ବାରିପଦା ଡେଏଜ୍ (ବିରସ କାହାଣୀ-1)

ବାରିପଦା ଡେଏଜ୍ (ବିରସ କାହାଣୀ-1)

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

🔸🔸🔸🔸🔸[ ବିରସ କାହାଣୀ-1 ]🔸🔸🔸🔸🔸

 

ଅଚାନକ ଜଣେ ଧନୀଲୋକ ମୋର ଦାୟୀତ୍ୱ ନେଇ ପାଠ ପଢାଇବାକୁ ଆଗ୍ରହୀ ହେଲେ। ନେଇଗଲେ ମତେ ବାରିପଦା। MKC HIGH SCHOOL ରେ ଏଣ୍ଟ୍ରାନ୍ସ ଦେଇ ସମ୍ଭ୍ରାନ୍ତ ଜିଲ୍ଲା ସ୍କୁଲ ରେ ପାଠ ପଢିଲି।

କେମିତି କେଜାଣି ମୋ ପ୍ରତି ସଦୟ ଥିବା ବ୍ୟକ୍ତିଙ୍କୁ ମୁଁ ବାପା ଡାକୁଥିଲି। ତାଙ୍କ ପତ୍ନୀଙ୍କୁ ମା’ । ମୁଁ ଜାଣେ ମୁଁ ନିଜେ ଏପରି କେବେ ଡାକି ନଥିବି।ମତେ କେହି ଶିଖାଇ ଥିବ ନିଶ୍ଚୟ।

ପ୍ରାୟତ ଦେଖାଯାଏ ବାବୁଘର ସାଆନ୍ତାଣୀଙ୍କୁ ସମସ୍ତେ ମାଆ ଡାକନ୍ତି।ମାଲିକଙ୍କୁ ବାବୁ ନହେଲେ ବାପା ଡାକନ୍ତି।ମୋ କ୍ଷେତ୍ର ରେ ସେମିତି ବି ହୋଇଥାଇ ପାରେ।

ଗାଁ ରେ ବାପା ମା’ଙ୍କୁ ଛାଡି ଆସିଥିଲି। ଛାଡି ଆସିଥିଲି ସ୍ନେହ ଶ୍ରଦ୍ଧାର ପସରା। ଏଠି ସେ ସବୁ ଦୁର୍ଲଭ ଥିଲା।ଦ୍ରବ୍ୟଟିଏ ଭଳି ବଞ୍ଚୁଥିଲି। ଅନାଥ ହୋଇ।

ଥରେ ପ୍ରଥମାଷ୍ଟମୀ ରେ ମୋର ତଥାକଥିତ ବାପା,ତାଙ୍କ ପୁଅ ସହିତ ମତେ ସାଙ୍ଗରେ ନେଇ କ୍ୟାଲକାଟା ଷ୍ଟୋରକୁ ଯାଇଥିଲେ ଲୁଗା କିଣିବା ପାଇଁ।କିଣାକିଣି ଭିତରେ ଦୋକାନୀ ପଚାରିଲେ-ଇଏ କଣ ସେହି ?

ବାପା କହିଲେ-ହଁ।

ମୁଁ ସେଦିନ ଏ ପ୍ରଶ୍ନୋତ୍ତର ବିଷୟରେ ଅନେକ ଚିନ୍ତା କଲି।ଏହାର ଅର୍ଥ ହେଲା,ଏ ସହର ଜାଣିଛି ଯେ ମୋର ତଥାକଥିତ ପିତା ଜଣେ ଗରିବ ଘର ର ପିଲାକୁ ଦୟାକରି ଘରେ ରଖିଛନ୍ତି। ଯାହାର ପଛ ପଟକୁ ଆଉ କୌଣସି ପରିଚୟ ନାହିଁ କି ଇତିହାସ ବି ନାହିଁ । ଦୟା ତ ଭଲ। କିନ୍ତୁ ଏ ନିଷ୍ଠୁର ଦୟା ମତେ ଖୁବ ବିଚଳିତ କଲା। ସେଠି ଆଉ ମନ ଲାଗିଲାନି। ହେଲେ ହଠାତ ପଳେଇ ଆସି ପାରୁଛି କେଉଁଠି। ଏମିତି କଲେ ମତେ ବଦନାମ ମୁଣ୍ଡେଇବାକୁ ପଡିବ। ଲୋକ କହିବେ , ଦୁଧଭାତ ଗଳା କୁଣ୍ଡେଇ ହେଲା।ମା’ର ମନଟା ଭାଙ୍ଗିଯିବ। ମୋ ଭିତର ର କଥା ମୋ ମା’ ବୁଝି ପାରିବ କି ?

ସେ ଧନୀ ଲୋକ ଜଣକ ଅନ୍ୟ କେହି ନଥିଲେ, ଥିଲେ ମୋର ମାମୁଁ। ତାଙ୍କ ଝିଅକୁ ଆମ ଘରୁ ନେବା ସହିତ ଦୟା ପରବଶ ହୋଇ ବା କୃତଜ୍ଞତା ସ୍ୱରୂପ ମତେବି ସାଙ୍ଗରେ ବାରିପଦା ନେଇ ଯାଇଥିଲେ। ସେମାନଙ୍କର ମୋ ପ୍ରତି ଶ୍ରଦ୍ଧା ନଥିବାରୁ ମୁଁ ବି ତାଙ୍କୁ ନିଜର ଭାବି ପାରୁ ନଥିଲି।

ଏଇ ସବୁ ଅପ୍ରକାଶ୍ୟ ଦୁଃଖମାନଙ୍କ ସହିତ ମାଡିଯାକି ହୋଇ ରହିଲି। ପ୍ରତ୍ୟେକଟି ଭିନ୍ନ ଭିନ୍ନ ଦିନକୁ ସମ୍ମୁଖିନ ହୋଇ ଅତିକ୍ରମ କଲି ଦୁଇ ବର୍ଷ। ସପ୍ତମ ପାସ୍ କଲାପରେ ଫେରି ଆସିଲି ଗାଁ କୁ। ବାପା ମା’ ଙ୍କ ପାଦଛୁଇଁ ନମସ୍କାର କଲି। ଆପେ ଆପେ ମୋ ପାଟିରେ ପସିଗଲା ବାପାଙ୍କ ପାଇଁ ତୁମେ।

ମା’ ଆଶା ଶୂନ୍ୟ ହୋଇଗଲା।ବାପା ଖୁସିହେଲେ।ମତେ ସାଙ୍ଗରେ ନେଇ ବିଭିନ୍ନ ମେଳା ବୁଲିଲେ।ନୀରାକାର ପୁର ଚନ୍ଦନ ଯାତ୍ରାରୁ ଆରମ୍ଭ କରି ବାଲେଶ୍ୱର ଚନ୍ଦନ ଯାତ୍ରା।ଆନନ୍ଦପୁର , ସୁକିନ୍ଦା ରଥଯାତ୍ରା ,ପୁରୀ ର ଝୁଲଣ।ସବୁଆଡେ।ବର୍ଷ ସାରା ତ ଓଡିଶାରେ ମେଳା ଚାଲିଥାଏ।

ଏସବୁ ଦୂର ସ୍ଥାନକୁ ଯାତାୟତ ବେଳେ ଦରକାର ହେଲେ ଟ୍ରକ ଡାଲାରେ ଯିବା ଆସିବା କରୁ।ମେଳା ପଡିଆରେ ପାଲ ତଳେ ଶୋଉ। ଆନନ୍ଦପୁର ଡଙ୍ଗାଘାଟରେ ଗଛମୂଳେ ଶୋଇଛୁ। ପ୍ଲାଟଫର୍ମ ଟିକେଟ ପଇସା ବଞ୍ଚାଇବା ପାଇଁ ଯାଜପୁର ରୋଡ଼ ରେଲୱେ ଷ୍ଟେସନ ବାହାରେ ରାସ୍ତା କଡରେ ବି ଶୋଇଛୁ।

ମୋର ରୂପରଙ୍ଗ ବଦଳିଗଲା। ରଙ୍ଗ କଳା ଓ ହାଡ ଉପରେ ଚମଡା ଛାଉଣି ର ଦେହ ହୋଇଗଲା । ମୋ ମା’ ତା ପରେ ଆଉ ବାପାଙ୍କ ସାଙ୍ଗରେ ଛାଡିଲା ନାହିଁ। ତେଣୁ ଗାଁ ରେ ରହି କିଛି ଧନ୍ଦା କରିବାକୁ ଚେଷ୍ଟା କଲି। ବାରିପଦାର ସେହି ବାପାଙ୍କ ଗୁଡାଖୁ ବ୍ୟବସାୟ ବିଷୟରେ ଯାହା ଜାଣିଥିଲି। ସେଇ ବେପାର ଆରମ୍ଭ କଲି।

ମୋର ବୟସ ସେତେବେଳକୁ ବାର। ଗୁଡାଖୁ ଟିଣର ଓଜନ ଥାଏ ପଚିଶ କିଲୋ। ମା’ସେଥିରୁ ପନ୍ଦର କିଲୋ ବାହାର କରିଦେଲା। ଗୁଡାଖୁ ଚକଟିବା ପାଇଁ ଗୋଟେ ପଟା ଓ ଦଣ୍ଡି ବଟକରା ସହିତ ସୁତା,ପତ୍ର ପୁରାଇ ବ୍ୟାଗଟିଏ କାନ୍ଧରେ ଝୁଲାଇ ଚାଲିଲି କୁଆଖିଆ ବଜାର। ରାସ୍ତା କଡରେ ବସି ପୁଡିଆ ବାନ୍ଧି ଅପେକ୍ଷା କଲି ଗରାଖଙ୍କୁ। ସନ୍ଧ୍ୟାହେଲା। ନିରାଶ ହୋଇ ଫେରିଲି। ମୁଣ୍ଡକୁ ଟେକି ଦେବାପାଇଁ ବି ଲୋକ ନଥାନ୍ତି।ଆଉ କୁଆଖିଆ ଯାଇନି। ହରିପୁର ହାଟକୁ ଗଲି। ସେମିତି ନିରାଶ ହୋଇ ଫେରିଲି। ସବୁ ଗରାଖ ତାଙ୍କର ପୁରୁଣା ଦୋକାନରୁ କିଣୁଥିଲେ। ମତେ କିଏ ବା ଚିହ୍ନେ।

ଚାରିପାଞ୍ଚ ଦିନପରେ ସେ ଟିଣରେ ସବୁ ଗୁଡାଖୁ ପୁରାଇ କଷ୍ଟେମଷ୍ଟେ ଯାଜପୁର ରୋଡ ପହଞ୍ଚିଲି। ଯାହାଠୁ ଟିଣଟି ଆଣିଥିଲି ତାକୁ ଅଧା ଦାମ୍ ରେ ଦେଇ ଘରକୁ ଫେରି ଆସିଲି।

ପୁଣି ମାସେ ପରେ ମତେ ଜଣେ ନେଇଗଲେ ଟାଟା । ଗୋଟେ ପାନଦୋକାନରେ ଚାକିରୀ କଲି।ବୟସ ମୋର ବାର। ସତେ ଯେମିତି ଦୀର୍ଘ ବାରବର୍ଷ ଧରି ମତେ କେହି ହେମଦସ୍ତାରେ ପୁରାଇ ଛେଚାକୁଟା କରୁଥିଲା। ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲି ।ଉଃ ..ଆଃ… ବି କରି ପାରୁ ନଥିଲି।

ବଞ୍ଚୁଥିଲି ଗୋଟେ ଜାରଜ ଜୀବନ। ଯେଉଁ ଜୀବନର ଜୀବନ ନଥିଲା। ଲକ୍ଷ୍ୟ ନଥିଲା। ସୁଖ ନଥିଲା। ସ୍ଥାୟିତ୍ୱ ନଥିଲା। ଅସ୍ଥିର ଖଣ୍ଡ ବିଖଣ୍ଡିତ ଜୀବନ। ଜୀବନଟା ଜାରଜ। ବାଷ୍ଟାର୍ଡ ଲାଇଫ୍।

ଗୋଟିଏ ନାରୀ ଏକାଧିକ ପୁରୁଷ ସହିତ ସହବାସ କରିଥାଇ ପାରେ। କିନ୍ତୁ ଏକାଧିକ ଶୁକ୍ରାଣୁ ମିଳିମିଶି ଗୋଟିଏ ମଣିଷ ତିଆରି କରି ପାରିବେ ନାହିଁ।ଗୋଟିଏ ମଣିଷ ପାଇଁ ଗୋଟିଏ ମଣିଷର ଶୁକ୍ରାଣୁ ଓ ଗୋଟିଏ ଡିମ୍ବାଣୁ ଦରକାର। ମଣିଷର ଜୀବନଟା ଜାରଜ ହୋଇପାରେ। ଜନ୍ମ କାହାକୁ ଜାରଜ କରିପାରିବନି।ହୁଏତ ଏକାଧିକ ପୁରୁଷଙ୍କ ମଧ୍ୟରେ ଅସଲ ପିତା ଟି କେଉଁଠି ଲୁଚି ଯାଇଥାଏ। କିନ୍ତୁ ବାପଟିଏ ଥାଏ ନିଶ୍ଚୟ।ଏବଂ ପିଲାଟି ଥାଏ ନିର୍ଦ୍ଦୋଶ। ସେ ମାତ୍ର ଗୋଟିଏ ପିତାର ଶୁକ୍ରାଣୁରୁ ଜନ୍ମ ହୋଇଥାଏ ଠିକ ମୋ ପରି।

ଜାରଜ ଶବ୍ଦ ଗୋଟେ ହିଂସ୍ର ହୃଦୟର ଗାଳି।

ଏସବୁ ଠାରୁ ବି ମୋ ଜୀବନ ଥିଲା ଆହୁରି ଖରାପ ।


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

Leave a Comment