ସାହାଡ଼ା ସୁନ୍ଦରୀ

ସାହାଡ଼ା ସୁନ୍ଦରୀ

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

********************[ କ୍ଷୁଦ୍ରଗଳ୍ପ ]********************

 

ନିଧି ବେହେରାଙ୍କୁ ଅଶି ବର୍ଷ ହେଲାଣି। ସେ ଏବେବି ବଞ୍ଚିଛନ୍ତି। ତାଙ୍କର ଚାରି ପତ୍ନୀଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ମରିଯିବା ପରେ ଏବେ ତୃତୀୟ ଜଣକ କେବଳ ଜୀବିତ ଅଛନ୍ତି। ସେହି ତୃତୀୟ ଜଣକ ହେଲେ, ଗୋଟିଏ ସାହାଡ଼ା ଗଛ। ଏଇଠୁ ଅନୁମାନ କରିବା କଥା ଯେ ତାଙ୍କ ଜୀବନର ବିବାହ ଅଧ୍ୟାୟଟି କେଡ଼େ ଚମକପ୍ରଦ ଓ ତଥ୍ୟପୂର୍ଣ୍ଣ।

ନିଧି ବେହେରା ତାଙ୍କ ଜୀବନରେ ଘଟିଯାଇଥିବା ଘଟଣା ଗୁଡ଼ିକୁ ଖୁବ୍ ଭାବପ୍ରବଣ ହୋଇ ବର୍ଣ୍ଣନା କରନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ବିବାହର ବର୍ଷକ ମଧ୍ୟରେ ଝାଡ଼ାବାନ୍ତିରେ ଦେହ ତ୍ୟାଗ କଲେ। ଦ୍ୱିତୀୟ ସ୍ତ୍ରୀ ମରିଲା ବେଳକୁ ବେହେରାଙ୍କୁ ମାତ୍ର ବାଇଶି ବର୍ଷ ହୋଇଥାଏ। ତେଣୁ ତାଙ୍କର ବାପା, ମାଆ ଆଉ ଗୋଟିଏ ବୋହୁ କରିବାପାଇଁ ଝିଅଟିଏ ଖୋଜିଲେ। କିନ୍ତୁ ନିଧି ବେହେରାଙ୍କ ନାଆଁ ଶୁଣିବା ମାତ୍ରେ କୌଣସି କନ୍ୟା ପିତା ଝିଅ ଦେବାକୁ ରାଜି ହେଲେନାହିଁ। କାରଣ ସମସ୍ତଙ୍କ ମନରେ ଭୟଟିଏ ଥିଲା ଯେ ଯେଉଁ ଝିଅ ନିଧି ବେହେରାଙ୍କୁ ବିବାହ କରିବ ସେ ନିଶ୍ଚୟ ବର୍ଷକ ମଧ୍ୟରେ ମରିବ। ନିଧି ବେହେରାଙ୍କ ଟାଣୁଆ ରାଶି ହାବୁଡ଼ରୁ କେହି ବର୍ତ୍ତି ପାରିବନାହିଁ।

ଏ ବିଷମ ସମସ୍ୟାର ସମାଧାନ ନିମନ୍ତେ ନାମକରା ଜ୍ୟୋତିଷଙ୍କ ପରାମର୍ଶ ଖୋଜାଗଲା। ଜ୍ୟୋତିଷ କହିଲେ – ଦେଖ, ନିଧିଆର ଯେଉଁ ଟାଣୁଆ ଗ୍ରହଟା ବାରମ୍ବାର ସ୍ତ୍ରୀମାନଙ୍କୁ ମାରି ପକାଉଛି ତାକୁ ଶାନ୍ତ କରିବାକୁ ପଡ଼ିବ। ତୃପ୍ତ କରିବାକୁ ପଡ଼ିବ। ନିଧିଆକୁ ଗୋଟେ ସାହାଡ଼ା ଗଛ ସହିତ ବିବାହ କରିଦେଲେ ସେ ଅମଙ୍ଗଳିଆ ଗ୍ରହଟା ସାହାଡ଼ା ଗଛକୁ ମାରିବାପାଇଁ ଚେଷ୍ଟା କରିବ। କିନ୍ତୁ ସାହାଡ଼ା ଗଛଟା ସହଜରେ ମରିବ ନାହିଁ। ତେଣୁ ଗ୍ରହଟା ସେଇଠି ବ୍ୟସ୍ତ ରହିବ। ନିଧିଆ ଗ୍ରହମୁକ୍ତ ହୋଇଯିବ। ତା’ପରେ ସେ ଯାହାକୁ ବାହା ହେଲେ ବି ସେ ବୋହୁଟିର ଆଉକିଛି କ୍ଷତି ହେବନାହିଁ।

ସେ ଯୁଗରେ ଅର୍ଥାତ୍ ନିଧି ବେହେରାଙ୍କ ଯୌବନ କାଳରେ ଏହିଭଳି କଥା ଉପରେ ସମସ୍ତଙ୍କର ବିଶ୍ୱାସ ଥିଲା ଏବଂ ସାହାଡ଼ାଗଛ ବିବାହ ପ୍ରଥା ପ୍ରଚଳିତ ଥିଲା ମଧ୍ୟ। ଥିଲେ ବି ଏହି ଘଟଣା ଗୁଡ଼ିକ ମଣିଷ ଜୀବନରେ କ୍ୱଚିତ୍ ଘଟୁଥିଲା। ତେଣୁ ଏପରି ବୃକ୍ଷ ସହିତ ବିବାହଟିଏ ହେଲେ କଥାଟା ଚାରିଆଡ଼େ ପ୍ରଚାର ହୋଇଯାଉଥିଲା- ହେଇ, ଜାଣିଛ, ସେ ଅମୁକ ନୁହେଁ, ସାହାଡ଼ା ଗଛକୁ ବାହା ହୋଇଛି।

ବାହା ହୋଇଥିବା ଲୋକଟାକୁ ଭାରି ଲାଜ ମାଡ଼ୁଥିଲା। ତେଣୁ ସାହାଡ଼ା ଗଛକୁ ବାହାହେବା କଥା ଶୁଣି ନିଧିଆ ଆଦୌ ରାଜି ହେଲାନାହିଁ। ଅନେକ ବୁଝେଇବା ପରେ ବି ଗୋଟେ ଗଛକୁ ବାହା ହେବା କଥା ତା’ର ଆଦୌ ପସନ୍ଦ ହେଲାନାହିଁ। କିଏ ସାଙ୍ଗସାଥୀ, ସାହି ପଡ଼ିଶା ଲୋକଙ୍କ ପରିହାସ ସହିବ। ତେଣୁ ପରିବାର ଲୋକଙ୍କ କବଳରୁ ରକ୍ଷା ପାଇବାପାଇଁ ମାମୁଁ ଘରକୁ ପଳେଇଲା। ସେଠି ଯାଇ ଲୁଚିଲା। ସେତେବେଳକୁ ମାମୁଁ ଘର ଗାଁ ରେ ଚୈତ୍ର ପର୍ବ ଚାଲିଥାଏ। ରାତିରେ ଯାତ୍ରାପାର୍ଟି ନାଚ କରୁଥାଏ। ତେଣୁ ସେଠି ଲୁଚି ରହିବାପାଇଁ ତାକୁ ଭଲ ଲାଗିଲା। ଗାଁ ଟୋକାଙ୍କ ସହିତ ମିଶି ମଉଜ କଲା। ରାତିରେ ଯାତ୍ରା ଦେଖିଲା। ଦ୍ୱିତୀୟ ରାତିରେ ଗୋଟେ ନାଟକ ହେବାର ଥାଏ। ନାଟକର ନାଁ ସାହାଡ଼ା ସୁନ୍ଦରୀ। ଭାରି ଭଲ ନାଟକ ବୋଲି ସମସ୍ତେ କହୁଥାନ୍ତି। ସେଦିନ ନାଟକ ଦେଖିବା ପାଇଁ ସାଙ୍ଗମାନଙ୍କ ସହିତ ନିଧିଆ ବସିଗଲା। ନାଟକ ଦେଖିଲା ବେଳେ ସାଙ୍ଗମାନେ ବିଭିନ୍ନ ଦୃଶ୍ୟକୁ ନେଇ ଗପସପ କରୁଥିବା ବେଳେ ନିଧିଆ ଚୁପଚାପ୍ ବସି ନାଟକ ଦେଖୁଥିଲା। କାରଣ ନାଟକ ଦେଖୁ ଦେଖୁ ନିଧିଆ ସେଥିରେ ନିଜ ଜୀବନର କାହାଣୀକୁ ଦେଖୁଥିଲା। କାହାଣୀଟି ଥିଲା ଏହିପରି – ଜଣେ ରାଜାଙ୍କର ତିନିପୁଅ ଥିଲେ। ସେମାନଙ୍କ ବିବାହ ବୟସ ହେବାରୁ ରାଜା କହିଲେ, ତୁମେମାନେ ଧନୁଶର ଧରି ତିନି ଦିଗକୁ ଶର ନିକ୍ଷେପ କର। ଯାହା ଶର ଯେଉଁଠି ପଡ଼ିବ ତା’ର ବାହାଘର ସେଇଠି ହେବ।

ତିନିଜଣ ଶର ନିକ୍ଷେପ କଲେ। ବଡ଼ପୁଅ, ମଝିଆ ପୁଅର ଶର ପଡ଼ିଲା ଦୁଇଟି ପଡ଼ୋଶୀ ରାଜ୍ୟର ରାଜଧାନୀରେ। ସେମାନେ ସେଠାକାର ରାଜକୁମାରୀମାନଙ୍କୁ ବାହାହେଲେ। ସାନ ପୁଅର ଶର ଖୋଜିଲା ବେଳକୁ ମିଳିଲା ଗୋଟେ ଜଙ୍ଗଲ ଭିତରୁ। ପୁଣି ଗୋଟେ ସାହାଡ଼ା ଗଛରେ ବିଦ୍ଧ ହୋଇଥିଲା। ତେଣୁ ରାଜା ସାନ କୁମାରଙ୍କୁ ସେହି ସାହାଡ଼ା ଗଛ ସହିତ ବାହା କରିଦେଲେ ଓ ଜଙ୍ଗଲରେ ଉଆସଟିଏ ତିଆରି କରି ଗଛ ପାଖରେ ରହିବାକୁ ନିର୍ଦ୍ଦେଶ ଦେଲେ।

ରାଜ କୁମାରଟି ଜଙ୍ଗଲରେ ରହୁଥାଏ। କିନ୍ତୁ ଭାରି ମନ ଦୁଃଖରେ। ଗଛ ପାଖରେ ବସି ବେଳେବେଳେ ନିଜ ମନକଥା ଶୁଣାଏ, ମୁଁ କି ଅପରାଧ କରିଥିଲି ଯେ ମୋତେ ତୋ ଭଳି ଗୋଟେ ବୃକ୍ଷକୁ ବାହା ହେବାକୁ ପଡ଼ିଲା। ଏଇମିତି ଦିନେ କହୁ କହୁ ଗଛର ଗଣ୍ଡିଟି ତଳୁ ଉପରଯାଏ ଦୁଇଫାଳ ହୋଇ ଚିରିଗଲା। ଆଉ ତା’ଭିତରୁ ବାହାରି ଆସିଲା ଅପୂର୍ବ ସୁନ୍ଦରୀ ଝିଅଟିଏ। ଝିଅଟି କହିଲା – କୁମାର, ଆଉ ମନ ଦୁଃଖ କରନ୍ତୁନାହିଁ। ମୁଁ ଅଭିଶାପ ପାଇ ଗୋଟେ ଗଛ ହୋଇ ଯାଇଥିଲି। ଆପଣଙ୍କୁ ବିବାହ କରି ଓ ଆପଣଙ୍କ ମନକଥା ଶୁଣି ଶାପମୁକ୍ତ ହେଲି। ମୋ ନାଁ ସାହାଡ଼ା ସୁନ୍ଦରୀ। ମୋତେ ଦୟା ପୂର୍ବକ ଗ୍ରହଣ କରନ୍ତୁ।

ଏ ନାଟକଟି ଦେଖିବା ପରେ ନିଧିଆ ଗାଁ କୁ ଫେରି ଆସିଲା। ଆଉ ସାହାଡ଼ା ଗଛକୁ ବିବାହ କରିବାପାଇଁ ରାଜି ହେଲା ଓ ଗାଁ ମୁଣ୍ଡ ଅନାବାଦୀରେ ଥିବା ଗଛଟିକୁ ବାହାହେଲା। ତା’ପରେ ବାହା ହେବାପାଇଁ ତାକୁ ଝିଅ ମିଳିଲେ। ଏହି ଚତୁର୍ଥ ପତ୍ନୀଠାରୁ ଛୁଆପିଲା ମଧ୍ୟ ଜନ୍ମ ହେଲେ। ସଂସାର ବଢ଼ିଲା। ପିଲାମାନେ ବଡ଼ହୋଇ ନିଜ ନିଜ ଧନ୍ଦାରେ ମନ ଦେଲେ। ଏତେସବୁ ମାୟା ଭିତରେ ପଶିଥିଲେ ବି ନିଧି ବେହେରାର ଶ୍ରଦ୍ଧା ଓ ଦୁର୍ବଳତା ଥାଏ ସେହି ସାହାଡ଼ା ଗଛପ୍ରତି। ତେଣୁ ସେ ବେଳେବେଳେ ଯାଇ ସାହାଡ଼ା ଗଛ ପାଖରେ ନିଜର ମନକଥା ଶୁଣାଏ। ଆଶା କରିଥାଏ ଯେ ନିଶ୍ଚୟ କେବେ ନା କେବେ ଏ ଗଛଟିରୁ ଅପୂର୍ବ ସୁନ୍ଦରୀ ଝିଅଟିଏ ବାହାରିବ ଏବଂ କହିବ, ମୁଁ ଆପଣଙ୍କ ଶାପଗ୍ରସ୍ତା ସାହାଡ଼ା ସୁନ୍ଦରୀ।

ନିଧି ବେହେରାର ଧାରଣା ଥାଏ ପ୍ରତ୍ୟେକଟି ସାହାଡ଼ା ଗଛ ଗୋଟିଏ ଗୋଟିଏ ଶାପଗ୍ରସ୍ତା ସୁନ୍ଦରୀ କନ୍ୟା । ନହେଲେ ବିବାହ କରିବାପାଇଁ ଜାମୁ, ବର, ଶାଳ ଏତେ ଗଛ ଥାଉ ଥାଉ ମଣିଷ କେବଳ ସାହାଡ଼ା ଗଛକୁ କାହିଁକି ବିବାହ କରନ୍ତି।

ସେ ଗାଁ ରେ ଶାମ ରାଉତ ନାମରେ ଜଣେ ଲୋକ ଥାଏ। ତା’ର ସ୍ତ୍ରୀ ମାନେ ବାରମ୍ବାର ମରିଯାଉଥିବାରୁ ଜ୍ୟୋତିଷ ମହାଶୟ ତାକୁ ପରାମର୍ଶ ଦେଲେ ଗୋଟେ ସାହାଡ଼ା ଗଛକୁ ବାହା ହେବାପାଇଁ। ଶାମ ରାଉତ ସାହାଡ଼ା ଗଛ ଖୋଜାଖୋଜି କରୁ କରୁ ନିଧି ବେହେରାଙ୍କ ଗଛ ପାଖରେ ପହଞ୍ଚିଲା। କାରଣ ସେ ଅଞ୍ଚଳରେ ଆଉ କେଉଁଠି ସାହାଡ଼ା ଗଛ ନଥିଲା। ବିବାହର ସବୁ ଆୟୋଜନ କରିସାରି ଶାମ ରାଉତ ଗଛ ପାଖରେ ଉପସ୍ଥିତ ହେଲା ବେଳକୁ ନିଧି ବେହେରା ପାଞ୍ଚ ହାତିଆ ଠେଙ୍ଗାଟିଏ ଧରି ସେଠି ପହଞ୍ଚିଗଲା। ଆଉ ରାଗ ତମ ତମ ହୋଇ କହିଲା – ଏଠି ଏ ବାହାଘର ଫାହାଘର ହୋଇ ପାରିବ ନାହିଁ। ଯିଏ ସେ କାମ କରିବ ଏଇ ଠେଙ୍ଗାରେ ତା’ ମୁଣ୍ଡକୁ ଛତୁ କରିଦେବି। ମୁଁ ଥରେ ଏ ଗଛକୁ ବାହା ହୋଇଛି। ସେ ମୋ ସ୍ତ୍ରୀ। ସିଏ ବେଶ୍ୟା ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ତାକୁ ବାହା ହୋଇ ପଡ଼ିବ।

ଗାଁ ଲୋକ ଯେତେ ବୁଝେଇଲେ ବି ସେ ଆଦୌ ବୁଝିଲା ନାହିଁ। କିମ୍ବା ଗଛ ପାଖରୁ ଇଞ୍ଚେ ଘୁଞ୍ଚିଲା ନାହିଁ। ଶେଷରେ ନ୍ୟାୟ ନିଶାପ ହେଲା। ନ୍ୟାୟ ନିଶାପରେ ନିଧି ବେହେରା ହାରିଗଲେ ବି ତା’ର ଭାବପ୍ରବଣତାକୁ କେହି ହେୟଜ୍ଞାନ କରିପାରିଲେ ନାହିଁ। କାରଣ ନିଧିଆ ଗଛଟିକୁ ବାହା ହୋଇଛି। ତାକୁ ଖୁବ୍ ଭଲପାଏ। ତା’ ମୂଳରେ ଘଣ୍ଟା ଘଣ୍ଟା ଧରି ବସିରହେ। ଗଛ ଡାଳକୁ ବିକଳ ହୋଇ ଚାହିଁଥାଏ। ତା’ ଭିତରୁ ସିଏ କ’ଣ ଖୋଜୁଥାଏ ଜାଣି ନହେଲେ ବି ଏକଥା ସମସ୍ତେ ଦେଖିଛନ୍ତି।

ଶେଷରେ ପ୍ରସ୍ତାବ ନିଆଗଲା ଯେ ସାହାଡ଼ା ଗଛଟିକୁ ଆଉ କେହି ବାହା ହେବେନାହିଁ ଏବଂ ଗଛଟି ପାଇଁ ଗଣ୍ଡଗୋଳ ଉପୁଜୁ ଥିବାରୁ ଗଛଟିକୁ ଗ୍ରାମ ତରଫରୁ କାଟି ଦିଆଯିବ। କାଟି ଦିଆଯିବା କଥା ଶୁଣିବା ପରେ ନିଧି ବେହେରା ସେଇ ସଭା ମଝିଟାରେ ଲୁହ ଗଡ଼ାଇ କାନ୍ଦି ପକାଇଲା। ମନ ଭିତରର କଥାକୁ ଶବ୍ଦରେ ପ୍ରକାଶ କରିପାରୁନଥିଲେ ବି ଲୁହ ଜରିଆରେ ଅନେକ କଥା କହିଗଲା। ତା’ର ଲୁହକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ଗଛକଟା ସ୍ଥଗିତ ରହିଲା।

ଗଛଠାରେ ଥିବା ତା’ର ବୃକ୍ଷତ୍ୱଟି କୋମଳାଙ୍ଗୀ ସୁନ୍ଦରୀ ରୂପରେ ଯେପରି ନିଧିଆକୁ ଏତେଦିନ ଧରି ଗୋଟାଏ ସ୍ୱପ୍ନମୟ ରାଜ୍ୟରେ ବଶକରି ରଖି ଆନନ୍ଦ ଦେଇ ପାରିଲା ;ଠିକ ସେମିତି ସବୁ ଗଛମାନଙ୍କ ଭିତରେ ଥିବା ତାଙ୍କର ସତ୍ତାମାନଙ୍କୁ ମଣିଷ ଚିହ୍ନିପାରି ଭଲପାଇ ପାରନ୍ତା କି !

* ଏହି କାହାଣୀଟି 12.11.2000 ରେ ପର୍ଯ୍ୟବେକ୍ଷକ ରେ ପ୍ରକାଶ ପାଇଥିଲା ଓ 2004 ମସିହାରେ ପ୍ରସାର ଭାରତୀ ବ୍ରୋଡ୍ କାଷ୍ଟିଂ କର୍ପୋରେସନ ତରଫରୁ ଇନ୍ ହାଉସ୍ କାର୍ଯ୍ୟକ୍ରମ ହିସାବରେ ଆଉ ଦୁଇଟି କ୍ଷୁଦ୍ରଗଳ୍ପ “ବାସିଫୁଲ ଓ ଜାରଜ”ସହିତ ଟେଲେଫିଲ୍ମ ହୋଇଥିଲା।


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  •  © Copyright reserved by Harekrushna Sahu

ଧନ୍ୟବାଦ

Related posts

Leave a Comment