ୍ଧ। ତୁ ଜାଣିଥିବୁ ମୁଁ ପ୍ରଥମ ଆଇଁଷ ଅବତାର ନେଇଥିଲି। ମତ୍ସ୍ୟାବତାର । କାର୍ତ୍ତିକ ମାସରେ ମତେ ପୂଜା କରୁଛ ବୋଲି କହୁଛ । ଅଥଚ ମାଛକୁ ମାନେ ମତେ ଘୃଣା କରୁଛ । ଇଏ କି ପ୍ରକାର ଭକ୍ତି। ଲୋକଙ୍କ ଛଳନା ମତେ ଭଲ ଲାଗୁନି। ବାଧ୍ୟ ହୋଇ ହବିଷ୍ୟାନ୍ନ ଖାଉଛ।
କିନ୍ତୁ ବ୍ୟାକୁଳ ହୋଇ ଛାଡ଼ଖାଇକୁ ଅପେକ୍ଷା କରୁଛ ।
ଛାଡ଼ଖାଇ ଭଲ ବାରରେ ପଡୁଛି ନା ନାହିଁ ହିସାବ କରୁଛ।
ଛାଡଖାଇ ଭିଡ଼ରୁ ରକ୍ଷା ପାଇବା ପାଇଁ ଆଇଁଷ ଦୋକାନୀକୁ ଏଡ଼ଭାନ୍ସ ଦେଇ ସାରିଲଣି।
ତୁ ଏପରି ଚିନ୍ତା ନକରି ଆଇଁଷ ଖାଇ ଥିବାରୁ ବର ପାଇବା ପାଇଁ ହକଦାର୍ ।

ମଦ :

ଆଜି ସକାଳୁ ମଦମନ୍ତ୍ରୀ ମୋ ପାଖକୁ ଫୋନ୍ କରି କହିଲେ- ହରିଭାଇ,ମୁଁ ଆଜି ଗୋଟେ ବିଚିତ୍ର ସ୍ୱପ୍ନ ଦେଖିଲି।ତୁମର ତ ସ୍ୱପ୍ନ ବିଷୟରେ ପ୍ରଚଣ୍ଡ ଜ୍ଞାନ ଅଛି।ତେଣୁ ତୁମ ପାଖକୁ …..

କହିଲି – ନିଦ ଭଲ ନହେଲେ ସ୍ୱପ୍ନ ଦେଖାଯାଏ । ନିଦ ଭଲ ନହେବାଟା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଖରାପ୍ ।ତେଣୁ ଭଲ ନିଦ ପାଇଁ ଟିକେ ଡୋଜ୍ ବଢେଇ ଦିଅ। ଆଉ ଦୁଇ ପେଗ୍ ଏକ୍ସଟ୍ରା ପିଅ।

— ନାଁ ନାଁ ସ୍ୱପ୍ନଟା ଅଲଗା ପ୍ରକାରର । ଭାରି ଦିବ୍ୟ ।
ହିମାଚଳ ପ୍ରଦେଶ କି କୋଉଠି ଗୋଟେ ମଦ ଠାକୁର ଅଛନ୍ତି। ଯେଉଁଠି ମଦ ଭୋଗ ହୁଏ।ସିଏ ସ୍ୱପ୍ନରେ ଦେଖାଦେଇ କହିଲେ,ମତେ ଏଠୁ ଶୀଘ୍ର ନେଇ , ବିଜେଡି଼ ଦଳର ଇଷ୍ଟ ଦେବତା କରି ସ୍ଥାପନା କର । ଏହାର ପ୍ରକୃତ ଅର୍ଥ କ’ଣ କହିଲ ?

ମୁଁ କହିଲି – ହେଉ ,ମତେ ଟିକେ ସମୟ ଦିଅ ତୁମର ଅଧୁରା ସ୍ୱପ୍ନଟା ଦେଖିବା ପାଇଁ । ମୁଁ ଘଡି଼ଏ ଶୋଇପଡି଼ ସ୍ୱପ୍ନଟା ଦେଖିନିଏ । ତା’ପରେ କହିବି।

ଘୋଡେଇ ପୋଡେଇ ହୋଇ ଘଣ୍ଟାଏ ଶୋଇଲି।ତା’ପରେ ଉଠି ମନ୍ତ୍ରୀଙ୍କୁ ଫୋନ୍ ଲଗେଇଲି – ବୁଝିଲେନା, କଥାଟା ଭାରି ଗଭୀର । ଠାକୁର କହିଲେ, ବିଜେଡି଼ ସରକାରର ଲାଇଫ୍ ଲାଇନ୍ ହେଲା ମଦ ରାଜସ୍ୱ । ତା’ ବିନା ଏ ସରକାର ଘଣ୍ଟାଏ ବି ଚଳି ପାରିବନି। ଯେହେତୁ ମୋ ଜିନିଷକୁ ନେଇ ବଞ୍ଚୁଛ ତେଣୁ ମୁଁ ତୁମର ଇଷ୍ଟ ଦେବତା ହେବାପାଇଁ ବାଧ୍ୟ। ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିଜୁଙ୍କ ମୂର୍ତ୍ତି କଡ଼ରେ ମତେ ରଖ।ଆଉ ପୂଜା କର । ତୁମେ ସବୁନେତାଙ୍କ ଜନ୍ମଦିନ , ମରଣ ଦିନକୁ ତ ଖର୍ଚ୍ଚ କରି ସାରିଛ।ଆଉ ଗୋଟିଏ ଦିନ ବାକି ଅଛି। ସେଇଟା ନବୀନଙ୍କ ଜନ୍ମ ଦିନ। ସେଇ ଦିନଟିକୁ ଉତ୍କଳୀୟ ମଦ ଦିବସ ରୂପେ ପାଳନ କର।ଆବାଳ ବୃଦ୍ଧ ବନିତାଙ୍କୁ ସେଦିନ ମାଗଣାରେ ମଦ ପିଇବାକୁ ଦିଅ।ମଦ୍ୟପାନ ପ୍ରତିଯୋଗିତା କର। ରେଲି,ରୋଡ୍ ସୋ କର।କଳସ ଶୋଭାଯାତ୍ରା ଓ ମଦ୍ୟପଙ୍କ କ୍ରିକେଟ୍ ମ୍ୟାଚ୍ କର।ମଦ୍ୟ ପାନର ଉପକାରିତା ବିଷୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କର। ସରକାର ଦୀର୍ଘାୟୁ ହେବ।

— ଏ ଯେଉଁ ମହିଳାମାନେ ମଦ ବନ୍ଦ ପାଇଁ ଉତ୍ପାତ କରୁଛନ୍ତି ତାଙ୍କପାଇଁ କ’ଣ କରାଯିବ ?

— ସେମାନେ ଏହାର ମଜା ପାଇ ନାହାନ୍ତି। ତେଣୁ ବିରୋଧ କରୁଛନ୍ତି। ତାଙ୍କୁ କୋଲ୍ଡଡ୍ରିଙ୍କ୍ ରେ ମିଶେଇ ପେଇ ଦିଅ।
ଦେଖିବ ସବୁ ଦିନ ସଉଦା ଚିଠାର ସବା ଉପରେ ମଦର ନାଁ ରହିବ। ପୁନଶ୍ଚ ଗଛ ପ୍ରତି ତାଙ୍କର ଏ ଦରଦ ଆଦୌ ଭଲ ନୁହେଁ।ତାଙ୍କୁ ବୁଝେଇ ଦିଅ ଓଡି଼ଶା ସାରାର ସବୁ ଗଛ ମିଶିଲେ ବି ବିଜେଡି଼ ସରକାରକୁ ଖଣ୍ଡିଏ ବି ଭୋଟ୍ ଦେଇ ପାରିବେନି। ତେଣୁ ଗଛ ରହିଲେ ଲାଭ କ’ଣ । ଗଛ କାଟ ଆଉ ମଦ କାରଖାନା ବସାଅ।

…..


…..

Shree Harekrushna

ଶ୍ରୀ ହରେକୃଷ୍ଣ ସାହୁ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Harekrushna Sahu ହରେକୃଷ୍ଣ ସାହୁ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment