‘ମା ଓ ମମତା’ ମୁକ୍ତି ଲାଭ ୧୨.୦୯.୧୯୮୦
ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua
ସେତେବେଳେ ‘ମା ଓ ମମତା’ ଫିଲ୍ମ ହଲମାନଙ୍କରେ ହିଟ୍ କରିଥିଲା । ଏହାର ପ୍ରଯୋଜକ ଥିଲେ ଏମ.ଏମ.ପ୍ରଡକସନ୍ । ଏହା ମୁକ୍ତିଲାଭ କରିଥିଲା ୧୨.୦୯.୧୯୮୦ରେ । ତିନିଜଣ ବନ୍ଧୁ ମିଳିତ ହୋଇ ଗଠନ କରିଥଲେ ଏମ.ଏମ.ପ୍ରଡକସନ୍ । ଏହି ତିନିଜଣ ବନ୍ଧୁ ବଡ ବ୍ୟବସାୟୀ । ଏମାନେ ଥିଲେ ଚିତ୍ରପ୍ରିୟ : ଚିତ୍ରାନୁରାଗୀ । ଏମାନେ ହେଲେ ସର୍ବଶ୍ରୀ ଦୁର୍ଗା ନନ୍ଦ, ସୁବାସ ମିଶ୍ର ଓ ମଜିଦ୍ । ଏମାନେ ଭାବବିହ୍ଵଳ ହୋଇ ଅସାଧ୍ୟସାଧନ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ମଧ୍ୟ ସେମାନେ ସଫଳ ହୋଇଥିଲେ । ଏହି ସଫଳ ପଛରେ ଜଣଙ୍କର ପ୍ରେରଣା ଓ ଉସ୍ଛାହ ଥିଲା, ସେ ହେଉଛନ୍ତି ଶ୍ରୀ ପ୍ରଶାନ୍ତ ନନ୍ଦ, ଯିଏ ନିଜର ଚେଷ୍ଟା, ଯତ୍ନ ଅଧ୍ୟାବସାୟ ଓ ଧର୍ଯ୍ୟକୁ ସମ୍ବଳ କରି ଚିତ୍ରଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ ।
ଏହାର ପ୍ରଚ୍ଛଦପଟରେ ଥିଲେ ପ୍ରଶାନ୍ତ ନନ୍ଦ । ଛବିଟିଏ ନିର୍ମାଣ କରିବାରେ ତାଙ୍କର କେତେ ଯେ ଆଶା ତାହା ବର୍ଣ୍ଣନା କରିହେବ ନାହିଁ । ଏହି କାମ ପାଞ୍ଚ ଟଙ୍କା କି ଦଶ ଟଙ୍କାର କାମ ନୁହେଁ, ଲକ୍ଷ ଲକ୍ଷ, କି କୋଟି କୋଟି ଟଙ୍କାର କାମ । ସେ କେତେ ନେହୁର ହୋଇ ନାହାନ୍ତି । କାହାକୁ ହାତ ଫତେଇ ନାହାନ୍ତି । ସାଙ୍ଗସାଥି ଯେଉଁଠି ଯାହାକୁ ଭେଟିଲେ କହିଲେ, ଛବି କରିବା ସାହାଯ୍ୟ କର । ଓଡିଆ ସଂସ୍କୃତିକୁ ଚିତ୍ରମାଧ୍ୟମରେ ଲିପିବଦ୍ଧ କରିବାକୁ କେତେ ଯେ ଚେଷ୍ଟା କରିନାହାନ୍ତି ।
ବହୁ ବର୍ଷ ହେଲା ଚଳଚିତ୍ର ଶିଳ୍ପସହ, ବିଶେଷତଃ ଓଡିଆ ଚଳଚିତ୍ର ସହ ଶ୍ରୀ ପ୍ରଶାନ୍ତ ନନ୍ଦ ଘନିଷ୍ଟଭାବେ ସଂଶ୍ଳିଷ୍ଟ ଥିଲେ । ପ୍ରାକ୍ ତାରୁଣ୍ୟରେ ଅଭିନେତା ରୂପେ ସେ ଓଡିଆ ଚଳଚିତ୍ରମାନଙ୍କରେ ଅଭିନୟ କରିଥିଲେ । ଅଭିନୟ ଜୀବନର ପ୍ରାୟ ୧୦ ବର୍ଷ ଅତିକ୍ରାନ୍ତ ହେବା ପରେ ବମ୍ବେସ୍ଥିତ ପ୍ରସିଦ୍ଧ ରାଜଶ୍ରୀ ପ୍ରଡକସନର କେତୋଟି ହିନ୍ଦୀ ଚିତ୍ରର ନିର୍ଦ୍ଦେଶକ ଭାବେ ସେ ଆତ୍ମପ୍ରକାଶ କଲେ । ଅବଶ୍ୟ ସେ ସବୁ ନିର୍ଦ୍ଦେଶନା ଦେବାର ଠିକ୍ ପୂର୍ବରୁ ପ୍ରଶାନ୍ତ ‘ଶେଷ ଶ୍ରାବଣ’ ଓଡିଆ କଥାଚିତ୍ର ନିର୍ଦ୍ଦେଶନା ଦେଇଥିଲେ ।
ଅଷ୍ଟାଦଶ ଶତକରେ ଶ୍ରୀ ନନ୍ଦ ପୁନଶ୍ଚ ନିଜ ଜନ୍ମସହର କଟକ ଫେରି ଆସି “ ମା ଓ ମମତା”ର ନିର୍ଦ୍ଦେଶନା ଦେଇଥିଲେ । ବମ୍ବେରେ ଥିବା ପୂର୍ବରୁ କଲିକତାରେ ଚାକିରି କରିଥିଲେ । ସେ ସବୁ ତାଙ୍କ ମନ ମାନିଲାନି । ସେ ବିଭିନ୍ନ କ୍ଷେତ୍ରରେ ହାତ ଦେଇଥିଲେ ।
ବମ୍ବେରୁ ଫେରି ‘ମା ଓ ମମତା’ର ନିର୍ମାଣ କାମରେ ଲାଗି ପଡିଲେ । ‘ମା ଓ ମମତା’ର ଚଳଚିତ୍ର ପ୍ରକୃତରେ ମମତା ପୂର୍ଣ୍ଣ ହୋଇଥିଲା । ଏହା ଆଗରୁ ସେ ‘ମମତା’ ର ନିର୍ଦ୍ଦେଶନା ୧୯୭୪ ରେ ଦେଇଥିଲେ । ଚଳଚିତ୍ରଟି ଭଲ ହୋଇଥିଲା । ଏହାର ଡିଷ୍ଟ୍ରିବୁସନ୍ ଦାଇତ୍ଵ ଭଓରାଓ ନାମକ ଜଣେ ଲୋକକୁ ଦେଇଥିଲେ । ସେ ସବୁ ପଇସା ଖାଇଦେଲା । କହିଲା – “କିଛି ଲାଭ ମିଳିଲାନି ।“ ସବୁ ପଇସା ନିଜେ ସୁଝିଲେ ।
‘ମା ଓ ମମତା’ ଯେତେବଳେ ପ୍ରଦର୍ଶନ ହେଲା ସହସ୍ର କଣ୍ଠରୁ ଧ୍ଵନିତ ହୋଇଥିଲା ସାଧୁବାଦର ସ୍ଵର । ଏହି ଛବି ଓଡିଶାରେ ଏପରିକ ପୁରପଲୀର ସିନେମା ହଲରେ ଦୀର୍ଘଦିନ ଧରି ଚାଲିଥିଲା । ଏହା ମୁକ୍ତି ଲାଭ କଲା ୧୯୮୦ କିନ୍ତୁ ୧୯୮୩-୮୪ ମସିହା ପର୍ଯ୍ୟନ୍ତ ଚାଲିଥିଲା । ସାରା ଓଡିଶାରେ ଏହା ଚହଳ ପକେଇ ଥିଲା । ଏହାର କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥଲେ ପ୍ରଶାନ୍ତ ନନ୍ଦ । ଏହାର ସଙ୍ଗୀତରେ ସଜେଇ ଥିଲେ ଭୁବନ ହରି । ଚିତ୍ର ଗ୍ରହଣ କରିଥିଲେ ଶ୍ରୀ ରାଜନ କିନ୍ନାଗୀ (ବମ୍ବେ) । ଭୂମିକାରେ ଥିଲେ ନିଜେ ପ୍ରଶାନ୍ତ ନନ୍ଦ , ମହାଶ୍ଵେତା ରାୟ, ହେମନ୍ତ ଦାସ, ଜୟା , ଅନିତା ଦାସ, ରାଧା ପଣ୍ଡା, ବାବି, ମହମ୍ମଦ ମହସିନ, ଶ୍ୟାମଳେନ୍ଦୁ ଓ ଅନ୍ୟମାନେ । ଏହା ମୁକ୍ତିଲାଭ କରିଥିଲା ଦୁର୍ଗା ଟକିଜ୍, କଟକରେ ଆଜିର ଦିନରେ ୧୨.୦୯.୧୯୮୦ ।
୧୯୮୦ ମସିହାର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପୁରସ୍କାର ପାଇଥିଲା, ଶ୍ରୀ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶକ ରୂପ ଓ ଶ୍ରୀ ହେମନ୍ତ ଦାସ ସହ-ଅଭିନେତା ରୂପେ ।
ଲେଖାଟି ପଢିଥିବାରୁ ଧନ୍ୟବାଦ ।
ଲେଖା ପଢି ଉଭୟ ୱେବ୍ସାଇଟ୍ ଓ ଫେସ୍ବୁକ୍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା ।
ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ ।
ଲେଖା ପଢି ଉଭୟ ୱେବ୍ସାଇଟ୍ ଓ ଫେସ୍ବୁକ୍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା ।
ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ ।
Tag: Baikunthnath Khatua ବୈକୁଣ୍ଠନାଥ ଖଟୁଆ
© Copyright Reserved by the Author
© Copyright Reserved by the Author