ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଲେଖକ/ କବି: ଶ୍ରୀ ସନତ କୁମାର ଦାଶ

Shree Sanatkumar Das


…..

ତାଙ୍କରି କବିତାର ଛତ୍ରେ ଛତ୍ରେ ତାଙ୍କ କବି ମାନସର ଉତ୍ତରଣ ବେଶ୍ ପ୍ରତିପାଦିତ । ଗୋଟାଏ ସ୍ତରରେ ଲେଖିଛନ୍ତି , ” ଅବନ୍ଧୁ ଜୀବନ ଅସୂର୍ଯ୍ୟମହୀ। ଦେହଧାରୀ କିଏ ପାରିବ ସହି ? ” ଅର୍ଥାତ୍ ମୂଲ୍ୟବୋଧର ମନୁଷ୍ୟ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ଭଲ ପାଇବ। ମାତ୍ର ଧରଣୀର ନଶ୍ୱରତାର ଅନୁଚିନ୍ତନରେ ତାଙ୍କର ପରବର୍ତ୍ତୀ ସ୍ତରର ବ୍ୟାକୁଳତା ଆହୁରି ସାନ୍ଦ୍ର :

” ଜୀବନ କି ଖାଲି ନିରାଶାର ବାଲି ମରୁ-ମରୀଚିକା ସେନେହ ପ୍ରୀତି

ତେବେ କି ଆଶାରେ କହ ଏ’ ସଂସାରେ ପର ଲାଗି ନର ମରୁଛି ନିତି ? ” (- ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ )

ଦୟା କରି କେହି ଏ’ ପଂକ୍ତିଟିକୁ ନୈରାଶ୍ୟର ଦ୍ୟୋତକ ବୁଝିବେ ନାହିଁ। ସେ ଅତ୍ୟନ୍ତ ଆଶାବାଦୀ ଯେ, ନିଶ୍ଚିତ ଭାବରେ ଏକ ମହତ୍ତର କାରଣ ରହିଛି, ଯେଉଁଥି ପାଇଁ ମନୁଷ୍ୟ ପରସ୍ପରକୁ ଭଲ ପାଏ। ତେଣୁ ଲକ୍ଷ୍ୟ କରନ୍ତୁ, ବିଦଗ୍ଧ ହୃଦୟର ସାନ୍ଦ୍ରତର ପଦପାତ :

” ଚିତାନଳେ ଭସ୍ମ ନୁହେଁ ସେନେହ ବନ୍ଧନ

ଶ୍ମଶାନ ନୁହେଁ ଏ’ ଜୀବ ଶେଷ ପରିସୀମା

ହେବ କାହିଁ କେବେ ପୁଣି ଶୁଭ ସମ୍ମେଳନ

ପ୍ରକାଶିବ ପ୍ରାଣେ ପୂର୍ଣ୍ଣ ପୁଣ୍ୟ ମାଧୁରିମା ॥ “

( – କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ )

ସେହି ପୁଣ୍ୟ ମାଧୁରିମା ତାଙ୍କର ହୃଦୟରେ ପ୍ରକାଶିତ ହୋଇ ଉଠିଛି , ତେଣୁ କୌଣସି ଜଣେ ମନୁଷ୍ୟର ସୀମିତ ପ୍ରେମରେ ସେ ବାନ୍ଧି ହୋଇ ରହି ନାହାନ୍ତି , ବରଂ ତାଙ୍କ କବି ମାନସର ସକଳ ପ୍ରେମୋଚ୍ଛ୍ୱାସ ସମଗ୍ର ଜଗତ୍ ଉଦ୍ଦେଶ୍ୟରେ ନିବେଦିତ ହୋଇ ଯାଇଛି ।

ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୁପଶ୍ୟତି ।

ସର୍ବଭୂତେଷୁ ଚାତ୍ମାନଂ ତତୋ ନ ବିଜୁଗୁପ୍ସତେ ॥

– ଈଶାବାସ୍ୟୋପନିଷଦ୍

ଅର୍ଥାତ୍ ଯେତେବେଳେ ଜଣେ ନିଜ ଭିତରେ ସମସ୍ତଙ୍କୁ ଓ ସମସ୍ତଙ୍କ ଭିତରେ ନିଜକୁ ଦେଖିପାରେ , ସେତେବେଳେ ସେ ଆଉ କାହାରି ପ୍ରତି ଦ୍ୱେଷ ବୁଦ୍ଧି କରିପାରେ ନାହିଁ । ଅନୁରୂପ ଭାବେ ସେହି ବ୍ୟକ୍ତି ନିଜ ଭିତରେ ରାଷ୍ଟ୍ର ଆଉ ରାଷ୍ଟ୍ରର ବୃହତ୍ତର ସମୂହ ସ୍ୱାର୍ଥରେ ନିଜର ବ୍ୟକ୍ତି ସ୍ୱାର୍ଥ ମଧ୍ୟ ଦେଖିପାରେ । ଗୋପବନ୍ଧୁଙ୍କର ସଂଗ୍ରାମୀ ହୃଦୟ ଏହି ଉପନିଷଦୀୟ ପ୍ରଜ୍ଞାରେ ଉଜ୍ଜ୍ୱଳି ଉଠିଛି। ତେଣୁ ତାଙ୍କର ପଦ :

” ପ୍ରେମ ଭାବେ ଯା’ର ଅନ୍ତର ପୂରିତ,

ସର୍ବ ପ୍ରାଣି-ହୃଦ ତା’ ହୃଦେ ଅଙ୍କିତ ।

ସର୍ବ-ଅନୁଭୂତି ସର୍ବଭୂତେ ତା’ର,

ତା’ ଦୃଷ୍ଟିରେ ବିଶ୍ୱ ଏକ ପରିବାର ।

ସେହି ନିଜେ ବିଶ୍ୱ , ବିଶ୍ୱ ମଧ୍ୟେ ସେହି

ଅନ୍ୟ ହୋଇ ତା’ର ନାହିଁ ଆଉ କେହି ॥ “

— କାଠଯୋଡ଼ି ତୀରେ ସାୟଂକାଳ (୧)

କବିସୁଲଭ ବାଗାଡ଼ମ୍ବର ମାତ୍ର ନୁହେଁ, ଚେତନାରେ ସେ ଏହି ମୌଳିକ ସତ୍ୟରେ ପ୍ରତିଷ୍ଠିତ ହୋଇ ସାରିଥିଲେ । ଖାସ୍ ସେଇଥିପାଇଁ ଦେଶର ସ୍ୱରାଜ-ଚେତନାର ପଥେ ଯେତେ ସବୁ ତାମସିକ ଗାଡ଼, ସେ ସବୁକୁ ଆପଣା ଶରୀରର ଷାଠିଏ କିଲୋ ହାଡ଼ ମାଂସ ବିନିମୟରେ ପୂରାଇ ଦେବାର ସ୍ପର୍ଦ୍ଧା କରି ପାରିଥିଲେ !

ସତ୍ୟବାଦୀ ଯୁଗରୁ ଏଯାବତ୍ ସେହି ଦରଦୀ ହୃଦୟ ଦେଶପ୍ରାଣ ଗୋପବନ୍ଧୁଙ୍କର ଖୁବ୍ ପ୍ରଶଂସା ହୋଇଛି ହେଉଛି । ମାତ୍ର ଏତାଦୃଶ କପଟମୁକ୍ତ ଏକ ଦିବ୍ୟ ଦରଦର ମୂଳଭୂତ ପ୍ରେରଣା ସେ ପାଉଥିଲେ କେଉଁଠାରୁ ?

ଆଉ ଟିକିଏ ଧ୍ୟାନ  ଦିଅନ୍ତୁ ତାଙ୍କ ମହତ୍ ଚିନ୍ତନର ଧରା ଓ ଧାରାକୁ ।

ସେ ଅନୁଭବ କରିଛନ୍ତି : ନୁହେଁ କେବେ ଚିର ପ୍ରିୟ ବସ୍ତୁଗଣ, ସଖା ମାତ୍ର ଏକା ଶ୍ରୀହରି ଶରଣ । (- କାଠଯୋଡ଼ି ତୀରେ ସାୟଂକାଳ- ୧ ) । କବି ନିରଞ୍ଜନ ପରମପୁରୁଷଙ୍କୁ ନିଖିଳ ନିଦାନ ବୋଲି ଜ୍ଞାନ କରୁଛନ୍ତି । ( ନମୋ ନିରଞ୍ଜନ ନିଖିଳନିଦାନ – ଧର୍ମପଦ ) ନିଷ୍ପତ୍ତି ନେଇଛନ୍ତି : ଗିରିଶିଖେ ଲୟ ରଖି ଚାଲିବି ମୁକର । ତେଣୁ ଗାଇଛନ୍ତି ଉଦାତ୍ତ କଣ୍ଠରେ :

ଅବସନ୍ନ ହେଲେ କାୟା ଆଶ୍ରିବି ଏ’ ଗିରି ଛାୟା

ବାଲିଶେଯେ ଶୋଇବଇଁ ଯାଇ ଅଧେ ବାଟ

ତାରକିତ ଗିରିଚୂଡ଼େ ନିବେଶି ନୟନ ଦୃଢ଼େ

ଫେଡ଼ିବି ପରମସୁଖେ ହୃଦୟ-କବାଟ।

ସେଥିପାଇଁ ପରମପ୍ରେମରେ ବିଗଳିତ ରାଷ୍ଟ୍ରବୋଧର ଏହି ବିପ୍ଳବୀ କବି ପ୍ରାର୍ଥନା କରୁଛନ୍ତି : ” ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା, ପୂରୁ ଏ’ ପରାଣେ ଏହି ଶେଷ ଭିକ୍ଷା । ” ଧର୍ମପଦର ପ୍ରାର୍ଥନାରେ ମିଶାଇ ଦେଇଛନ୍ତି ନିଜ ପ୍ରାଣର ମହତୀ ପ୍ରାର୍ଥନା :

” ପ୍ରକାଶି କରୁଣା ଯେ ପୁଣ୍ୟ ପ୍ରେରଣା ଦେଇ ଅଛ ମୋ’ ଅନ୍ତରେ

କର ତାହା ସିଦ୍ଧି କରୁଣା ବାରିଧି ଜୟ ଜଗଦୀଶ ହରେ ॥”

ଅନ୍ତରବାସୀ ଭଗବାନଙ୍କ ପ୍ରେରଣାରେ ଯାହା ଦେଶସେବା, ସେ’ ସବୁ ତାଙ୍କର ନିରାସକ୍ତ କର୍ମଯୋଗ । ତେଣୁ ” ଜାତୀୟ ମମତା ବିଶ୍ୱଜନପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି । ” – ଜାତିକି ଏହିପରି ଅନେକ ଅନୁପମ ଉଦ୍-ବୋଧନ ଦେଉଛନ୍ତି , ପୁନଶ୍ଚ ସେ’ ସବୁ ଦିବ୍ୟ ଆସ୍ପୃହା ଗୁଡ଼ିକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ସମର୍ପି ଦେଉଛନ୍ତି : “ନୀରବ ନିଶ୍ଚଳେ ବସି ବନ୍ଦୀଘରେ, ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀପୟରେ ।”

ଉପାଧି ମିଳିଛି ଉତ୍କଳମଣି , ସେଥିରେ ଅହଂସ୍ଫୀତ ହୋଇ ନାହାଁନ୍ତି କି ” ‘ଭାରତମଣି’ ଉପାଧି ଦିଆ ନଯାଇ , ଏ’ ଉପାଧି ଦ୍ବାରା ଆପଣଙ୍କ ସେବାର ଅବମୂଲ୍ୟାୟନ କରା ଯାଉଛି ” ବୋଲି ଯେ ପଣ୍ଡିତ ନୀଳକଣ୍ଠ ଆଦି ସତୀର୍ଥ ମାନଙ୍କର ଅଭିଯୋଗ , ସେଥିରେ ମଧ୍ୟ ଗ୍ଳାନି ଅନୁଭବ କରି ନାହାଁନ୍ତି ; ବରଂ ଜନ ସାଧାରଣଙ୍କ ସ୍ନେହ ସମ୍ମାନର ‘ଦାସେ ଆପଣେ’ ସମ୍ବୋଧନଟିରେ ଆପଣାର ଦାସବୋଧଟି ମୁହୂର୍ମୁହୂଃ ଉଜ୍ଜ୍ବଳତର ହୋଇ ଉଠିଛି । ଗୋଟାଏ ସର୍ବଜନପ୍ରିୟ ପ୍ରଚଣ୍ଡ ରାଜନୈତିକ ନେତୃତ୍ବର ସକଳ କର୍ତ୍ତୃତ୍ବବୋଧକୁ ଦାସସୁଲଭ ‘ସେବା’ ଭାବରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ସମର୍ପି ଦେଇ ଅତ୍ୟନ୍ତ ନମ୍ରତାର ସହିତ କହିଛନ୍ତି , ” ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ । ଉତ୍କଳର ନେତା ନିଜେ ନାରାୟଣ ॥ ” ( -ବନ୍ଦୀର ଆତ୍ମକଥା ) ବର୍ଣ୍ଣନା ବାହୁଲ୍ୟ, ତାଙ୍କ ଦରଦର ଉତ୍ସ ଥିଲା ଅଧ୍ୟାତ୍ମ । କେବଳ କଥାରେ ନୁହେଁ, ନିଜ ଜୀବନରେ ସେ ତାହା ପଠନ/ଶ୍ରବଣ ମନନ ଓ ନିଦିଧ୍ୟାସନର ଅଭ୍ୟାସ ମାଧ୍ୟମରେ ଜୀଇଁ ଦେଖାଇ ଦେଇ ଯାଇଛନ୍ତି ।

କାଉନସିଲର ଭାବରେ ବିହାର ଓଡ଼ିଶା ଲେଜିଲେଟିଭ କାଉନସିଲକୁ ଯିବା ବେଳେ ପିନ୍ଧୁଥିଲେ ଧଳା ରଙ୍ଗର ସାର୍ଟ ସହିତ କଳା ରଙ୍ଗର ପ୍ୟାଣ୍ଟ , କୋଟ ଓ ଜୋତା । ସେଠାରୁ ଫେରିବା ମାତ୍ରେ ସେ’ସବୁ ଧୂଆପଖଳା ହୋଇ ଇସ୍ତ୍ରୀ ହୋଇ ବାକ୍ସରେ ସାଇତା ହୋଇ ରହୁଥିଲା ପରବର୍ତ୍ତୀ କାଉନସିଲ ବସିବା ଯାଏ। ସେତେବେଳେ ଖଦଡ଼ ଦି’ଖଣ୍ଡ ଆଉ ମୁକ୍ତପଦରେ ଉତ୍କଳ ସମ୍ମିଳନୀ ଠାରୁ ଆରମ୍ଭ କରି କଂଗ୍ରେସ ସଭା ପର୍ଯ୍ୟନ୍ତ ଦେଶଯାକ ବୁଲି ଆସୁଥିଲେ । ଆଉ ସତ୍ୟବାଦୀରେ ଥିଲାବେଳେ ପିନ୍ଧୁଥିଲେ ତୁଳସୀମାଳା, ମକୁଟା ( ଏକ ସ୍ବତନ୍ତ୍ର ଜାତିର ଘିଅ ରଙ୍ଗର ମଠା କପଡ଼ା, ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ ମାନେ ବ୍ୟବହାର କରନ୍ତି । ) ଓ କଠଉ ! ସମସ୍ତେ ‘ସ୍କୁଲ୍’ କହୁଥିଲା ବେଳେ ସେ କହୁଥିଲେ ‘ଆଶ୍ରମ’ । ସମଗ୍ର ବିଶ୍ୱର ବୃହତ୍ତମ ଶ୍ରୀକୃଷ୍ଣ ବିଗ୍ରହ , ଯେଉଁ ବିଶାଳନୟନ କଥାକୁହା ଦିଅଁଙ୍କର ରହିଛି ଅପୂର୍ବ ଏକ ଚମତ୍କାର ଇତିହାସ, ସେହି ସାକ୍ଷିଗୋପାଳଙ୍କ ମୋହରେ ମୁଗ୍ଧ ହୋଇ ସେହିଠାରେ ହିଁ ଗଢ଼ିଥିଲେ ବନବିଦ୍ୟାଳୟ । ( ” ଦେବଦତ୍ତ ଧାମ ମୋ’ ପ୍ରିୟ ଆଶ୍ରମ “- ବନ୍ଦୀର ସ୍ୱଦେଶଚିନ୍ତା ) ସେହି ଭକ୍ତଭାବବିନୋଦିଆ ଦିଅଁଟି ପାଇଁ ଲେଖିଥିଲେ ରୋମହର୍ଷକ ‘ଦେଖା ଦିଅ ବାରେ’ କବିତା । ଯେତେବେଳେ ଦର୍ଶନ କରିବାକୁ ଯାଉଥିଲେ, ଘଣ୍ଟା ଘଣ୍ଟା ଧରି ସେ ଅଶ୍ରୁଝରା ନୟନରେ ଦର୍ଶନ କରୁଥିଲେ ; ସେତେବେଳେ ମନ୍ଦିରରେ ଖେଳି ଯାଉଥିଲା ଅଭାବନୀୟ ନୀରବତା । ପୂଜ୍ୟ ଗୁରୁଦେବଙ୍କଠାରୁ ଶୁଣିଛି, ଯାହା ସେ ପ୍ରତ୍ୟକ୍ଷଦର୍ଶୀ ପରମ ଗୁରୁଦେବଙ୍କ ଠାରୁ ଶୁଣିଥିବା କଥା କହନ୍ତି , କର୍ତ୍ତବ୍ୟର ଦାୟରେ ସାଧୁସନ୍ଥଙ୍କୁ ଦର୍ଶନ କରିବାକୁ ଗୋପବନ୍ଧୁ ପୁରୀ ଆସି ପାରୁ ନଥିଲେ , ବରଂ ତାଙ୍କର ସେହି ଉଚ୍ଚ କୋଟୀର ପ୍ରେମଭକ୍ତି ଯୋଗୁଁ ପୁରୀରୁ ସାଧୁସନ୍ଥ ମାନେ ସତ୍ୟବାଦୀ ଯାଇ ତାଙ୍କୁ ଦର୍ଶନ ଦେଇ ଆସୁଥିଲେ ! ସେମାନଙ୍କ ମଧ୍ୟରେ ଗମ୍ଭୀରା, ସିଦ୍ଧ ବକୁଳ, ରାଧାବଲ୍ଲଭ, ଏମାର ଆଦି ପ୍ରାଚୀନ ମଠ ମାନଙ୍କର ବାବାଜୀ ମାନଙ୍କ ସହିତ ପ୍ରସିଦ୍ଧ କ୍ରିୟାଯୋଗୀ ଶ୍ରୀଯୁକ୍ତେଶ୍ୱର ଗିରିଜୀ ମହାରାଜ ମଧ୍ୟ ଥିଲେ । ସେ କେବେ ବି ଆବଦ୍ଧ କୋଠରୀରେ ଶୟନ କରୁ ନଥିଲେ । ଜୀବନ ଥିଲା ସନ୍ୟାସି ସୁଲଭ ଅତିଶୟ ସରଳ ନିରାଡ଼ମ୍ବର । ବନବିଦ୍ୟାଳୟ ସହିତ ବିହାର ଓଡ଼ିଶା ଲେଜିଲେଟିଭ କାଉନସିଲ , ଉତ୍କଳ ସମ୍ମିଳନୀ ଓ ଜାତୀୟ କଂଗ୍ରେସର ନାନା ଅଧିବେଶନ ଓ ଆନ୍ଦୋଳନ ତଥା ତଜ୍ଜନିତ କାରାବାସ , କୋର୍ଟ କଚେରୀ, ଦୈନିକ ‘ସମାଜ’ ଓ ସତ୍ୟବାଦୀ ପତ୍ରିକାର ସମ୍ପାଦନା, ଦୈନିକ କେତେ କେତେ ସଂଗ୍ରାମୀ ଆନ୍ଦୋଳନକାରୀ ସଂସ୍କାରକ ସାହିତ୍ୟିକଙ୍କ ସହିତ ଆଲୋଚନା ତଥା ନିତିଦିନ ହାରାହାରି ପଚିଶ ଖଣ୍ଡ ଚିଠିର ଉତ୍ତର, ରାତି ରାତି ଉଜାଗର ରହି କାବ୍ୟ କବିତା ପ୍ରବନ୍ଧାଦିର ରଚନା, ସେଥିରେ ପୁଣି ବଢ଼ି ମରୁଡ଼ି ଅଞ୍ଚଳରେ ବୁଲି ବୁଲି ପ୍ରତ୍ୟକ୍ଷ ଲୋକସେବା – ଏତେ ବ୍ୟସ୍ତତାବହୁଳ ଜୀବନ ସତ୍ତ୍ୱେ ପଣ୍ଡିତ ଗୋପବନ୍ଧୁ ସତ୍ୟବାଦୀରେ ଆପଣାର ବିଜନ କକ୍ଷରେ ମଧ୍ୟେ ମଧ୍ୟେ ନିଜେ ନିଜେ ଶ୍ରୀମଦ୍ଭାଗବତ ସପ୍ତାହ ପାଠ କରୁଥିଲେ । ଏହି ପାଠ ସପ୍ତାହ ଯାକ ମୌନ ରହି ହବିଷ ମାତ୍ର ଆହାର କରି, ଦିନର ଅନ୍ୟ ସମୟଯାକ ଦିଅଁଙ୍କ ପୂଜା ଅଭିଷେକ ଓ ଜପ ଧ୍ୟାନରେ  କଟାଇବାକୁ ହୁଏ । ଗୁରୁଦେବ କହନ୍ତି , ପାରାୟଣ କାଳରେ ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା ଅଥବା କୌଣସି ଭକ୍ତ ପ୍ରତି ତାଙ୍କର କରୁଣାର ପ୍ରସଙ୍ଗ ଆସିଗଲେ ସେ ଆଉ ଆଗକୁ ପଢ଼ି ପାରନ୍ତି ନାହିଁ। କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ଅନେକ ସମୟ ଧରି ନୀରବରେ ଅଶ୍ରୁମୋଚନ କରୁ ଥାଆନ୍ତି । ପୁଣି କେତେବେଳକରେ ପ୍ରକୃତିସ୍ଥ ହେଲେ ଯାଇ ଆଗକୁ ପଢ଼ନ୍ତି । ସମସ୍ତ ରାଜନୈତିକ ବ୍ୟସ୍ତତା ସତ୍ତ୍ୱେ ସେ ଏ’ ଅଧ୍ୟାତ୍ମ ସାଧନା ଜାରି ରଖିଥିଲେ ଏବଂ ପକ୍ଷାନ୍ତରେ ଏହା ଯେ ତାଙ୍କର ରାଜନୈତିକ କର୍ତ୍ତବ୍ୟ ପଥରେ ବାଧକ ହୋଇଥିଲା – ଏ’କଥା କେହି କହି ପାରିବେ ନାହିଁ ! ବରଂ ତାଙ୍କର ଏହି ପ୍ରାୟୋଗିକ ଅଧ୍ୟାତ୍ମ ( Applied Spiritualism )ର ଗଭୀର ଅଭ୍ୟାସ ଓ ତଜ୍ଜନିତ ପବିତ୍ରତା, ରାଷ୍ଟ୍ର ପ୍ରତି ତାଙ୍କର ଯାହା ସବୁ ରାଜନୈତିକ ସେବା, ସେସବୁକୁ ଅଧିକ ଋଦ୍ଧିମନ୍ତ କରିଥିଲା । ଉତ୍କଳ ଛାଡ଼ନ୍ତୁ , ସମଗ୍ର ଭାରତବର୍ଷର ଏହି ଦୁଇ ଶତାବ୍ଦୀର ରାଜନୈତିକ ଇତିହାସରେ ମହାଯୋଗୀ ଶ୍ରୀଅରବିନ୍ଦଙ୍କୁ ଛାଡ଼ିଦେଲେ କପଟମୁକ୍ତ ନିଃସ୍ୱାର୍ଥ ରାଜନୈତିକ ସେବାରେ ଗୋପବନ୍ଧୁ ଚରିତ୍ର ସର୍ବବରିଷ୍ଠ ସ୍ଥାନରେ ରହିବେ ।

ବ୍ୟକ୍ତି ତାହାର ସୀମିତ କ୍ଷୁଦ୍ର ଅହମିକା ତଥା ତଜ୍ଜନ୍ୟ ଅଜ୍ଞାନତା, ଅତିବାଦ ଓ କ୍ଷୁଦ୍ର କ୍ଷୁଦ୍ର ନଶ୍ୱର ଆକାଂକ୍ଷା ଓ ଭୟ ମାନଙ୍କ କବଳରୁ ନିଜକୁ ମୁକ୍ତ କରି ନେଇ ଅସୀମ ଅବିନଶ୍ୱର ଭଗବାନଙ୍କ ଠାରେ ଏକ ନିଃସର୍ତ୍ତ ନିରବଚ୍ଛିନ୍ନ ନିର୍ମଳ ଭାବରେ ସମର୍ପିତ ନହେଲେ ନିଜକୁ ସୁଦ୍ଧା ତ ଯଥାର୍ଥରେ ଭଲ ପାଇ ପାରିବ ନାହିଁ , ଆଉ ଅନ୍ୟ କାହାକୁ ବା ଦେଶକୁ ଭଲ ପାଇବ କୁଆଡ଼ୁ ? ସୁତରାଂ ଜୀବନର ସମସ୍ତ କ୍ଷେତ୍ରରେ ଅଧ୍ୟାତ୍ମ ଏକାନ୍ତ ଅପରିହାର୍ଯ୍ୟ, ଏପରିକି ରାଜନୀତିରେ ସୁଦ୍ଧା ।

କାରଣ, ଯଶ ପର୍ଯ୍ୟନ୍ତ ଅଭିଳାଷରୁ ମୁକ୍ତ ଯେଉଁ ରାଜନୈତିକ କର୍ମୀ ମାର୍ଗଦର୍ଶନ ପାଇଁ ପ୍ରତି କ୍ଷଣରେ ତାହାର ଅନ୍ତରବାସୀ ଭଗବତ୍ ସତ୍ତାକୁ ପ୍ରତୀକ୍ଷା କରିପାରେ, ତା’ ହାତରେ ଏକ ବୃହତ୍ତର ସମାଜର ବା ରାଷ୍ଟ୍ରର ହିତ ବ୍ୟତୀତ ଅହିତ କେବେ ମଧ୍ୟ ହୁଏନାହିଁ । ବରଂ କାରାଗୃହର ଅନ୍ଧକାର ଭିତରୁ ସେହି ଜାଗ୍ରତ ତପଶ୍ଚାରୀ ପବନକୁ ସୁଦ୍ଧା ପଚାରି ପାରେ , ” ଗମ୍ଭୀରାରୁ କିବା ଶ୍ରୀମୁଖ ଆଦେଶ ପଠାଇ ଅଛନ୍ତି ଦେବ ମୋ’ ପାଇଁ, କହ ବେଗେ ବାୟୁ କ୍ଷୀଣ ହୁଏ ଆୟୁ ରହିଥିବି କେତେ କାଳ ଅନାଇଁ ? ” ( – ବନ୍ଦୀର ସ୍ୱଦେଶଚିନ୍ତା )

ମିଳାଇ ପ୍ରାଣ ତଥା ପ୍ରାଣେଶ ପଦେ,

ନାଚିବି ବିଶ୍ୱପ୍ରେମେ ପରମାନନ୍ଦେ ।

ଗିରି ସାଗର ନଦୀ ତପନ ଶଶୀ,

ସର୍ବେ ଚୁମ୍ବିବେ ମୋତେ ପ୍ରେମେ ପରଶି।

(- ବିଶ୍ୱର ମିଳନ ଚିତ୍ର )

– ଉଦାର ପ୍ରେମର ଏପରି ମହିମ୍ନ ଉଦ୍-ଗାନ ଯିଏ କରିପାରେ, ସେ ଆଉ ସାଧାରଣ ରାଜନେତା ନୁହେଁ, ଯଥାର୍ଥରେ ରାଜର୍ଷି ଟିଏ । ଚେତନାର ଏତାଦୃଶ ପ୍ରସାର ଶିଳାରେ ଶାଳଗ୍ରାମ ଏବଂ ଯେ କୌଣସି ସ୍ଥାନରେ ପ୍ରିୟ ପୁରୀ ଧାମର ଦର୍ଶନ ସମ୍ଭବ କରାଇ ପାରେ ! ବ୍ୟକ୍ତିକି ରାଷ୍ଟ୍ରୀଭୂତ କରାଇ ପାରେ ।

ଏହିପରି ଉତ୍ତୁଙ୍ଗ ଅଧ୍ୟାତ୍ମସିଞ୍ଚିତ ରାଷ୍ଟ୍ରବୋଧ ହିଁ ନିଶ୍ଚିତ କରାଏ ଏକ ଅଭିଜାତ ସଭ୍ୟତାର ନିର୍ମାଣ ।

( ଥିଲେ ଯହିଁ ତହିଁ ଭାରତ ବକ୍ଷରେ,

ମଣିବି ମୁଁ ଅଛି ଆପଣା କକ୍ଷରେ ।

ମୋ’ ନେତ୍ରେ ଭାରତ-ଶିଳା ଶାଳଗ୍ରାମ,

ପ୍ରତି ସ୍ଥାନେ ମୋ’ର ପ୍ରିୟ ପୁରୀ ଧାମ ।

× × ×

ଥିଲେ ଯହିଁ ତହିଁ ଭାରତ ଶୟଳେ ।

ମଣିବି ମୁଁ ଅଛି ନୀଳଚକ୍ର ତଳେ ।

ପ୍ରଭୁ ଜଗନ୍ନାଥ ପତିତପାବନ ।

ଜୀବନେ ମରଣେ ତୁମ୍ଭେ ମୋ’ ଶରଣ ।

– ବନ୍ଦୀର ଆତ୍ମକଥା )

ଯଦିଓ ଆଧୁନିକ ଯୁଗରେ ବିରଳ, ମାତ୍ର ଏ’ ଧରଣର ବ୍ୟକ୍ତିତ୍ୱ ଏ’ ଦେଶର ଇତିହାସରେ ନୂଆ ନୁହେଁ, ବରଂ ଏହି ଅଧ୍ୟାତ୍ମ ଉର୍ଜସ୍ୱଳତା ହିଁ ଆମର ଭବ୍ୟ  ଐତିହ୍ୟ ଏବଂ ଆମ ଭାରତୀୟ ସଭ୍ୟତାର ଅମରତ୍ୱର ଏକମାତ୍ର ରହସ୍ୟ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏ’ କ୍ରୀତଦାସ ପବିତ୍ର ଦେଶମାତୃକାରେ ଏହିପରି ଉଜ୍ଜ୍ୱଳ ନେତୃତ୍ୱର ବହୁସଂଖ୍ୟକ ଉଦୟ ନିମନ୍ତେ ପ୍ରାର୍ଥନା କରେ ।

ସେଇଥିପାଇଁ

” ଅଧ୍ୟାତ୍ମ ଅପରିହାର୍ଯ୍ୟ, ଏପରିକି ରାଜନୀତିରେ ମଧ୍ୟ। “

( Spirituality is inevitable, even in politics.) – ଦାସେ ଆପଣେଙ୍କ ଅଧ୍ୟାତ୍ମ-ସୁନ୍ଦର ଜୀବନ, ନୂଆ ପୀଢ଼ିର ସ୍ୱଦେଶନିଷ୍ଠ ଯୁବକ ମାନଙ୍କ ନିମନ୍ତେ ଏହି ପ୍ରେରଣା ଓ ପ୍ରାର୍ଥନା ବହନ କରୁ – ଏହି ବଳବତୀ ଆକାଂକ୍ଷା ଏ’ ଅକିଞ୍ଚନ କ୍ରୀତଦାସକୁ ଦର୍ଶନ କରାଇ ଥିଲା ଏହି ଛବି : ଗୋପବନ୍ଧୁ ସତ୍ୟବାଦୀ ବନ ବିଦ୍ୟାଳୟରେ ନିଜର ନିରାଡ଼ମ୍ବର ଏକାନ୍ତ ମୃଣ୍ମୟ କକ୍ଷରେ କମ୍ବଳାସନ ଉପରେ ବସିଛନ୍ତି । ଆଗରେ ରୁଖା ଉପରେ ଜଳୁଛି ଦୀପ। ସେହି ଦୀପର ଆଲୁଅରେ ବ୍ୟାସାସନ ଉପରେ ସେ ଶ୍ରୀମଦ୍ଭାଗବତ ଗ୍ରନ୍ଥ ଥୋଇ ପାଠ କରନ୍ତି । ପାଠ କରୁ କରୁ ଆସିଛି ଏପରି ତଲ୍ଲୀନ ଅବସ୍ଥା, ଯେଉଁ ଅବସ୍ଥାରେ କି ପ୍ରତ୍ୟେକ ଶିଳା ‘ଶାଳଗ୍ରାମ’ ରୂପେ ଗୋଚରୀଭୂତ ହୋଇ ଉଠୁଛନ୍ତି । ତେଣୁ ସେପରି ଅବସ୍ଥାରେ ଆଉ ଧ୍ୟାନ କରିବାକୁ ହୁଏ ନାହିଁ , ସ୍ୱତଃସ୍ଫୁର୍ତ୍ତ ଧ୍ୟାନର ତଲ୍ଲୀନ ଅବସ୍ଥାଟିଏ ଏପରି ଲାଗି ରହେ ଯେ ଆଖି ବୁଜିବା ଆଉ ଖୋଲା ଥିବାରେ କିଛି ଅନ୍ତର ରହେ ନାହିଁ । ଅନ୍ତରେ ବାହାରେ ସବୁଠି ସେହି ପରମସତ୍ତାଙ୍କର ହିଁ ଶାନ୍ତ ସ୍ନିଗ୍ଧ ଭାଗବତୀ ଉପସ୍ଥିତି । ଭାଗବତପାଠ ଅଧାରେ ରହି ଯାଇଛି ଆଉ ଦାସେ ଆପଣେ ସେହିପରି ଏକ ତନ୍ମୟ ଅବସ୍ଥାରେ ବସି ରହିଛନ୍ତି ।

ପୂର୍ବରୁ ମୋ’ର ଘନିଷ୍ଠ ଥିଲେ ବାଲେଶ୍ୱରର ଅତୁଳନୀୟ ଶିଳ୍ପୀ ନିତ୍ୟାନନ୍ଦ ସାହୁ । ମୁଁ ତାଙ୍କ ହାତଅଙ୍କା ଅନେକ ପ୍ରତିକୃତି ଦେଖିଛି, ଅତି ସୁନ୍ଦର, ନିଖୁଣ ଅଙ୍କନ । ସୁତରାଂ ତାଙ୍କୁ ଏ’ ଛବି ଆଙ୍କି ଦେବାକୁ ଅନୁରୋଧ କଲି । ସେ ମଧ୍ୟ ଯେତେବେଳେ ଜାଣିଲେ ଯେ ମୁଁ ମୋ’ର ବ୍ୟକ୍ତିଗତ ଖର୍ଚ୍ଚରେ ନିଜର ହିଁ ଆନନ୍ଦ ପାଇଁ ଜାତିକି ଅଧ୍ୟାତ୍ମ ପ୍ରେରଣା ଦିଆଇବା ଉଦ୍ଦେଶ୍ୟରେ ଏ’ ଛବି ଅଙ୍କାଇବାକୁ ଚାହୁଁଚି, ସେତେବେଳେ ସେ ବଡ଼ ଆନନ୍ଦରେ ସ୍ୱିକୃତି ଦେଲେ ଆଉ ଅଳ୍ପ ଦକ୍ଷିଣା ବିନିମୟରେ ଚିତ୍ରଟି କରିଦେବେ ବୋଲି କହିଲେ ।

ଶିଳ୍ପୀଙ୍କୁ ଆବଶ୍ୟକ ମତେ ଆମୂଳଚୂଳ ଗୋପବନ୍ଧୁ ଚରିତ୍ର ଶୁଣାଇ ବୁଝାଇଥିଲି । ଏ’ ପ୍ରବନ୍ଧରେ ଯାହା ଲେଖିଛି, ସେ’ ସବୁ କଥା ମଧ୍ୟ ଶୁଣାଇଥିଲି । ନିଜେ ବସି ଦେଖାଇ ଦେଇଥିଲି, ଗୋପବନ୍ଧୁ କେମିତି ବସିବେ, କେମିତି ଚାହିଁବେ , ଆଖି ଖୋଲା ରହିବ, ବ୍ୟାସାସନ ଉପରେ ଭାଗବତ କିପରି ରହିବେ, ଦୀପ ଆଲୁଅରେ କେମିତି ଛାଇ ପଡ଼ିବ । ମକୁଟାର ରଙ୍ଗ କିପରି ନଡ଼ା ରଙ୍ଗର ରହିବ, କିପରି ଦୁଇ ହାତ ଆସି କୋଳରେ ଛନ୍ଦି ହୋଇ ରହିବ, କିନ୍ତୁ ବୁଢ଼ା ଆଙ୍ଗୁଠି ଦୁଇଟି ପରସ୍ପର ସହିତ ଯୋଡ଼ି ହୋଇ ଊର୍ଦ୍ଧ୍ବମୁଖ ହୋଇ ରହିବ, ଯାହାକି ସହଜ ଧ୍ୟାନର ମୁଦ୍ରାଟିଏ – ସବୁ କହିଦେଲି ।

ସେ ମନ ଦେଇ ଆଙ୍କିଲେ । ମୋ’ର ପସନ୍ଦ ହୋଇଥିଲା । ମାତ୍ର ଚିତ୍ରଟି ଶିଳ୍ପୀ ନିଜେ ପସନ୍ଦ କଲେ ନାହିଁ । କାରଣ ୟା’ ଭିତରେ ସେ ଅଧିକ ବାସ୍ତବ ମନେ ହେଉଥିବା ମୁଖାକୃତିଟି ପାଇ ସାରିଥିଲେ । ତେଣୁ ସେ ପ୍ରତିକୃତିଟିକୁ ଆଉ ଥରେ କରିବେ ବୋଲି ଭାବି ପୂରା କାନଭାସଟିକୁ ହିଁ ବଦଳାଇ ଦେଲେ। ଏହି ଦ୍ବିତୀୟ ଥର ଅଙ୍କନ ଆରମ୍ଭ ହୋଇ ନଥାଏ, ହଠାତ୍ ଦିନେ ଶୁଣିବାକୁ ପାଇଲି ଯେ ଶିଳ୍ପୀଙ୍କର ମାନସିକ ଅବସ୍ଥା ଭଲ ନାହିଁ ଆଉ ସେଥିପାଇଁ ତାଙ୍କୁ ତାଙ୍କ ଘରଲୋକେ ଡାକ୍ତର ଦେଖାଇବାକୁ ଭୁବନେଶ୍ବର ନେଇ ଯାଇଛନ୍ତି। ପୁଣି ଶୁଣିଲି, ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ସ୍ୱସ୍ଥ ଥିବା ଘୋଷଣା କରି ପଠେଇ ଦେଇଛନ୍ତି । ତେଣୁ ସେଠାରୁ ଫେରିବା ପରେ ମୁଁ ମଧ୍ୟ ତାଙ୍କୁ ଦେଖିବାକୁ ଗଲି, ତାଙ୍କ ବ୍ୟବହାରରେ ମୋତେ ବି କୌଣସି ବିକୃତି ଦେଖାଗଲା ନାହିଁ । ତେବେ ତାଙ୍କର ଯାହା ହୋଇଥିଲା, ତାହା ସାଧାରଣ ବୁଦ୍ଧିର ବୋଧଗମ୍ୟ ମନେ ହୁଏନାହିଁ । ଗୋଟାଏ ଅତି ବୃହତ୍ତର ଚେତନାର ଆଧାରଭୂମି ହେବା ବେଳେ କିୟତ୍ କାଳ ନିମନ୍ତେ ସାଧାରଣ ମାନୁଷୀ ଚେତନାର ବାହ୍ୟବୃତ୍ତି ଲୋପ ହୋଇଯିବା ଅସ୍ୱାଭାବିକ ନୁହେଁ । ଭଗବାନ୍ ଶ୍ରୀକୃଷ୍ଣଙ୍କୁ ପ୍ରସବ କଲା ବେଳକୁ ଜନନୀ ଦେବକୀ ଚେତନା ହରାଇ ପଡ଼ିଛନ୍ତି । ଠିକ୍ ସେହିପରି ଏକ ଅତୀନ୍ଦ୍ରିୟ ତନ୍ମୟତା ଭିତରେ ଶିଳ୍ପୀ ନିତ୍ୟାନନ୍ଦ କିଛି କାଳ ଅତିବାହିତ କରିଥିଲେ ଏବଂ ଗୋପବନ୍ଧୁ ଛବି ଅଙ୍କନ ଶେଷ ହେବା ବେଳକୁ ସେ ତନ୍ମୟତା ସ୍ୱତଃ ଅନ୍ତର୍ହିତ ହୋଇ ଯାଇଥିଲା । ଏପରି ଅଭିଜ୍ଞତା କ୍ୱଚିତ୍ କୌଣସି ଶିଳ୍ପୀଙ୍କୁ ପ୍ରାପ୍ତ ହୋଇଥାଏ ।

ଯାହା ହେଉ ମଝିରେ ମଝିରେ ଯାଇ ଛବିଟିକୁ ଦେଖି ଏଇଠି ଆଉ ଟିକିଏ ଏମିତି, ସେଠି ସେମିତି ମନ ମୁତାବକ ସୁଧାର କରାଇ ନେବା ଅନ୍ତେ ଶେଷରେ ମୟୂରଭଞ୍ଜ ପୁସ୍ତକମେଳାର ଉଦ୍-ଘାଟନ ଦିବସ ତା୧୬/୧୨/୨୦୧୭ରିଖରେ ବାଗ୍ମୀ ରଜତ କୁମାର କର ମହୋଦୟଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ସମସ୍ତେ ଶିଳ୍ପୀ ନିତ୍ୟାନନ୍ଦଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ପୁସ୍ତକ ମେଳାର ସହୃଦୟ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସେହି ତୈଳଚିତ୍ର ଦଶ ଦିନ ଧରି ସେ ପୁସ୍ତକମେଳାର ମଞ୍ଚରେ ରହି ପ୍ରତିଦିନ ମାଲ୍ୟାର୍ପିତ ହେଲେ । ଶେଷରେ ତା୨୬/୧୨/୨୦୧୮ରିଖ ପୁସ୍ତକମେଳାର ଉଦ୍-ଯାପନ ମଞ୍ଚରେ ଓଡ଼ିଶାର ବୃହତ୍ତର ଜନସମୁଦାୟଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରି ଉକ୍ତ ତୈଳଚିତ୍ରଟିକୁ ସମାଜ ଅନୁଷ୍ଠାନରେ ସ୍ଥାନିତ କରିବା ପାଇଁ ତାହାର ପ୍ରକାଶକ ଓ ମୁଦ୍ରାକର ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ରଥ ମହୋଦୟଙ୍କ ହସ୍ତରେ ଅର୍ପଣ କରା ଯାଇଥିଲା। ସେହି ମଞ୍ଚରେ ଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କୁ ମଧ୍ୟ ମୁଖ୍ୟ ଅତିଥି ଉଚ୍ଚ ନ୍ୟାୟାଳୟ ବିଚାରପତି ଦେବବ୍ରତ ଦାସ, ସଭାପତି ପଦ୍ମନାଭ ସାହୁ ଓ ସମ୍ପାଦକ ମନୋଜ ଦଳବେହେରା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।

ଆଜି ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶଙ୍କ ଉତ୍କଳମଣି ଗୋପବନ୍ଧୁ ପୁସ୍ତକର ପ୍ରଚ୍ଛଦରେ ଛବିଟିକୁ ସ୍ଥାନିତ କରିବା ପାଇଁ ଆଗ୍ରହ ପ୍ରକାଶ କରି ଗ୍ରନ୍ଥମନ୍ଦିରର ଉଦାର ପ୍ରକାଶକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ମହାଶୟ ନିଜର ହୃଦୟବତ୍ତାର ପରିଚୟ ଦେଇଛନ୍ତି । ସେ ତାଙ୍କର ପାଠକ ମାନଙ୍କୁ ପୁସ୍ତକର ପ୍ରଚ୍ଛଦର ତାତ୍ପର୍ଯ୍ୟ ସମ୍ବନ୍ଧେ ଅବଗତ କରାଇବା ମାନସରେ ମୋ’ର ଏହି ପ୍ରବନ୍ଧକୁ ମଧ୍ୟ ସ୍ଥାନିତ କରୁଛନ୍ତି , ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉଛି। ଆଶା କରେ ପୁଣ୍ୟଶ୍ଳୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରାୟୋଗିକ ଅଧ୍ୟାତ୍ମର ଏହି ପବିତ୍ର ଜୀବନର ଛବିଟି ବୁଦ୍ଧିଜୀବୀ ତଥା ଉତ୍ତରଣକାମୀ ବ୍ୟକ୍ତିମାନଙ୍କର ଜୀବନରେ ପ୍ରଭାବୀ ଓ ପ୍ରେରଣାପ୍ରଦ ସିଦ୍ଧ ହେବ ।

ଆଶ୍ରମ

ଚମ୍ପାଗଡ଼ି ରାଣୀବନ୍ଧ

ମୟୂରଭଞ୍ଜ ଉତ୍କଳ ପ୍ରଦେଶ

ପିନ୍: ୭୫୭୦୨୬

…..


…..

Shree Sanatkumar Das

…..

ଶ୍ରୀ ସନତକୁମାର ଦାଶ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ:

Facebook” 


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Sanatkumar Das ସନତକୁମାର ଦାଶ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment