କାକୁଡ଼ି କାବ୍ୟ
[ଗପଟିଏ ଜହ୍ନମାମୁ ପୃଷ୍ଠାରୁ]
ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ
Author/ Presentator: Shree Ranganath Rath
…..
ଗପଟିଏ ଜହ୍ନମାମୁ ପୃଷ୍ଠାରୁ
✥━━━✥━━━✿━━━✥━━━✥
କାକୁଡ଼ି କାବ୍ୟ
✥━━━✥✿✥━━━✥
ଭୂଷଣ କାଶୀରେ ପାଠ ପଢୁଥିଲା। ପାଠପଢ଼ା ଶେଷ ହେବା ମାତ୍ରେ ତାକୁ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ରୂପେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ମିଳିଲା। କାରଣ ସେ ଯେପରି ମେଧାବୀ, ଠିକ୍ ସେହିପରି ବିନୟୀ ମଧ୍ୟ।
କିନ୍ତୁ ଭୂଷଣ ନିଜ ଗାଁକୁ ଲେଉଟି ଆସିଲା। ତା’ର କାରଣ, ତା’ ବାପା ମାଆଙ୍କ ସ୍ୱାସ୍ଥ୍ୟ ମୋଟେ ଭଲ ରହୁ ନଥିଲା।
ଗାଁକୁ ଆସି ସେ ଦିନଯାକ ବିଲବାଡ଼ିର କାମ ବୁଝା ସୁଝା କରେ। ତା’ପରେ ଘର କାମଦାମରେ ସେ ମାଆର ସହାୟତା କରେ। ସବା ଶେଷରେ, ରାତିରେ ଖିଆପିଆ ପରେ କିମ୍ବା ଖୁବ୍ ସକାଳେ ବସି ସେ କବିତା ଲେଖେ। କାହିଁକିନା ସେ ଦିଗରେ ତା’ର ପ୍ରବଳ ଆଗ୍ରହ ଥାଏ।
ଦିନେ ତା’ ବାପା କହିଲେ, “ଭୂଷଣ, ମୁଁ ନିଜେ ତ ପାଠଶାଠ ପଢ଼ିନାହିଁ କି କୌଣସି କାବ୍ୟ କବିତା ବୁଝେ ନାହିଁ। କିନ୍ତୁ ତୁ ଯେତେବେଳେ କବିତା ଲେଖିବାରେ ଏତେ ଆଗ୍ରହୀ, ମୋର ବିଶ୍ୱାସ ତୁ ନିଶ୍ଚୟ ଭଲ କବିତା ଲେଖୁଥିବୁ। କିନ୍ତୁ ଏଠି ତୋର ପ୍ରତିଭା କିଏ ଚିହ୍ନିବ? ଆମ ରାଜ୍ୟର ରାଜା ପ୍ରତିଭାବାନ କବି ଓ ପଣ୍ଡିତମାନଙ୍କର ବହୁତ ଆଦର କରନ୍ତି। ସେ ଯଦି ଥରେ ତୋ କବିତା ଶୁଣନ୍ତେ, ତେବେ ହୁଏତ ତୋ ଭାଗ୍ୟ ଫିଟି ଯାଆନ୍ତା।”
ଭୂଷଣ ଦୀର୍ଘନିଃଶ୍ୱାସ ଛାଡ଼ି କହିଲା, “ସତ କଥା। ହେଲେ ରାଜାଙ୍କୁ କବିତା ପଢ଼ି ଶୁଣାଇବାର ସୁଯୋଗ ମୋତେ କାହୁଁ ମିଳିବ?”
ବାପା କହିଲେ, “ଆମ ଏ ଅଞ୍ଚଳର ଜମିଦାର ଯାହାକୁ ବି ସୁପାରିଶ କରିବେ, କେବଳ ସେ ହିଁ ରାଜାଙ୍କୁ ଭେଟିପାରିବ। ଆମ ଜମିଦାର ଜଣେ ସୁଶାସକ ଓ ରାଜଭକ୍ତ ଲୋକ। ତେଣୁ ରାଜା ତାଙ୍କୁ ଖୁବ୍ ଶ୍ରଦ୍ଧା କରନ୍ତି।”
ଭୂଷଣ କହିଲା, “କିନ୍ତୁ ମୁଁ ଜାଣେ, ଜମିଦାର କାବ୍ୟ କବିତାର ବିନ୍ଦୁ ବିସର୍ଗ ସୁଦ୍ଧା ବୁଝନ୍ତି ନାହିଁ।”
“ସେକଥା ତ ଠିକ୍। କିନ୍ତୁ ସେଥିରେ କ’ଣ ଯାଏ ଆସେ? ଟିକିଏ ଚତୁରତା ସହ କାମ କଲେ ହୁଏତ ସୁଫଳ ମିଳିବ। ଜମିଦାର ତ ଖାଲି ରାଜାଙ୍କ ସହ ଭେଟପାଇଁ ସୁପାରିଶ କରିବା କଥା। ମୁଁ ତାଙ୍କୁ ଥରେ ତୋ’କଥା କହି ଦେଖେ।” ଏହା କହି ବାପା ଜମିଦାରଙ୍କ ଘର ଆଡ଼େ ବାହାରିଗଲେ। ଘଣ୍ଟାକ ପରେ ସେ ପୁଣି ଲେଉଟି ଆସି କହିଲେ, “ଭୂଷଣ, ଆଗାମୀ କାଲି ସକାଳେ ତୁ ଯାଇ ଜମିଦାରଙ୍କୁ ତୋ କବିତା ଶୁଣାଇବୁ।”
ଭୁଷଣ କହିଲା, “ବାପା! ସେ ତ କିଛି ବୁଝନ୍ତି ନାହିଁ। ଅରସିକେଷୁ କବିତ୍ଵ ନିବେଦନମ୍ କିଛି ସୁଖକର କଥା ନୁହେଁ।”
ବାପା କହିଲେ, “ତୁ ଖାଲି କବିତା ଶୁଣା ଓ ସେ ଯାହା କହିବେ ବିନା ପ୍ରତିବାଦରେ ତାହା ଶୁଣିଯା। ତେଣିକି ଯାହା ହେବ ଦେଖାଯିବ।”
ଭୂଷଣ ପରଦିନ ଯାଇ ଜମିଦାରଙ୍କ ପାଖରେ ପହଞ୍ଚିବା ମାତ୍ରେ ଜମିଦାର ହସି ହସି କହିଲେ, “ତୁମ ବାପା ଠିକ ଜାଣନ୍ତି ଯେ ମୋତେ କବିତା ବହୁତ ଭଲ ଲାଗେ। ପଢ଼ କ’ଣ ଲେଖିଛ। ଶୁଣିବା।”
ଭୂଷଣ ପ୍ରଥମେ ତା’ର ସବୁଠାରୁ ଉତ୍ତମ କବିତା ପଢ଼ି ତାଙ୍କୁ ଶୁଣାଇଲେ। ଜମିଦାର କହିଲେ, “ହୁଃ, ଏଇଟା ରସୋତ୍ତୀର୍ଣ୍ଣ ହେଲା ନାହିଁ। ବୁଝିଲ? ଆଉ ଗୋଟିଏ ପଢ଼। ରସୋତ୍ତୀର୍ଣ୍ଣ ହେବା ଦରକାର। ରସୋତ୍ତୀର୍ଣ୍ଣ।”
ଭୂଷଣ ବୁଝିଲା ଯେ ଜମିଦାର କେବଳ ରସୋତ୍ତୀର୍ଣ୍ଣ ଶବ୍ଦଟି ଜାଣିଛନ୍ତି। ସେ ଆହୁରି ଗୋଟିଏ ପଢ଼ିଲା। ତା’ପରେ ଆଉ ଗୋଟାଏ। ସବା ଶେଷରେ ସେ ତା’ର ସବୁଠାରୁ କଚ୍ଚା ଓ ହାଲୁକା କବିତାଟି ପଢ଼ିଲା। କବିତାଟିର ନାମ “କାକୁଡି”।
“ତୋହ ଭଳି କିଏ ଅଛି କହରେ କାକୁଡ଼ି!
କି ମଧୁର ରଡ଼ି କରୁ ଖାଇଲେ କାମୁଡ଼ି!”
ଜମିଦାର ପାଟି କରି କହିଲେ, “ବାଃ, ବାଃ! ଏହାକୁ ସିନା କହନ୍ତି ରସୋତ୍ତୀର୍ଣ୍ଣ କବିତା! କ’ଣ ଏହାର ନାମ?”
“ନା, ଏହାର ନାମ ହେବ କାକୁଡ଼ି କାବ୍ୟ। କ’ଣ ବୁଝିଲ ତ? ହଁ, ଆଉ ଗୋଟାଏ କଥା। ମୁଁ ଆମ ରାଜାଙ୍କ ପାଖକୁ ଏ ମୁଲକ ତରଫରୁ କେତେଥର କେତେ ଭେଟି ପଠାଇଛି – କଖାରୁ, କାକୁଡ଼ି ସମେତ। କିନ୍ତୁ ଥରେ ବି କବିଟିଏ ପଠାଇବାର ସୁଯୋଗ ପାଇ ନଥିଲି। ତୁମେ ମୋ ସୁପାରିଶ ନେଇ ରାଜାଙ୍କ ପାଖକୁ ଯାଅ। ତାଙ୍କୁ କବିତା ଶୁଣାଇବ। ହେଲେ ଖବରଦାର୍! ପ୍ରଥମେ ଏହି କାକୁଡ଼ି କାବ୍ୟ ପଢ଼ି ଶୁଣାଇବ। ମୁଁ ଏଇଟା ବାଛି ଦେଇଛି ବୋଲି କହିବ। ମୋ କଥା ତମେ ବୁଝୁଛ ନା ନାହିଁ?”
ଭୂଷଣ ନମ୍ର ଭାବରେ କହିଲା, “ବୁଝୁଛି ଆଜ୍ଞା।”
“ବାସ୍। ମୁଁ ଏଥର ଚିଟାଉ ଲେଖି ଦେଉଛି।” ଏହା କହି ଜମିଦାର ରାଜାଙ୍କ ପାଖକୁ ଚିଠି ଲେଖିଲେ ଓ ଭୂଷଣ ହାତରେ ତାହା ଦେଲେ।
ଦୁଇ ତିନିଦିନ ଭିତରେ ପ୍ରସ୍ତୁତ ହୋଇ ଭୂଷଣ ରାଜଧାନୀକୁ ବାହାରିଗଲା। ସେଠାରେ ଦୁଇଦିନ ଅପେକ୍ଷା କରିବା ପରେ ରାଜାଙ୍କ ପାଖରୁ ଡାକରା ଆସିଲା। ଯେଉଁ କବିତାଟିକୁ ଜମିଦାର ପ୍ରଥମେ ନାପସନ୍ଦ କରିଦେଇଥିଲେ, ଭୂଷଣ ସେହି କବିତାହିଁ ପଢ଼ିଲା। ରାଜା ଅତିଶୟ ମୁଗ୍ଧ ହୋଇ ତାହା ଶୁଣିଲେ ଓ କହିଲେ, “ଆଉ ଥରେ ପଢ଼!”
ଭୂଷଣ ପୁଣି ପଢ଼ିଲା। ରାଜା ଭୂଷଣର ଅନ୍ୟ କିଛି କିଛି କବିତା ବି ଦେଖିଲେ ଓ ନିଜ ହାତକୁ ସେସବୁ ନେଇ ପଢ଼ିଲେ। ତା’ପରେ ରାଜା କହିଲେ, “ଭୂଷଣ! ତୁମେ ଯେ ଅସାମାନ୍ୟ କବି, ସେ ବିଷୟରେ ମୋର ଆଉ କୌଣସି ସନ୍ଦେହ ନାହିଁ। କିନ୍ତୁ ତୁମ ସେଠିକା ଜମିଦାର ଯେ କବିତାର ଏଡ଼େ ବଡ଼ ସମଝଦାର, ସେକଥା ମୁଁ ଜାଣି ନଥିଲି!”
ଏହା କହି ରାଜା ସେ ଜମିଦାରଙ୍କୁ ଡକାଇ ପଠାଇଲେ ଓ ଭୂଷଣକୁ ସମ୍ମାନ ଦେବା ସହିତ ରାଜକବି ପଦରେ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଜମିଦାରଙ୍କୁ ବି ସେ ସମ୍ମାନିତ କଲେ।
ରାତିରେ ରାଜାଙ୍କ ସହ ନୈଶାହାର ବେଳେ ଜମିଦାର କହିଲେ, “ମଣିମା! କାକୁଡ଼ି କାବ୍ୟ ଭଳି କାବ୍ୟ ଆମ ଭାଷାରେ ଆଉ ନାହିଁ!”
ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କାକୁଡି କାବ୍ୟ? ସେଇଟା ପୁଣି କ’ଣ?”
ଜମିଦାର ମୁଗ୍ଧ ହୋଇ କହିଲେ, “କାହିଁକି ମଣିମା? ଭୂଷଣ କ’ଣ ତାହା ଆପଣଙ୍କୁ ଶୁଣାଇ ନାହିଁ? “ତୋହ ଭଳି କିଏ ଅଛି କହରେ କାକୁଡ଼ି! କି ମଧୁର ରଡ଼ି କରୁ ଖାଇଲେ କାମୁଡ଼ି!” ଆହା, ଆହା! କି ରସୋତ୍ତୀର୍ଣ୍ଣ କବିତା!”
ସେତେବେଳକୁ ରାଜା ହସି ହସି ବେଦମ ହେଲେଣି। ସେ ଭୂଷଣକୁ ନିଜ ପାଖକୁ ଡାକି ଚୁପି ଚୁପି ଏହାର ରହସ୍ୟ ପଚାରିଲେ। ଭୂଷଣ କହିଲା, “ମଣିମା, ଏକଥା ସତ ଯେ ମୁଁ କେଉଁ କବିତା ଆପଣଙ୍କ ଆଗରେ ପଢ଼ିବି ସେ ଦିଗରେ ଜମିଦାର ମୋତେ ବହୁତ ସାହାଯ୍ୟ କରିଛନ୍ତି। ଯେଉଁ କବିତା ସେ ମୋଟେ ବୁଝିଲେ ନାହିଁ, ମୁଁ ସେଇଟା ହିଁ ପଢ଼ିଲି।”
ଏହା ଶୁଣି ରାଜା ଆହୁରି ହସିଲେ।
ଭୂଷଣ ରାଜକବି ଭାବରେ ସୁନ୍ଦର ଘରଟିଏ ପାଇଲା। ସେଠି ଆସି ତା’ ବାପା ମାଆ ରହିଲେ। ସେତେବେଳକୁ ସେମାନଙ୍କ ଦେହ ଆନନ୍ଦରେ ହିଁ ପୂରା ଭଲ ହୋଇ ଯାଇଥାଏ!
ସମାପ୍ତ
(ସଂକଳକ – ରଙ୍ଗନାଥ ରଥ)
…..
…..
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର ଫେସବୁକ-ପେଜ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ