ଗୁରୁଦିବସରେ ମୋର କିଛି ସ୍ମୃତି

ଗୁରୁଦିବସରେ ମୋର କିଛି ସ୍ମୃତି

ଗୁରୁଦିବସରେ ମୋର କିଛି ସ୍ମୃତି

ଲେଖିକା: ସୁଶ୍ରୀ ଚିନ୍ମୟୀ ବାରିକ  Chinmayee Barik

ଘର ପଛପଟରେ ହିଁ ଥିଲା ମୋ ସ୍କୁଲ୍ ..ଯେଉଁଥି ଲାଗି ମୋତେ ଯିବା ଆସିବା ଲାଗି ଦୁଇଟି ବାଟ ମିଳି ଯାଉଥିଲା ।ସମୟଥିଲେ ସିଧାରାସ୍ତାରେ ଯାଉଥିଲି ଆଉ ସମୟ ନ ଥିଲେ ଘର ପାଚେରୀ ରୁ ହୁମ୍ପା ମାରି ସ୍କୁଲ୍ ରେ ହାଜର ହେଉଥିଲି ।

ଖଣ୍ଡିଆ ମଣ୍ଡିଆ ସ୍କୁଲ୍ ..ଖପର ଘର ।ଦିନରେ ସୂର୍ଯ୍ୟ ଦିଶେ ,ରାତିରେ ଜହ୍ନ,ବର୍ଷାରେ ମେଘ ଆଉ ଶୀତରେ ଥୋପା ଥୋପା କୁହୁଡି ବି ଦିଶେ ।ସେଇ ଖପର ଘରଭିତରେ ଆମ ମାନଙ୍କର କେଁ କଟର୍ ର ଉଚ୍ଚ ଆବାଜ୍ ଜଣାଇ ଦିଏ ଯେ ଏଠି ବହୁତ ପିଲା ପଢନ୍ତି ।ହଁ..ସ୍କୁଲ୍ ର ହାଲତ ଖରାପ ଥିଲେ ବି ପିଲା ସଂଖ୍ୟା ପ୍ରଚୁର ଥିଲେ କାରଣ ଏହି ସ୍କୁଲ୍ ର ଶିକ୍ଷକ ମାନେ ଅଧିକ ପରିଶ୍ରମୀ ଓ ଛାତ୍ର ପ୍ରେମୀ ।

ସେତେବେଳେ ବି ସେଠି ଇଂରାଜୀ ମିଡିୟମ୍ ର ଭଲ ସ୍କୁଲ ଥିଲା ..ଅନ୍ୟାନ୍ୟ ବଡ ସ୍କୁଲ୍ ମଧ୍ୟ ଥିଲା ହେଲେ ବାବା ମୋତେ ନେଇ ସେଇ ଖପରଘର ସ୍କୁଲ୍ ରେ ବସେଇ ଦେଇ ଆସିଲେ ଗୋଟିଏ ବର୍ଷାଦିନର ମଧ୍ୟାହ୍ନରେ ।

ଜୁଳୁ ଜୁଳୁ ହୋଇ ଅନାଇଥିଲି ସମସ୍ତଙ୍କୁ କାରଣ କିଛି ବୁଝିବାର ଉପାୟ ନ ଥିଲା ମୋର ।ଛୁଆମାନେ ସବୁ ଅପୂର୍ବ ଭାଷାରେ କଥା ହେଉଥିଲେ..କାଣା କରମି..କାଣା ଖାଇମି..ହୟେ କାଣା ହେବାଗୋ…ଏମିତି ଅନେକ କିଛି କଥା ।ଏସବୁ ମୋ ବୁଝିବାର ବାହାରେ ଥିଲା ।

ପାଖରେ ବସିଥିବା ଝିଅଟି ପାଖକୁ ଘୁଞ୍ଚି ଯାଇ ଥିର୍ କରିକହିଲି…ମୋତେ ଭାରି ଡର ଲାଗୁଛି ।ମୋ କଥା ଶୁଣି ସମସ୍ତେ ଫେଁ ଫେଁ ହୋଇ ହସିଉଠିଲେ ଆଉ ମୁଁ କାନ୍ଦୁଥିଲି ।ହଠାତ୍ ରୁମ୍ ଭିତରକୁ ପଶି ଆସିଲେ ବୋଝାଏ ଚୁଟି ରଖିଥିବା ଅଙ୍କ ସାର୍ ।ସମସ୍ତେ ଠିଆ ହୋଇଗଲେ ଆଉ ମୁଁ ବି ।ସମସ୍ତଙ୍କୁ ବସିବାକୁ କହି ସେ ମୋ ଆଗକୁ ଚାଲି ଆସିଲେ ।ପଚାରିଲେ ତୁ ନୂଆ ପିଲା ??ମୁଁ ବଡ ହୁଁ ଟାଏ ମାରି ତଳକୁ ମୁହଁ ପୋତି ବସିଲି ।ମୋ ଆଖି ତେବେ ବି ଓଦା ଥିଲା ।ପାଖରେ ବସିଥିବା ଝିଅଟି ସାର୍ ଙ୍କୁ କଣ କଣ ସବୁ କହୁଥିଲା ।ମୋତେ ଖାଲି ଶୁଭୁଥିଲା …କାଣା..ମାଣା..ହେନ୍ତା..ସେନ୍ତା..କେଣେ .ମେଣେ…ଏମିତି କିଛି ।ସାର୍ ସବୁ କଥା ଶୁଣି ମୋ ମୁଣ୍ଡରେ ହାତରଖି କହିଲେ ତୁ ଆଜିଠୁ ଆଗଧାଡିରେ ବସିବୁ ।ଯାହା ଅସୁବିଧା ମୋତେ କହିବୁ ।

ମୁଁ ମୋ ଆସନ ଆଉ ଟିଣ ବାକ୍ସଟିକୁ ନେଇ ଚଟାପଟ ଆଗ ଧାଡିରେ ବସିଗଲି ।ସେ ଜାଗାଟି ମୋର ହୋଇଗଲା । ଯଦିଓ ବସିଲା ବେଳେ ମୋତେ ଟିକେ ଅସୁବିଧା ବି ଲାଗୁଥିଲା କାରଣ ମୋ ବସିବା ଜାଗାରେ ଚଟାଣର ଫାଳେ ସିମେଣ୍ଟ ଖଣ୍ଡିଆ ହୋଇ ବାହାରି ଯାଇଥିଲା ।ତଥାପି ମୁଁ ନିଜକୁ ସମ୍ଭାଳି ବସିଗଲି ଠିକ୍ ସାର୍ ଙ୍କ ଗୋଡ ପାଖକୁ ଥିବା ସେ ଜାଗାଟି ଉପରେ …।

* * * * *

ସାର୍ ଙ୍କ ଗୋଡପାଖକୁ ଲାଗିକି ନିଜ ଲାଗି ଜାଗାଟିଏ ବନାଇବା ଗୋଟେ ଖୁବ୍ ବଡ ସୌଭାଗ୍ୟର କଥା ଥିଲା ।ସେ ସୌଭାଗ୍ୟର ହକଦାର ମୁଁ ହୋଇଯାଇଥିଲି ।ସେଥିଲାଗି ମୋର ବି ଖାତିର ଖୁବ୍ ହୋଇଯାଇଥିଲା ଧୀରେ ଧୀରେ ।କ୍ଲାସ୍ ରେ ମନିଟର୍ ହେବା ଦିନ ମୋତେ ଲାଗିଲା ଯେପରି ମୁଁ ଶ୍ରେଣୀର ସବୁଠୁ ଭଲ ପିଲା ।

ଭଲ ପିଲା ହେବାର ଦୁଇଟି ଲକ୍ଷଣ ମୁଁ ବୁଝୁଥିଲି…ଭଲ ପଢିବା ଆଉ ସାର୍ ଯେଉଁ କାମ କହିବେ ତାକୁ ତତ୍ କ୍ଷଣାତ୍ କରିବା ।ଆଜିକାଲି ର ପିଲାମାନେ କାମକୁ ଲୁଚନ୍ତି..ସାର୍ ଛୋଟମୋଟ କାମ କହିଲେ ରାଗନ୍ତି ।ହେଲେ ସେତେବେଳେ ଆମେ ଅପେକ୍ଷା କରିଥାଉ ଯେ ଆମକୁ ସାର୍ କାମଟେ ବରାଦ କରନ୍ତେ କି??ଯେମିତି କଳାପଟା ଲିଭାଅ..ଅଫିସ୍ ରୁମ୍ ରୁ ଚକ୍ ଆଣ..ଖାତା ସଂଗ୍ରହ କରି କମନ୍ ରୁମ୍ କୁ ନିଅ..ସାର୍ ଙ୍କ କଲମରେ କାଳି ପୁରାଅ.. ବେଳେ ବେଳେ ପାନ ଦୋକାନରୁ ପାନଟେ ଆଣିକି ଦିଅ ।ଆଉ ଏ କାମ ସବୁ ଯେଉଁ ଛୁଆ କରୁଥିବ ତାର ଖାତିର ବେଶୀ ..ସେ କାଳେ ସାର୍ ଙ୍କ ପ୍ରିୟ ।

ଏସବୁ କାମରେ ମୁଁ ମାହିର୍ ଥିଲି ।ସାର୍ କିଛି କହିବା ଆଗରୁ ମୁଁ ପଚାରି ଦେଉଥିଲି, ସାର୍..ଚକ୍ ଆଣିବି??କଳା ପଟା ପୋଛିବି??ଖାତା ଆଣିବି??ଆପଣଙ୍କ କଲମରେ କାଳି ଅଛି ତ??ପାଠରେ ବି ମୁଁ ସେତିକି ତତ୍ପର ଥିଲି । କ୍ଲାସ୍ ରେ ପ୍ରଥମ ବିଷୟ ବସ୍ତୁ ପଢା ହେଲା ବେଳକୁ ମୁଁ ଘରେ ନିଜେ ପଢି ସପ୍ତମ ବିଷୟ ବସ୍ତୁର ପ୍ରଶ୍ନ ପଚାରୁଥିଲି ଖେଳ ଛୁଟିରେ ।ଖେଳିବାକୁ ଭଲ ପାଏନି ବୋଲି ଖେଳ ଛୁଟିରେ ସମସ୍ତେ ଖେଳିଲା ବେଳେ ମୁଁ ପଢୁଥିଲି ।ଶ୍ରେଣୀରେ ପ୍ରଥମ ସ୍ଥାନ ବି ରହୁଥିଲା ମୋର ।ସବୁ ସାର୍ ଦିଦିମାନେ ମୋତେ ଖୁବ୍ ଭଲ ପାଉ ଥିଲେ ।

ସାର୍ ଦିଦି ମାନଙ୍କର ଭଲ ପାଇବାରେ ଆମେ ମାନେ ବଢୁଥିଲୁ ।କିଛି ବୁଝି ପାରୁ ନ ଥିଲେ ସେମାନେ ବଳକା ସମୟ ଦେଇ ଆମକୁ ପଢାଉଥିଲେ ।ରବିବାର ଦିନ ବି ସ୍କୁଲ୍ କୁ ଆସି ପାଠ ବୁଝାଇ ଦେଉଥିଲେ । ଗପ ବି ଶୁଣାଉ ଥିଲେ ।ଦେହ ଖରାପ ଥିଲେ ଘରକୁ ଯାଇ ପଚାରୁଥିଲେ କଣ ହୋଇଛି ବୋଲି ।କ୍ଲାସ୍ କୁ ନ ଆସିଲେ କଡା କୈଫୟତ୍ ମାଗୁଥିଲେ ।

ଥରେ ସ୍କୁଲ୍ ରେ ଏସ୍ ଆଇ ଆସିଥିଲେ ।ସବୁ ସାର୍ ଦିଦି ମାନେ ଯୋଡ ହସ୍ତରେ ଠିଆ ହୋଇଥିଲେ ।ସେ ଆମ କ୍ଲାସ୍ ରୁମ୍ କୁ ପଶି ଆସିଲେ ।ବିଜ୍ଞାନ ପିରିୟଡ୍ ଥିଲା ।ସେ ମାରାଥନ୍ ପ୍ରଶ୍ନ ପଚାରି ଚାଲିଥିଲେ ।ଆଉ ସବୁ ପ୍ରଶ୍ନରେ ମୁଁ ହାତ ଟେକୁଥିଲି ।ଗଲା ବେଳକୁ ପଚାରିଲେ ତୋର ନାଁ କଣ??ମୋ ନାଁ ମୁଁ ଖୁସିରେ କହିଦେଲି ।ପରେ ଜାଣିଲି ସେ ମୋ କ୍ଲାସ୍ ରେ ପଢୁଥିବା ଅରୁଣ(ଛଦ୍ମ ନାମ)ର ବାପା ବୋଲି ।ଅରୁଣ ବି ଭଲ ପଢୁଥିଲା ହେଲେ ସେ ଶ୍ରେଣୀରେ ତୃତୀୟ ସ୍ଥାନ ରେ ରହୁଥିଲା ।

ପରୀକ୍ଷା ପାଖେଇ ଆସୁଥିଲା ।ମୋ ପାଠ ପଢା ବି ସେମିତି ଜୋରରେ ଚାଲିଥିଲା ।କିନ୍ତୁ ମୁଁ ଦେଖୁଥିଲି ଅରୁଣର ବାପା ପ୍ରାୟ ସମୟରେ ଆମ ସ୍କୁଲ୍ କୁ ଆସୁଥିଲେ ।ଅରୁଣର ପଢାପଢି ବିଷୟରେ ପଚାରନ୍ତି ।ସେତେବେଳେ ସାଙ୍ଗମାନେ ମୋତେ କହୁଥିଲେ ..ଦେଖିବୁ ଏଥର ତୁ ଆଉ ଫାଷ୍ଟ ହେଇ ପାରିବୁନି ।ଅରୁଣର ବାପା ସବୁଦିନ ଆସୁଛନ୍ତି ।ଏଥର ସେ ଫାଷ୍ଟ ହେବ ।ତାଙ୍କ କଥା ଶୁଣି ମୁଁ ବି ଦୁଃଖି ହୋଇ ଯାଏ ।ମୋ ବାବା କେବେ ଯାଆନ୍ତିନି ସ୍କୁଲ୍ କୁ ।ସବୁ ଦିନ ସକାଳୁ ଜିପ୍ ଧରି କୁଆଡେ ବାହାରି ଯାଆନ୍ତି ।ମୁଁ ବେଳେ ବେଳେ ରାଗିଯାଏ ।ଭାବେ ମୋ ବାବା ଆମ ସ୍କୁଲ୍ କୁ ବେଳେ ବେଳେ ଗଲେ ମୋର ଜାଗା ଆଉ କିଏ ନେଇ ପାରିବେନି ।ହେଲେ ସେମିତି କିଛି ହୁଏନି ।

ଧୀରେ ଧୀରେ ମୁଁ ଉଦାସ ହେବାକୁ ଲାଗିଲି ।ମୋ ର ପ୍ରଥମ ସ୍ଥାନ ଟିକୁ ଆଉ କିଏ ଛଡେଇ ନେବ ଏକଥା ଭାବି ପାରୁ ନ ଥିଲି ।ବହିର ପାଠ ସହ ପୃଷ୍ଠା ନମ୍ବର ବି ଘୋଷି ପକାଉଥିଲି ।କେଉଁ ଅଙ୍କର ଉତ୍ତର କେତେ ହେବ ତାକୁ ବି ଘୋଷି ଦେଉଥିଲି ।

ପରୀକ୍ଷା ରେଜଲ୍ଟ ବାହାରିବା ଦିନ ମୋ ଛାତି ଦାଉଁ ଦାଉଁ ହେଉଥାଏ ।ବାହାରେ ଅରୁଣର ବାପା ଠିଆ ହୋଇ ଥାଆନ୍ତି ।କ୍ଲାସ୍ ରୁମ୍ ରେ ପୋଗ୍ରେସ୍ ରିପୋର୍ଟ ବଣ୍ଟା ଗଲା ।ସେଦିନ ବି ମୁଁ ଶ୍ରେଣୀରେ ପ୍ରଥମ ହୋଇଥିଲି ।ରେଜଲ୍ଟ ଦେଖି କାନ୍ଦ କାନ୍ଦ ହୋଇଗଲି ।

ବାହାରେ ଅରୁଣର ବାପା ଅଙ୍କ ସାର୍ ଙ୍କୁ ପାଟି କରି କହୁଥିଲେ ଯେ ସେ ଝିଅଟା ସବୁ ବେଳେ ଫାଷ୍ଟ ହେଉଛି ।ମୋ ପୁଅ କାହିଁକି ହେଲାନି ??ଅଙ୍କ ସାର୍ ତାଙ୍କ ସହ ଯୁକ୍ତି କରୁଥିଲେ ।କହିଲେ ଆପଣ ଦୁଇ ଜଣଙ୍କର ଖାତା ନେଇ ଚେକ୍ କରନ୍ତୁ ତା ପରେ କହିବେ ।କିନ୍ତୁ ଅରୁଣର ବାପା ଙ୍କର ରାଗ ବଢି ଚାଲିଥିଲା ।ଧୀରେ ଧୀରେ ସ୍କୁଲ୍ ର ସବୁ ସାର୍ ଓ ଦିଦି ମାନେ ସେଇଠି ପହଞ୍ଚି ସାରିଥିଲେ ।

ସମସ୍ତଙ୍କର ସେଇ ଗୋଟିଏ କଥା ଥିଲା ଯେ ..ଆପଣ ଆମର ଉଚ୍ଚ ପଦଅଧିକାରୀ ହେଲେ ଆମେ କୌଣସି ଛୁଆର ପରିଶ୍ରମ ପ୍ରତି ଅନ୍ୟାୟ କରିପାରିବୁନି ।ତେଣିକି ଆପଣଙ୍କର ଇଛା ।ଯାହା ଚାହିଁବେ ସେଇଆ କରନ୍ତୁ ।

ଅରୁଣର ବାପା ରାଗରେ ଫଁ ଫଁ ହୋଇ ସ୍କୁଟର ଚଲେଇ ପଳେଇ ଗଲେ ।ସ୍କୁଲ୍ ଛୁଟି ହୋଇ ସାରିଥିଲା ..ମୁଁ ଘରକୁ କାନ୍ଦ କାନ୍ଦ ହୋଇ ଫେରିଲି ।ବାବାଙ୍କ ହାତକୁ ପୋଗ୍ରେସ୍ ରିପୋର୍ଟ ବଢେଇ ଦେଇ ଭୋ ଭୋ ହୋଇ କାନ୍ଦି ଉଠିଲି ।ବାବା ବ୍ୟସ୍ତ ହୋଇ ପଚାରିଲେ ..ଆରେ ଫାଷ୍ଟ ତ ହୋଇଛୁ କାନ୍ଦୁଛୁ କାହିଁକି??ମୁଁ କାନ୍ଦି କାନ୍ଦି ସବୁ କଥା କହିଲି ।

ସବୁ କଥା ଶୁଣି ବାବା ହା ହା ହୋଇ ହସିଉଠିଲେ….

ଆଜି ସେ ଅଙ୍କ ସାର୍ ଙ୍କ କଥା ମନେ ପଡୁଛି ।ବଡ ହେଲା ପରେ ଦିନେ ସେଠାକୁ ଯାଇଥିଲି ମୁଁ ।ତାଙ୍କୁ କଣ ଦେଇ ପାରିବି ବୋଲି ଭାବି ଭାବି ଗୋଟିଏ ଗୀତା ପୁସ୍ତକ ଟିଏ ଉପହାର ସୂରୂପ ଦେଇଥିଲି ।ସେ ମୋ ମୁଣ୍ଡରେ ହାତ ବୁଲେଇ ଆଣିଥିଲେ ।

ଆଜି ସେ ନାହାଁନ୍ତି ..ହେଲେ ଆଜି ବି ମୁଁ ମୋ ମୁଣ୍ଡରେ ତାଙ୍କ ହାତର ସ୍ପର୍ଶ ଅନୁଭବ କରେ ।ଆଜିର ଗୁରୁଦିବସରେ ତାଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ।ଆଜି ଭାବେ କୁଆଡେ ଗଲେ ସେମିତି ମଣିଷ ମାନେ???

———Lucy ——–

ଲେଖାଟି ପଢିଥିବାରୁ ଧନ୍ୟବାଦ  

ଲେଖା ପଢି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା  

ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ

Tag: Chinmayee Barik ଚିନ୍ମୟୀ ବାରିକ  

Image Source: Internet

© Copyright Reserved by the Author

Related posts

Leave a Comment