ଡିଆସିଲ (ଦିଆସିଲ)
ଲେଖକ/ଉପସ୍ଥାପକ: ବୈକୁଣ୍ଠନାଥ ଖଟୁଆ (Baikunthnath Khatua)
ଆଜି ଅଗିପୂର୍ଣ୍ଣିମା । ଏହା ପରେ ଦିନକୁ ଦିନ ଗରମ ଅନୁଭବ ହେବ । ଘର ପୋଡିରୁ ରକ୍ଷା ପାଇବା ପାଇଁ ଆଗରୁ ମ।ଘ ପୂର୍ଣ୍ଣିମା ଦିନ ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗିପୋଡା ଉତ୍ସବ ପାଳନ କରୁଥିଲେ । ବର୍ତ୍ତମାନ ବି ସେମିତି ଚାଲିଛି ଯଦିଓ ଆଜିକାଲି ଚ।ଳ ଘର ନହିଁ । ତଥାପି ସେହି ପର୍ବକୁ ମ।ନି ଆସିଛନ୍ତି । ଏହି ପର୍ବ ଲୋପ ପାଇଯିବା ଉପରେ ବସିଛି । ଅଗିପୋଡା କଥା ଆମେ ପିଲା ଦିନେ ଦେଖିଛୁ । ଏଇଟା ହେଉଛି ୧୯୬୫-୬୬ ମସିହା କଥା । ଖରା ଦିନ ହେଲେ ଗାଁ ଦଣ୍ଡ ପିଣ୍ଡାରେ ପାଳ ଚୁମୁରାରେ ହେଉ ବା ବାଲି ରଖି ପଣି ମାଠିଆରେ ପାଣି ରଖନ୍ତି କାରଣ ନିଆଁ ଲାଗିଗଲେ ସଙ୍ଗେ ସଙ୍ଗେ ପାଣି ଆଣି ଲିଭାଇବାକୁ ହୁଏ । ପାଣି ନଥିଲେ କୁଆରୁ ପାଣି କାଢି ଲିଭେଇବା କଷ୍ଟ । ତେଣୁ ଗାଁ ଦାଣ୍ଡ ପିଣ୍ଡାରେ ପାଣି ମାଠିଆ ରଖନ୍ତି ।
ନିଆଁ ପ୍ରଥମେ ଜଣେ ଚୂଲି ଲଗେଇଲେ, ସିଏ ତା’ଠୁ, ଆଉ ଜଣେ ତା’ଠୁ, ଏମିତି ସାରା ଗାଁଯାକ ଚୂଲି ଲାଗି ଯାଏ । ଡିଆସିଲି କାଠି ଥିଲା, କିନ୍ତୁ ବହୁଳ ପ୍ରଚଳନ ନଥିଲା । ମୁଁ ଦେଖିଛି ଶ୍ଵଶାନକୁ ମୁର୍ଦ୍ଦାର ନେଲେ ଗୋଟେ ନିଆଁ ଅଟା ନେବାକୁ ପଡୁଥିଲା । ନିଆଁ ଅଟା ଅର୍ଥ କିଛି ପାଳକୁ ସାଫା କରି ତା ଉପରେ ପାଳ ଗୁଡେଇଲେ ଏହାକୁ ଅଟା କହନ୍ତି । ଏହି ଅଟା ଭିତରେ ନିଆଁ ବର୍ଷ ବର୍ଷ ଧରି ରହେ । ଶ୍ଵଶାନ ଭୁଇଁରେ ଅଟାରୁ ନିଆଁ ବାହାର କରି ମୁର୍ଦ୍ଦାର ପୋଡୁଥିଲେ । ଶାଳ ଘରକୁ ଗଲେ ନିଆଁ ଅଟା ନେବାକୁ ପଡେ । ଦଣ୍ଡ ନାଚରେ ନିଆଁ ଅଟା ବ୍ୟବହାର ହେଉଥିଲା । ସେ ଯୁଗ ଆଉ ନାହିଁ । ଏବେ ଶ୍ଵଶାନକୁ ଡିଆସିଲି ନେବାକୁ ପଡୁଛି । ଡିଆସିଲର ବହୁଳ ଉତ୍ପାଦନ ହେବାରୁ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଆଗ କାଳରେ ପିତଳ ଚଟୁ ଥିଲା । ଏହି ଚଟୁ ସାହାଯ୍ୟରେ ଗୋଟିଏ ଘରୁ ନିଆଁ ଆଣି ଚୂଲୀ ଲଗାଉଥିଲେ । ଆଉ ସେ ପିତଳ ନାହି କି, ଚଟୁ ନାହିଁ । ଡିବି ନହିଁ କି ଶିତୁଳିଆ –ଡିବି ତିଆରି କରିବା ଲୋକ – ନାହାନ୍ତି ।
ନିଆଁ ବାହାରିବାର ପରମ୍ପରା ଅତି ପ୍ରାଚୀନ । କେବେ ନିଆଁ ବାହାରିଲା ବା ନିଆଁର ବ୍ୟବହାର ଶିଖିଲା ତାହା ଏ ପର୍ଯ୍ୟନ୍ତ ଅନିଶ୍ଚିତ । ବିଶେଷଜ୍ଞମାନଙ୍କ ମତରେ ଆଜକୁ ୫୦,୦୦୦ ବର୍ଷ ପୂର୍ବେ ମନୁଷ୍ୟ ନିଆଁର ବ୍ୟବହାର ଜାଣି ଥିଲା ବୋଲି ଆମେ ଧରି ନେବା । ପ୍ରାଚୀନ କାଳରେ ଅଗ୍ନି ଉତ୍ପାଦନ ଅତି କଠିନ ଥିଲା । ସେଥି ପାଇଁ ପ୍ରତ୍ୟେକ ଜାତି ଅଗ୍ନିକୁ ରକ୍ଷା କରିବା ପାଇଁ ଯତ୍ନଶୀଳ ଥିଲେ । ଯେଉଁଠାରେ ଅଗ୍ନି ପ୍ରଜ୍ଜଳିତ ହୋଇ ରହୁଥିଲା, ସେହି ଜାଗାକୁ ବହୁ ଦୂରଦୁରନ୍ତରୁ ଲୋକେ ଆସୁଥିଲେ ଓ ଅଗ୍ନିକୁ ନେଇ ଯାଉଥିଲେ । ବିଶେଷତଃ ଧର୍ମାନୁଷ୍ଟାନମାନଙ୍କରେ ଅଗ୍ନି ପ୍ରଜ୍ଜଳନ ହୋଇ ରହେ । ଯଦି କୌଣସି କାରଣ ବଶତଃ ଅଗ୍ନି ଲିଭି ଗଲେ ଲୋକେ ଅଶୁଭ ବୋଲି ଭାବୁଥିଲେ ।
ଅଗ୍ନି ବିତ୍ପାତକୁ ଲୋକେ ଅନୁଭବ କଲେ । ସେମାନେ ଧରି ନେଲେ ଏହା ଦେବତାର ଖୋଟ । ଦେବତାଙ୍କ ଅଭିଶାପରୁ ଏହା ହେଉଛି । ଏହା ଭାବି ଅଗ୍ନି ଦେବତ।ଙ୍କୁ ପୂଜା କରିବାକୁ ଲାଗିଲେ । ଆମର ପୁରାଣ ଶସ୍ତ୍ରରେ ଅଗ୍ନି ପୁରାଣ ଅଛି । ପ୍ରାଚୀନ ଗ୍ରୀକ ରୋମ ଓ ଭାରତୀୟ ଲୋକମାନେ ଅଗ୍ନି ଦେବତଙ୍କୁ ପୂଜା କରୁଥିଲେ ।
ଅଗ୍ନିର ଉତ୍ପତି ସମ୍ବଦ୍ଧରେ ଅନେକ କାହାଣୀ ରହିଛି । ଗ୍ରୀକ କିମ୍ବଦନ୍ତୀରୁ ଜଣ ଯାଏ ପ୍ରମିଥିୟସ ନାମକ ଜଣେ ଯୋଦ୍ଧା ସ୍ଵର୍ଗରୁ ଅଗ୍ନିକୁ ଧରଣୀକୁ ଆଣିଥିଲେ । ଆମ ଭାଗିରଥ ଗଙ୍ଗାଙ୍କୁ ସ୍ଵର୍ଗରୁ ଆଣିଲା ପରି । ପଲିନେସିଆନ ଗ୍ରନ୍ଥରୁ ଜଣାଯାଏ “ମେଭେଇ” ନାମକ ଜଣେ ଯୋଦ୍ଧା ପାତାଳପୁରରୁ ଅଗ୍ନିର ଉତ୍ପାଦନ ପ୍ରଣାଳୀ ଶିଖିକରି ଆସିଥିଲେ ଓ ଧାରା ପୃଷ୍ଠରେ ଉତ୍ପାଦନ କରିଥିଲେ । ଅଗ୍ନି ଉତ୍ପାଦନ ଉପରେ ଅଷ୍ଟ୍ରୋଲିଆ ଅଧିବାସୀମାନଙ୍କର ଗୋଟିଏ କାହାଣୀ ଅଛି – ଥରେ ଗୋଟିଏ ଝିଅ ସାପ ବାଡେଇବାକୁ ହାତରେ ଗୋଟିଏ ବାଡି ବାଡି ଧରି ଗଲା ବେଳେ ବାଡିଟି ସାପ ଦେହେରେ ନ ବାଜି ଗୋଟିଏ ପଥର ଦେହେରେ ବାଜି ଗଲା ଏବଂ ସେଠରୁ ଅଗ୍ନି ସ୍ଫୁଲିଙ୍ଗ ହେଲା । ସେମିତି ପାର୍ସିର ସାହାନାମା କାବ୍ୟରେ ଲେଖା ଅଛି ହୁସେନ ନାମକ ଜଣେ ବୀର ସାପକୁ ମାରିବାକୁ ଯାଇ ଗୋଟିଏ ପଥର ଫିଙ୍ଗିଲା, ସେ ପଥର ସାପ ଦେହରେ ନ ବାଜି ତଳେ ପଡିଥିବା ଗୋଟିଏ କଳା ପଥରରେ ବାଜିଲା, ସଙ୍ଗେ ସଙ୍ଗେ ସେଥିରୁ ଅଗ୍ନି ସ୍ଫୁଲିଙ୍ଗ ହେଲା । ଦକ୍ଷିଣ ଆମେରିକା କୁଇଶ ଜାତିର ଲୋକଙ୍କ ବିଶ୍ଵାସ ଯେ ତୋହୀନ ନାମକ ଦେବତାଙ୍କ ଗୋଡ ପଥରେ ବାଜିଲେ ଅଗ୍ନି ସ୍ଫୁଲିଙ୍ଗ ଜାତ ହୁଏ । ଦକ୍ଷିଣ ଆମେରିକର ଲୋକ ବିଶ୍ଵାସ ଯେ ଗୋଟିଏ ମଇଷି ରାତ୍ରିରେ ବିଚରଣ କରୁଥିବା ବେଳେ ତାର ଗୋଡ ପଥରରେ ବାଜିଲେ ନିଆଁ ବାହାରେ । ଆମ ଭାରତୀୟ ପୁରାଣ ମତରେ ଅଗ୍ନିର ଉତ୍ପାଦକ ହେଉଛନ୍ତି ଅଙ୍ଗିରା ରୁଷି । ଯେତେ ଯାହା କୁହ ଗଲେ ମଧ୍ୟ ଘର୍ଷଣ ଦ୍ଵାରା ଅଗ୍ନିର ଉତ୍ପତି ହୋଇଛି ଏହା ନିଶ୍ଚୟ । ଅଥବା କାଠକୁ କାଠରେ ବା ପଥରକୁ ପଥରରେ ଘଷିବା ଦ୍ଵାରା ନିଆଁ ବାହାରେ । ଏହା ଥିଲା ପୁରାଣର କଥା ।
ଏବେ ଦେଖିବା ଡିଆସିଲ କେମିତି ବାହାରିଲା । ଏହି ଦିଆସିଲ ବିଭିନ୍ନ ପର୍ଯ୍ୟାୟ ରେ ବିଭିନ୍ନ ଉପାୟରେ ବାହାରିଲା । କିନ୍ତୁ ମଣିଷ ବହୁ ଆଗରୁ ନିଆଁର ବ୍ୟବହାର ଜାଣିଥିଲା । କୋଉ ଯୁଗରୁ କହିବ। କଷ୍ଟକର କଥା । ଅନୁମାନ ହେଉଛି ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁର ବ୍ୟବହାର ଶିଖିଲା । ପରେ ଏହାକୁ ରୋଷେଇରେ ବ୍ୟବହାର କଲା । ମଣିଷ ଦେଖିଲ। ସୂର୍ଯ୍ୟର କିରଣ, ଆକାଶରେ ବିଜୁଳି, ଆଗ୍ନେୟଗିରିର ଉଦ୍ଗିରଣ । ଉଦ୍ଗିରଣ ସମୟରେ ନିଆଁ ଗରମ ଲାଗେ । ଉଦ୍ଗିରଣ କମିଗଲା ପରେ ତାକୁ ଛୁଇଁଲା । ଗରମ ଅନୁଭବ କଲା । ଏହା ଥିଲା ପ୍ରକୃତିକ ନିଆଁ । ଜଙ୍ଗଲରେ ଶୁଖିଲା କାଠକୁ କାଠ ଘଷି ହୋଇ ନିଆଁ ବାହାରୁଛି ଦେଖିଲା । ତାକୁ ଦେଖି କାଠକୁ କାଠ ଘଷି କୃତ୍ରିମ ନିଆଁ ବାହାର କଲା । ସେହି ନିଆଁକୁ ପାଳ ଅଟାରେ ଲଗେଇ ରଖିଲା । ଆମେ ଯେମିତି ଖୋଳ ଭିତରେ ନିଆଁକୁ ସାଇତି ରଖୁଛୁ । ୧୨ଶ ଖ୍ରୀ.ରେ ଚୀନ ଓ ଆରବ ଦେଶରେ ବାରୁଦର ବ୍ୟବହାର ହେଲା । ବାରୁଦ ବନ୍ଧୁକରେ ବ୍ୟବହାର ହେଲା । ଏହି ବାରୁଦରୁ ନିଆଁ ବାହାରିଲା । ମୋଗଲମାନଙ୍କ ଶାସନ କାଳରେ ଉତ୍ତଳ ଯବକାଚ ବାହାରିଲା । ଏହାରି ସାହାଯ୍ୟରେ ସମ୍ରାଟ ଶାହାଜାହାନଙ୍କ ସମୟରେ ଉତ୍ତଳ ଯବକାଚ ସାହାଯ୍ୟରେ ନିଆଁ ଲଗାଉଥିଲେ । ଏଥି ପାଇଁ ବହୁତ ପରିଶ୍ରମ କରିବାକୁ ପଡୁଥିଲା । ରାତିରେ ନିଆଁ ହୋଇ ପାରୁ ନଥିଲା ।
ନିଆଁର ବ୍ୟବହାର ଏମିତି ଚାଲି ଆସୁଥିଲା । ଜଣେ ନିଆଁ କଲେ, ସେଇଠୁ ଅନ୍ୟ ଜଣକ ଘରକୁ ଯାଉଥିଲା । ଏହା ୧୭ ଶତାବ୍ଦୀ ପର୍ଯ୍ୟନ୍ତ ଏହିପରି ଚାଲି ଆସିଥିଲା । ଏହା ଥିଲା ପ୍ରକୃତିକ ଉପାୟରେ ନିଆଁର ବ୍ୟବାହାର । ଏହି ନିଆଁକୁ ଉପଯୋଗ କରୁଥିଲେ ଓ ସରକ୍ଷଣ କରି ପାଳ ଅଟାରେ ପୁନର୍ବାର ବ୍ୟବହାର ପାଇଁ ରଖୁଥିଲେ । ନିଆଁଟେ କରିବା କଷ୍ଟକର ଥିଲା । ଏହା ପରେ ରାସାୟନିକ ପଦାର୍ଥରୁ ନିଆଁ ବାହାରିଲା । ଏହା ଥିଲା ୧୭ ଶତାବ୍ଦୀର କଥା । ଦିଆସିଲ ପେଡି କେବେ ବାହାରିଲା କହିବା କଷ୍ଟ । ଏହା ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ଦ୍ଵାରା କିଏ କେମିତି ବାହାର କରିଛି ଇତିହାସ ତାକୁ ଧରି ବାନ୍ଧି ରଖିନି । ଲୋକଙ୍କ ମୁହଁରୁ ଜଣାଯାଏ ଦିଆସିଲ କାରାଗାର ଅନ୍ଧାର ଭିତରେ ଉଦ୍ଭାବନ ହୋଇଥିଲା । କଥା ଏମିତି ଲୁଡୱିଗ କ୍ଷେମରର ନାମକ ଜଣେ ରାଜନୈତିକ ବନ୍ଦୀ କାର୍ଲସରୋହେ ନିକଟ ହୋଏନସପର୍ଗ କାରାଗାରରେ ବନ୍ଦୀ ଥିଲେ । ଅନ୍ଧାର ଭିତରେ ଜିନିଷ ପତ୍ର ପାଇବା କଷ୍ଟ ଥିଲା । କେମିତି ଜିନିଷ ଅନ୍ଧାର ଭିତରେ ପାଇବେ ଚେଷ୍ଟା ଚଳେଇଲେ ସେହିଠାରୁ ସେ ନିଆଁ ବାହାର କଲେ । ଏହା ଥିଲା ନିଆଁର ଅଦ୍ୟାବସ୍ଥା । ଫସଫରସ ଓ ସଲଫରରୁ ନିଆଁ ଘଟଣାକ୍ରମେ ବାହାରିଗଲା ।
ହେମିଙ୍ଗବର୍ଗର ଜଣେ ବୈଜ୍ଞାନିକ ହେନିଙ୍ଗ ବ୍ରାଣ୍ଡ ୧୬୬୯ ମସିହାରେ ଧଳା ଫସଫରସ ଆବିଷ୍କାର କଲେ । ଏହି ଫସଫରସ ହେଉଛି ଡିଆସିଲି କାଠିର ଜନ୍ମଦାତା । କେଉଁଠି କେମିତି ଫସଫରସରୁ ନିଆଁ ବାହାର କରୁଥିଲେ । କିନ୍ତୁ ଫସଫରସ ପାଇବା କଷ୍ଟ ଥିଲା । ଫସଫରସ ବହୁଳ ଭାବରେ ମିଳୁ ନଥିଲା । ଫସଫରସରୁ ନିଆଁ ବାହାର କରିବା ସେତେ ଅଗ୍ରଗତି କରିପାରି ନଥିଲା ।
ଫସଫରସ ଉପକାରିତା ଜାଣି ଫସଫରସ ବହୁଳ ଭାବରେ ପାଇବାକୁ ଚେଷ୍ଟା କଲେ । ଫସଫରସ ମିଳିଲା ପରେ ଏହାର ଉପୋଯୋଗ କରିବାକୁ ଲାଗିଲେ । ତେବେ ୧୭୮୦ମସିହାରେ ଗୋଟିଏ କାଚ ନଳି ଭିତରୁ ଅମ୍ଳଜାନ ବାହାର କରି ସେଥିରେ କିଛି ଫସଫରସ ଓ ମହମ ସହିତ ଟୁକୁଡା ଟୁକୁଡା କାଗଜ ପୁରାଇ ଠିପିକୁ ବନ୍ଦ କରି ଦିଆଗଲା । କାଚ ନଳିକୁ ଭାଙ୍ଗି ଦେଲେ, ଏଥିରେ ପ୍ରଚଣ୍ଡ ଶବ୍ଦ ହୁଏ । କାଚ ନଳିଟି ପ୍ରଚଣ୍ଡ ଶବ୍ଦ କରି ଫଟି ଯିବା ପରେ, ସେଥିରେ ଥିବା ଫସଫରସ ଓ ରଖା ଯାଇଥିବା କାଗଜ ଟୁକୁଡା ସହିତ ଫସଫରସ ଘର୍ଷଣ ଫଳରେ ନିଆଁ ଜଳେ । ଏହି ପଦ୍ଧତି ବେଶି ଦିନ ଚାଲିଲା ନାହିଁ କାରଣ ଏହି କାଚ ନଳୀକୁ ପକେଟରେ ନେବା ସହଜ ନଥିଲେ, କେତେବେଳେ କାଚ ନଳୀ ଫାଟି ପକେଟ ପୋଡି ଯାଉଥିଲା ।
ଏହିପରି ଭାବରେ ୧୭୮୦ ମସିହାରେ ଇଟାଲୀର ଜଣେ ଲୋକ ପ୍ୟାରିସ ସହରରେ ବାସ କରୁଥିଲେ । ସେ ପ୍ରଥମେ ଫସଫରସରୁ ନିଆଁ ବାହାର କରି ବ୍ୟବସାୟ କରିବାକୁ ଚେଷ୍ଟା କଲା, କିନ୍ତୁ ନିଆଁ ଜଳେଇବା ପଦ୍ଧତି ମହଙ୍ଗା ହୋଇଥିବାରୁ ଏହା ଲୋକଙ୍କ ପାଖରେ ପହଞ୍ଚି ପାରିଲା ନ।ହିଁ ।
୧୭୮୬ ମସିହାରେ ଫସଫରସ ପେଡି ବାହାରିଲା । ଗୋଟିଏ କାଚ ଶିଶି ଭିତର ପାଖରେ ତରଳ ଫସଫରସ ବୋଳା ହୋଇ ରହିଥାଏ । ଏହାକୁ ଭଲଭାବରେ ବନ୍ଦ କରାଯାଇଥାଏ । ଗୋଟିଏ କାଠିର ଅଗ୍ର ଭାଗରେ ତରଳ ଗନ୍ଧକ ବୋଳା ହୋଇଥାଏ । ଏହି କାଠିକୁ ଶିଶି ଠିପି ଖୋଲି ତା ଭିତରକୁ ଭର୍ତି କଲେ ଜଳି ଉଠେ । ଏଥିରେ ଏଇ ଅସୁବିଧା ଥିଲା ଯେ ଠିପି କୁ ଶୀଘ୍ର ବନ୍ଦ ନ କଲେ ଶିଶି ଭିତରେ ବାୟୁ ପଶି ଜଳିଯିବ । ଏହା ବେଶୀ ଦିନ ଚାଲିଲା ନାହିଁ ।
୧୮୦୫ ରେ ଚାନସେଲର ଗୋଟିଆ ନୂଆ ପଦ୍ଧତିରେ ଡିଆସିଲ ବାହାର କଲେ । ଏହା ସେମିତି ଚାଲିଥିଲା ।
୧୮୧୦ରେ “ତତ୍କାଳିକ ଅଗ୍ନି ପେଡି” ବାହାରିଲା । ଏହା ଆଗ ଅପେକ୍ଷା ଟିକିଏ ସୁବିଧା ଥିଲା । ଏହା ଥିଲା କ୍ଳୋରାଇଟ ଅଫ ପଟାସ ଅଠା ଓ ଚିନି ର ତରଳ ମିଶ୍ରଣ କାଠିର ଅଗ୍ରଭାଗକୁ ବୁଡାଇବାକୁ ପଡେ, ତା ପରେ ଗନ୍ଧକ ଏସିଡ ଥିବା ପାତ୍ର କଠିକୁ ବୁଡାଇଲେ ଜଳି ଉଠେ । କିନ୍ତୁ ଏହା ସେତେ ସୁବିଧାଜନକ ନଥିଲା । ଗନ୍ଧକ ଏସିଡ ପାତ୍ରରୁ ଟୋପାଏ ଯଦି ଲୁଗାରେ ପଡିଯାଏ ଲୁଗା ପୋଡିଯାଏ । ଏହି ବ୍ୟବସ୍ଥା ବେଶୀ ଦିନ ଚାଲିଲାନି । ତେବେ ଏହି କ୍ଳୋରାଇଟ ଦିଆସିଲ ବ୍ୟବହୁଳ ଥିଲା । ୧୦୦ଟି କଠିକୁ ୧ ଶିଲିଙ୍ଗରେ ବିକ୍ରି ହେଉଥିଲା । ଲୋକେ ମାଗି ଯାଚି ନିଆଁ ବ୍ୟବହାର କଲେ । ଏହାକୁ କିଣିଲେନି ।
୧୮୨୪ରେ ଲଣ୍ଡନ ସହରର ମିଷ୍ଟାର ବେର ନାମକ ଜଣେ ଶିଳ୍ପୀ ଏକ ପ୍ରକାର ଦିଆସିଲ ପେଡି ବାହାର କଲେ । ଏହାର ଲମ୍ବ ୫ ଇଞ୍ଚ ଓସାର ୪ ଇଞ୍ଚ ଉଚତା ୨ ଇଞ୍ଚ । ଏଥିରେ ୫ଟି ଜିନିଷ ଆବଶ୍ୟକ ହେଉଥିଲା । ୧. ସଲଫ୍ୟୁରିକ ଏସିଡି ଥିବା ଶିଶି ୨. ଦିଆସିଲ କାଠି ରଖିବା ଗୋଟିଏ କାଠ ପଟା। ୩. ଫାଶି ଦବା ଭଳି ଗୋଟିଏ ଛୋଟିଆ ଯନ୍ତ୍ର ୪. ଗୋଟିଏ ସ୍ପିରିଟି ଦୀପ ୫. କେତେକ ଦିଆସିଲ କାଠି । ଏହାର କାମ ହେଲା ସଲ୍ଫୁରିକ ଏସିଡି ଥିବା ଶିଶିକୁ ଲାଗି ଫାଶି ଦିଆ ଯନ୍ତ୍ର ରହେ । ଏହି ଯନ୍ତ୍ରରେ ଦଉଡି ଲାଗି ରହିଥାଏ । ଦଉଡିକୁ ଟାଣିଲେ ସଲ୍ଫୁରିକ ଏସିଡି ବାହାରେ କଠିକୁ ଜଳାଏ ତା ସାଙ୍ଗେ ସାଙ୍ଗେ ଦୀପକୁ ଜଳାଏ । ପୁଣି ଫାଶି ଦିଆ ଯନ୍ତ୍ର କୁ ଟାଣିଲେ ଶିଶି ଠିପି ବନ୍ଦ ହୁଏ ଏଥିରେ ଏସିଡି ଛିଟିକି ପଡିବା ଭୟ ନ ଥାଏ । ଏହାର ୨ ବର୍ଷ ପରେ ଘଷିବା ଦିଆସିଲ ବାହାରିଲା ।
୧୮୨୬ରେ ଜନୱାଲକର ନାମକ ଜଣେ ଇଂରେଜ ଫାର୍ମାସିଷ୍ଟ “ଘର୍ଷଣ ଦୀପ” ନାମକ ଏକ ଦିଆସିଲ ବାହାର କଲେ । ପୂର୍ବର କ୍ଳୋରାଇଟ ସହିତ ସଲଫାଇଡି ୱିଥ ଆଣ୍ଟିମୋନି ମିଶ୍ରଣ କରି କାଠି ଦୁଇ ଅଗ୍ର ଭାଗରେ ବୁଡାଇ ରଖିଲେ ଏବଂ ବାଲି କାଗଜ ରେ ଘଷିବା ଦ୍ଵାରା ନିଆଁ ବାହାରିଲା । ଏହି ଦିଆସିଲକୁ ୱାଲକର ୧୦୦ଟି କଠିକୁ ୧ ସିଲିଙ୍ଗ ରେ ବିକ୍ରି କଲେ ଓ ପେଡିର ଦାମ ଅଧିକ ୨ ପେନସ ରଖିଥିଲେ । ହେଲେ ଏହା ଅଧିକ ସୁବିଧା ଜନକ ଥିବାରୁ ଏହା ଆଦୃତିଲାଭ କଲା । କିନ୍ତୁ ଏହି ପେଡିକୁ ବିଭିନ୍ନ ଜାଗାକୁ ପରିବହନ ବେଳେ ବା ଶଗଡରେ ନେଲା ବେଳେ ଧକଡକଚଡରେ ନିଆଁ ଲାଗିଯାଉଥିଲା । ଏହି ନିଆଁ ନ ଲାଗିବା ପାଇଁ ଚେଷ୍ଟା ଚାଲିଲା । ଆଉ ଗୋଟେ ଅସୁବିଧା ଆସିଲା, ଏଥିରେ ଲୋକେ ଦାନ୍ତରୋଗରେ ଆକ୍ରାନ୍ତ ହେଲେ ।
ପୁଣି ୧୮୨୮ ମସିହାରେ ପ୍ୟାରିସ ସହରର ସାମୁଏଲ ଜୋନସ ଜନ ଚାନସେଲରଙ୍କର ଗୋଟିଏ ନୂଆ ପ୍ରଣାଳୀକୁ ଟିକିଏ ପରିବର୍ତ୍ତନ କରି ନିଆଁ ଜଳେଇଲେ । ଏହା ଥିଲା ଗୋଟିଏ କାଚ ନଳିରେ କିଛି ଅମ୍ଳଜାନ ଭର୍ତ୍ତି କରି ତା ଉପରେ କିଛି ତରଳ ଦ୍ରବଣରେ ବୁଡାଇ କାଚ ନଳି ଉପରେ ଛପି ଦିଆଯାଉଥିଲା । କାଚ ନଳିଟିକୁ ଭାଙ୍ଗି ଦେଲେ ବା ଚପି ଦେଲେ କାଚ ନଳିଟି ଭାଙ୍ଗି ଯିବା ଦ୍ଵାରା ଅମ୍ଳଜାନ ସହିତ କାଗଜରେ ଲେପ ଦିଆଯାଇଥିବା ଦ୍ରବଣ ଜଳି ଉଠେ । ଏହା ଟିକିଏ ଉନ୍ନତ ଥିଲା । ଫସଫରସ ଏଥିରେ ବ୍ୟବହାର ହେଲାନି । ତଥାପି କାଚ ନଳିକୁ ଭଙ୍ଗିବା ଟିକିଏ କଷ୍ଟ ଥିଲା । ଲୋକମାନେ ଏହକୁ ପସନ୍ଦ କଲେ, କାରଣ ଏ ସବୁ ଜିନିଷ ଶସ୍ତାରେ ମିଳୁ ଥିଲା ।
୧୮୩୨ ମସିହାରେ ପ୍ୟାରିସର ଜଣେ ବୈଜ୍ଞାନିକ ଜି. ଇ. ମାର୍କେଟ ଏବଂ ଅଷ୍ଟ୍ରିଆର ଜେ. ସାଇଗଲ କାଗଜକୁ କାଗଜ ଘଷି ନିଆଁ ବାହାର କଲେ । କିନ୍ତୁ ଏଥିରୁ ଯେଉଁ ଗ୍ୟାସ ନିର୍ଗତ ହେଉଥିଲା ତାହା ଦେହ ପକ୍ଷରେ କ୍ଷତିକାରକ ଥିଲା । ୧୮୩୧ମସିହାରେ ଫ୍ରାନ୍ସର ଜଣେ ବୈଜ୍ଞାନିକ ଚାର୍ଲସ ସୈରିୟା କେମିତି ସହଜ ଉପାୟରେ ନିଆଁ ଜଳ। ଯାଇପାରିବ ସେଥି ପାଇଁ ଚେଷ୍ଟା ଚଳାଇଲେ । ସେ ଜାଣିଲେ ଯେ ଧଳା ଫସଫରସରୁ କୌଣସି କ୍ଷତିକାରକ ଗ୍ୟାସ ନିର୍ଗତ ହୁଏ ନାହିଁ । କିନ୍ତୁ ଏହାର ପ୍ରୟୋଗର ମାନ୍ୟତା ମିଳିନଥିଲା । ଏହା ପରେ ଲୋକମାନେ ନ ମାନି ଏହାକୁ ବ୍ୟବହାର କରିବାକୁ ଲାଗିଲେ । ଯଦିଓ ଏହା ସୁବିଧା ନଥିଲା, କିନ୍ତୁ ନ କଲେ ନ ଚଳେ, ବାଧ୍ୟବାଧକତାରେ କରିବାକୁ ଲାଗିଲେ ।
୧୮୩୬ରେ ହଙ୍ଗେରୀର ଜଣେ ରସାୟନବିତ ଜୋନ ଇରିନ ପ୍ରଥମେ ଦିଆସିଲ ବାହାର କରି ଦିଆସିଲ ଫାକଟ୍ରି ବସାଇ ଦିଆସିଲ ଉତ୍ପାଦନ କଲେ ଓ ବଜାରରେ ବିକିବାର ଚେଷ୍ଟା କଲେ । କିନ୍ତୁ ଏଥିରେ ସେ ସଫଳ ହେଲେନି । ଋଣଗ୍ରସ୍ତ ହୋଇ ୧୮୯୫ରେ ମରିଗଲେ ।
୧୮୨୭ ଏପ୍ରିଲ ୧ ତାରିଖରେ ସ୍ଵିଡେନର ଷ୍ଟକହାମରେ ଜନ ୱାକର ଘର୍ଷଣ ଜନିତ ଦିଆସିଲ ବାହାର କରି ତାଙ୍କ ଦୋକାନରେ ବିକ୍ରି କଲେ । ସେତେବେଳେ ଗୋଟିଏ ଦିଆସିଲ ପେଡିର ମୂଲ୍ୟ ଏକ ସିଲିଙ୍ଗ ଓ ୫୨ ପେନି ରଖିଥିଲେ । ସେତେବେଳେ ବାଲି କାଗଜରେ କାଠିକୁ ଘଷିବାକୁ ପଡୁଥିଲା । ଏହା ପରେ ଅଷ୍ଟ୍ରିଆର ରିଙ୍ଗର ଦିଆସିଲ ବାହାର କଲେ ଏହା ୨୦୦୦ ଥର ବ୍ୟବହାର ହେଉଥିଲା ।
୧୮୪୧ ରେ ଲଣ୍ଡନ ର ଜଣେ ଲୋକ ଗୋଟିଏ ଦିଆସିଲ କାଠିର ଉଭୟ ପାର୍ଶ୍ଵ ରେ ରଞ୍ଜକ ଦେଇ କାଠି ବାହାର କଲେ ଏବଂ ଏହି କାଠି ମଝିରେ ନିଆଁ ନ ଜଳିବ ପାଇଁ ଗୋଟିଆ ପଦାର୍ଥ ଦେଲେ ଯାହା ଫଳରେ ନିଆଁ କାଠିର ଅନ୍ୟ ପାଖକୁ ଆସି ପାରୁ ନ ଥିଲା । କିନ୍ତୁ ଏହା ବେଶି ଦିନ ଚାଲି ନ ଥିଲା ।
୧୮୪୪ ମସିହାରେ ଭିଏନାର ଷ୍ଟ୍ରେଟର ଓ ସ୍ଵିଡେନର ଲୁଣ୍ଡଷ୍ଟୋମ ନାମକ ଦୁଇ ଜଣ ଶୀଳ୍ପି ରେଡ ଫସଫରସ ବାଲି କାଗଜରେ ବୋଳି ପେଡିର ବାହାର ପଟେ ରଖି କାଠିର ମୁଣ୍ଡରେ ଗନ୍ଧକ ବୋଲି ଦିଆସିଲ ବାହାର କଲେ । ଏହା ହେଲା “ନିରାପଦ ଦିଆସିଲ” ।
୧୮୪୫ ମସିହାରେ ଅନ୍ୟ ଜଣେ ବୈଜ୍ଞାନିକ ଏଣ୍ଟନ ସରାଟର ବର୍ତ୍ତମାନ ଯେଉଁ ଦିଆସିଲ ବ୍ୟବହାର ହେଉଛି ତାକୁ ବାହାର କଲେ । ସେ ଏଥିରେ ନାଲି ଫସଫରସ ବ୍ୟବହାର କରିଥିଲେ । ଏହି ନାଲି ଫସଫରସ ସେତେ କ୍ଷତିକାରକ ନଥିଲା । ଏହା ମଧ୍ୟ ସୁବିଧାଜନକ ଥିଲା । ହେଲେ ମଧ୍ୟ ଏହି ଡିଆସିଲି କାରଖାନାରେ ଯେଉଁମାନେ କାମ କରୁଥିଲେ ସେମାନଙ୍କର କିଛି କ୍ଷତି ହେଉଥିଲା । ଏହା ପରେ ଧଳା ଫସଫରସ ବ୍ୟବହାର ହେଲା କାରଣ ଏହା ବେଶୀ ଦିନ ରହି ପାରୁଥିଲା ବର୍ଷାରେ ଜ।ଲମୁ ନଥିଲା । କିନ୍ତୁ ଏହି ଧଳା ଫସଫରସର ହାନିକାରକ ଗୁଣ ଥିଲା ଫଳରେ କାରଖାନାର ଲୋକେ କାମ କରିବାକୁ ଅମଙ୍ଗ ଥିଲେ ।
୧୮୫୫ ମସିହାରେ ଯେତେବେଳେ ସ୍ଵିଡେନରେ ଦିଆସିଲ ପ୍ରଚାଳନ ହେଲା, ସେତେବେଳେ ଦିଆସିଲ କାଠିର ଅଗ୍ରଭାଗରେ ଆଣ୍ଟିମନି ସଲଫାଇଡି, କ୍ଳୋରେଟ ଅଫ ପଟାସ, ପଟାସିୟମ ଡାଇକ୍ଳୋମେଟ ଓ ରେଡ ଲେଡ ପ୍ରଭୃତି ରାସାୟନିକ ପଦାର୍ଥର ମିଶ୍ରଣ ଅଠା ସାହାଯ୍ୟରେ ଦିଆସିଲ କାଠିର ଗୋଟିଏ ମୁଣ୍ଡରେ ଲଗାଯାଏ । ଅନ୍ୟ ପକ୍ଷରେ ଦିଆସିଲ ଖୋଳର ଦୁଇ ପାର୍ଶ୍ଵରେ ରକ୍ତ ଫସଫରସ ଓ କାଚଗୁଣ୍ଡର ମିଶ୍ରଣ ଅଠା ସାହାଯ୍ୟରେ ବୋଳା ଯାଏ । କିନ୍ତୁ ଏବେ ଧଳା ଫସଫରସ ପରିବର୍ତ୍ତେ ସଲଫାଇଡି ବ୍ୟବହାର ହେଲା । ଦିନକୁ ଦିନ ରୂପରେଖ ବଦଲୁଛି । ଆଉ ସଲଫାଇଡି ପରିବର୍ତ୍ତେ ଅଧିକ ଶସ୍ତ ବାଇଗେଣି ଫସଫରସ ବ୍ୟବାହାର ହେଉଛି ।
୧୮୭୯ ମସିହାରେ ସ୍ଵିଡେନରେ ଧଳା ଫସଫରସ ଯୁକ୍ତ ଦିଆସିଲ ଉତ୍ପାଦନ ହେଲା । ଆଇନିଗତ ଦୃଷ୍ଟିରୁ ଏହା ଉପରେ ପ୍ରତିବନ୍ଧକ ଲଗା ଗଲା । ପରେ ପଶ୍ଚିମ ଇରୋପରେ ଏହାର ଉତ୍ପାଦନ ଉପରେ ରୋକ ଲଗ। ଗଲା । ଏମିତି ଅନେକ ଭଲ ମନ୍ଦ ଭିତରେ ଆଜିର ଦିଆସିଲ କାମ କରିଚାଲିଛି । ଏହା କେତେ ଉପକାରରେ ଲାଗିଛି କହିଲେ ନ ସରେ ।
୧୮୯୮ରେ ଫ୍ରାନ୍ସର ସିଭେନ ଓ କହେନ ନାମକ ଦୁଇଜଣ ଶୀଳ୍ପି ହଳଦିଆ ଫସଫରସ ବଦଳରେ ଫସଫରସର ଏକ ଲବଣ ବାହାର କଲେ । ଏହାକୁ ଘଷିବା ଦ୍ଵାରା ନିଆଁ ଜଳେ । ଏହାକୁ “ଘଷା” ଦିଆସିଲ କହନ୍ତି ।
ଏହି ଦିଆସିଲ ୧୯୩୦ ମସିହାରେ ସ୍ଵିଡେନରୁ ଆମ ଦେଶକୁ ଦିଆସିଲ ଆସିଲା । ଆଉ କାହା ମତରେ ୧୮୭୦ରେ ଭାରତକୁ ଦିଆସିଲ ସ୍ଵିଦେନରୁ ଆସିଲା । ସ୍ଵିଡେନରେ ଯେଉଁ ଦିଆସିଲ କାଠି ତିଆରି ହେଉଥିଲା ତାହା ଶୁଖିଲା ପାଇନ ଗଛ କାଠକୁ ଚିରି କାଠି କରୁଥିଲେ । ତାର ଗୋଟିଏ ମୁଣ୍ଡରେ ରଞ୍ଜକ ଲଗାଉଥିଲେ । କିନ୍ତୁ ଆମ ଦେଶରେ ପାଇନ ଗଛ ନ।ହିଁ, ତେଣୁ ଆମ ଦେଶରେ ଶିମିଳି ଓ ଦେବଦାରୁ ଗଛରୁ ଦିଆସିଲ କାଠି ତିଆରି କରି ଦିଆସିଲ ପ୍ରସ୍ତୁତ କଲେ । ଅନୁମାନ କରନ୍ତୁ ଦିଆସିଲ କେତେ ପର୍ଯ୍ୟାୟ ଦେଇ ବିକାଶ ଲାଭ କରିଛି । ଏହା ହେଉଛି ଦିଆସିଲର ଜୟଯାତ୍ରା
ତଥ୍ୟ
୧. ସମାଜ
ନିଆଁଲଗା ଡିଆସିଲ , ଭିକାରି ସିଂହ, ଇବ ଥରମଲ
୨. ସମାଜ
ଡିଆସିଲର ବିକାଶ ଯାତ୍ରା, ପ୍ରସନ୍ନ କୁମାର ହୋତା
୩. Wisdom September ୧୯୮୧
୪. ଜ୍ଞାନକୋଷ
୫. ଇଣ୍ଟେରନେଟ
ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର ଫେସବୁକ-ପେଜ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ