ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ

ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ

Shree Baikunthnath Khatua


…..

କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ସାବରମତୀ ଆଶ୍ରମକୁ ଭାଙ୍ଗି ଏକ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ସ୍ଥାପନ କରିବେ । ସାବରମତୀ ଆଶ୍ରମର ଆୟତନ ୧୫୦ ଏକର ଅନ୍ୟତ୍ର ୩୬ ଏକର । ମହାତ୍ମା ଗାନ୍ଧୀ ଏହାକୁ ୧୯୧୭ ମସିହାରେ ତିଆରି କରିଥିଲେ । ସାବରମତୀ ଆଶ୍ରମର ଘଟଣାବଳୀ ତଳେ ଦିଆଗଲା । ୧୯୩୩ ମସିହାରେ ମହାତ୍ମା ଗାନ୍ଧୀ ଇଂରେଜ ସରକାରଙ୍କୁ କହୁଥିଲେ ଏହି ଆଶ୍ରମକୁ ନେଇଯାଅ, କିନ୍ତୁ ଇଂରେଜ ସରକାର ନେଲେ ନାହିଁ; ଏବେ ସରକାର ଏହାକୁ ନେବେ ।

ମହାତ୍ମା ଗାନ୍ଧୀ ସ୍ଥିର କଲେ ଦକ୍ଷିଣ ଆଫ୍ରିକାରୁ ସବୁଦିନ ପାଇଁ ପରିତ୍ୟାଗ କରିଚାଲିଯିବାକୁ ପଡିବ । ସେ ଦିନ ଆସିଲା ୧୯୧୪ ମସିହା ଜୁଲାଇ ୧୮ ତାରିଖ । ସେ ଜାହାଜ ଆର.ଏମ.ଏସ. କିଲଫନସ୍ କ୍ୟାସେଲରେ ବସି ଦକ୍ଷିଣ ଆଫ୍ରିକାର କେପଟାଉନରୁ ଚିରବିଦାୟ ନେଲେ । ତାଙ୍କ ଜାହାଜ ଲଣ୍ଡନ ଅଭିମୁଖେ ଯାତ୍ରା କଲା ; କାହିଁକି ନା ସେ ଇଂଲଣ୍ଡରେ ପ୍ରାୟ ୩ ବର୍ଷ ବାର ପଢିଥିଲେ । ସେଠାରେ ଗୋପାଳକୃଷ୍ଣ ଗୋଖେଲେ ଥାନ୍ତି, ତାଙ୍କୁ ଦେଖା କରିବାକୁ ସେ ଠିକ୍ କରିଥିଲେ । ତାଙ୍କ ଜାହାଜ ଲଣ୍ଡନରେ ୧୯୧୪ ମସିହା ଅଗଷ୍ଟ ୦୬ ତାରିଖରେ ପହଞ୍ଚିଲା ।

ପୁଣି ସେ ଲଣ୍ଡନରୁ ବିଦାୟ ନେଇ ୧୯୧୫ ମସିହା ଜାନୁଆରୀ ମାସ ୯ ତାରିଖରେ ଜାହାଜ ଏସ.ଏସ. ଆରବୀୟାରେ ବମ୍ବେ ବନ୍ଦରରେ ପହଞ୍ଚିଲେ । ସେତେବେଳେ ବନ୍ଦରରେ ହଜାର ହଜାର ଲୋକ ଗାନ୍ଧିଜୀଙ୍କୁ ଦେଖିବାକୁ ଏକତ୍ରିତ ହୋଇଥାନ୍ତି । ଗାନ୍ଧିଜୀ ଫେରିଲେ, ତାଙ୍କ ସାଙ୍ଗରେ ଥିଲେ ହରିଲାଲ । ତାପରେ ସେ ନିଜ ଘର ରାଜକୋଟକୁ ଗଲେ । ଘରେ ପହଞ୍ଚିଲେ ଦେଖିଲେ ଗାନ୍ଧୀଙ୍କ ବଡଭାଇ ଲକ୍ଷ୍ମୀଦାସ ଆଗରୁ ଚାଲିଗଲାଣି । ରାଜକୋଟରେ ପହଞ୍ଚିବାର ଅଳ୍ପଦିନ ପରେ ଅର୍ଥାତ୍ ଫେବୃଆରୀ ୧୯ ତାରିଖରେ ଗୋପାଳକୃଷ୍ଣ ଗୋଖେଲେ ମାତ୍ର ୪୮ ବର୍ଷ ବୟସରେ ଦେହତ୍ୟାଗ କଲେ । ମୋହନଦାସ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଲେ । ସେ ତାଙ୍କର ରାଜନୈତିକ ଗୁରୁଥିଲେ ।

ସେ ଦିନ ଥିଲା ମେ ‘ମାସ ୨୫ତାରିଖ । ପଚିଶ ଜଣ ସ୍ତ୍ରୀ,ପୁରୁଷ ଓ ପିଲାଙ୍କୁ ନେଇ ଆରମ୍ଭ ହେଲା ସୁରଟ ଜିଲ୍ଲା କରଡି ଠାରେ -କୋଚରବ ଆଶ୍ରମ । ୧୯୧୭ ମସିହା ଗ୍ରୀଷ୍ମ ସମୟରେ ହଠାତ୍ ଭୟଙ୍କର ପ୍ଲେଗ ରୋଗ କାୟା ବିସ୍ତାର କରି ମାଡି ଚାଲିଲା ଗୁଜୁରାଟ ଓ ତା’ର ଆଖପାଖ ଅଞ୍ଚଳ ।

ମୋହନ ଦାସ ସ୍ଥିର କଲେ, ଆଶ୍ରମ ସେଠାରୁ ଏକ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନକୁ ଉଠେଇ ନେବାପାଇଁ । ସଂଯୋଗବଶତଃ ଅହମଦାବାଦ ସହରଠାରୁ ଚାରି ମାଇଲି ଉତ୍ତର ଦିଗକୁ, ସାବରମତୀ ନଦୀକୂଳରେ ଗୋଟିଏ ରାସ୍ତାଘାଟ ନ ଥିବା ଅଗମ୍ୟ ସ୍ଥାନର ସନ୍ଧାନ ମିଳିଲା , ଯାହା ଥିଲା ସାବରମତୀ ସେଣ୍ଟ୍ରାଲ ଜେଲ୍ ଅନତି ଦୂରରେ । ଖୁବ୍ କମ୍ ସମୟ ଭିତରେ କିଣା ହୋଇଗଲା ୧୫୦ ଏକର ଜମି । ମଗନଲାଲ ଗାନ୍ଧୀଙ୍କର ତତ୍ତ୍ଵାବଧାନରେ ଆରମ୍ଭ ହେଲା ଆଶ୍ରମ ନିର୍ମାଣ କାର୍ଯ୍ୟ । ପ୍ରଥମେ ଅସ୍ଥାୟୀ ତମ୍ବୁ ଟାଣି ରହିବାକୁ ଆରମ୍ଭ କଲେ କୋଚରବର ସମସ୍ତ ଅନ୍ତେବାସୀ । ସେଇବର୍ଷ ଅଗଷ୍ଟ ମାସର ମଧ୍ୟଭାଗ ବେଳକୁ କୋଚରବ ଆଶ୍ରମ ସଂପୂର୍ଣ୍ଣ ସ୍ଥାନ୍ତରିତ ହୋଇଗଲା ସାବରମତୀ ଆଶ୍ରମକୁ । ଅହମଦାବାଦ ସହର ମଝିରେ ବହିଯାଇଥିବା ସାବର ନଦୀ କୂଳରେ ଆଶ୍ରମ ସ୍ଥାନାନ୍ତର ହେଲା । ସେ ପରିବେଶଟି ସୁନ୍ଦର ଥିଲା, ନଦୀରେ ମାଛମାନେ ସନ୍ତରଣ କରୁଥିଲେ । ହରିଲାଲ ମଣିଲାଲକୁ କିଛି ଆର୍ଥିକ ସାହାଯ୍ୟ ମାଗିଥିଲେ । ଦୁଇଜଣ ଭିତର ଝଗଡା ହେଲା । ହରିଲାଲ ବିପଥଗାମୀ ହେଲା ।

ଅହମଦାବାଦ ଜନସଂଖ୍ୟା ବଢି ଚାଲିବାରୁ ଏହାର ରାଜଧାନୀ ,ଏହି ସହରଠାରୁ ୨୦ କିଲୋମିଟର ଦୂର ଗାନ୍ଧୀନଗରକୁ ରାଜଧାନୀ ଉଠାଇ ନିଆଗଲା । ଗାନ୍ଧୀଯୁଗର ତିନିଜଣ ବ୍ୟକ୍ତି ଏବେ ଅହମଦାବାଦରେ ଜୀବିତ ଅଛନ୍ତି । ଏମାନେ ଗାନ୍ଧୀଙ୍କ ସହ ଦୀର୍ଘ ଦିନ ଧରି ସାବରମତୀ ଆଶ୍ରମରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲାଲାଜୀ ଭାଇ କୃଷ୍ଣଦାସ ପରମାର, ବୟସ ୮୦ ବର୍ଷ ।

ଏହି ପରମାର ସାବରମତୀ ଆଶ୍ରମର ସ୍ମୃତିଚାରଣ କରି କହନ୍ତି ମୋତେ ଯେତେବେଳେ ୧୨ ବର୍ଷ, ମୁଁ ସେତେବେଳେ ସାବରମତୀ ଆଶ୍ରମକୁ ଆସିଲି । କାକା ସାହେବ କାଲେକରଙ୍କର ମୁଁ ଥିଲି ପୁଅଭଳି । ବାପୁ ମୋତେ ତାଙ୍କଠାରୁ ମାଗି ନେଲେ । ୧୯୨୫ ମସିହାରେ ସାବରମତୀ ରାଷ୍ଟ୍ରୀୟ ପାଠଶାଳାରେ ପଢିଲି । ଗାନ୍ଧିଜୀ ଅଧିକ ପଢିବା ସପକ୍ଷରେ ନ ଥିଲେ ସ୍ଵବଲମ୍ବି ଜୀବନ ଗଢିବା ଉପରେ ଜୋର ଦେଉଥିଲେ । ତେଣୁ ସେଇଠି ମୋ ପାଠପଢା ବନ୍ଦ ହେଲା । ମୁଁ ଗାନ୍ଧୀଙ୍କ ଚାଟ ବନିଗଲି । ସେ କହନ୍ତି ଆଗେ ସାବର ନଦୀ କୂଳ ଘନଜଙ୍ଗଲରେ ପୂର୍ଣ୍ଣ ଥିଲା । ସହରୀସଭ୍ୟତାରୁ ଦୂରରେ ଏହି ପବିତ୍ରତମ ସ୍ଥାନକୁ ଗାନ୍ଧିଜୀ ପସନ୍ଦ କଲେ । ଆଗେ ଏହି ଜଙ୍ଗଲରେ ବହୁତ ସାପ ଥିଲେ । ମୃଗ ଓ ବାରହାମାନେ ଅବାଧରେ ବୁଲୁଥିଲେ । କିନ୍ତୁ ଗାନ୍ଧିଜୀଙ୍କ ନିର୍ଦ୍ଦେଶ ଥିଲା, ବୀନା କାରଣରେ କାହାକୁ ଆହତ କରିବ ନାହିଁ । ସାପ ହେଲେ ମଧ୍ୟ ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି ।

ଧାଡିଧାଡି ଟାଇଲିରେ ସଜ୍ଜିତ ଏହି ସାବରମତୀ ଆଶ୍ରମ । ମହାତ୍ମା ଯେଉଁ ଘରେ ରହୁଥିଲେ ତା’ର ନାମ ଥିଲା ‘ହୃଦୟ କୁଞ୍ଜ’ ୧୯୧୭ ରୁ ୧୯୩୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଗନ୍ଧିଜୀ ଏହିଠାରେ କସ୍ତୁରିବାଙ୍କ ସହ କଟାଇଥିଲେ । ବଡପୁଅ ରାମଦାସଙ୍କ ବିଭାଘର ୧୯୨୮ ମସିହା ଜାନୁଆରୀ ମାସରେ ଏଇ ଆଶ୍ରମ ପରିସରେରେ ହୋଇଥିଲା ।

୧୯୧୭-୧୮ରେ ଚମ୍ପାରନ ସତ୍ୟାଗ୍ରହ ଓ ଲୁଗାକଳ ଶ୍ରମିକଙ୍କ ଧର୍ମଘଟକୁ ସମର୍ଥନ କରି ଗାନ୍ଧିଜୀ ତାଙ୍କର ପ୍ରଥମ ଅନଶନ ଏଇଠାରେ କରିଥିଲେ । ଅବଶେଷରେ ମିଲ୍ ମାଲିକମାନେ ଗାନ୍ଧୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ମିଲ୍ ଶ୍ରମିକମାନଙ୍କ ଦାବିକୁ ମାନି ନେଲେ । ଏହି ମିଲ୍ ଶ୍ରମିକମାନଙ୍କ ଶ୍ରମଦାନରେ ସାବର ନଦୀରୁ ବାଲି ଉଠାଯାଇ ଚରଖା କେନ୍ଦ୍ରର ଶୁଭ ଦିଆଗଲା । ସେତେବେଳେ ମାଖନଲାଲ ଗାନ୍ଧୀ ଆଶ୍ରମ ତତ୍ତ୍ଵାବଧାରକ ଥିଲେ ।

୧୯୩୦ ମସିହାରେ ଏହି ସାବରମତୀ ଆଶ୍ରମରୁ ୨୪୧ ମାଇଲି ଦୂର ଦାଣ୍ଡିଯାତ୍ରା କରିଥିଲେ । ସମୁଦାୟ ଆଶ୍ରମ ୧୫୦ ଏକର । ଗାନ୍ଧୀ ମାତ୍ର ଏକର ପିଛା ୬ ଅଣା ଏବର ୪୦ ପଇସା ଦେଇ ଜମି କିଣିଥିଲେ ।

୧୯୩୩ ମସିହାରେ ଗାନ୍ଧିଜୀ ଏହି ଆଶ୍ରମକୁ ସରକାରଙ୍କୁ ଦେବାକୁ ଚାହିଁ ଥିଲେ। କିନ୍ତୁ ସରକାର ଏଥିରେ ଅନିଚ୍ଛା ପ୍ରକାଶ କରିବାରୁ ସେ ଏକ ଟ୍ରଷ୍ଟ ବୋର୍ଡ ଗଢି ହରିଜନ ଆଶ୍ରମ ଭାବେ ଏହାର ନାମକରଣ କରିଥିଲେ ।

ଅଧୁନା ଏହି ସାବରମତୀ ଆଶ୍ରମରେ ଗାନ୍ଧିଜୀଙ୍କ ସ୍ମୃତିବିଜଡିତ ପ୍ରାୟ ଶତାଧିକ ଫଟୋର ଗ୍ୟାଲେରୀ କରାଯାଇଛି । ଏଥିରେ ମହାତ୍ମାଜୀଙ୍କ ବାପା କରମଚାନ୍ଦ ବଡଭାଇ ଲକ୍ଷ୍ମୀଦାସଙ୍କ ସହ ସାଇକେଲରେ ଗାନ୍ଧିଜୀଙ୍କ ଭ୍ରମଣ, ୧୯୩୮ ହରିପୁର କଂଗ୍ରେସ ଅଧିବେଶନ, ୧୯୪୨ରେ କ୍ୟାବିନେଟ୍ ମିଶନ ଷ୍ଟାଫୋର୍ଡ କ୍ରିପ୍ସ ସହ ଗୋଲଟେବୁଲ୍ ବୈଠକ, ନେତାଜୀ, ନେହୁରୁ ଓ ରବି ଠାକୁର ପ୍ରଭୃତିଙ୍କ ସହ ଅନେକ ଫଟୋ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କର ୩,୯୮୫ ହାତ ଲେଖା ଚିଠି ଯତନରେ ରଖା ଯାଇଛି ।

ଗାନ୍ଧିଜୀଙ୍କର ଗୋଟିଏ ସୁନ୍ଦର ପାଠାଗାର ଥିଲା । ଏଥିରେ ପ୍ରାୟ ୧୭ ହଜାର ବହି ରହିଛି । ଏବେ ଏହାକୁ ସର୍ବସାଧରଣଙ୍କ ପଠନ ପାଇଁ ଖୋଲା ରଖା ଯାଇଛି । ୧୯୬୩ ମସିହାରେ ନେହୁରୁ ଏହି ଫଟୋ ଗ୍ୟାଲେରୀ ଓ ମିଉଜିଅମର ଉନ୍ମୋଚନ କରାଇଥଲେ ।

ଆଶ୍ରମ ପରିସରରେ ବିନୋବା ଓ ମୀରା କୁଟୀର ଏବେ ବି ସେଇ ଭଳି ଅକ୍ଷୟ ଅବସ୍ଥାରେ ଅଛି । ଆଶ୍ରମ ପରିସର ଭିତରେ ସେଇ ବଉଳଗଛ ସେମିତି ଅଛି । ଗାନ୍ଧିଜୀ ସେଇଠାରେ ପ୍ରାର୍ଥନା କରୁଥିଲେ ।

ଏବେ ସରକାର ଏହାକୁ ଭାଙ୍ଗି ଏକ ଟୁରିଷ୍ଟ କେନ୍ଦ୍ର ସ୍ଥାପନ କରିବେ ବୋଲି ସିଦ୍ଧାନ୍ତ ନେଇଛନ୍ତି । ମୋ ମତରେ ସେଇ କୁଟୀର ଓ ଘରକୁ ନ ଭାଙ୍ଗି ଟୁରିଷ୍ଟ କେନ୍ଦ୍ର ସ୍ଥାପନ କରାଯାଉ ।

…..


…..

Shree Baikunthnath Khatua

ଶ୍ରୀ ବୈକୁଣ୍ଠନାଥ ଖଟୁଆ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:
Facebook“, 


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Baikunthnath Khatua ବୈକୁଣ୍ଠନାଥ ଖଟୁଆ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment