ଶ୍ରମଣ

ଶ୍ରମଣ ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik

ଶ୍ରମଣ  

ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ

Author: Smt Chinmayee Barik


…..

ମୋ ହାତ ଥରୁଛି । ବାହାରେ କିନ୍ତୁ ଶୀତ ନାହିଁ ।

ପ୍ରଥମେ ତ ମୋ ଗୋଡ ଥରିଲା । ମୁଁ ଚାଲୁ ଚାଲୁ ଅଟକି ଗଲି ଆଉ ତା’ପରେ ଧୂମ୍ କରି ତଳେ ପଡିଗଲି । ସେଇ ସମୟଟା କଲେଜ୍ ରେ ହିଁ ଥିଲା । ମୁଁ ଉଠିବାକୁ ଚେଷ୍ଟା କରି ପୁଣି ଥରେ ମୁହଁ ମାଡି ପଡିଗଲି । ମୋତେ ଦେଖି କିଛି ହସିଲେ ,କିଛି ଦୂରେଇ ଗଲେ ।  ମୋ ପ୍ରେମ ମୋତେ ଦୂରରୁ ଥାଇ ଦେଖୁଥିଲା । ମୁଁ ତାକୁ ଅନାଇଥିଲି ଟିକିଏ ସାହାରା ପାଇଁ । ତା’ଆଖିରେ କିନ୍ତୁ ଗୋଟିଏ ଅବିଶ୍ୱାସର ଆଭାସ ଥିଲା ।  ସେ ମୋ ଠାରୁ ଦୂରେଇ ଯାଇ ଆଗକୁ ଚାଲି ଯାଇଥିଲା ।

ଠିକ୍ ସେତିକି ବେଳେ ହିଁ ମୋର ଗୋଟିଏ ବାହୁକୁ ଧରି ଉପରକୁ ଉଠାଇବାକୁ ଯିଏ ଚେଷ୍ଟା କରୁଥିଲା ସେ ମୋ ଅପ୍ରେମ ଭିତରେ ହିଁ ଥିଲା । ମୁଁ ମୋ ଅପ୍ରେମ ମଣିଷର କାନ୍ଧରେ ହାତ ଦେଇ ଉଠିବାକୁ ଚେଷ୍ଟା କଲା ବେଳେ ପୁଣି ଥରେ ତଳକୁ ଝୁଙ୍କି ପଡିଲି । ସେ ମୋତେ ସମ୍ଭାଳି ନେଲା । ଏଥର ସେ ମୋତେ ତା’ ପିଠିରେ ନାଉ କରି, ତା’ପେଟ ପାଖରେ ମୋ ଦୁଇ ଗୋଡକୁ ଛନ୍ଦି ମୋତେ କ୍ଲାସ୍ ରୁମ୍ କୁ ନେଇ ଆସିଥିଲା । ପ୍ରଥମ ଥର କରି ଅନୁଭବ କଲି ଯେ ଦୁନିଆରେ କିଛି ଅପ୍ରେମ ଅଛି ବୋଲି ହିଁ ସଂସାର ସୁନ୍ଦର ହୋଇ ପାରିଛି ।

ହଁ ,ସେ ମୋ ଅପ୍ରେମ ଥିଲା । ନାଁ ତା’ର “ଶ୍ରମଣ” ଥିଲା । ଯାହାକୁ ମୁଁ ଜୀବନରେ ସବୁଠାରୁ ବେଶୀ ଘୃଣା କରୁଥିଲି ।

ମୁଁ “ଇଲା” । ପ୍ରଥମ ବର୍ଷ କଳାର ଛାତ୍ରୀ । ଅଦ୍ଭୁଦ ସ୍ମୃତି ଶକ୍ତି ଓ ସୃଜନ ଶକ୍ତି ଥିବାରୁ ମୋ ମାମାଙ୍କର ଖୁବ୍ ଇଛା ଥିଲା ଯେ ଦିନେ ମୁଁ ଖୁବ୍ ନାମକରା ଲେଖିକା ହେବି ବୋଲି ।  ଏବେ କିନ୍ତୁ କିଛି ଲେଖିଲା ବେଳକୁ ମୋ ହାତ ଥରୁଛି ।

ପ୍ରଥମେ ଡାକ୍ତର ମୋତେ ପରୀକ୍ଷା କରି କହିଲେ ଏଇଟା ସାମାନ୍ୟ ରୋଗ । ସବୁ ଭଲ ହୋଇ ଯିବ । ହେଲେ ମୁଁ ବାରମ୍ବାର ପଡିଯିବାର ଆଉ ମୋ ଦେହ ହାତ ଥରିବା ଦେଖି ଏହା ଏକ ସାଂଘାତିକ ରୋଗ ବୋଲି କହୁଛନ୍ତି । ମାମା କିନ୍ତୁ ଏକଥାରେ ବିଶ୍ୱାସ କରନ୍ତି ନାହିଁ । ମାମା କୁହନ୍ତି ମଣିଷର ମସ୍ତିଷ୍କ ସବୁଠାରୁ ଶକ୍ତି ଶାଳୀ । ବେଳେ ବେଳେ ମଣିଷ ଆପେ ଆପେ ଠିକ୍ ହୋଇଯାଏ । ହୁଏତ ଏମିତି ବି ହୋଇପାରେ ଏ ରୋଗ ପାଇଁ କେଉଁଠି ଗୋଟିଏ ନିରାକରଣ ବ୍ୟବସ୍ଥା ନିଶ୍ଚୟ ଥିବ । ମୋ ଡାକ୍ତରୀ ରିପୋର୍ଟ ନେଇ ସେ ଡାକ୍ତରଙ୍କ ଦୂଆର ଦୂଆର ବୁଲୁଛନ୍ତି। ସେ ଘରକୁ ଫେରିଲା ବେଳକୁ ମୁଁ କିନ୍ତୁ ଆଗ ଭଳି ଥରୁଥାଏ । ମାମା ମୋତେ କୁହନ୍ତି ମେଡିଟେସନ୍ କରିବାକୁ । ନିଜର ଇଛା ଶକ୍ତିକୁ ଜାଗ୍ରତ କରିବାକୁ ।  ମୋ ମୁଣ୍ଡରେ ହାତ ବୁଲାଇ କୁହନ୍ତି ,ବେଳେ ବେଳେ ଜୀବନରେ “ଚମତ୍କାର “ହୁଏ ବୋଲି ।

ବାବା କିମ୍ବା ମୋର ଆଉ ତିନି ଭାଇ ଭଉଣୀ ମୋର ଏ ରୋଗ ବିଷୟରେ କିଛି ଜାଣନ୍ତିନି ।  ସେମାନେ ଜାଣନ୍ତି ମୁଁ ସାମାନ୍ୟ ଅସୁସ୍ଥ । କିଛି ଦିନ ପରେ ପୁଣି ଠିକ୍ ହୋଇ ଯିବି । ମୋ ଅସୁସ୍ଥତା ଦେଖି ମୋ ସାନ ଭଉଣୀ ମୋର ସବୁଠୁ ପ୍ରିୟ କଣ୍ଢେଇଟିକୁ ନିଜ ଆକ୍ତିଆର କରି ନେଇଛି । ମୁଁ ଜାଣେ ସେ କଣ୍ଢେଇଟି ଶୋଇବା ଘର କପବୋର୍ଡ ର ଦ୍ୱତୀୟ ଥାକରେ ଥିବା ପୋଷାକ ତଳେ ତାକୁ ଲୁଚାଇ ରଖିଛି । ମୁଁ ଏବେ ବି ଚାହିଁଲେ ମୋ କଣ୍ଢେଇଟା ଆଣି ପାରିବି । ହେଲେ ମନ କିନ୍ତୁ ଆଉ ଚାହୁଁନି ।

ରାତି ବାରଟା ବେଳକୁ ବାବା ତାଙ୍କ ହୋଟେଲ୍ ବନ୍ଦ କରି ଫେରନ୍ତି । ମୋ ପାଇଁ ଆଜିକାଲି ନୂଆ କିଛି କେକ୍ ବନାଇ ଆଣୁଛନ୍ତି ପ୍ରତିଦିନ । ନିଜ ହାତରେ କେକ୍ କାଟି ମୋତେ ଖୁଆଇ ଦେଉଛନ୍ତି । ଠିକ୍ ସେତିକି ବେଳେ ମୁଁ ଦେଖିଛି କେମିତି ମୋର ସବୁ ଭାଇ ଭଉଣୀ ମାନେ ମୋତେ କେମିତି ଗୋଟିଏ ଇର୍ଷଣୀୟ ଆଖିରେ ଅନାନ୍ତି ।  ମୋର ସବା ଶେଷ ଭାଇଟି ଖୁବ୍ ଇଛା କରେ ମୋ ଭଳି ରୋଗରେ ପଡିବାକୁ । ଏମିତି ହେଲେ କାଳେ ବାବା ତାକୁ ବେଶୀ ଭଲ ପାଇବେ ଓ ତା’ପସନ୍ଦର ସାଇକେଲ୍ ଟିଏ ବି କିଣି ଆଣି ଦେବେ ।

ବାବାଙ୍କର ରୋଜଗାର ଅଳ୍ପ । ଦୁଇ ଖଣ୍ଡ ଜାମା ପ୍ୟାଣ୍ଟରେ ବର୍ଷଟା ବିତାଇ ଦିଅନ୍ତି ଅଥଚ ଆମର ଜଣକା ଦଶ ହଳରୁ ଅଧିକ ପୋଷାକ ଥିବ । ମାମା ବେଳେ ବେଳେ ଘର ଖର୍ଚ୍ଚରୁ କିଛି ପଇସା ସଞ୍ଚି ବାବାଙ୍କୁ ଭଲ ଖଣ୍ଡେ ଜାମା କିଣିବାକୁ କୁହନ୍ତି । କିନ୍ତୁ ବାବା ନିଜର ଫାଟି ଯାଇଥିବା ସାର୍ଟ ଟିକୁ ମାମା ହାତକୁ ବଢାଇ ଦିଅନ୍ତି ରଫୁ କରିବାକୁ । ସାର୍ଟ ପାଇଁ ରଖିଥିବା ପଇସା ଆମ ମାନଙ୍କ ପଢା ପାଇଁ ଜମା ରଖା ଯାଏ ବ୍ୟାଙ୍କରେ ।

ଆଜିକାଲି ଶ୍ରମଣ ଆମ ଘରକୁ ଦିନେ ଛାଡି ଦିନେ ଆସୁଛି । କଲେଜ୍ ରେ ଯାହା ପଢା ହେଉଛି ତାକୁ ମୋ କପିରେ ଲେଖି ଚାଲି ଯାଉଛି । ମୋ ଭଳି ମୋ ମାମା ବି ଶ୍ରମଣକୁ ଦିନେ ଘୃଣା କରୁଥିଲେ । ସେ ଭିନ୍ନ ସଂପ୍ରଦାୟର ଅଟେ । ଅନେକ ଥର ମୋତେ ପ୍ରେମ ନିବେଦନ କରି ଅସଫଳ ହୋଇଥିବାରୁ କେବେ ଥରେ ନିହାତି ମୋର ପ୍ରତିଶୋଧ ନେବ ବୋଲି ଧମକାଇ ଥିଲା । ସେବେ ଠାରୁ ମୁଁ ଆଉ ମାମା ତାକୁ ଘୃଣା କରୁଥିଲୁ । କିନ୍ତୁ ଏବେ ସେ ଆମ ଘରକୁ ଆସିଲେ ମାମା ଆଉ ରାଗନ୍ତିନି ,ଆଉ ମୁଁ ମଧ୍ୟ । ସେ ଆସେ ମୋ ପାଖରେ ବସେ । ମୋତେ ଅନାଏ ଆଉ କୁହେ “ସବୁ ଠିକ୍ ହୋଇ ଯିବ ଇଲା … । ” ତା’ର ଏଇ କଥା ପଦକରେ କଣ ଥାଏ କେଜାଣେ ମୋ ଭିତରେ ଭଲ ହୋଇ ଯିବାର ଆଶା କଅଁଳି ଉଠେ ।

* * * * *

ଦିନକୁ ଦିନକୁ ମୋ ଅବସ୍ଥା ବିଗୁଡୁଛି । ଆଜି ବାଥରୁମ୍ ରେ ପଡିଗଲି । ସାନ ଭଉଣୀ ଦୌଡି ଯାଇ ମୋତେ ଉଠାଇଲା । ମୋ ପାଟିରୁ ଲାଳ ବାହାରି ଆସିଥିଲା । ମୋ ପ୍ୟାଣ୍ଟି ବି ଓଦା ହୋଇ ଯାଇଥିଲା । ମାମା ଘରେ ନ ଥିଲେ । ମୁଁ ନିଜର ପୋଷାକ ବଦଳାଇବାକୁ ଅସମର୍ଥ ହୋଇ ଉଠିଲି । ମୁଁ ଖୁବ୍ ଅସହାୟରେ କାନ୍ଦିବାକୁ ଲାଗିଲି । କିନ୍ତୁ ମୋ ସାନ ଭଉଣୀ ମୋତେ ତା’ପାଖକୁ ଆଉଜେଇ ନେଲା । ମୋ ଦେହରୁ ଗୋଟି ଗୋଟି କରି ସବୁ ପୋଷାକ ଖୋଲିଲା । ମୋ ପ୍ୟାଣ୍ଟି ବଦଳାଇ ଦେଲା ଓ ଖୁବ୍ କଷ୍ଟରେ ମୋତେ ମ୍ୟାକ୍ସିଟେ ପିନ୍ଧାଇ ଦେଲା । ସେତେବେଳ ଯାଏଁ ମୋ ସାନ ଦୁଇ ଭାଇ ମୋ ବେଡରୁମ୍ ବାହାରେ ଅପେକ୍ଷା କରିଥିଲେ । ଯେମିତି ମୁଁ ମ୍ୟାକ୍ସି ପିନ୍ଧି ସାରିଛି ସେ ଦୁଇ ଜଣ ମୋ ପାଖକୁ ଝପଟି ଆସି କୁଣ୍ଢାଇ ପକାଇଲେ । ସାନ ଭଉଣୀ ମୋର ସବୁ ପାଲଟା ଲୁଗାକୁ ସଫା କରି ବାହାର ଦଉଡିରେ ଶୁଖାଇଲା । ମୁଁ ତାକୁ ଦେଖିଲି । ପୁଣି ଥରେ ଦେଖିଲି ଗଭୀର ଭାବରେ ତା’ମୁହଁକୁ । ତା’ମୁହଁ ତଳେ ମୋତେ ପ୍ରଥମ ଥର ଲାଗି ମାମାର ମୁହଁ ଦେଖା ଯାଉଥିଲା । ମୁଁ ତାକୁ ପାଖକୁ ଡାକିଲି ଆଉ ତା’ ଗାଲରେ ହାତ ରଖି କହିଲି “ମୋ କଣ୍ଢେଇ ତୋ ପାଖରେ ଥାଉ । “

ସେ ମୋ କଥା ଶୁଣିଲା ଆଉ ଜୋରରେ କାନ୍ଦି ଉଠିଲା ।

* * * * *

ମୋ ଘର ଝରକା ସେପଟେ ଗୋଟିଏ ସଦାବିହାରି ଗଛ ଅଛି ବୋଲି ମୁଁ କେବେ ଦେଖି ନ ଥିଲି । ଆଜି ଯେମିତି ମୁଁ ସେ ଫୁଲ ଗଛକୁ ପ୍ରଥମ କରି ଭେଟୁଥିଲି । ପ୍ରତ୍ୟେକ ଦିନ କିଛି ଫୁଲ ଫୁଟୁଥିଲା ଆଉ ମଉଳି ଯାଉଥିଲା । ସେ ଗଛରେ ଏତେ ଫୁଲ ଫୁଟିବା ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ମୁଁ ମନେ ମନେ ମାମାଙ୍କ କଥା ଭାବୁଥିଲି । ଯଦି ମୁଁ କେବେ ଅକାଳରେ ଝଡି ପଡେ ତେବେ ମାମା ଠିକ୍ ମୋ ଭଳି ଆଉ ଗୋଟାଏ ବଡ ଝିଅ ସୃଷ୍ଟି ପାରନ୍ତେ କି ?

ଫେବୃଆରି ଅଠେଇଶ୍ ମୋ ଜନ୍ମ ଦିନ । ମୋ ପାଇଁ ଏଥର ଗୋଟିଏ ବଦଳରେ ଚାରୋଟି ନୂଆ ଜାମା ଆସିଥିଲା । ଦୁଇଟା କେକ୍ ଆଉ ଅନେକ କିଛି ଖାଦ୍ୟ ମାମା ବନାଇ ଥିଲେ। କେବେ ମୋ ଜନ୍ମ ଦିନ ଏତେ ବଡ ଆକାରର ଆଗରୁ ହୋଇ ନ ଥିଲା । ଏଥର କିନ୍ତୁ ମୋ ସାଙ୍ଗ ମାନେ ଆମ ଘରକୁ ଆସିଥିଲେ । ଶ୍ରମଣ ଗୋଟିଏ ବଡ ଗୋଲାପର ଫୁଲ ତୋଡା ମୋ ପାଇଁ ଆଣି ଥିଲା । ସେ ମୋତେ ଉପହାର ଦେଲା ବେଳେ ମୁଁ ତା ଆଖି ଦେଖିଛି । ତା’ଆଖି ଭିତରେ ଗୋଟିଏ ସମୁଦ୍ର ଲହଡି ଭାଙ୍ଗୁ ଥିଲା ।

ସମସ୍ତେ ଗଲା ପରେ ମାମା ଶ୍ରମଣକୁ ଆଜି ଘରେ ଅଟକାଇ ଥିଲେ । ଏକା ସାଙ୍ଗେ ଆଜି ଆମେ ଖାଇଲୁ । ଖାଇଲା ପରେ ମାମା ମୋତେ ଶୋଇବା ଘରେ ଶୁଆଇ ଦେଇ ଫେରିଲେ । ମୋତେ କିନ୍ତୁ ବାହାରୁ ସବୁ କଥା ଶୁଭୁ ଥିଲା ଓ କବାଟ ଫାଙ୍କରେ ମୁଁ ସମସ୍ତଙ୍କୁ ଦେଖି ପାରୁଥିଲି ।

ମାମା ଗଳା ଝାଡି ସମସ୍ତଙ୍କୁ କିଛି କହିବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । ବାବା ନିଜର ଡାହାଣ ହାତ ଭିତରେ ମାମାଙ୍କର ବାମ ହାତ ଧରି କହିବାକୁ ସାହାସ ଦେଉଥିଲେ । ମାମା ତାଙ୍କ କଥା ଆରମ୍ଭ କଲେ । ମୋତେ କାଳେ ଗୋଟିଏ ଦୁରାରୋଗ୍ୟ ବ୍ୟାଧି ହୋଇଛି । ଅନେକ ଡାକ୍ତରଙ୍କ ସହ ପରାମର୍ଶ କଲା ପରେ ଶେଷରେ ଘରର ସମସ୍ତଙ୍କୁ ଜଣାଇବା ଠିକ୍ ହେବ ବୋଲି ସେ ଭାବିଲେ । ମୋର ଭଲ ହେବାର ଆଶା ଖୁବ୍ କମ୍ । ମୋ ଶରୀର ଧୀରେ ଧୀରେ ଅକାମି ହୋଇ ଯିବ । ମୁଁ ଆଉ ଠିଆ ହୋଇ ପାରିବିନି କି କିଛି ଧରି ପାରିବିନି । ମୋର ସମଗ୍ର ଶରୀର ନିଜର ସନ୍ତୁଳନ ହରାଇ ବସିବ । ଏଭଳି ରୋଗୀଙ୍କର ଆୟୁଷ ଖୁବ୍ କମ୍ ଅଟେ । ତେଣୁ ଏଥର ଘରର ପ୍ରତ୍ୟେକ ସଦସ୍ୟ ପାଳି କରି ମୋତେ ଜଗିବେ ।

ଏତକ କହି ସାରିଲା ବେଳକୁ ସମସ୍ତେ ବରଫର ସ୍ତୁପ ଭଳି ବସିଥିଲେ । ସମସ୍ତଙ୍କ ଆଖିରେ ଲୁହ ଥିବା ବେଳେ ବାବା କିନ୍ତୁ ପଥର ଭଳି ବସିଥିଲେ ।  ମାମା ପୁଣି କହିବା ଆରମ୍ଭ କଲେ ଯେ ସେ କାଳେ ଏହା ଭିତରେ ଅନେକ ଧର୍ମ ପୁସ୍ତକ ବି ପଢିଛି । କେଉଁଠି ଗୋଟିଏ ଲେଖା ହୋଇଛି ଯେ ଯଦି ନିଜର ସବୁଠୁ ପ୍ରିୟ ଜିନିଷ ଅନ୍ୟ ମାନଙ୍କ ଲାଗି ଉତ୍ସର୍ଗ କରା ଯାଏ ତେବେ ତା’ର ପ୍ରାପ୍ୟ ସୂରୁପ ନିଜର ଇଛା ପୂରଣ ହେବ ।

ଏତକ ଶୁଣିଲା ପରେ ମୋତେ ବଞ୍ଚାଇବାକୁ ଯାଇ ପ୍ରଥମେ ମୋର ସବା ସାନ ଭାଇ କେବେ ସାଇକେଲ୍ ଚଲାଇବ ନାହିଁ ବୋଲି କହିଲା । ମଝିଆ ଭାଇ କହିଲା ଯେ ସେ ଆଉ କେବେ ମିଛ କହିବନି । ସାନ ଭଉଣୀ ନିଜର ପ୍ରିୟ କ୍ଷୀରି ଆଉ କେବେ ଖାଇବନି ବୋଲି କହିଲା । ମାମା ଓ ବାବା କଣ ଛାଡିବେ ଏକଥା ସେମାନେ ସେଠାରେ ଆଉ ପ୍ରକାଶ କଲେ ନାହିଁ ।

ଶ୍ରମଣ ଚୁପ୍ ଚାପ୍ ବସି ଥିଲା ଅନେକ ସମୟ ଧରି ।  ହଠାତ୍ କିଛି ନ କହି ଉଠି କୁଆଡେ ଚାଲିଗଲା । ପଛରୁ ମାମା ତାକୁ ଡାକୁଥିଲେ ମଧ୍ୟ ସେ ତିଳେ ମାତ୍ର ଅଟକି ନ ଥିଲା । ସମସ୍ତଙ୍କ କଥା ଶୁଣିଲା ପରେ ମୁଁ ମୋ ବାବଦରେ ଯେତିକି ଭାବୁ ନ ଥିଲି ଅନ୍ୟ ମାନଙ୍କ ଲାଗି ବେଶୀ ଭାବିବାକୁ ଲାଗିଲି । ମୋର ପ୍ରଥମ କର୍ତ୍ତବ୍ୟ ଥିଲା ମୋ ମାମାଙ୍କର ଇଛା ପୂରଣ କରିବା। ମୁଁ ନିଶ୍ଚୟ ଜଣେ ସଫଳ ଲେଖିକା ହେବି । ନିଶ୍ଚୟ ।

* * * * *

ସକାଳୁ ଆଖି ଖୋଲିଲା ବେଳକୁ ଦେଖିଲି ମୋ ବିଛଣା ଉପରେ ମୋର ପ୍ରିୟ କଣ୍ଢେଇଟି ଥୁଆ ହୋଇଛି । କବାଟ କୋଣ ପାଖରେ ମୋର ତିନି ସାନ ଭାଇ ଭଉଣୀ ନିଃଶବ୍ଦରେ ମୋତେ ଜୁଳୁଜୁଳୁ କରି ଅନାଇ ଠିଆ ହୋଇଛନ୍ତି । ମୁଁ ସେମାନଙ୍କୁ ଦେଖି କଡ ଲେଉଟାଇଲି । ତାଙ୍କ ଅଜଣାତରେ ମୋ ଆଖିରୁ ଝରୁଥିବା ଲୁହକୁ ପୋଛି ଦେଲି ।

ଶ୍ରମଣ ଆଉ ଆସୁ ନ ଥିଲା ଆମ ଘରକୁ । ଯଦିଓ ମୁଁ ସବୁଦିନ ତା’ଆସିବା ବାଟକୁ ଅନାଇ ବସିଥିଲି ।

ମାମା ଏଥର ମୋ ପାଇଁ କାଗଜ ଓ କଲମ ଯୋଗାଡି ଦେଲେ । ମୁଁ ଲେଖିବା ଆରମ୍ଭ କଲି । ଛୋଟ ଗପ ଲେଖୁ ଲେଖୁ ତାହା ଲମ୍ବି ଚାଲିଲା । ମୋ ଉପନ୍ୟାସର ନାୟକ ଶ୍ରମଣ ହିଁ ଥିଲା । ତା’କଥା ମନେ ପକାଇ ବେଳେ ବେଳେ ମୁଁ ଶୂନ୍ୟ ହୋଇ ଯାଉଥିଲି । ମୋ ଭିତରୁ ଗୋଟିଏ କୋହ ଉକୁଟି ଆସୁଥିଲା ।

ମୋ ଶୂନ୍ୟ ଆଖିକୁ ଦେଖି ମାମା ଶ୍ରମଣର ଖବର ନେବାକୁ ଚେଷ୍ଟା କଲେ । କିନ୍ତୁ କିଛି ଖବର ପାଇଲେନି । ଏବେ ଏବେ ଆମେ ଜାଣିବାକୁ ପାଇଲୁ ଯେ ଶ୍ରମଣର ନିଜର ଘର ବୋଲି କିଛି ନ ଥିଲା । ସେ ପିଲା ବେଳରୁ ହିଁ ଗୋଟିଏ ଅର୍ଫାନେଜ୍ ରେ ବଢିଛି ଆଉ ଏବେ ନିରୁଦ୍ଧିଷ୍ଟ ହୋଇ ଯାଇଛି ।  

ମୋର ମନେ ପଡେ ଶ୍ରମଣର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାର ସବୁ ମୁହୁର୍ତ୍ତ ଗୁଡିକ । ସେ ଇଷତ୍ କଳା ଥିଲା , ତା’ର କୁଞ୍ଚୁ କୁଞ୍ଚିଆ କେଶ ଥିଲା ଆଉ ନାକଟି ଫରଚା ଥିଲା । ବୋଧେ ତା’ର ରୂପ ଗଠନ ତା’ପ୍ରେମ ର ବାଧକ ସାଜିଥିଲା । ମୁଁ ଖୁବ୍ ଘୃଣା କରୁଥିଲି ତାକୁ । ଅଥଚ ଆଜି ସେ ମୋର ଖୁବ୍ ମନେ ପଡେ । କେଜାଣେ ସେ ଫେରିଲା ବେଳକୁ ମୁଁ ଆଉ ଦୁନିଆରେ ଥିବି କି ନ ଥିବି । ପୁଣି ଥରେ ତାକୁ ଦେଖି ପାରିବି କି ନାହିଁ । କିନ୍ତୁ ତାକୁ ନେଇ ଲେଖୁଥିବା ଉପନ୍ୟାସଟିକୁ ମରିବା ପୂର୍ବରୁ ସାରିବି ବୋଲି ଦୃଢ ନିଶ୍ଚିତ ହୋଇ ସାରିଥିଲି ।

ଦିନ ଗଡିବା ସହ ମୋ ଦେହରେ ସବୁ ପରିବର୍ତ୍ତନ ହେଉଥିଲା । ମୋ ଦେହ କ୍ଷୀଣ ହୋଇ ସାରିଥିଲା ।  ତା’ସହ ମୋ ଅକ୍ଷର ଗୁଡିକ ବି ଚେପା ଲେପା ହୋଇ ଯାଇଥିଲା । ମୋ ପାଇଁ ଗୋଟିଏ ହ୍ୱିଲ୍ ଚେୟାର ମଧ୍ୟ ଆସିଥିଲା । ମୋତେ ଜଗିବା ଓ ଦାୟିତ୍ୱ ନେବାରେ ମୋ ଭାଇ ଭଉଣୀ ମାନଙ୍କର ପାଠ ପଢା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ମାମା ଦିନ ରାତି ସିଲେଇ ମେସିନ୍ ଖଟ ଖଟ କରୁଥିଲେ । ବାବା ଆବଶ୍ୟକତା ଠାରୁ ଅଧିକ ବୁଢା ହୋଇ ଯାଇଥିଲେ । ମୋ ଚିକିତ୍ସାରେ ପଇସା ପାଣି ପରି ଖର୍ଚ୍ଚ ହେଉଥିଲା ।

ମୁଁ ଯେମିତି କାହାକୁ ଅପେକ୍ଷା କରିଥିଲି । ହୁଏତ ତାହା ମୃତ୍ୟୁ ହୋଇ ପାରେ ଅବା ଶ୍ରମଣ ।

* * * * *

ହଠାତ୍ ଦିନେ ଆକାଶର ତାରା ଗୁଡିକ ମୋତେ ଝରିବା ଭଳି ଦେଖାଗଲା । ମୋ ଆଖିକୁ ସବୁ ଝାପ୍ସା ଦେଖାଗଲା ।

ମୋତେ ଲାଗିଲା ମୋ ପାଖରେ ସମୟ ଖୁବ୍ କମ୍ । ଅଳ୍ପ କିଛି ଉପନ୍ୟାସ ଲେଖିବାରେ ବାକି ରହିଥିଲା । ରାତି ଅନିଦ୍ରା ହୋଇ ସେତକ ଶେଷ କରିଲି ଯଦିଓ ମୋ ହାତରେ ଏତକ ଲେଖିବା ଖୁବ୍ କଷ୍ଟ ହୋଇଥିଲା ସେଦିନ ।

ସକାଳୁ ମୁଁ ମୋର ପ୍ରଥମ ଆଉ ବୋଧେ ଶେଷ ପାଣ୍ଡୁଲିପିଟି ମାମାଙ୍କୁ ଉପହାର ଦେଲି । ମୋ ଉପନ୍ୟାସର ନାମ “ଶ୍ରମଣ”ଥିଲା । ମାମା ମୋ ପାଣ୍ଡୁଲିପି ଟିକୁ ଟିକିଏ ଆଉଁସିଲେ ଆଉ ଓଠରେ ଲଗାଇ ଚୁମାଟିଏ ଦେଲେ।  ଯେମତି ଏହା ହିଁ ତାଙ୍କ ପାଇଁ ଗୀତା ଭାଗବତ ।

ମାମା ନିଜ ଜମା ଖାତାରୁ ଯାହା କିଛି ଅଳ୍ପ ପଇସା ରଖିଥିଲେ ତାହା ସବୁ ଉଠାଇ ଆଣିଲେ ।  ବହିଟି ପବ୍ଲିସ୍ କରିବାରେ ଚେଷ୍ଟା ଜାରି ରଖିଲେ ।  କିନ୍ତୁ ଖୁବ୍ କମ୍ ପଇସାରେ ବହିଟି କରିବାକୁ ସମସ୍ତେ ନାରାଜ ଥିଲା ବେଳେ ଜଣେ ପାଦ୍ରୀ ତାଙ୍କ ପବ୍ଲିକେଶନ୍ ରେ ଏହି ବହିଟି ଖୁବ୍ କମ୍ ପଇସାରେ ଛାପିବାକୁ ରାଜି ହୋଇଗଲେ ।

ଅବଶ୍ୟ ସେ ଆମର ସବୁ ଅସୁବିଧା ସହ ଅବଗତ ଥିଲେ । ଆଉ ମାତ୍ର ଦଶ ଦିନ ଭିତରେ ସେ ମୋ ପାଣ୍ଡୁଲିପିଟିକୁ ବହିର ଆକାର

ଦେଇ ସାରିଥିଲେ ।

* * * * *

ମୋ ମୃତ୍ୟୁର ଭୟଠାରୁ ବି ମୋ ବହିର ଜନ୍ମ ସମସ୍ତଙ୍କୁ ଖୁସି ଦେଇଥିଲା । ଅନେକ ଦିନ ପରେ ଆମ ଘରେ ଖୁସିର ମାହୋଲ୍ ଫେରି ଆସିଥିଲା ।  ସମସ୍ତେ ଖୁବ୍ ଖୁସି ଜଣା ପଡୁଥିଲେ । ମାମା ମୋ ବହିଟିର ବିଜ୍ଞାପନ ପାଇଁ ଖବର କାଗଜରେ ଦେଇ ସାରିଥିଲେ । ମୋ ପାଖକୁ ଅନେକ ଶୁଭାକାଂକ୍ଷୀ ମାନଙ୍କର ଶୁଭେଛା ବାର୍ତ୍ତା ଆସୁଥିଲା । ମୁଁ କିନ୍ତୁ ଅପେକ୍ଷା କରିଥିଲି ଜଣକୁ । ବେଳେ ବେଳେ ଆକାଶକୁ ଅନାଇ କହୁଥିଲି “ଫେରିଆସ ଶ୍ରମଣ …” ।

ଘରେ ମୋ ବହି ଉନ୍ମୋଚନର ସେଲିବ୍ରେସନ୍ ରଖି ଥିଲେ ମାମା । କେବଳ ପୁରୀ ତରକାରୀ ରେ ସମସ୍ତଙ୍କୁ ଅପ୍ୟାୟିତ କରିବାର ବ୍ୟବସ୍ଥା ଥିଲା ।

ଆମ ଘରକୁ ସମସ୍ତେ ଆସିଥିଲେ । ମୋ ପିଲାବେଳର କିଛି ସାଙ୍ଗ ,କଲେଜ ସାଙ୍ଗ , ପାଖ ପଡିଶା ,ପୁସ୍ତକ ପ୍ରେମୀ ବନ୍ଧୁ ଓ ତାଙ୍କ ସହ ମୋ ବହିର ପବ୍ଲିସର୍ ମଧ୍ୟ ଆସିଥିଲେ । ଏମିତିକି ମୋର ପୂର୍ବତନ ପ୍ରେମିକ ବି ଆସିଥିଲେ । କେବଳ ଯାହା ଆସି ନ ଥିଲା

” ଶ୍ରମଣ”।

ସମସ୍ତେ ମୋତେ ପ୍ରଶଂସା କରୁଥିଲେ ଆଉ ମୋ ଆଢୁଆଳରେ ମୋ କ୍ଷୀଣ ଆୟୁଷ ପାଇଁ ଆହା ଚୁ ଚୁ ବି କରୁଥିଲେ । ମୁଁ ସବୁ ଶୁଣୁଥିଲି । କହିବାକୁ ଖୁବ୍ ଇଛା ହେଉଥିଲା ଯେ “ତୁମେ ମାନେ ତ ସମସ୍ତେ ମୋତେ ଏତେ ଭଲ ପାଅ । ତେବେ କଣ ମୋତେ ଅଟକାଇ ରଖି ପାରିବନି ମୃତ୍ୟୁ ପାଖରୁ ?”

ଏତେ ସବୁ ଭାବିଲେ ବି କିଛି କହି ପାରେନି ମୁଁ କାହାକୁ । ଆଜିକାଲି ମୁଁ ବି ହସିବା ଶିଖି ଯାଇଛି ଲୁହରେ ଲୁହରେ ।

ବହି ଉନ୍ମୋଚନର ଶେଷ ପର୍ଯ୍ୟାୟ ବେଳକୁ ମୋତେ ଅଣନିଃଶ୍ୱାସୀ ଲାଗୁଥିଲା ।  ମାମା ମୋତେ ଖୁବ୍ ଯତ୍ନରେ ଖଟ ଉପରେ ଶୁଆଇ ଦେଲେ । ମୋ ଚାରି ପଟେ ମୋର ସବୁ ଭାଇ ଭଉଣୀ ମାନେ ଘେରି ରହିଥିଲେ । ବାବା କାନ୍ଥକୁ ଆଉଜେଇ ଠିଆ ହୋଇ ଥିଲେ । ମୋତେ ଲାଗୁଥିଲା ଆଜି ବୋଧେ ମୋର ଶେଷ ଦିନ । ଏତିକି ଭାବିବା ଶେଷ ହେଲା ବେଳକୁ ହିଁ ମାମାଙ୍କର ଜୋର ଆବାଜ୍ ବାହାରୁ ଶୁଭିଲା । ସେ ଇଲା …ଇଲା …କହି ମୋ କୋଠରୀକୁ ଦୌଡି ଆସିଲେ । ସଁ ସଁ ହୋଇ କହିଲେ “ଶ୍ରମଣ ଆସିଛି …ଶ୍ରମଣ ଆସିଛି… ଇଲା…. । “

ମାମାଙ୍କର ଏତକ କଥା ଶୁଣିଲା ପରେ ମୋତେ ଲାଗିଲା ମୋ ଦେହର ସବୁତକ ପବନ ଯେମିତି ମୋ ଛାତି ପାଖରେ ହଠାତ୍ ଅଟକି ଯାଇଛି । ମୋର ନିଃଶ୍ୱାସର ବେଗ ବଢି ଚାଲୁଥିଲା ଧୀରେ ଧୀରେ । ଶେଷରେ ମୋ କୋଠରୀ ଭିତରକୁ ଯିଏ ପଶି ଆସିଲା ସେ “ଶ୍ରମଣ” ହିଁ ଥିଲା ।

ଇଏ କିନ୍ତୁ ସେ ଶ୍ରମଣ ନ ଥିଲା ଯାହାକୁ ମୁଁ ଜାଣିଥିଲି । ଏ ଶ୍ରମଣ ଗେରୁଆ ବସ୍ତ୍ର ପିନ୍ଧିଥିଲା । ଲଣ୍ଡିତ ମସ୍ତକ ଥିଲା । ମୁହଁରେ ଏକ ଶାନ୍ତ ବାତାବରଣ ଥିଲା ।

ଶ୍ରମଣ ସତରେ “ଶ୍ରମଣ” ପାଲଟି ଯାଇଥିଲା ।

ଆମେ ସବୁ ତାକୁ ଦେଖି ସ୍ତବ୍ଧ ହୋଇ ଯାଇଥିଲୁ । ଆମ ମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନବାଚୀ ଚିହ୍ନ ତା’ଆଡକୁ ଥିଲା । ସେ ସବୁ ବୁଝି ପାରିଲା । ମୋ ଆଡକୁ ଟିକେ ନଜର ପକାଇ ତଳକୁ ମୁହଁକଲା ଓ

କହିଲା …

“ଇଲାକୁ ବଞ୍ଚାଇବାର ଇଛାରେ ମୁଁ ମୋ ପ୍ରିୟ ସଂସାରକୁ ଛାଡି ସନ୍ୟାସ ନେଇ ଯାଇଥିଲି ସେହି ଦିନ ଯେଉଁ ଦିନ ଇଲାର ଜନ୍ମ ଦିନ ଥିଲା । “

ଶ୍ରମଣର କଥା ଶୁଣି ମାମା ମୁଣ୍ଡରେ ହାତ ଦେଇ ଜୋରରେ ଚିଲ୍ଲାଇ ଚିଲ୍ଲାଇ କାନ୍ଦି କାନ୍ଦି କହୁଥିଲେ “ତୁ ଏ କଣ କଲୁରେ ଚଣ୍ଡାଳ… ” ।

ବି:ଦ୍ର–(ଗୋଟିଏ କୋରିଆନ୍ ଗଳ୍ପରେ ଅନୁପ୍ରାଣିତ ହୋଇ ଏପରି ଗଳ୍ପଟିଏ ଲେଖିବାକୁ ଚେଷ୍ଟା କରିଛି )

——Lucy ——

…..


…..

…..

Smt Chinmayee Barik

ଶ୍ରୀମତୀ ଚିନ୍ମୟୀ ବାରିକ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:
Facebook“, “Website 1”, “Website 2”


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Chinmayee Barik ଚିନ୍ମୟୀ ବାରିକ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment