ହେ କୃଷ୍ଣ

Sri Krushna

ହେ କୃଷ୍ଣ

ଲେଖା:  Harekrushna Sahu

*****************[ କ୍ଷୁଦ୍ରଗଳ୍ପ ]*****************

Sri Krushna
ଶ୍ରୀ କୃଷ୍ଣ

ଫୁଲଟି ଫୁଟୁଥିଲା।

ଠିକ୍…….

ଶ୍ରୀକୃଷ୍ଣ ଙ୍କ ସମ୍ମୁଖରେ। ହାତ ପାହାନ୍ତାରେ।

ଶ୍ରୀରାଧା ବସିଥିଲେ ପ୍ରାକୃତିକ ଭାବେ ସୁସଜ୍ଜିତ କୁଞ୍ଜର ସୁଶୀତଳ ଛାୟା ତଳେ। କହ୍ନେଇ ତାଙ୍କ କୋଳରେ ମୁଣ୍ଡ ରଖି ଅବଲୋକନ କରୁଥିଲେ ଦେବୀଙ୍କ ଅପୂର୍ବ ସୁନ୍ଦର ମୁଖମଣ୍ଡଳର ଶୋଭା।

ଫୁଲଟି ଫୁଟୁଥିଲା।

ତା’ସହିତ କାମନାଟିଏ ମୁକୁଳିତ ହେଉଥିଲା ଖୁବ୍ ନିରବରେ। ଫୁଲଟି ଦେଖୁଥିଲା ଶ୍ରୀରାଧାଙ୍କ ଅପରୂପ ସୌନ୍ଦର୍ଯ୍ୟକୁ। ମୁଗ୍ଧ ହେଉଥିଲା। ନିଶବ୍ଦରେ ପ୍ରାର୍ଥନା କରୁଥିଲା -ହେ କୃଷ୍ଣ ! ଆଜି ଶ୍ରୀରାଧା ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି। ମୋ ମନରେ ତାଙ୍କ ପ୍ରତି ପ୍ରେମ ଭାବ ଜାଗୃତ ହେଲାଣି। ନିଜକୁ ମୁଁ ଆଉ ସମ୍ବରଣ କରି ପାରୁନାହିଁ। କୃପାକରି ମୋତେ ତୋଳିନିଅ ତୁମର ଦୁଇ ଦିବ୍ୟ ହସ୍ତରେ। ଖଞ୍ଜିଦିଅ ସୁନ୍ଦରୀ ରାଧିକାଙ୍କ ଘନକୃଷ୍ଣ କୁନ୍ତଳରେ। ଭାରି ଇଚ୍ଛା ହଜିଯିବାପାଇଁ ସେହି ଚିରସ୍ଥାୟୀ ଘନ ଅନ୍ଧକାର ଭିତରେ। ଚିବୁକରେ ଚୁମ୍ବନଟିଏ ଦେଇ ଶ୍ରବଣେନ୍ଦ୍ରିୟ ଦ୍ୱାରରେ ନିବେଦନ କରିବି ପ୍ରେମ। କହିବି – ହେ ରାଧେ, ତୁମକୁ ମୁଁ ପ୍ରେମ କରୁଛି। ତୁମବିନା ମୋ ଜୀବନ ଅର୍ଥହୀନ। ତା’ପରେ…. ସୁଗନ୍ଧର ବାହୁ ବିସ୍ତାର କରି ଆଲିଙ୍ଗନ କରିବି, ତାଙ୍କ ଶରୀରର କୋଣ ଅନୁକୋଣ ବ୍ୟାପିଯାଇ। ଭେଦିଯିବି ଅଭ୍ୟନ୍ତରକୁ। ମନ, ହୃଦୟ ଓ ସମସ୍ତ ତନ୍ତ୍ରୀକୁ ସିକ୍ତ କରି ଆଚ୍ଛନ୍ନ କରିବି ଶ୍ରୀରାଧାଙ୍କ ସାମଗ୍ରିକ ସତ୍ତା।
ତା’ପରେ ଝରିଯିବି। ସତ୍ୟ।

ଶ୍ରୀକୃଷ୍ଣ ଚକ୍ଷୁ ଖୋଲି ସଶ୍ରଦ୍ଧ ଦୃଷ୍ଟିରେ ଚାହିଁଲେ। ମଧୁ ରୂପି ଅଶ୍ରୁ ଟୋପେ ଖସି ପଡ଼ୁଛି ଫୁଲରୁ। ପଡ଼ିଲା ଶ୍ରୀକୃଷ୍ଣଙ୍କ ପାଦ ଉପରେ। ସାଦରେ ଫୁଲଟିକୁ ତୋଳି ଆଣିଲେ କହ୍ନେଇ। ଖଞ୍ଜିଦେଲେ ଇପ୍ସିତ ସ୍ଥାନରେ। ସ୍ମିତ ହସଟିଏ ମୁହଁରେ ସଜାଇ ପୁନଶ୍ଚ ଆଖି ବୁଜିଦେଲେ।

କୃଷ୍ଣ ସ୍ପର୍ଶ ପ୍ରାପ୍ତ ହୋଇଥିବା ଫୁଲଟିକୁ ଶ୍ରୀରାଧା ନିଜର ହସ୍ତରେ ଆଦର କରି ଭାଗ୍ୟକୁ କୃତଜ୍ଞତା ଜଣାଇବା ପାଇଁ ଇଚ୍ଛା ପ୍ରକଟ କଲା ବେଳକୁ ବାମ କର୍ଣ୍ଣ ନିକଟରେ ଥିବା ଆଶୀର୍ବାଦ ପ୍ରାପ୍ତ ଫୁଲଟି କୋମଳ ସ୍ୱରରେ କହିଲା – ମା… ଆ….

ଏତିକିରେ ଶ୍ରୀରାଧା ନିଜର ଦେହ, ମନ, ପ୍ରାଣ ସବୁକିଛି ଫୁଲଟି ପାଖରେ ସମର୍ପି ଦେଇ ବିସ୍ମୃତ ହୋଇଗଲେ ଆପଣାକୁ। ଆଃ…. ଦିବ୍ୟ ଆନନ୍ଦ।

ପ୍ରତ୍ୟାବର୍ତ୍ତନ କଲାପରେ ଦେଖିଲେ ପାଖରେ ନାହାଁନ୍ତି ପ୍ରିୟତମ କୃଷ୍ଣ। ସ୍ମିତ ହସଟିଏ ଉପହାର ଦେଇ ଖସି ଯାଇଛନ୍ତି। ସବୁବେଳେ କୃଷ୍ଣ ଏମିତି। ପାଖରେ ଥାଇବି ନିକଟରେ ନଥାନ୍ତି। ଆଖିରେ ଥାଆନ୍ତି ତ ନଥାନ୍ତି ମନରେ। କୋଳରେ ଅଛନ୍ତି, କିନ୍ତୁ ନାହାନ୍ତି କୌଣସ କୂଳରେ।

ଶ୍ରୀରାଧା ଚକ୍ଷୁ ମୁଦ୍ରିତ କରି ଅନୁଧାବନ କଲେ ଶ୍ରୀକୃଷ୍ଣଙ୍କୁ। ଦେଖିଲେ କୃଷ୍ଣ ସହସ୍ର କୃଷ୍ଣରେ ପରିଣତ ହୋଇ ଯାଇଛନ୍ତି। ସର୍ବତ୍ର କୃଷ୍ଣ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ମେଘ, ପର୍ବତ, ବୃକ୍ଷଲତା, ପଶୁପକ୍ଷୀ, ମାନବ ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ କୃଷ୍ଣ।

ଶ୍ରୀରାଧା ନିଜକୁ ସହସ୍ର ଭାଗ କରି କୃଷ୍ଣଙ୍କ ପାଖରେ ଗୋଟି ଗୋଟି କରି ଖଞ୍ଜିଦେଲେ।

କୃଷ୍ଣ ଅଣୁ ଅବସ୍ଥା ପ୍ରାପ୍ତ ହେଲେ। ବ୍ୟାପିଲେ ଚତୁର୍ଦ୍ଦିଗ। ରାଧା ନିଜକୁ କଲେ ବିଭାଜିତ। କୃଷ୍ଣ ହେଲେ ପରମାଣୁ। ରାଧା ହେଲେ ଅନୁଗାମିନୀ। କୃଷ୍ଣ କ୍ଷୁଦ୍ରାତିକ୍ଷୁଦ୍ର କଣିକାର ରୂପନେଇ ବ୍ରହ୍ମାଣ୍ଡରେ ନିଜର ସାନ୍ଦ୍ରତା ବୃଦ୍ଧି କରି ଚାଲିଲେ। ଶ୍ରୀରାଧା ପଶ୍ଚାତଧାବନ କରି କୃଷ୍ଣଙ୍କ ସାଙ୍ଗେ ସାଙ୍ଗେ ଚାଲିଥାନ୍ତି।

କ୍ଷୁଦ୍ର, କ୍ଷୁଦ୍ର ଆହୁରି କ୍ଷୁଦ୍ର। ସୁକ୍ଷ୍ମ, ସୁକ୍ଷ୍ମରୁ ସୁକ୍ଷ୍ମତର। ସବୁଠି, ବ୍ରହ୍ମାଣ୍ଡ ବ୍ୟାପୀ, ସର୍ବତ୍ର କୃଷ୍ଣଟିଏ ତା’ସହିତ ରାଧାଟିଏ।

ଶେଷ, ଅନ୍ତିମ ବିଭାଜନ। ଆକାରର ମୃତ୍ୟୁ। ନିରାକାରାବସ୍ଥା। ଶୂନ୍ୟ। କିନ୍ତୁ ସର୍ବବ୍ୟାପୀ। ପ୍ରତିଟି ସୁକ୍ଷ୍ମ ଏକକରେ ଥିବା ଶକ୍ତିମାନେ ଏବେ ଗୋଟିଏ। ସର୍ବତ୍ର ବ୍ୟାପିଥିବା ଶୂନ୍ୟତା ହିଁ ଗୋଟିଏ କୃଷ୍ଣ। ହେଲେ କୃଷ୍ଣ କାହାଁନ୍ତି ! କେଉଁଠି !

ଶ୍ରୀରାଧା ଦଣ୍ଡାୟମାନ ହୋଇଥିଲେ ଶେଷ ବିଭାଜନର ଦ୍ୱାର ଦେଶରେ। ସୁକ୍ଷ୍ମତାର ଅନ୍ତିମ ପାବଛରେ। ସେପଟେ କୃଷ୍ଣ ଏପଟେ ରାଧା। ରାଧାଙ୍କର ଆଉ ଧର୍ଯ୍ୟ ନଥିଲା। ଶେଷ ଆକାରକୁ ଧ୍ୱଂସ କରି ହୋଇଗଲେ ନିରାକାର। ଶ୍ରୀକୃଷ୍ଣଙ୍କ ସତ୍ତା ସହିତ ଏକାକାର।

ଆରମ୍ଭ ହେଲା ବିସ୍ଫୋରଣ। କୋଟି କୋଟି ନକ୍ଷତ୍ର, ତାରା, ସୂର୍ଯ୍ୟ ଜନ୍ମହୋଇ ଛିଟିକି ପଡ଼ିଲେ ଚତୁର୍ଦ୍ଦିଗକୁ, ମହାଶୂନ୍ୟବ୍ୟାପୀ। ସୃଷ୍ଟି ହେଲେ ଗ୍ରହ ଉପଗ୍ରହ। ଉତ୍ପତ୍ତି ହେଲା ଜୀବନ।

ଅବଶେଷରେ ସାମୟିକ ବିଶ୍ରାମର ଆଶ୍ରୟ ନେଲେ ସେହି ଅଦୃଶ୍ୟ, ସର୍ବବ୍ୟାପୀ ମହାଶକ୍ତି। ସହବାସାନ୍ତର ବିମୁଗ୍ଧ ଆନନ୍ଦର ଅବସନ୍ନତା ପରି। ଅଙ୍କୁରୋଦ୍ଗମ ପରେ ବୀଜଟି ଦୁଇଭାଗ ହୋଇ ନିରବୀ ଯିବାପରି।

ଶ୍ରୀକୃଷ୍ଣ ମୁଦ୍ରିତ ନୟନ ଖୋଲି ଚାହିଁଲେ ଶ୍ରୀରାଧାଙ୍କୁ। ରାଧା ଦୃଷ୍ଟି ମିଳାଇଲେ। ଅଭିମାନ ଭରା ସ୍ୱରରେ କହିଲେ – କହ୍ନେଇ, କୁଷୁମ ସମ୍ମୋହନ ରେ ବିବଶ କରି କୁଆଡ଼େ ଚାଲି ଯାଇଥିଲ ଯେ !

କୃଷ୍ଣ କରଜୋଡ଼ି କହିଲେ – ତେବେ ଆଜିଠାରୁ ଫୁଲ ଫୁଟିବାର ଅଧିକାର ତୁମ ଅଧିନରେ ରହୁ।

ମା…. ଆ…., ସେହି ମଧୁର ସ୍ୱରଟି ପୂନର୍ବାର ଶ୍ରୀରାଧାଙ୍କର ହୃଦୟରେ ଅନୁରଣିତ ହେଲା। ଫୁଲରୁ ପାଖୁଡ଼ାଟିମାନ ଖସିବାକୁ ଲାଗିଲା। ପଡ଼ୁଥିଲା କୃଷ୍ଣଙ୍କ ଶ୍ରୀମୁଖ ସ୍ପର୍ଶ କରିବା ପାଇଁ। ସବୁ ପାଖୁଡ଼ାରେ ଦୃଶ୍ୟମାନ ହେଉଥିଲା ଗୋଟିଏ ଗୋଟିଏ ନିର୍ମଳ ହସ।

ତଥାସ୍ତୁ , ଶ୍ରୀକୃଷ୍ଣଙ୍କ କଥାର ଉତର ଦେବାକୁ ଯାଇ ରାଧା କହିଲେ।

💢▪💢▪💢▪💢▪💢▪💢▪💢▪💢


  • ଲେଖା (ଲେଖକ/ଅନୁବାଦକ/ସମାଲୋଚକ/ଉପସ୍ଥାପକ/ସଂଗ୍ରାହକ): ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ: Digital Media (Suravi Odia), Print Media ( )
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ୱେବସାଇଟ ଲିଙ୍କ:  Suravi Odia
  • © Copyright reserved by Writer (Harekrushna Sahu) & Publisher (Suravi Odia)
  • © All rights reserved by Suravi.in.net

ଧନ୍ୟବାଦ

Related posts

Leave a Comment